Unknown

 

 

 

 

 

 

 

 

 

 

ବନମାଳୀ ପଦ୍ୟାବଳୀ

ଭକ୍ତକବି ବନମାଳୀ ଦାସ

 

ଶ୍ରୀ ଶ୍ରୀ ଗୁରୁ ଗୌରାଙ୍ଗ ଦେବତା ଜୟତି ।

(ମଙ୍ଗଳାଚରଣ)

ବନ୍ଦେ ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ସହୌଦିତୌ ।

ଗୌଡ଼ୋଦୟେ ପୁଷ୍ପବନ୍ତୌ ଯତ୍ରୌ ଶନ୍ଦୌ ତମୋନୁଦୌ ।

 

ବନ୍ଦେ ବୃନ୍ଦାବନଗୁରୁଂ କୃଷ୍ଣଂ କମଳଲୋଚନମ୍‌ ।

ପୀତାମ୍ବର ଘନଶ୍ୟାମଂ ବନମାଳାଂ ବିରାଜିତମ୍‌ ।

 

ତ୍ରିଭଙ୍ଗ ଭଙ୍ଗିମ ରୂପଂ, ରାଧିକାପ୍ରାଣବଲ୍ଲଭମ୍‌ ।

ଗୋପୀମଣ୍ଡଳମଧ୍ୟସ୍ଥଂ, ଶୋଭିତଂ ନନ୍ଦନନ୍ଦନମ୍‌ ।

 

ବନ୍ଦନା

ଜୟ ହେ ଜୟ ବ୍ରଜରାଜନନ୍ଦନ ମୋହନ ନଟବର ଭଙ୍ଗିୟା । ଘୋଷା

ଦଳିତ- କଜ୍ଜ୍ୱଳ- କାନ୍ତି ମଞ୍ଜୁଳ

 

କୁଞ୍ଚିତ- ଘନ- ନୀଳ- କୁନ୍ତଳ

ପୁଷ୍ପ ବେଷ୍ଟିତ ଚଳ ପରିମଳ,

 

ବିରହୀ ଚନ୍ଦ୍ରିକା ଚୂଳିୟା ।

ଭାଲେ ଚନ୍ଦନ- ବିନ୍ଦୁ ଉଜ୍ଜଳ,

 

ଶରଦ ଶଶଧର ପୂର୍ଣ୍ଣ ମଣ୍ଡଳ,

କର୍ଣ୍ଣେ ଶୋଭିତ ମକର- କୁଣ୍ଡଳ,

 

ତରଳ ତର ତରୁଭଙ୍ଗିୟା

ବିକତ ସରସିଜ ବହନ ଶୋଭିତ,

 

ମନ୍ଦମୃତର ହାସ- ସସ୍ମିତା

କନକ- କଙ୍କଣ ରତ୍ନ ଭୂଷିତ,

 

ମୂରଲୀଧର ନବରଙ୍ଗିୟା । ୩ ।

ହୃଦୟେ ମଣ୍ଡଳେ ମଣି ବିରାଜିତ,

 

କୋଟି ଭାସ୍କର କାନ୍ତି ନିନ୍ଦିତ,

କୁସୁମଚୟ ବନମାକ ରଞ୍ଚିତ,

 

ଲୋଳ ଲୋଚନ ସାରଙ୍ଗିୟା । ୪ ।

ସାରସ ପ୍ରଫୁଲ୍ଲ ବଦନ ବିକଶିତ,

 

ମନ୍ଦ ମଧୂର ମୃତୁହାସ ସ୍ମିତ

କଟିରେ ସ୍ୱର୍ଣ୍ଣ କିଙ୍କିଣୀ ରଞ୍ଜିତ,

 

ନବଯୁବତୀ ମାନ ଭାଙ୍ଗିୟା । ୫ ।

ମଞ୍ଜୁ ମଞ୍ଜରି ନାଦ କଣ,କଣ

 

କ୍ଷୁଦ୍ର କିଙ୍କିଣୀ ୠଣିତ ଋଣ ଝୁଣ

ସଙ୍ଗୀତ ଚମକ ସମ ଗାୟନ,

 

ରାସନୃତ୍ୟକ ସଙ୍ଗିୟା । ୬ ।

ଚରଣ ପଙ୍କଜ ଅରୁଣ କି ସୁନ୍ଦର,

 

ରକ୍ତ ମାନସ ବନ୍ଦି ମନ୍ଦିର,

ସନ୍ତେତ ବନମାଳୀ ଧୀଷଣ,

 

ଉକ୍ତ ଲାଳସ ସଙ୍ଗିୟା । ୭ ।

ଚରଣ ପଙ୍କଜ ଅରୁଣ କି ସୁନ୍ଦର,

 

ଉକ୍ତ ମାନସ ବନ୍ଦୀ ମନ୍ଦିର,

ସନ୍ତତେ ବନମାଳୀ ଧୀଷଣ

 

ଉକ୍ତ ଲାଳସ ସଙ୍ଗିୟା । ୮ ।

 

(ରାଗ ମଙ୍ଗଳ- ତାଳ ତ୍ରିପଟା)

ଜୟଗୀତି

ଜୟ ଜଗ

 

ଭଜନ

ଶରଣାଗତି

ଦୀନବାନ୍ଧବ ହେ ! ଶରଣାଗତ ରକ୍ଷଣ ଜାଣି ।

ଆଶ୍ରେ କରିଅଛି            ହୃଦୟ ଥରୁଛି

ଥରେ ଥରେ ତୁମ୍ଭ କଥା ଶୁଣି । ଘୋଷା ।

ବଳି ମହୀପତି            ସକଳ ସମ୍ପତ୍ତି

ଦେଇ ସମର୍ପିଲା ଶିର ଆଣ ।

ଧରି ତାକୁ ବଳେ            ଚାପିଲା ପାତାଳେ

ବିଶ୍ୱାସ ଯିବାରୁତୁମ୍ଭ ବାଣୀ ।୧।

କେତେ ଅନୁଗ୍ରହ            ଯାଦବ ନିଗ୍ରହ

ଠାରେ ହେ କମ୍ଭୂରଥାଙ୍ଗପାଣି ।

ଋକ୍, ଶାମ୍ଭ, ଗଦ,            ପ୍ରଦ୍ୟୁମ୍ନ ସହିତେ

ସ୍ୱବଂଶକୁ ପକାଇଲ ହାଣି ।୨।

କି ହେବ ଅନେକ            କହିଲେ ଜନକ

ସୁତାଠାରୁ ନାହିଁ ସୁଲକ୍ଷଣୀ ।

ନ ବୁଝି ତା ଦୋଷ            ବ୍ୟର୍ଥେ ବହି ରୋଷ

ବନେ ନିବେଶିଲେ ତାକୁ ପୁଣି ।୩।

ଧରଣୀ ତଳେ            ତରଣୀ ସୁତ ଭୟ

ନାଶିବାକୁ ଯେବେ ଥାନ୍ତା ପ୍ରାଣୀ ।

ବନମାଳୀ ଦାସ            ନ ମାଡ଼ନ୍ତା ପାଶ

କୋଟିଏ ସଂପୂର୍ଣ୍ଣ ଦେଲେ ଗଣି ।

(ଶୋକ କାମୋଦୀ- ଆଠତାଳି)

 

ପ୍ରାର୍ଥନା

ମହାବାହୁ ! ଏହି କଥାରେ ମୋ ମନ ।

ନିତି ଦେଖୁଥିବି ନୀଳାଦ୍ରି ମଣ୍ଡପେ କଞ୍ଜ ସୁନ୍ଦର ବଦନ ହେ । ଘୋଷା

 

ଅଞ୍ଜଳିରେ ଜଳ ପିଇ, ପିନ୍ଧୁଥିବି ବକଳ କରି ବସନ ।

ଶଚୀପତି ପଦ ତୁଚ୍ଛ ମଣୁଥିବି ଥିଲେ ତୁମ୍ଭ ସନ୍ନିଧାନ ।୧।

ଲୋଭୀ ହୋଇଥିବି ଅର୍ଦ୍ଧଚନ୍ଦ୍ର ମୁଖ ଚନ୍ଦନଲାଗିବେଳକୁ ।

ଧୀରେ ଚାହୁଁଥିବି ବିପୁଳ ଭୁଜକୁ ସୁଭଦ୍ରା କାମପାଳଙ୍କୁ ।୨।

 

ଅବକାଶମାନଙ୍କରେ ମୋ ଲାଳସ ହୋଇଥିବ ଅହର୍ନିଶ ।

ତେତେବେଳେ ଡ଼ୋକେ ହେଳେ ନ ଦେଖିବି ବ୍ରହ୍ମା ରୁଦ ଦୀନଈଶ ।୩।

ନିତି ବଦନଚନ୍ଦ୍ରକୁ ଚାହିଁ ମୁହିଁ ତାପତ୍ରୟକୁ ନାଶିବି ।

ବୋଲେ ବନମାଳୀ ଜନ୍ତୁପତି ଭୟ ଲୋକଙ୍କୁ ଚାହିଁ ହସିବି ।୪।

(ରାଗ – ବଙ୍ଗଳାଶ୍ରୀ । ତାଳ... ଆଠତାଳି ।)

 

ଜଣାଣ

ଆହେ ଜଗବନ୍ଧୁ ! ତୁମ୍ଭବିନୁ ମୁହଁ ନ ଜାଣେ ଆନ ଦେବତା ।

ଆପଣ କରୁଣା ଊଣା କଲେ ଆଉ ନାହିଁଟି କେହୁ ରଖନ୍ତା । ଘୋଷା

 

ସ୍ୱପନରେ ଦିନେ ଚାହିଁ ନାହିଁ ରହି ତପନକୁ ଭଲ କରି ।

ଜପ ନ କରଇ ଶରଧାରେ ପଞ୍ଚ ଲପନଙ୍କ ନାମ ଧରି ।୧।

ସର୍ବ ତୋ ପ୍ରକାରେ ନ ପ୍ରବର୍ତ୍ତେ ଚିତ୍ତ ପର୍ବତ ନନ୍ଦନାଠାରେ ।

ଖର୍ବ ତନୁରେ ମୁଁ ନ କରଇ ସ୍ତୁତି ପର୍ବ ତିଥିମାନଙ୍କରେ ।୨।

 

ଶ୍ରୁତିରେ ନ ପୂରଣ ରତିଏ ବସି ମୁଁ ସ୍ମୃତି ଯାହାଛନ୍ତି ଦେଖି ।

ସ୍ଫୂର୍ତ୍ତି ନୁହଇ ଆନଦେବୀ ଦେବତା ମୂର୍ତ୍ତି ତୁମ୍ଭର ନିରେଖି ।୩।

ମନ ବଚନ କର୍ତ୍ତବ୍ୟରେ ତୁମ୍ଭ ଅନବରତରେ ମୁହଁ ।

ଅବଧାନ ନ ହୋଇଲେ ମୁଁ ଭାସିଲି ବନମାଳୀଏତେ କହି ।୪।

(ରାଗ – ବଙ୍ଗଳାଶ୍ରୀ ତାଳ... ଟପା)

 

ଛଳଭକ୍ତି

ଜଗନ୍ମିବାସ ହେ ! ରଘୁବଂଶେ ତୁମ୍ଭେ ହୋଇଣ ଜାତ ।

କେତେ କୃପାଳୁ ହୋଇଥିଲେ ଆପଣ,

ଏବେ ହେଲ ତ କର୍କଶ ଚିତ୍ତ । ଘୋଷା ।

ଗଉତମ ପ୍ରିୟତମାକୁ ପାଷାଣୁ

ତୋରିଛ ଚରଣ ପରଶରେ ।

ବାନରରାଜ ସୁଗ୍ରୀବେ ଅନୁଗ୍ରହ

ଗାଉଛନ୍ତି ଜନେ ଚଉଦପୁରେ ।୧।

ଗୁହକ ଶବର ଚଣ୍ଡାଳ ଜାତି,

ପ୍ରୀତି ତାହାଠାରେ କଲ କେ ନ ଜଣେ ?

ଏକା ହୋଇ ମୋହଠାରେ ତିନିକଥା

ଅଛି ସତ ସେତ ଜାଣେ ନ ଜାଣେ ।୨।

ମୋ ହୃଦ ପଥର ମୋ ଚେଷ୍ଟା ବାନର

କର୍ମ ମୋହର ଚଣ୍ଡାଳ ବଳି ।

ମୋତେ ଉଦ୍ଧାରିଲେ ରଘୁନାଥଠାରୁ

ବଡ଼ ତୁମ୍ଭେ ବୋଲେ ବନମାଳୀ ।୩।

(ରାଗ କୋଳାହଳ....ତାଳ ଆଠତାଳ)

 

ମନଶିକ୍ଷା

କଳା ଧଳା ସୋଦରେ, ବଳା ଚିତ୍ତ ମୋଦରେ,

ପଳାଇବ ଦୂରିତ ନ ରହି ମହା ଖେଦରେ । ଘୋଷା ।

ଦଳିତ ସୁଅଞ୍ଜନ,            ବଳି ତନୁ ରଞ୍ଜନ

ଲଳିତ ତମାଳ ଇନ୍ଦ୍ରମଣି ଦର୍ପଗଞ୍ଜନ ।୧।

ଗଙ୍ଗାଜଳୁଁ ଧବଳ,            ଅଙ୍ଗାବଳୀ ଏ ବଳ,

ରଙ୍ଗାଧର ଶୋଭା ଦେଖ ହେବ ଦୁଃଖ ଦୁର୍ବଳ ।୨।

ଚାହାଁ ଲୋକ ନିସ୍ତାରେ, ମହାବାହୁ ବିସ୍ତାରେ,

ଆହାଲାଦରେ ଏଟି ଚଉଦଲୋକ ସାସ୍ତାରେ ।୪।

ବନମାଳୀ ଭାଷିଲା            ଜନମ ବିନାଶିଲା

ଘନଶ୍ୟାମ ରାମଠାରେ ମନ ନ ନିବେଶିଲା ।୪।

(ରାଗ ବଙ୍ଗଳାଶ୍ରୀ, ତାଳ-ଆଠତାଳି)

 

ଅନାଥର ନାଥ ନୀଳ ଗିରି ନାଥ ଜଗନ୍ନାଥ ଲକ୍ଷ୍ମୀସାଇଁ ।

ଅରକ୍ଷିତକୁ ତ ରଖି ଦେଉନାହିଁ ଭବଜଳରେ ଭସାଇ ।୧।

ଆହେ ହରି ମୁହିଁ ସହି ନ ପାରଇ ଅନ୍ତର ବେଦନା ମାନ ।

ଯେଣୁ କହି ତୁମ୍ଭେ ଦୟା ହେ ନ କଲ ପ୍ରଭୁ ଆତଙ୍ଗନାଶନ ।୨।

ଏଡ଼େ ନିଷ୍ଠୁରତା ହେଲ ମୋଭଳି ଦୁଃଖୀଜନ ହୀନଠାରେ ।

ହୀନଜନମାନେ ଗୁହାରି କରନ୍ତି ନ ଶୁଣ କି ତୁମ୍ଭେ ବାରେ ? ।୩।

ପୋଡ଼ୁ ମୋ ଅଦୃଷ୍ଟ ଅନ୍ତବସ୍ତ୍ର କଷ୍ଟ ଏଡ଼େ ବଡ଼ ପ୍ରଭୁ ଥାଉଁ ।

ଭଣନ୍ତି ବୀର କିଶୋର ମହାରାଜା ପଦ୍ମପାଦେ ଚିତ୍ତ ଥାଉ ।୪।

(ରାଗ ତୋଡ଼ ପରଜ.... ତାଳ ଆଡ଼ତାଳ)

 

ଆତ୍ମନିବେଦନ

ଜଗବନ୍ଧୁ ହେ ! ତୁମ୍ଭେ ପତିତପାବନ, ଜାଣି ସ୍ଥିରଥିଲ ମନ ।

ମୋହ ନଷ୍ଟଚିତ୍ତେ ଚିନ୍ତି କମ୍ପେ ଅପଘନ । ଘୋଷା ।

ସଙ୍କେତରେ ତୁମ୍ଭ ନାମ କହି ନାହିଁ ଦିନେ ।

ପୁଣି ନାହିଁ ଶ୍ରଦ୍ଧାବହି ତୁମ୍ଭ କତା କାନେ ।୧।

ନ ଦେଖଇ ଆପଣଙ୍କ ଶ୍ରୀମୂର୍ତ୍ତି ପ୍ରୀତିରେ ।

ନ ବସଇ କ୍ଷଣେ ସାଧୁବୃନ୍ଦ ସଙ୍ଗତିରେ ।୨।

ପାତକ ଅର୍ଜ୍ଜନେ ମୁହିଁ ଅଟେ ଧୂରନ୍ଦର ।

ମୋତେ ଚାହିଁ ତୁମ୍ଭ ନାମ ନ ସ୍ମରନ୍ତି ନର ।୩।

କୁମ୍ଭିପାକେ ରଖ ଅବା ଜନ୍ମଭେଦି ପାଶେ ।

ସୁଖ ଦୁଃଖକୁ ମୋହର ଭୟ ନାହିଁ ଲେଶେ ।୪।

କେବଳ ତୁମ୍ଭ ସ୍ମରଣ ପାସୋରିବି ନାହିଁ ।

ବନମାଳୀ ମାଗେ ଏତେ ଦନ୍ତେ ତୃଣ ଦେଇ ।୫।

 

ପ୍ରଭାତ ଅବକାଶ

ଉଠନିଶି ପାହିଲା ଏଥର ହେ ବଂଶୀଧର । ଘୋଷା ।

ମନ୍ଦିରେ ଡ଼ାକିଲେ ଶୁକ, ବୃକ୍ଷରେ ରାବିଲେ କାକ,

କୁହୁ କୁହୁ ରଟେ ପିକ, କୁକୁଟ ଡ଼ାକିଲେ ପରଖର ହେ ।୧।

ଡାକେ ଯଶୋବନ୍ତୀ ଭାଳି .... ଉଠ ମୋର ବନମାଳୀ ।

ଶ୍ରୀମୁଖ ଦେବି ପଖାଳି, ଝରିରେ ରଖିଛ ବାସନୀର ହେ ।୨।

ଅମୃତ ପାଣି କଦଳୀ.... ଲବଣୀ ସଙ୍ଗତେ ଗୋଳି,

ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ।୩।

ଉଠ ରାମ ବାସୁଦେବ,..... ଗୋଗୋଷ୍ଠେ ଉଛୁର ହେବ,

ଦଧି ଅନ୍ନ ସାଥେ ନେବ, ନଦୀକୂଳେ କରିବ ଆହାର ହେ ।୪।

ବାଛୁରୀ ଚରାଇ ଯାଇ,.... କାଲି ପଥଶ୍ରମ ପାଇ,

ଅଳସରେ ଅଛ ଶୋଇ,.......ଅଶକତ ହୁଏକି ଶରୀର ହେ ।୫।

ସିଂହଦ୍ୱାରେ ଗୋପସୁତ,...... ଡ଼ାକନ୍ତି ଉଠ ଅଚ୍ୟୁତ,

କେତେ ନିଦ୍ରା ଯାଉ ତୁତ..... ଆକାଶେ ଉଦୟ ଦିନକର ହେ ।୬।

ଉଠ ପ୍ରଭୁ ଚକ୍ରଧର, ..... ଯିବାକୁ ହେବ ଉଛୁର,

ବନକୁ ଗମନ କର,.....ବନମାଳୀ ଚରଣେ କିଙ୍କର ହେ ।୭।

ଉଠ ପ୍ରଭୁ ଚକ୍ରଧର, ..... ଯିବାକୁ ହେବ ଉଛୁର,

 

ବନକୁ ଗମନ କର,.....ବନମାଳୀ ଚରଣେ କିଙ୍କର ହେ ।୭।

(ରାଗ : ଭୈରବ, ତାଳ – ଆଠତାଳି)

 

ପ୍ରାର୍ଥନା

ଜଗନ୍ନାଥ ହେ, କିଛି ମାଗୁ ନାହିଁ (ମୁଁ) ତୋତେ

ଧନ ମାଗୁ ନାହିଁ,            ଜନ ମାଗୁ ନାହିଁ

ମାଗୁଛି ଶରଧା- ବାଲିରୁ ହାତେ । ଘୋଷା ।

ଆନ ଦରଶନ ନ ଲୋଡ଼େ ନୟନ ଏକା ତୁମ୍ଭ ଦେଖା ବିନା ।

ଶୁଣିବାକୁ କାନ ନ ଇଚ୍ଛଇ ଆନ ତୁମ୍ଭ ଚରିତେ କାମନା ।୧।

ଜିହ୍ୱା ନ ବାଞ୍ଛିଲ ଗ୍ରାମ୍ୟ ଗୀତ ଗାଇବାକୁ ରଜନୀ ଦିବସ ।

ତୁମ୍ଭ ନାମାବଳୀ କେବଳ ସଙ୍ଖାଳି ହୋଇଥାଉ ପୀତବାସ ।

ନାସା ମୋର ତୃପ୍ତ ନ ଲଭଇ ଆନ ସୁବାସ ଦ୍ରବ୍ୟ ଆଘ୍ରାଣେ ।

ତବ ଛଡ଼ାମାଳ ତୁଳସୀ କୁସୁମ, ଚନ୍ଦନ, କର୍ପୂର ଧ୍ୟାନେ ।୩।

ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ, ହରେକୃଷ୍ଣ ଜପୁଥାଉ ।

ବୋଲେ ବନମାଳୀ ମୋ ବେନି ଚରଣତୋ ତୀର୍ଥ ଭ୍ରମଣେ ଧାଉଁ ।

(ରାଗ : ତୋଳିପରଜ । ତାଳ – ଆଠତାଳି)

 

ମନଶିକ୍ଷା

ଭଜ ରେ ମନ ! କାମ ମୋହନ ଶ୍ୟାମସୁନ୍ଦର ନାମକୁ ।

ସଜ ବାଜ ହୋଇ            ଲାଜଦୂରେ ଥୋଇ

ଚଳିଯା ତୁ ବ୍ରଜ ଧାମକୁ । ଘୋଷା ।

ରଜନୀଦିବସେ ଏକାନ୍ତେ ବସି, ମଜ କୃଷ୍ଣ ମଥାମୃତରେ ରସି

ସଜ – ମଞ୍ଜ ନେତ୍ର            ଦର୍ଶନେ ପବିତ୍ର....

ହୁଅ ପ୍ରତିଯାମ ଯାମକୁ ।୧।

ଅଜ ଶିବ ଶେଷ ବନ୍ଦେ ଯେ ପାଦେ, ଗଜଧ୍ୱଜ ଆଦି ତ୍ରିଦଶବୃନ୍ଦେ

ସଜର କର ତୁ            କଜ୍ଜଳ କାଳିଆ

ଉଜ୍ଜଳ ମୂରତି କାମକୁ ।୨।

ଅଜଣଶ ଅଛି କି ଶ୍ରୀଗୁରୁବାଣୀ,      ସକଳ ନୟନେ ହୁଅ ତୁଗୁଣଜ୍ଜି,,

ସୁଜନମାନଙ୍କୁ            ପୂଜ ଭକତିରେ

ବୁଝ ଧରମ ନିଷ୍କାମକୁ ।୩।

ଏ ଜନମ ବୃଥା ନ ଯାଉ ତୋର, ‘ତେଜ ମୋହମାୟା ବିଷୟା ଘୋର

ହେଜ ବନମାଳୀ            ବ୍ୟାଜରେ ନଭାଳି

ନ ଯାଏ ତପନଜ ଗ୍ରାମକୁ ।୪।

(ରାଗ : ଶ୍ରୀ..। ତାଳ – ଝୁଲା)

 

ଅଳି

ଏ ଅଳି ଶ୍ରୀଛାମୁରେ ହେ ଦୀନବନ୍ଧୁ !

ଏହି ଅଳି ଶ୍ରୀଛାମୁରେ ।

ଶ୍ରୀରଙ୍ଗାଚରଣ ସେବାରେ ମୋ ମନ

ରହିଥାଉ ନିରନ୍ତରେ । ଘୋଷା ।

ଦାନା କନା ପଛେ ମନା ହେଉଛ ମୋତେ

ନୀଳଚକ୍ର ବାନା ଚାହିଁ ।

ସୁଖୀ ହେଉଥିବି ଅଖିଳପତି ହେ

ନିର୍ଦ୍ଦୟ ହୋଇ ଭିକାରୀ ।

ସାଧୁ ସନ୍ଥଙ୍କରବୋଲାଇ କିନ୍ନର

ମାଗୁଥିବି ମାଧୁକରୀ ।୨।

ଆନନ୍ଦ ବଜାରେ ବୁଲିଣ ମଜ୍ଜାରେ

ଗାଉଥିବି ତୋର ନାମ ।

ତୋ ପ୍ରେମସାଗରେ ବୁଡ଼ି ଯାଉଥିବି

ବୋଲି ହରେକୃଷ୍ଣ ରାମ ।୩।

 

ଏଥିପାଇଁ କୂଳ ମୂଳ ହରାଇଛି

ସାଥି କରି ତୋତେ ଏକା ।

ଦାସ ବନମାଳୀ ଦୋଷ ନ ଧରିବୁ

ଗୋବର୍ଦ୍ଧନ ଗିରିଟୋକା ।୪।

 

ଗୁହାରି

ଚିକାଡ଼ୋଳା ଚିକ୍‌କଣ କାଳିଆ ହେଜ ! ବକାରି ମୋ କତା ଶୁଣ ।

ଠକାଠକି ଖଣ୍ଡ ଚଳିବ ନାହିଁଟି ପକାଇ କହୁଛି ରାଣ । ଘୋଷା ।

ଢକ୍‌କା ବାଜୁଅଛି            ଚଉଦ ବ୍ରହ୍ମାଣ୍ଡେ

ତୁମ୍ଭର ଯେତେକ ଗୁଣ

ପକ୍‌କା ଜଣେ ବୋଲି      ଆଗୁ ଶୁଣିଥିଲି

ଡ଼କାଇତରେ ଆପଣ ।୧।

ଚକାରଥେ ବସି ପକାଇଲ ଧ୍ୱଂସି

ସ୍ୱ-ମାହିକ କଂସରାଣ ।

ହକାରି ଥିଲା ସେ            ମନେ କୁଟ ପାଞ୍ଚି

ଶୁଝିଦେଲ ପିତୃଋଣ ।୨।

ଅକାମନା ଭକ୍ତି            କରି ଗୋପ ଗୋଈ

ଚରଣେଗଲେ ଶରଣ ।

ବକା ଛଳେ କେବା            ରସ ରହସ୍ୟରେ

କଲେ ନିତି ସୁମରଣ ।୩।

 

ଅକାଳିଆ ଦାସ            ବନମାଳୀ ପାଶ

ଛିଡ଼ାହେଲେ ଏକ କ୍ଷଣ ।

ଡ଼କାଇବି ନାହିଁ            ନିଶ୍ଚେ ଗାଳିଦେବି

ଯା ଇଚ୍ଛା ତାହା ବୋଲିଣ ।୪।

 

ହୋରିଖେଳ

ଶ୍ରୀରାଧା ସଙ୍ଗରେ, ଶ୍ରୀହରି ରଙ୍ଗରେ ।

ହୋରି ଖେଳିଲେ ସୁଧାରେ । ଘୋଷା ।

ଶ୍ରୀପଦ ଗାନକରେ            କେ ତହିଁ ବସନ୍ତ ରାଗରେ

ମନ୍ଦ ମଧ୍ୟ ସୁତାନରେ ।

ତାତା ଥେଇ ଥେଇ            ମୃଦଙ୍ଗ ବଜାଇ,

ମନ୍ଦ୍ର ମଧ୍ୟ ଦ୍ରୁତମାନରେ ।୧।

ସଙ୍ଗିନୀ ରଙ୍ଗିନୀ            ପୁରତେ ରହି ରହି

ତୁଙ୍ଗ ବିଦ୍ୟା ନାନାବାଦ୍ୟେ ।

ମୋହିତ କରିବାରେ      ଇନ୍ଦୁଲେଖା ମୁଖ

ଇନ୍ଦୁଢାଳି ନାଚେ ମଧ୍ୟ ।୨।

ଦ୍ୱନ୍ଦ ଦ୍ୱନ୍ଦ ବୃନ୍ଦ            ବୃନ୍ଦ ସୁନ୍ଦରୀ ନନ୍ଦଲାଲଙ୍କୁ

ଚୁଆ, ଚନ୍ଦନ, ଅତର, ପନୀର

ଅବିର ସଙ୍ଗେ ଗୁଲାଳକୁ ।୩।

 

କେ ଢାଲେ ବଳେ            କେ ଛଳେ କୁତୁହଲେ

ମୋହନ ମୂରଲୀ ଛଡ଼ାଇ ।

ଚଞ୍ଚଳେ ଚଞ୍ଚଳ ଧରି            କହେ ବନମାଳୀ,

ତାହାକୁ ଧରନ୍ତି ଗୋଡ଼ାଇ ।୪।

(ରାଗ – ବସନ୍ତ । ତାଳ – ଏକତାଳି)

 

ନନ୍ଦଉତ୍ସବ

ଦେଖ ଗୋ ! ରାଧା ମାଧବ ଚାଲି ।

ମଣି ବିମାନ ଆସେ ଝୁଲି ଝୁଲି । ଘୋଷା ।

ବିବିଧ ବାଜଣା ବୀର କାହାଳୀ ।

ବିଜେ କଲେ ଗୋପଦାଣ୍ଡ ଉଛୁଳି ।୧।

ସଙ୍ଗତେ ଅଛନ୍ତି ପଞ୍ଚସାଗର

ରାଧିକା ଦୂତିକା ମୂରଲୀ ଧର ।୨।

ନରେନ୍ଦ୍ର ସରକୁ କରିଣ ମନ ।

ଚାପ ଖେଳନ୍ତି ଜଗତ ମୋହନ ।୩।

ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି ।

ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇଁ ।୪।

 

ଚାପଲୀଳା

ଶ୍ୟାମ ସୁନ୍ଦର ! ସିନ୍ଧୁ ମନ୍ଥି ପାଇଲି କି ସମ୍ଭାର ?

ନୋହିଲେ କୁବେର ବେଦବର ସୁନାସୀର

ଦେଇପାରେ ଦୂତର । ଘୋଷା ।

ମୋ ମନେ ହେଉଛି ନରେନ୍ଦ୍ର ସର ଏ ନୁହେଁ ହେବେ କ୍ଷୀର ସାଗର ।

ଚାପଛଳେ ବଳେ ପକାଇ ମନ୍ଦର ମନ୍ଥିଲ କି ନନ୍ଦକିଶୋର ।୧।

ମଣି ବିମାନରେ ପତାକା ଉରଗ ବାସୁଅଛି ଗନ୍ଧ ସିନ୍ଦୂର ।

ଦେବତାଙ୍କୁ ଘେନି ନୋହିଲେ କାହିଁକି ପାଶେ ଖଟିଛନ୍ତି ଶଙ୍କର ।୧।

ତରଙ୍ଗ ପାଇ ତରାସ ରାହୁପରା ଗୋଡ଼ାଇ ଗଳେ ସୁଧାକର ।

ମୋହିନୀ ରୂପ ଆପଣେ ଧରିଛନ୍ତି ଛାଡ଼ନାହିଁ ଅଙ୍ଗ ଗଉର ।୩।

କଉସ୍ତୁଭ ମଣି ରମଣୀ ମଣିକି ଆପଣେ କଲ ଅଙ୍ଗୀକାର ।

ବନମାଳୀ ବୋଲେ ନୀଳ ପର୍ବତରେ ହରି କରିବେ କି ବହାର ।୪।

 

ଚନ୍ଦନ ବାହୁଡ଼ା

ସାରିଣ ବାରିବିହାର । ବିଜେ ବ୍ରଜ ରାମା ହୃଦହାର ଯେ । ଘୋଷା ।

ବସି ମଣି ବିମାନର ।

ବାମେ ସିନ୍ଧୁସୁତା ଦକ୍ଷିଣେ ଧର ପାଶେରେ ଶଙ୍କର ।୧।

କଟୀତଟେ ପୀତାମ୍ବର ।

ଶିରେ ଜାମୁଡ଼ାଳି ମୟୁରଚନ୍ଦ୍ରିକା ନାସେ ଗଜମୋତିବର । ରୀ ।

ନାମରତ୍ନେ ଅଳଙ୍କାର

କଣ୍ଠେ କଉସ୍ତୁଭ ମଣି ପୁଷ୍ପ ଚମ୍ପା ଯାଇ ଯୁଈ ମଲ୍ଲୀହାର ।୩।

ମୋହନ ତ୍ରୈଲୋକ୍ୟସାର

ସୁର ନାଗ ନର ଗନ୍ଧର୍ବ କିନ୍ନର ଖଟନ୍ତି ଚରଣେ ଯାର ।୪।

ଆଗେ ଦାସୀ ନୃତ୍ୟକାର ।

ଭକ୍ତଜନମାନେଧରିଣ ଅଛନ୍ତି ଖଦି ଆଲଟ ଚାମର ।୫।

ସାରି ଚାରି ପଟୁଆର ।

କଉତୁକେ ଢଳି ଢଳିଣ ଆସନ୍ତି ସଙ୍ଗେ ଘେନି ହଳଧର ।୬।

ପ୍ରତିହାରୀ ଯେ ସୁଆର ।

ମଣିମା ମଣିମା ଗୁହାରି ଶୁଣିମା ଡ଼ାକ ପଡ଼ଇ ଅପାର

ବିଜୟେ ସିଂହଦୁଆର ।

ବନମାଳୀ କରଯୋଡ଼ି ଜଣାଉଛି ଶରଣ ମୁଁ ନିରନ୍ତର ।୮।

 

ଝୁଲଣ

ଝୁଲନ୍ତି ରଙ୍ଗେ ରାଇ ସଙ୍ଗେ ଶ୍ୟାମ ସୁନ୍ଦର ।

ରାଗରେ ଅନୁରାଗ କରନ୍ତି ବଂଶୀ ହୁନ୍ଦର । ପଦ ।

ଝଳି ମରକତ ନୀଳେନ୍ଦ୍ର ମଣି             ଲାବଣ୍ୟ ପ୍ରତିମା ତ୍ରିଭଙ୍ଗୀ ଠାଣି,

ମୃଦୁ ମୃଦୁ ହସ ନୟନ ବିଳାସ କେଡ଼େ ମଧୁର ।୧।

ମାଳତୀ କୁସୁମେ ରବିତ      ଝୁଲାଇ ଦିଅନ୍ତି ବରଜବାଳୀ

ରାଇ ଗୀତମାନ କରନ୍ତି ନର୍ତ୍ତନ ବାଇ ନୁପୁର ।୨।

କେ ବଜାଏ ବୀଣା କିଏ ବା କାହାଳୀ କେ ବାଏ ମର୍ଦ୍ଦଳ ଉକୁଟ ଚାଳି,

କେବଣ ସୁଧୀରା ବଜାଏ ମଦିରା ପ୍ରେମେ ଆତୁର ।୩।

ଟପ ଟପ ଝପ ଝପ ବରଷା             ଶୀତଳ ପବନ ଚନ୍ଦ୍ରମା ନିଶା,

ପାରା ଶୁକ ଶାରୀ ମୟୂର ମୟୂରୀ ଆନନ୍ଦେ ଭୋର ।୪।

ଝୁଲଣ ଉତ୍ସବ କୁଞ୍ଜ ସଦନେ            ଦେଖି ସୁଖୀ ହୋଇ ଅମରୀମାନେ,

ବୋଲେ ବନମାଳୀ ଦେଲେ ପୁଷ୍ପାଞ୍ଜଳି ରହି ଶୂନ୍ୟର ।୫।

 

ସଙ୍ଗୀତ

ସାକ୍ଷାତ ଦର୍ଶନ

ନିରେଖ ଚାହାଁରେ ସଖି ! ଏ କଦମ୍ବ ମୂଳକୁ

ସଂସାର ସାର ସୁଷମା ହୋଇବକି କୁଳକୁ । ଘୋଷା ।

ଶିରେ ବାଙ୍କ ଚୂଳଶିଖୀ ପୁଚ୍ଛ ଚକାଚଳକୁ ।

ବିଲୋକୀଲେ ସତୀ ଧୃତି ରହିବ କି କାଳକୁ ।୧।

ହୃଦେ ବନମାଳ କର୍ଣ୍ଣେ ମକର କୁଣ୍ଡଳକୁ ।

ହସା ମିଶା ଭାଷା ଭଙ୍ଗୀ ହୃଦାଞ୍ଚଳ ତଳକୁ ।୨।

କଟୀରେ ପୀତ ଅମ୍ବର କ୍ଷୁଦ୍ର ଘଣ୍ଟ ମାଳକୁ ।

ମଞ୍ଜୁ ମଞ୍ଜୁରୀ ଚରଣେ ହୋଇଅଛି ମେଳକୁ ।୩।

ତ୍ରିତାପେ ତାପିତ ହୋଇ ସଦା ଭବଜଳକୁ ।

ଦୀନ ବନମାଳୀ ହେଜୁଥାଇ ପାଦତଳକୁ ।୪।

(ରାଗ- କଲ୍ୟାଣ, ତାଳ- ଏକ ତାଳି)

 

ସାକ୍ଷାତ୍‌ ଦର୍ଶନ

(ସଖୀ ପ୍ରତି ଶ୍ରୀରାଧା)

କହ ଲୋ ସଜନି, ସେ କଦମ୍ବ ମୂଳେ କେ ସେ

ନବୀନ ନୀରଦ ତନୁ କେଡ଼େ ଶୋଭା ଦିଶେ । ଘୋଷା ।

କିଶୋର ବୟସ ତାର      ଛବି ଦିଶେ ମନୋହର

ନାଗରୀଙ୍କ ଚିତ୍ତ ଚୋର, ନଟବର ଦେଶେ ।୧।

ମନେକର ବିବେଚନା      ଜାଣେ ବି ମନ୍ତ୍ର ରଚନା

ଘେନି ଥାଇ ଗୋରୋଚନା ବିନ୍ଦୁ ଭାଲଦେଶେ ।୨।

ମନରେ କି ରୋଷ ବହି      ଅବଳା ବଧିବା ପାଇଁ

ଜାଣିଲି ନିଶ୍ଚୟ ବିହି ଆଣିଛି ଏ ଦେଶେ । ।୩।

ବନମାଳୀ ଦାସ ଭଣି      ସେ ପରା ମୂରଲୀପାଣି

ପରତେ ହେଲେ ତାଠାରେ ଜାଣିବୁ ଯେ ସେ ।୪।

(ରାଗ – କଫି, ତାଳ – ଏକତାଳି)

 

ରୂପାନୁରାଗ

(ରାଧାଙ୍କ ପ୍ରତି ଲଳିତା)

ବିଜୟେ ମୂରଲୀପାଣି, ସେ ଭଲା ଠାଣି । ଘୋଷା ।

ଦକ୍ଷିଣ ବାମକୁ ଜିଣି ଲୋ ସଜନି ଦକ୍ଷିଣ ବାମକୁ ଜିଣି ।

ଢାଳଇ ଅପାଙ୍କ ଶଙ୍ଖାରି କରତି ପକାଏ ମରମ ହାଣି ।୧।

ତନୁ ଇନ୍ଦ୍ର ନୀଳମଣି ଲୋ ସଜନୀ, ତଦୂଇନ୍ଦ୍ର ନୀଳମଣି ।

ବଳକ୍ଷ ପକ୍ଷରେ ନକ୍ଷତ୍ର ମାଳିକା ତ୍ରିଭଙ୍ଗ ଲୁଳିଛି ଆଣି ।୨।

ବରଜରାଜ ରମଣୀ ଲୋସଜନୀ, ବରଜରାଜ ରମଣୀ ।

କେତେ ସୁକୃତରେ ଏ ପୁଅ ପାଇଛି ଭଲାଭଲା ସୁଲକ୍ଷଣୀ ।୩।

ଯେ ଧରିବ ଏହା ପାଣି ଲୋ ସଜନୀ, ଯେ ଧରିବ ଏହା ପାଣି ।

କୃତାର୍ଥ ତାହାର ରମଣୀ ହେବାର ବନମାଳୀ ରସେ ଭଣି ।୪।

(ରାଗ- ସାରଙ୍ଗ । ତାଳ – ଆଡ଼ଖେମଟା ଝୁଲା)

 

ରୂପ ପ୍ରଶଂସା

(ସଖୀ ପ୍ରତି ଶ୍ରୀରାଧା)

କି ଶୋଭା ମୂରଲୀପାଣି ଲୋ ସଜନି !

ତାଙ୍କୁ ମୋତେ କେ ଦେବ ଆଣି ଗଲା ସଜନି !

ସେ ଯେଉଁ ବାଙ୍କ ଚାହାଁଣି, ମୋ ଦୃଢ ହେଉଛି ହାଣି ଲୋ । ଘୋଷା ।

(ଦିନେ) ଯମୁନା ଜଳକୁ ମୁଁ ଗଲି ଗାଧୋଇ ।

ଆଚମ୍ବିତେ ବନରେ ଦେଖିଲି ମାଧୋଇ ଗଲା ।୧।

ଧାଇଁଆସି ଧଇଲେ ସେ ମୋର ଅଞ୍ଚଳ ।

ମୁଁ ଡ଼େଇଁ ପଡ଼ନ୍ତେ ଯାଇଁ ଯମୁନା ଜଳ ଲୋ ।୨।

ମୁଁ ଡ଼େଇଁ ପଡ଼ନ୍ତେ ସେ ଯେ ଡ଼େଇଁ ପଡ଼ିଲେ

ଭୁଜେ ଭୁଜ ଛନ୍ଦି କୁଞ୍ଜବନକୁ ନେଲେ ଲୋ ।୩।

ବୋଲେ ବନମାଳୀ ଶ୍ୟାମନାଗର ନଟ ।

ସବୁ ନାଗୀମାନଙ୍କ ଭାଙ୍ଗନ୍ତି ଆଣ୍ଟ ଲୋ ।୪।

(ରାଗ – ବସନ୍ତ । ତାଳ- ଖେମଟା ଝୁଲା)

 

ରୂପ ପ୍ରଶଂସା

(ରାଧାଙ୍କ ପ୍ରତି ସଖୀ ଉକ୍ତି)

ନନ୍ଦକିଶୋର ପରି ଗୋ, କିଶୋରୀ ।

ଖୋଜିଲେ ନ ଥିବ ଚଉଦପୁରୀ ଗୋ କିଶୋରୀ । ଘୋଷା ।

କେତେକାଳ ବସି ରହି ଯତନେ, ସଜାଡ଼ିଲା ତନୁ ନୀଳ ରତନେ ।

ଅଳପ ଅନାଇଁ ଦେଲେ ଅପାଙ୍ଗେ, ଅଙ୍ଗାଯାକ ପୁରି ରହେ ଅନଙ୍ଗେ ଗୋ ।୧।

ନୟନ- ମୁନ ତା ମଦନ ଛୁରୀ,            ଦୁଃଖୀ ସୁଖ ତହିଁ ରହିଛି ପୂରି

ଥରେ ଚାହିଁଦେଲେ ଅଳପ କରି,

ଜୀଉଥିବା ଯାକ ନୁହେ ପାସୋରି ଗୋ ।୨।

ଫୁଲକାଣ୍ଡ ଚାରୁ କୋଦଣ୍ଡ ପରି,      ଭ୍ରୁଲତା ନେତ୍ର ତା ନଚାଏ ଧରି,

ଧଇର୍ଯ୍ୟ ନ ରହେ ଚାହିଁଲେ ଦୂରୁ,

ବରତିଯିବ କେ ଶ୍ୟାମ ଆଗରୁ ଗୋ ।୩।

ଗୋପାଳୀକୁଳଙ୍କ କୁଳ ବଡ଼ାଇ            ନାଗର ରାଜ ଦେଲେରି ଛଡ଼ାଇ

ବିଷପରି ହେଲା ଲୋଭ ମୁହାସ,

ସନ୍ତର ନୟନେ କଲାଣି ବାସ ଗୋ ।୪।

 

ବନମାଳୀ ବୋଲେ ମୋହନ ଦେହ,      ମୋହିନୀମାନଙ୍କୁ କରଇ ମୋହ

କିଞ୍ଚିତ ବନିତା ଦେବାର ବଶ,

ଅନାଇଁ ପଶୁଏ ସ୍ଥକିତ ଦୃଶ୍ୟ ଗୋ ।୫।

(ରାଗ – ପରଜ, ତାଳ- ଆଠତାଳି ।)

 

ରୂପ ପ୍ରଶଂସା

(ସଖୀ ପ୍ରତି ଶ୍ରୀରାଧା)

ସଖିରେ ଶ୍ୟାମବନ୍‌ଧୁଙ୍କୁ ଚାହିଁ,

ଯୁବା – ନାରୀ ଦମ୍ଭ ରଖିବେ କାହିଁ, ? । ଘୋଷା ।

ତା ଯେଉଁ ଚାହାଁଣି ନୟନ ଠଶର, ସେ କି ମାର ଶାଣଦିଆ କୁଠାର ?

ତାର ଯେଉଁ ମନ୍ଦହାସ ଚାତୁରୀ କୁଳବତୀ ଧୈର୍ଯ୍ୟକଟା କତୁରୀ ।୨।

ଆହା ତାହାର ଯେ ମୋହନ ବେଶ,

ମୋତେ ତ କରଇ ଭାବେ ଆବେଶ ।୩।

ବୋଲେ ବନମାଳୀ ଆଗୋ ରାଧିକେ,

ତୁମ୍ଭେ ସିନା ଶ୍ୟାମ ପ୍ରେମ ରାଧିକେ ।୪।

(ରାଗ- ପରଜ, ତାଳ- ଝୁଲା)

 

ରୂପାନୁରାଗ

କିଏ ଲୋ ସଜନୀ କେଳି କଦମ୍ବ ମୂଳେ ।

ଦିନେ ତ ଦେଖି ନ ଥିଲି ଏ ରୂପ ଡ଼ୋଳେ । ଘୋଷା ।

ଜାଣଇ ସେ କି ଭେଳିକି ?      ଥରାଏ ହୃଦ ଅଳିକି,

ଲାଭି ରହେ କିଆଁ ଆଖି ତା ବାଙ୍କ ଚୂଳେ ।୧।

ଶୁଣି ତା ମୂରଲୀ ଗୀତ            ଥୟ ହେଉନାହିଁ ଚିତ୍ତ,

ମୋହନ ମାଦକେ ମିତ ପାଦ ନ ଚଳେ । ୨ ।

ହସା ମିଶା ଭାଙ୍ଗି ବାଣୀ            ଯା ଲାବଣ୍ୟ ଠିଆ ଠାଣି,

ପତିବ୍ରତା ନ ରଖିବ ପରା ଗୋକୁଳେ । ୩ ।

ବନମାଳୀ ଦାସ ଭଣିତ             ଶୁଣ ରାଧେ- ଠାକୁରାଣୀ,

ସେ ମୋହନ ବଂଶୀପାଣି ତୁମ୍ଭରି ଛଳେ । ୪ ।

(ରାଗ- ସାରଙ୍ଗ । ତାଳ- ଆଠତାଳି)

 

ରୂପାନୁରାଗ

(ଶ୍ରୀ ରାଧାଙ୍କ ପ୍ରତି ସଖୀ ଉକ୍ତି)

(ରାଧେ) ଏହି ପରା ବ୍ରଜରାଜ ନନ୍ଦନ ଗୋ । ଘୋଷା)

ଦେଖିଲେ ନେତ୍ର ପବିତ୍ର,      ହୋଇ ଯାଉଅଛି ମାତ୍ର

କି ଶୋଭା ପାଉଛି ଚନ୍ଦ୍ର- ବଦନ ଗୋ । ୧ ।

ନବୀନ – ଘନ – ବରନ,                  ନିନ୍ଦୁଅଛି ଅପଘନ,

କଟୀକି ଶୋଭିଛି ପୀତବସନ ଗୋ । ୨ ।

କୋଟିଏ ରବି ସରାଗ,                  ନିନ୍ଦୁଛି କୁଣ୍ତଳ ଯୁଗ,

ଲକ୍ଷ କାହିଁ ହେବ ଛାର ମଦନ ଗୋ । ୩ ।

ଏ ରସରେ ବନମାଳୀ,                  ଭାବିକହେ ବ୍ରଜବାଳୀ-

ମାନଙ୍କ ଏ ନେତ୍ରାନନ୍ଦ ସଦନ ଗୋ । ୪ ।

(ରାଗ- କୁମ୍ଭକାମୋଦୀ ତାଳ- ଏକତାଳି)

 

ରୂପାନୁରାଗ

(ସଖୀ ଉକ୍ତି)

ସଙ୍ଗିନିରେ ଚାହ । ବେଣୁପାଣିକି ।

ଚିତ୍ତ- ଚିତ୍ତ ଚୋର ଚିନ୍ତାମଣିକି । ଘୋଷା ।

ବକୁଳ ସେବତୀ ମଲ୍ଲୀ ନିଆଳି କିଆ,

ନାନା କୁସୁମେ କି ଶୋଭା ବାଙ୍କ ଟାହିଆ,

ତହିଁ ଖଞ୍ଜି ଅଛି ରଙ୍ଗ ଯାମୁଡାଳିଆ

ସଙ୍ଗରେ ମୟୂର – ଚନ୍ଦ୍ରିକା ପକ୍ଷୀ । ୧ ।

ଭଲା ତାର ଯେଉଁ ନୟନ ଠାର,

ସେ କି ମାର ବୀର ଜୟ କୁଠାର,

ଭୁରୁ ବାଙ୍କ – ଛୁରୀ ଚାଲିବା ଚାତୁରୀ

ଚଉଦପୁରେ କେ ନ ଥିବେ ଦେଖ । ୨ ।

ଧନ୍ୟ ତାର ଯେଉଁ ମୁରୁକି ହସା,

ସତେ କି ସେ ସୁଧା-ନୀର ବରଷା,

ଚାହିଁଦେଲେ ଆରେ ଥରି ମନ୍ତ୍ରଥରେ

ଧଇର୍ଯ୍ୟ ଗୁମାନ କେ ପାରେ ରକି । ୩ ।

ଦାସ ବନମାଳୀ ବୋଲେ ଗୋ ଶୁଣ,

ଗୋପ- ନନ୍ଦସୁତ ମୋହନ ଗୁଣ,

କୁଳବତୀ ବ୍ରତ କରିବାକୁ ହତ

ନୂଆ ମଦନ ସେ ବର ଜେଟିକି । ୪ ।

 

ରୂପାନୁରାଗ

(ସଖୀ ଉକ୍ତି)

ସଖୀ ? ବିଜେ କଦମ୍ବ ମୂଳେ ଗୋ, ଏ ନବ- ଲାବଣ୍ୟ ରୂପ । ଘୋଷ ।

ଏକଦିନେ ସଖୀ ମୁଁ ରେ                  ଗଲି ଯମୁନାକୁ ନୀରେ ।

ଗଭା କୁସୁମ ଫୁଲରେ ସଖୀ ! ଚନ୍ଦ୍ରିକା ଚୂଳ ତାପରେ । ୧ ।

ଚନ୍ଦନ ବିନ୍ଦୁ କପାଳେ,                  ନାସାରେ ମୁକୁତା ଲୁଚେ,

ହୃଦରେ ପଙ୍କଜ ମାନେ ସଖୀ ! ବଂଶୀ ରାଧା କଲ୍ଲୋଳ । ୩ ।

ଶୁଣି ଦୂତୀ ପ୍ରବୋଧିଲେ,            ସଧିରେ ନିକୁ‌ଞ୍ଜେ ଗଲେ,

ବନମାଳୀ ଦାସ ବୋଳେ ରାଧା ଶ୍ରୀକୃଷ୍ଣ- ପାଦ ସେବିଲେ । ୪ ।

(ରାଗ- କାମୋଦି, ତାଳ- ଆଠତାଳି)

 

ରୂପାନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ଶ୍ୟାମ ବନ୍ଧୁ ରୂପସଖୀ, ଦେଖ ରହେ ଲାଖି ଗୋ । ଘୋଷା ।

ଶିରେ ତା ସେବତୀ ଚୂଳ, ଭଲା ଦିଶଇ ମଞ୍ଜୁଳ,

ଅଳକା ଶୋହେ କପୋଳ, କେଉଁ ବିହି ନିର୍ମାଣିଛି ଗୋ । ୧ ।

ଅଧରେ ମୋହନ ବେଣୁ ବତ୍ସା ଘେନି ଆସେ ବନୁ,

ନୀଳମଣି ଜିଣି ତନୁ, ଦେଖିତ ମନ ଝୁରୁଛି ଗୋ । ୨ ।

ପୟରେ ଶୋହେ, ବାଜେଣି, ବାଜୁଥାଏ କିଣି କିଣି,

ଶୁଣି ହୃଦ ହୁଏ ହାଣି, କେ ଧଇର୍ଯ୍ୟ ପାରେ ରଖି ଗୋ । ୩ ।

ଭାଷଇ ଯେ ବନମାଳୀ ଏ ରସରେ ଭାଳି ଭାଳି,

ହେଲା ମୋ ହୃଦୟ ଜାଳି, ମଦନ- ଶରୀକୁ ଯୋଖି ଗୋ । ୪ ।

 

ରୂପାନୁରାଗ

(ସଖୀପ୍ରତି ଶ୍ରୀରାଧା)

(ସଜନି !) ମୋହନ ମୂରତି ଛଇଲୋ,

ଉପମା ଦେବାକୁ ନାହିଁ ଲୋ ।

ଇନ୍ଦୀବର ନୀଳ- ରତନ- ମୁଦିରେ

ଏ ମାଦକ ଅବା କାହିଁ ଲୋ । ଘୋଷା ।

କି ସୁନ୍ଦର ନେତ୍ର ଦୁହେଁ ଲୋ ସଜନି !

କର୍ଣ୍ଣ ସରିଯାଏ ରହେ ।

ଫୁଟିଯାଏ ହୃଦ ମଦନ- ବିଶିଖେ,

ଗ୍ରୀବା ଢାଳି ଯେବେ ଚାହେଁ ଲୋ । ୧ ।

କି ସୁନ୍ଦର ମୃଦ ବାଣୀ ଲୋ ସଜନି !

ସତେ କି ପୀୟୁଷ ଛାଣି ।

ଅନଙ୍ଗ ଅଙ୍ଗ ପାଇବାକୁ ରଖିଛି

ଏହିଠାରେ ବିହି ଆଣି ଲୋ । ୨ ।

କି ଭଙ୍‌ଗିରେ ହୁଏ ଛିଡ଼ା ଲୋ ସଜନି !

କି ଶୋଭା ତା ବାଙ୍କଚୂଡ଼ା ।

ବହିଥାଇ ତହିଁ ମିଶାଇ ଶିଖନ୍ତି

କାମିନୀଙ୍କ ବ୍ରୀଡ଼ା ଛଡ଼ା ଲୋ । ୩ ।

ରମ୍ୟ ଅଶ୍ୱିନୀ କୁମାର ଲୋ ସଜନି !

କେ ବୋଲେ ସୁନ୍ଦର ମାର ?

ନନ୍ଦପୁଅ ଅଙ୍ଗ ସୁନ୍ଦର ପଣକୁ

ଲକ୍ଷ ଅଂଶେ କାହା ଛାର କଲା ? । ୪ ।

ଅର୍ବୂଦେ ଥାନ୍ତ ନୟନ ଲୋ ସଜନି ।

ଦେଖୁଥାନ୍ତି ତା ବଦନ ।

* ବନମାଳୀ କହେ ତେବେହେଁ ସନ୍ତୋଷ

ନୁହନ୍ତା କେବେହେଁ ମନ ଲୋ । ୫ ।

(ରାଗ – ତୋଡ଼ି । ତାଳ – ଏକତାଳି)

 

ରୂପାନୁରାଗ

(ସଖୀପ୍ରତି ଶ୍ରୀରାଧା)

ଶ୍ୟାମ ନାଗର ପରି ।

ଚଉଦ ପୁରେ ନ ଥିବେ ସମସରି । ଘୋଷା ।

ନୋହେ ନନ୍ଦସୁନୁ, କୁସୁମ ଧନୁ, ବ୍ରଜେ ରହିଛି ତନୁ,

କି ଅପରୂପ ତନୁ            ଚାହିଁ ନ ଯାଏ ମନୁ

ଆଖିରେ ରହେ ଲାଖିରେ ।

ମୁଖ ଦେଖି ରେ, ଜାଣ ସଖୀରେ । ୧ ।

କି ରମ୍ୟ ମୃଦୁହାସ, କାମିନୀ ଫାଶ, ଧଇର୍ଯ୍ୟ କରେ ନାଶ

ବିଷ ହେଲା ଆବାସ, ଅଳ୍ପ ଢାଳିଲେ ଦୃଶ୍ୟ,

ନାହିଁ ତ, ସଖୀ କାହିଁ ତ, ଦେଲି ଚାହିଁ ତ,

ହେଲି ମୋହିତ । ୨ ।

ମନୁ ପାସୋର ନୁହେଁ ମଦନ ଦହେ, ସଖୀ । ଦେଖିଲେ ରହେ,

କେ ସେ ଶ୍ୟାମ ବିରହେ,      ପ୍ରାଣ ରଖିବ ଦେହେ,

ସହିରେ ଆଉ ମହୀରେ, ସୁଖ ନାହିଁରେ,

ତାକୁ ଚାହିଁରେ ।୩।

ବନମାଳୀ ବଖାଣି, ମୂରଲୀ ପାଣି, - ତନୁକୁଧାତା ଆଣି,

କେତେ ପିୟୂଷ ଛାଣି ?      ଗଢ଼ଛି ନୁହେଁ ଜାଣି,

ଗୋକୁଳେ ରହିବେ ନାହିଁ କୁଳେ କୁଳବତୀ

ନ ଯାଇ ତା କୁଳେ ।୪।

(ରାଗ – ଗୁଜ୍ଜରୀ, ତାଳ - ଆଠତାଳି)

 

ରୂପାନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ଶୁଣ ପରାଣ ରେ ।

* ରୂପ ଦେଖି ଅନଙ୍ଗ ବିନ୍ଧଇ ପାଞ୍ଚବାଣ । ଘୋଷା ।

ମୂରଲୀପାଣି ମୋହନ ମୂରତି ପରାଣୀ ।

ଚଉଦ ଭୂବନେ ସହି କହି ଗଢ଼ି ନାହିଁ । ଶୁଣ ପରାଣରେ । ୧ ।

ଯେଉଁ ଅବୟବେ ତାର ପଡ଼ଇ ନୟନ,

ଅଠାରେ ଲାଖିଲା ପକ୍ଷୀ ପରି ଲାଖେ ମନ । ଶୁଣ ପରାଣରେ । ୨ ।

ନାଗରାଜ ଅପାଙ୍ଗେ ପକାଇ ଅପାଙ୍ଗ ।

ଲେଉଟାଇ ନେବ କେ ଧଇର୍ଯ୍ୟ ରଖିଅଙ୍ଗ ? ଶୁଣ ପରାଣରେ । ୩ ।

ବକ୍ଷକୁ ଚାହିଁଲେ ଲକ୍ଷ୍ୟ ହେଇ ମଦନରେ ।

ମଦ, ନ ରହଇ ସତୀ ମତି ହୁଏ ଚୂର । ଶୁଣ ପରାଣରେ । ୪ ।

କାଲିର କଅଁଳା ପୁଅ ଏ ବ୍ରଜରାଜ – ସୁତ ।

କାହୁଁ କେତେ ଶିଖିଅଛି ନୟନ ସଙ୍କେତ । ଶୁଣ ପରାଣରେ । ୫ ।

ଗୁରୁ ଗଉରବ ଆଉ କିଛି ନ ରହଇ ।

ଯେତେ ପସୋରିଲେ ଆସି ଆଖିରେ ନାଚଇ । ଶୁଣ ପରାଣରେ ।୬।

ପାଠାନ୍ତର – ସେ ଶୋଭା ଚାହିଁ ଅନଙ୍ଗ ହେଲା ପଞ୍ଚବାଣ ।

 

ରୂପାନୁରାଗ

ବନମାଳୀ ବୋଲେ ତୁମ୍ଭ ଲୋଭ ନୁହେଁ ଚିତ୍ର ।

ଆପଣ ମୋହିନୀ ତାଙ୍କ ଶୋଭାରେ ମୋହିତ । ଶୁଣ ପରାଣରେ । ୭ ।

(ରାଗ – ଢିପା । ତାଳ – ଝୁଲା, ଏକତାଳି)

 

ରୂପାନୁରାଗ

(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)

ଶ୍ୟାମ ସୁନ୍ଦର ଶ୍ରୀମୁଖ ଅନାଇଁ ।

କୁଳଧର୍ମ ହୋଇ ରହିଳଶ ନାହିଁ ଲୋ । ଘୋଷା ।

ସ୍ତମ୍ଭନ ମୋହନ କରି ଉଚ୍ଚାଟ ।

ମରତି ନିଶ୍ଚେଁ ଅଟେ ନନ୍ଦଚାଟ ଲୋ । ୧ ।

ବୋଲୁଥାନ୍ତି ତାଙ୍କୁ ବଡ଼ ସୁନ୍ଦର ।

ଅଳପ ଚାହିଁଲେ ବୁଡ଼ଇ ଘର ଲୋ । ୨ ।

କେ କହେ ସୁନ୍ଦର ରତି ବରକୁ ।

ତା କଥା ନ ଆସେ ମୋ ନଜରକୁ ଲୋ ।

ଅଶ୍ୱିନୀ କୁମାରକୁ ସୁକୁମାର ।

ଯେ ବୋଲନ୍ତି ତାଙ୍କ ବୁଦ୍ଧି ରୂଆଁର ଲୋ । ୪ ।

କେଉଁ ଅଂଙ୍ଗଦେଶ କାହାର ଶୋଭା ।

ମୋହନ ତରଙ୍ଗ ନୟନ ଲୋଭା ଲୋ । ୫ ।

ଏଡ଼େ ସୁନ୍ଦର ନ ଦେଖେଁ ସୃଷ୍ଟିରେ ।

ଯେ ଅଛନ୍ତି ଲେଖି ପଶୁ ଗୋଷ୍ଠିରେ ଲୋ ।

ବନମାଳୀ ଜନ୍ମ ହେଲା ବିଫଳ ।

ଦିନେ ନ ଚିହ୍ନିଲା ବ୍ରଜ ମଙ୍ଗଳ ଲୋ । ୭ ।

(ରାଗ – ଶଙ୍କରଭାରଣ । ତାଳ- ଆଠାତାଳ)

 

ରୂପାନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ପ୍ରାଣ ସଜନିରେ ! ତ୍ରିଭୁବନ ମୋହଇ । ଘୋଷା ।

ମଦନ ଗର୍ବ ଦକା –            ଗଦ ଏ ନନ୍ଦବାସ

ବଦନ ଚନ୍ଦ୍ରକଳା (ସଜନିରେ) । ୧ ।

ଲୋକଳାଜକୁ ମୋର      ଶୋକ ନାହିଁ କିଶୋର.

ଲୋକ ନ ମଣେ ସାର (ସଜନିରେ) । ୨ ।

ଚକ୍ରୀବର୍ତ୍ତୀ ସୁନୁ ଯେ            ମତି ନ କରିବ ଯେ

ସତୀ ସିନା ସେ ବ୍ରଜେ (ସଜନିରେ) । ୩ ।

ମୋହନ ରୂପ ଚିତ୍ତ...      ମୋର କଲା ସଙ୍ଗାତ

ତା ହସ୍ତରେ ଆୟତ୍ତ (ସଜନିରେ) । ୪ ।

ବନମାଳୀ କହଇ            ଜନମେ ରାଗ ନାହିଁ,

ଧନ ତାହାର ଏହି (ସଜନିରେ) । ୫ ।

(ରାଗ – କାମୋଦୀ – ତାଳ ଏକତାଳ)

 

ରୂପାନୁରାଗ

(ସଖୀପ୍ରତି ଶ୍ରୀରାଧା)

ଶ୍ୟାମ ଶ୍ରୀଅଙ୍ଗେ ପଡ଼ିଲାରେ ।

ପଡ଼ି ବିବେକ ଜ୍ଞାନ ବୁଡ଼ିଲାରେ ! ଘୋଷା ।

କି ଶୋଭା ସେ ମୋହନ...      ମୂରତି ନବଘନ

ମନ ତା ସଙ୍ଗ- ପ୍ରୀତି ଲୋଡ଼ିଲାରେ ।

ଚନ୍ଦ୍ରିକା ମୃକୁଟିଆ            ହଟ ନଟକୁଟିଆ....

ଛବିକି କେ ବିନ୍ଧାଣି ଗଢ଼ିଲା ରେ ? । ୧ ।

ଜୀବନ ଯଉବନ            ଜାତି ଧୃତି ଗୁମାନ

ସବୁ ତା ପାଦ ତଳେ ପଡ଼ିଲାରେ ।

କି ଘର ବର ଛାର ?      କିବା ବନ୍ଧୁସୋଦର ?

ପତି ବରତ ମୂଳ ତାଡ଼ିଲାରେ । ୨ ।

ଗୁରୁ ଗୁରୁଜନଙ୍କ – ଗୁର ଧରମଯାକ

ଗୁରୁ ମୁରଲୀସ୍ୱନେ ଏଡ଼ିଲାରେ ।

ସରକଟି ସୁଠାଣି            ବାଙ୍କବାଙ୍କ ଚାହାଁଣି

ଶାୟକ- ମୂନ ହୃଦେ ବୁଡ଼ିଲାରେ । ୩ ।

ବୃନ୍ଦାବନ- ମଦନ            ସୁଖାନନ୍ଦ ସଦନ,

ରୂପ କାନ୍ତିରେମତି ଜଡ଼ିଲାରେ ।

କହଇ ବନମାଳୀ            ଏ ରସେ ଭାଳି ଭାଳି,

ଗୋପୀଙ୍କ ପ୍ରେମନଦୀ ବଢ଼ିଲାରେ । ୪ ।

(ରାଗ- ପୁନ୍ନାଗ, ତାଳ- ଏକତାଳି)

 

ରୂପାନୁରାଗ

(ସଖୀପ୍ରତି ଶ୍ରୀରାଧା)

କେହି ସେହି ପରା ଲୋ ମିତ !

କେଳି- କୁଞ୍ଜବନ ଡକାଇତ । ଘୋଷା ।

ଶ୍ୟାମଳ ଅଙ୍ଗିଆ            ଗୋବତ୍ସା ସଙ୍ଗିଆ

ତ୍ରିରଙ୍ଗ ଭଙ୍ଗିଆ            ନେତ୍ର ଅପାଙ୍ଗିଆ

ସେ ନବରଙ୍ଗିଆ ଜାଣେ କେତେ ଲୋ ଇଙ୍ଗିତ । ୧ ।

ଯମୁନା କୂଳିଆ            କଦମ୍ବ ମୂଳିଆ

ପାଳିତ ଦୁକୁଆ            ଚନ୍ଦ୍ରିକା ଚୂଳିଆ,

ବରଜ ଧୂଳିଆ ମାଗି ଖାଏ ନବନୀତ । ୨ ।

ସେ ନଟକୁଟିଆ            ମହତ ଲୁଟିଆ

ମୂରଲୀ ରଟିଆ            ହଟ ଚମଟିଆ,

ଅଘଟ ଘଟି। ଜାଣେ ଚୋରିକରି ଚିତ୍ତ । ୩ ।

ଯେତେ ବ୍ରଜବାଳୀ            ମରିବେ ଲୋ ଭାଳି

ଯଶୋଦା ସଙ୍ଖାଳି – ଲାଗି ସିନା ଅଳି !

ବୋଲେ ବନମାଳୀ ଏହା ନୁହେଁ ଆଚମ୍ବିତ । ୪ ।

(ରାଗ- ଜୟନ୍ତୀ, ତାଳ- ଏକତାଳି)

 

ବେଶ ପ୍ରଶଂସା

(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)

ଶ୍ୟାମ ନାଗର ହେ ! ଏ ବେଶ ହୋଇବ ନାହିଁ ।

ଏ ବେଶ ହେଇଲେ ପାଷାଣ ତରଳେ ଯୁବତୀ ବଞ୍ଚିବେ କାହିଁ ? ଘୋଷା ।

ଉଭା ହୋଇଥିବ କଦମ୍ବର ମୂଳେ ନଟବର ବେଶ ହୋଇ ।

ଘେନିଥିବ ଯେବେ ମୋହନ ମୂରଲୀ ଅଧରେ ଚୁମ୍ବିବ ନାହିଁ । ୧ ।

ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ ଭୂମିରେ ଲୋଟବ ନାହିଁ ।

ହସୁଥିବ ଯେବେ ମୃଦୁ ମୃଦୁ ହୋଇ ତେରଛେ ଚାହିଁବ ନାହିଁ । ୨ ।

ଘେନିଥିବ ଯେବେ ଚନ୍ଦନର ବିନ୍ଦୁ ଗୋରଚନା ଥିବ ନାହିଁ ।

ବାନ୍ଧିଥିବ ଯେବେ ତ୍ରିରଙ୍ଗିମା ଚୂଳ ଚନ୍ଦ୍ରିକା ଖୋସିବ ନାହିଁ । ୩ ।

ଯେତେ ବେଶ ତୋତେ ମନାକଲି ଶ୍ୟାମ ତେତେ ବେଶ ହେଲୁ ତହି

ବୋଲେ ବନମାଳୀ ଶୁଣ ଗୋ ରାଧିକେ । ଏ ବେଶ ତୁମ୍ଭରି ପାଇଁ । ୪ ।

(ରାଗ – ଲଳିତ, କାମୋଦି- ଆଠତାଳି)

 

ପୂର୍ବରାଗ

(ସଖୀପ୍ରତି ଶ୍ରୀରାଧା)

କି ଦେଖିଲା ଆଜି ନେତ୍ର ଲୋ ସଜନି । (କି ଦେଖିଲା ଆଜ ନେତ୍ର)

ଲଳିତ ମୂରତି କଳିତ ନୋହିଲା ଦଳିତ ଅଞ୍ଜନ ଗାତ୍ର ଲୋ । ଘୋଷା ।

ଅଳକା କପୋଳେ ଚପଳା କି ଖେଳେ କେଳିପୁଚ୍ଛ ଚନ୍ଦ୍ର ଚୂଳ ।

ରତନେ ଜଡ଼ିତ ଯତନେ କୁଣ୍ତଳ ଝଲକେ ଗଣ୍ତ ମଣ୍ତଳେ ଲୋ ।୧।

ହୃଦରେ ପଦକ କରଇ ମାଦକ ବାଦ କରେ ନିଶାକରେ ।

କାମିନୀ ଚିତ୍ତ- କୁମୁଦ ପ୍ରଫୁଲ୍ଲିତ କରୁଥାଇ ଲୋକନରେ ଲୋ ।୨।

କରେ ତା କଙ୍କଣ ମୂରଲୀ ବାଦନ ପୟରେ ନୂପୁର ଶୋହେ ।

ସୁବାସ କୁସୁମାମାଳ ମାନ ବାର ବେନିପୁର ମୋ ହେ ଲୋ ।୩।

ବାଛି ପିନ୍ଧିବାର ବାଛି ପୀତାମ୍ବର ଅତର କର୍ପୂର ଉଛି ।

ବାରିବାକୁ ଆଉ ଅଛି କି ସେ ଶ୍ୟାମ ସୁନ୍ଦର ପଣକୁ କିଛି ଲୋ ।୪।

ବୋଲେ ବନମାଳୀ ସେ ପଟ୍ଟନାୟକ ଭାଷନ୍ତି କିଶୋରୀମଣି ।

ନଟ ଲଗାଇବା ହଟ ବଡ଼ ତାର ନଟବର ବେଶ ଠାଣି ଲୋ ।୫।

(ରାଗ ପରଜ- ତାଳ ଝୁଲା)

 

ପୂର୍ବଭାଗ

(ସଖୀପ୍ରତି ଶ୍ରୀରାଧା)

କି ରଙ୍ଗେ ଚାହିଁଲା ଲୋ ଛଇଳ ନବଘନ କାଳିଆ । ଘୋଷା ।

ଯାଇଥିଲି ନୀର ଆଣି             ନୀପମୂଳେ ବେଣୁ ପାଣି

କି ମନ୍ତ୍ର କରି ମନ ମୋହିଲା ଲୋ ।୧।

ଯାଇଥିଲି ଯମୁନାକୁ             କଦମ୍ବ ମୂଳେ ତାହାକୁ,

ଦେଖ ମୋ ଆଖି ଲାଖି ରହିଲା ଲୋ ।୨।

ଯାଇଥିଲି ମୁହିଁ ଏକା             ଯାହା କଲା ଗିରିଟୋକା,

ତାହାତ ବଚନେ କହି ନୋହିଲା ଲୋ ।୩।

କୋଟି କଳାକାର ଶିରୀ             କୋଟିସ୍ମର ନୋହେ ସରି,

କି ଯତ୍ନେ ବିହି ତାକୁ ଲିହିଲା ଲୋ ।୪।

ଭଲା ତା ନେତ୍ର କଟାରୀ             ଶାଣଦିଆ ତରବାରୀ,

ମରମେ ମୋର ଲାଖି ରହିଲା ଲୋ ।୫।

ମୋର ପତିବ୍ରତଆଣି,             ଭାଙ୍ଗିଦେଲା ସେହି ପୁଣି,

ଧଇର୍ଯ୍ୟବନ୍ଧ ମୋ ନ ରହିଲା ଲୋ ।୬।

କହଇ ଯେ ବନମାଳୀ             ଏ ରସରେ ଭାଳି ଭାଳି,

ଆଉ ଯା ଥରେ ଭେଟ ନୋହିଲା ।୭।

(ରାଗ – ବସନ୍ତ କେଦାର, ତାଳ – ଝୁଲା, ଏକତାଳି)

 

ପୂର୍ବଭାଗ

(ସଖୀପ୍ରତି ଉକ୍ତି)

ଶ୍ୟାମବନ୍ଧୁ ମୋହିନୀ କଲା । ଚାହିଁବା ମାତ୍ରକେ ମନ ମୋହିଲା । ଘୋଷା ।

କାଳିନ୍ଦୀ କୂଳରେ                         କଦମ୍ବ ମୂଳରେ

ତ୍ରିଭଙ୍ଗିମା ରୂପ ଭଲା ହୋଇଲା ।

ସ୍ତମ୍ଭନ, ମୋହନ                   ବଶ ଉଚ୍ଚାଟନ,

ଚାରିଛନ୍ଦେ ତହିଁ ବେଣୁ ବାଇଲା ।୧।

ତରୁ ପଲ୍ଲବିତ                  ଯମୁନା ସ୍ଥକିତ,

କୁଳବତୀ କୁଳଶୀଳ ନାଶିଲା ।

କେକି କୋକିଳ ମୂଳ-            କଣ୍ଠ ହୋଇଣ,

ପାଷାଣ ତରଳି ଧାରା ବହିଲା ।୨।

କେଉଁ ଗୋପାଙ୍ଗନା             ଯାଇଣ ଯମୁନା

ଜଳମଧ୍ୟେ ତା କଳସୀ ଖସିଲା ।

ଲେଉଟି କଦମ୍ବ – ମୂଳକୁ ଚାହିଁଣ

ଚମକି ଚତୁରୀ ତଳେ ପଡ଼ିଲା ।

ଲେଉଟି କଦମ୍ବ -                   ମୂଳକୁ ଚାହିଁଣ

ଚମକି ଚତୁରୀ ତଳେ ପଡ଼ିଲା ।

ମୋହନ ଚରଣ – ଅଷ୍ଟାଦଶ ଚିହ୍ନ

ବନମାଳୀ ଦାସ ଚିତ୍ତେ ଧ୍ୟାୟିଲା ।

ଶିବ ସୁର ମୁନି                   ଯାହାକୁ ନ ପାନ୍ତି

ମାତା ଯଶୋବନ୍ତୀ ତାହା ପାଇଲା ।୪।

(ରାଗ – ଖଣ୍ତ ବଙ୍ଗଳାଶ୍ରୀ, ତାଳ – ଝୁଲା ଖେମଟା)

 

ପୂର୍ବଭାଗ

(ସଖା ପ୍ରତି ଶ୍ରୀରାଧା)

ନାଶିଲା ବିବେକ ଆଜ ବ୍ରଜରାଜ ପୁଅ ଗୋ ।

କି ମନ୍ତର ଜାଣି ଚାହେଁ କମ୍ପଇ ହୃଦୟ ଗୋ । ଘୋଷା ।

ଶ୍ୟାମ ପଦନଖ- କାନ୍ତି ଶଶିଠାରେ ନାହିଁ ଗୋ,

ସେ ତ କଳଙ୍କରେ ପୂର୍ଣ୍ଣ ଏଥି ଦୋଷ ନାହିଁ ଗୋ !

(ପଡ଼ି) କି ସୁନ୍ଦର ତହିଁ ନୂପୁର ରବ,

କର୍ଣ୍ଣେ ଶୁଣି ଧୈର୍ଯ୍ୟ ନ ରହେ ଲବ,

ଖବର କଲା କାମିନି ଗରବ,

ଦେବ କି ସେ ଦେବି ସର୍ବ ଦରବ ।୧।

ମରକତ କଦଳୀ ପରାୟେ ଚାରୁ ସରୁ ଗୋ

ମତ୍ତକେଶରୀ କଟିରୁ ମଝାଅତି ସରୁ ଗୋ

(ପଡ଼ି) କି ସୁନ୍ଦର ତହିଁ ପୀତଦୁକୁଳ,

କନକ କିଙ୍କିଣୀ ହୋଇଛି ମେଳ,

ସତୀକାଳ ଏ ମଦନ ଗୋପାଳ,

ଅଳପ ଅନାଇ ଦେଲି ତରଳ ।୨।

ନୀଳମଣି କବାଟ ପରାୟେ ତା’ର ହୃଦ ଗୋ ।

ଅନାଇଲେ ସଜନୀ ନ ଜାଣେ ପରିବାଦ ଗୋ ।

(ପଡ଼ି) କଣ୍ଠ ମଦନ ଜୟଦର ପରା,

ଖଞ୍ଜିଥାଇ ତହିଁ ରତନ ହାର,

ବଦନଚନ୍ଦ୍ର ତା ଦୁଃଖପାଶୋରା,

ଗୋକୁଳରମଣୀ ମହିତସରା ।୩।

ସରଧନୁଭିରୁ ନାଚୁଥାଇ କି ତରଙ୍ଗେ ଗୋ

କାମ – ଛୁରା ପରୀ ନେତ୍ର ବାଜିଯାଏ ଅଙ୍ଗେ ଗୋ ।

(ପଡ଼ି) ଶିରେ ଶିଖ- ଶିଖଣ୍ତି ଘରବୁଡ଼ା,

ଗୋକୁଳମାନସ- ମୋହନ ଚୂଡ଼ା ।

ବନମାଳୀର ନାହିଁ ସୁଖ ଲୋଡ଼ା ।

ସେହି ତନୁ ମନୁ ହୁଏ କି ଛଡ଼ା ।୪।

(ରାଗ – ଦେଶାକ୍ଷ, ତାଳ- ଆଠତାଳି)

 

ପୂର୍ବଭାଗ

(ସଖୀପ୍ରତି ଶ୍ରୀରାଧା)

ବ୍ରଜମୋହନ ଚାତୁରି ରେ ପ୍ରାଣଧନ ! ହୃଦୟ କତୁରିରେ । ଘୋଷା ।

ଶ୍ୟାମ ତପନ- ତନୟ ତଟରେ ମୂରଲୀ ଦେଇ ସୁରଙ୍ଗ ଓଷ୍ଠରେ,

ହଜାଇଛି କେଡ଼େ ମଠରେ, ଲୁଟିଗଲା ମୋ ମାସନ ହଟରେ

ଛଡ଼ାଉଛି ଲାଜ ବ୍ୟାଜ ମିଶାଇ, କାହିଁପାଇଁ ଚିତ୍ତ ଦେଲି ରସାଇ ?

ଜାଣି ନ ଥିଲି ଭଗାରି ହସାଇ, ସତୀ ବରତ ମୁଁ ଦେଲି ଭସାଇ ।୨।

ନନ୍ଦପୁଅକୁ ବିଚିତ୍ର ଅଠାରେ ଗାଢ ଥିଲା ଧାତା କେଡ଼େ ମିଠାରେ ।

ନଇଲେ କି ନେତ୍ର ପଡ଼େ ତା ଠାରେ, ଲାଖି ରହଇ ନ ରହେ ମୋ ଠାରେ

ବନମାଳୀ କହେ ଚିନ୍ତା ନକର, ମୋହନ ତୁମ୍ଭର କିଣା କିଙ୍କର ।

ରଖାଅ ତାହାଙ୍କୁ ସ୍ନେହ ଶାକର, ଅନୁସରିଥିବେ ଯୋଡ଼ିଣ କର ।୪।

(ରାଗ – ମୁଖାବରୀ, ତାଳ – ଆଠତାଳି)

 

ପୂର୍ବଭାଗ

(ସଖୀପ୍ରତି ଶ୍ରୀରାଧା)

ଶ୍ୟାମ ନାଚିଲା ମୋର ନୟନେ କିବା ଶର୍ବରୀ ।

(ପଡ଼ି) ପ୍ରୟାଗରେ ଯେଉଁ ଜନ, କରିଥିବଟି ମଜ୍ଜନ,

ସେ ସିନା ତା ପରିଜନ, ହେବାକୁ ହେବ ଭାଜନ । ଘୋଷା ।

ଗୋକୁଳ ନରେନ୍ଦ୍ର ସୁନୁ,      ସୁଷମା ନ ଗଳା ମନୁ

କିଅବା ଧରିଛି ତନୁ ଫୁଲ ଧନୁ (ପଡ଼ି)

ନାଗରରାଜ ବଦନ,       ଚାନ୍ଦ ଆନନ୍ଦ ସଦନ

ବାରେ ଯେ ଦେଖିଛି ଧନ୍ୟ, ସେହିତ, ତାଙ୍କୁ ଚାହିଁତ,

ପଛେ ସେହିତ, ହସନ୍ତୁ ଚିନ୍ତା ନାହିଁତ ।୪।

ଯାଉଥିଲିଯମୁନାକୁ             କଦମ୍ବ ମୂଳରେ ତାଙ୍କୁ

ଚାହିଁଦେଲେ ଅରୁନାକୁ ଚେତନାକୁ (ପଡ଼ି)

ହଜାଇ ଅଇଲି ସହି,      ମଦନେ ହେଉଛି ଦହି,

କେହି ଆଉ ନ ଦିଶଇ, ତା ବିନା, ମୁଁ ତ ନବୀନା,

କୁଳଲଳନା ସହି ହେବକି ମାର ବେଦନା ! ।୨।

ଏଡ଼ିକି କରି କହୁଛି,             ଶିବଙ୍କ ଶିବା ମୁରୁଛି,

ଧାଇଁବେ ସ୍ୱର୍ଗରୁ ଶଚୀ ଇନ୍ଦ୍ରେ ମୂର୍ଚ୍ଛି (ପଡ଼ି)

ମୋ ଧଇର୍ଯ୍ୟ କେଡ଼େ କହ,      ଅନାଇ ହୋଇଲି ମୋହ,

କେମନ୍ତେ ଧରିବି ଦେହ      ଏଣିକି, ବେନୁ ପାଣିକି

ଚିତ୍ତ ଜାଣିକି, ମୋତେ କେ ଦେବ ଆଣିବି ।୩।

ନାଶିଲା ଧଇର୍ଯ୍ୟ ଶ୍ୟାମ,      ଭାସିଲା କୁଳଧରମ,

କଲି ମୁଁ କେଡ଼େ କରମ, ହେଲି ଭରମ (ପଡ଼ି)

ବୋଧି ବନମାଳୀ କହେ      ସେ ମୋହନକୁ ଯେ ଚାହେଁ

ଦାରୁଣ ଦଶାକୁ ଦେହେ – ମଣ୍ତଇ, ସୁଖ ଖଣ୍ତଇ,

ସର ଦଣ୍ତଇ, ତା ହୃଦ – ଖଳ ଭଣ୍ତଇ ।୪।

(ରାଗ – ଖମ୍ବାଜ, ତାଳ- ପଡ଼ି)

 

ପୂର୍ବଭାଗ

(ସଖୀ ପ୍ରତି ଶ୍ରୀରାଧା)

କହ ସଜନି ଲୋ ! ଆଉ ମୁଁ ଏଣିକି ।

ପାଶୋରିବି କିପରି ସେ ମୁରଲୀପାଣିକି । ଘୋଷା ।

ଧୀର ଲଳିତ ତ୍ରିଭଙ୍ଗ ତା ଠିଆ ଠାଣିକି ।

ଦେଖି କେ ନ ଭୁଲିବ ତା ବାଙ୍କ ଚାହିଁଣୀକି ।୧।

ମୃଦୁ ମୃଦୁ ହସା ଛଣାପୀୟୁଷ ବାଣୀକି ।

ଶୁଣିଲେ କେଉଁ ରମଣୀ ରଖିବ ଆଣିକି ! ।୨।

ଝାମୁ ଝୁମୁ ତା ପାଦନୂପୁର ନିଶାଣିକି ।

ପଥର ହେଲେ ତରଳି ନୋହିବ ପାଣିକି ? ।୩।

ଶ୍ୟାମ ବିଚ୍ଛେଦରେ ହୃଦ ନ ହେବ ହାଣିକି !

ବୋଲେ ବନମାଳୀ ଏହା ନାହିଁ ମୁଁ ଜାଣିକି ! ।୪।

(ରାଗ – ଦେଶାକ୍ଷ, ତା- ଆଠତାଳି)

 

ପୂର୍ବଭାଗ

(ସଖୀପ୍ରତି ଶ୍ରୀରାଧା)

ସଖୀ ! କି କଲା ଗୋ ମଦନ ସୁନ୍ଦର କାହ୍ନୁ ।

ପଙ୍କଜ କଳିରୁ ଅତିପାସୋର ନ ଯାଏ ମନୁ । ଘୋଷା ।

କୁଞ୍ଜେ ନେଲା ଦିନେ ଢଳାଇ ଶ୍ରୁତିରେ ଭାରତୀ ଅମୃତ ଧରା !

ଉରରୁ ଦୁକୂଳ କାଢି ଲମ୍ବାଇଲା ବିଦ୍ରୂମ ମୁକୁତା ହାର ।୧।

ମର୍କତ ପାଷାଣ ଭଦ୍ର ଭଦ୍ରାସନେ ବିଜେ କରାଇଲା ବଳେ ।

ଇନ୍ଦ୍ର ନୀଳମଣି ବୈଡ଼ୁର୍ଯ୍ୟ ଖଚିତ ମୁକୁଟ ବାନ୍ଧିଲା ଚୂଳେ ।୨।

ଅମର ବନ୍ଧନ ନୀଳାଦ୍ରୀ ଚନ୍ଦନ ଟୋପା ଦେଲା କରି ଧୀରା ।

ପଦ୍ମରାଗ ପାତ୍ର ଗୋଟିକରେ ଭରି ବିଞ୍ଚିଦେଲୋ କୋଟି ହୀରା ।୩।

ତୁହି କୁଞ୍ଜ ରାଣୀ ମୁହିଁ କୁଁଞ୍ଜ ରାଜା ବୋଲି ବଚନ ଭାଷିଲା ।

କନ୍ଦର୍ପ ଶାତ୍ସ ଚଉଷଠି ବନ୍ଧ ବିକାଶ କରି ବସିଲା ।୪।

ସେ ବନ୍ଧନେ ମନ ହୋଇଣ ବନ୍ଦନ ତା ଆନ ନକରେ ଲୋଡ଼ା ।

ଭାଷେ ବନମାଳୀ ଶୁଣ ଗୋ ସଜନି । ଏ ଗୁପତ ରସ ଘୋଷା ।୪।

(ରାଗ- ତୋଡ଼ି ପରଜ । ତାଳ- ଆଡ଼ତାଳି)

 

ପୂର୍ବଭାଗ

(ଶ୍ରୀରାଧା ଓ ସଖୀଙ୍କ ପ୍ରଶ୍ନୋତ୍ତର)

ବଡ଼ ଆଚମ୍ବିତ                        ଦେଖିଲି ଲୋ ମିତ

ସେକେଳି କଦମ୍ବ ମୂଳେ

ଗଗନର ଘନ            ମହୀରେ ଖେଳଇ

ବିଜୁଳି ଲତିକା ମାନେ ଲୋ ସଜନି !

ବଳପନ୍ତି କି ସୁନ୍ଦର ।

ଘଡ଼ଘଡ଼ି ସ୍ୱନ                  ଶୁଣି ମୁଁ ଉଚ୍ଛନ୍ନ

ହୋଇଗଲି ପରା ସ୍ଥିର ଲୋ ।୧।

ଇନ୍ଦ୍ରଧନୁ ଉଦେ            ସେ କଳା ବଉଦେ

ଦେଖି ହୋଇଲି କାତର,

କାହିଁପାଇଁ ମୋର                  ମରମ ଭିତର

ଘାରିଲା ମଦନଶର ଲୋ ସଜନି !

ଜାଣିତ ନୋଉଛି କିଛି,

ବିନା ବରଷାରେ                  ଚିନ୍ତିଗଲି ମୁହିଁ

ସ୍ୱରୂପ ତୋତେ କହୁଛି ଲୋ ।୨।

ବୋଲନ୍ତି ଦୂତୀକା            ଶୁଣ ଗୋ ରାଧିକେ ।

ସେ ନବ- ଘନ ନୁହଁଇ ।

ବୁଜୁଳି ବୋଲି ତୁଯାହାକୁ ମଣିଛୁ

ପୀତବସନଟି ସେହି ଗୋ କିଶୋରି !

ଯାକୁ ବୋଲୁ ବଳପନ୍ତି,

ନବ ନାଗରଙ୍କ            ମନୋହର ବେଶ,

ହୃଦେ ବନମାଳୀ ଜ୍ୟୋତି ଗୋ ।୩।

ଘଡ଼ ଘଡ଼ି ସ୍ୱର            ନୁହେଁ ଧନ ମୋର,

ସେ ଶ୍ୟାମ ବଂଶୀ ନିନାଦ,

ଇନ୍ଦ୍ରଧନୁ ବୋଲି                  ଯା ଭାବିଛୁ ଆଳି

ଶିଖି – ଚୂଳଟି ସେ ଭେଦ ଗୋ କିଶୋରି !

ଝାଳରେ ଯାଇଛୁ ଚିନ୍ତି,

ବୋଲେ ବନମାଳୀ                  ରସ ଦୃଷ୍ଟିକରି

କୃଷ୍ଣ ମୋହିଲେ ତୋ ମତି ।୪।

(ରାଗ – ତୋଡ଼ି ପରଜ, ତାଳ- ଆଠତାଳି)

 

ପୂର୍ବଭାଗ

ଚାହିଁ ଦେଲି କିଞ୍ଚିତରେ ବାରେ ସେ ଶ୍ୟାମ ମାଗରଙ୍କୁ ଗୋ । ଘୋଷା।

କି ବୁଦ୍ଧ କରିବ            କହ ରେ ସଙ୍ଗାତ ।

ନଣନ୍ଦ ଭର୍ତ୍ସନା            କରଇ ଯେତେକ ।

ବିରହ ପରାୟେ            ଦହୁଛି ମୋ ଚିତ୍ତ ।

ତା ନେତ୍ର- କାଠି- ଅଠାରେ ।୧।

ବୁଡ଼ିଗଲି ସଖି !            ଆନନ୍ଦ ସାଗରେ ।

ଅପବାଦକୁ ନ                  ରଖିଲି ମନରେ

ଗୁରୁ ଗୁରୁଜନ – ଲାଜ ଦୂର କରି ।

ମଜ୍ଜିଲି ପ୍ରୀତି ଅଠାରେ ।୨।

ନନ୍ଦ ନନ୍ଦନ ସଙ୍ଗେ                  ଯାର ପୀରତି

ଦେଖି ଶୁଣି ହେବ                  ହୁଅଇ କରତି,

ପାଉଅଛି ବ୍ରଜ-                  ଜନେ ଅପଖ୍ୟାତି

ଲେଖାଇ ତମ୍ବା ପଟାରେ ।୩।

*ବୋଲେ ଶ୍ରୀଚରଣ -            ଦାସ ଏହି ରସ

ଯାହାର ସନ୍ତତ                  ବ୍ରଜରେ ନିବାସ

ଶ୍ରୀକୃଷ୍ଣ ଚରଣେ                  ଯାର ନିତିଆଶା

ସେ ଲୀନ ହୁଏ ସେଠାରେ ।୪।

(ରାଗିଣୀ ଭୈରବୀ, ତାଳ ଆଠତାଳି)

* ଶ୍ରୀଚରଣ ଦାସ ପୁରୀ ବାସେଳୀ ସହିସ୍ଥ ଖଜୁରିଆ ମଠର ଅଧିକାରୀ । ଏ ଜଣେ ବନମାଳୀଙ୍କର ଅନ୍ତରଙ୍ଗ ସଙ୍ଗୀ ଥିଲେ, ତେଣୁ ତାଙ୍କ ନାମରେ ଏ ଗୀତଟି ବନମାଳୀ ଭଣିତା କରିଥିଲେ ।

 

ଶରଣାଗତି

(ଶ୍ରୀ ରାଧାଙ୍କ ପ୍ରତି ସଖୀ)

ଅନେଇ ଦେଲୁ କି ? ରାଧେ !

କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି । ଘୋଷା ।

ଶ୍ୟାମ ନଟବର ବେଶ ଅପୂର୍ବ କଥନ,

ଯେଉଁରୂପ କରୁଅଛି ଭୂବନ ମୋହନ, ରାଧେ !

ଅନାଇଁ ଦେଲୁ କି ?

କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି ।୧।

କୋଟିଏ ମଦ ଯଦି ଗୋଟିଏ ହୋଇବ ।

କଟି ସରୁଆ ଶୋଭାକୁ ସମ ତ ନୋହିବ, ରାଧେ !

ଅନାଇଁ ଦେଲୁ କି ?

କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି ।୨।

ଭ୍ରୂଲତା ଯୁଗଳ ତା କନ୍ଦର୍ପ ଶରାସନ ।

ଚଞ୍ଚଳ ନୟନାଞ୍ଚଳ ଅଲକ୍ଷିତ ବାଣ, ରାଧେ !

ଅନାଇଁ ଦେଲୁ କି ?

କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି ।୪।

ସତୀମତିଭୂଲା ପତିବରତ ଉଜୁଡ଼ା,

ବୋଲେ ବନମାଳୀ କୁଳଛଡ଼ା, ଘରବୁଡ଼ା, ରାଧେ !

ଅନାଇଁ ଦେଲୁ କି ?

କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି ।୫।

(ରାଗ – ଶଙ୍କରାଭରଣ । ତାଳ – ଆଠ ତାଳି)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ସଖୀ ଏ କି ବିଡ଼ମ୍ବନା

କାହିଁକି ମୂଳେ ଯାହା ଦେଖିଲି ମୁଁ ଆଜ,

ତୋ ଆଗେ କହୁଛି ଫେଡ଼ି ଛାଡ଼ି ଭୟ ଲାଜ ଗୋ ।୧।

ସେକିଏ କାହା କୁମର ମୁଁ ତ ନାହିଁ ଚିହ୍ନି,

ବାଇ କରାଇଲେ ଚିତ୍ତ କାହିଁକି କି ଘେନି ଗୋ ।୨।

ବିକି ହୋଇଗଲି ତାଙ୍କ ନୟନ ଇଙ୍ଗିତେ,

କି କି ବା ନ କଲେ ମୋତେ ମୃଦୁ ବଂଶୀ ଗୀତେ ଗୋ ।୩।

ଲାବଣ୍ୟ । ରସରେ ତନୁ ଗୋଟିକ ତା ଗଢା,

(ତ୍ରିଭୂବନ) ମୋହନ ମୂରତି ତ୍ରିଭଙ୍ଗିରେ ଥିଲେ ଛିଡ଼ା ଗୋ

ଇନ୍ଦ୍ର ନୀଳମଣି ଜିଣି ତେଜ ଦାଉ ଦାଉ,

ଦେଖିଲା ମାତ୍ରକେ ପାଦ ନ ଚଳିଲା ଆଉ ଗୋ ।୫।

ଶାଶୁଙ୍କ ଡରେ ଅତ୍ୟନ୍ତ କଷ୍ଟେ ମୁଁ ଅଇଲି,

ବିଶ୍ୱାସେ ଆଜି ତୋ ଆଗେ ସ୍ୱରୂପ କହିଲି ଗୋ ।୬।

ବୋଲେ ବନମାଳୀ ରାଧା ବାଧା – ବାଣୀ ଶୁଣି,

ସେହିଟି ତୁମ୍ଭର କଣ୍ଠତଟ – ରତ୍ନମଣି ଗୋ ।୭।

(ରାଗ – ଶଙ୍କରାଭରଣ । ତାଳ – ଆଠତାଳି)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ଜଳକୁ ଗଲି ମୁଁ ଘେନି ତଟରେ ।

ମୋହନ ଥିଲା ଆସି ବାଟରେ ।

କି ଦଶା ନୋହିଲା ଅଳ୍ପ ଭେଟରେ

ବ୍ରହ୍ମ ସମ୍ପତ୍ତି ଗଣିଲି କୀଟରେ,

ତପନ ତନୟା ତଟରେ ଲୋ,

ଦେଖିଲି ମୁଁ ପୀତ ପଟରେ ।୧।

କି ଆଶେ ଚାହିଁଲାନେତ୍ର ପୁଟରେ

ପୂରିଥିଲା ସଖୀ ! ନାନାକୂଟରା,

ଅନାଇ ଲାଜ ଗଲା ଉଚ୍ଚାଟରେ,

ପଡ଼ିଲି ଆଜ ସଖୀ ! କି ଲଟରେ ? ।୨।

ଦେଖଇ ଦେଇ କେ ଚିତ୍ରପଟରେ ?

ଦେଖାଇ ବୋଲନ୍ତି କାଳ କାଟରେ,

ପରାଣ ଥିବାଯାକ ମୋ ଘଟରେ,

ଲୋକ ତାହାର ବୋଳନ୍ତି ହଟରେ ।୩।

ବନମାଳୀ କିହେ ସେ ଲମ୍ପଟରେ,

ଅନାଇ ଦେଇ ପଡ଼ି ଶଙ୍କଟରେ,

ଏବେ ତ ବସି ଗଲାଣି ହାଟରେ,

ଗୋପୀକା ମାତିଲେ ନନ୍ଦଚାଟରେ ।୪।

(ରାଗ – ପରଜା । ତାଳ – ଆଠତାଳି)

 

(ସଖୀ ପ୍ରତି ଶ୍ରୀରାଧା)

(ମତି) ଭରମ ହେଲିଟି ଲୋ

ନନ୍ଦ କୁମାରକୁ ଚାହିଁଦେଲିଟି ଲୋ । ଘୋଷା ।

କେ ଜାଣଇ ଏହା                  ହୋଇଅଛି ଯାହା,

ସେ ଆଖିରେ ନାଚିଲା ତା ଚାଲିଟି ଲୋ ।୧।

କି ସୁଖରେ ଥିଲି            କାହିଁକି ଦେଖିଲି ?

ନାଶିଲା ମୋତେ ନାଗରରାଜ ଚିଲ୍ଲୀଟି ଲୋ ।୨।

ବଳାଇ ଶରଧା                   ଶ୍ୟାମ ମୁଖ ସୁଧା

କରକୁ ଖରେ ଚାହିଁ କୂଳରୁ ଗଲିଟି ଲୋ ।୩।

କି ସୁନ୍ଦର ରୂପ             ଥିଲେ ଫୁଲ ଚାପ,

ସଙ୍କୋଚ ମାରି ହୁଅନ୍ତା ଚାହିଁ ଭାଲିଟି ଲୋ ।୪।

ବନମାଳୀ କହି                   ଆଗୋ ଇନ୍ଦୂମୁହିଁ,

ସେହି ତ ତୁମ୍ଭଲାଗି ଭାଲନ୍ତି କାଲିଟି ଲୋ ।୫।

(ରାଗ – ମଦନ କେଦାର, ତାଳ – ଏକତାଳି)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ଗଲା ଗୋକୁଳ କୁଳ - ଧର୍ମ ଭାସିତ ।

ଶ୍ୟାମ ଜାତି ମହତ ଦେଲା ଧ୍ୱସିଂତ । ଘୋଷା ।

କି ଭଙ୍ଗୀରେ ହୁଏ ଛିଡ଼ା       ନ ରଖେ ଆଖି ପିଛଡ଼ା,

କୁଳବତୀ ବ୍ରୀଡ଼ା ଛାଡ଼ି ଆସିତ ।୧।

ସ୍ୱର୍ଗେ ନଥିବ ସୁଧାରେ       ନ ଦିଶଇ ବସୁଧାରେ

ବହେ ଯା ପୀୟୁଷଧାରେ ଭାଷିତ ।୨।

କାମଛୁରୀ ଚାହିଁବାର       ହୃଦେ ପଶେ ବାର ବାର

ଥରେ ଅନାଇଲେ ବାର ମାସିତ ।୩।

ଲଞ୍ଚଦେ ଦେବତାରେ       କେ ବୋଲିବ ସେବ ତାର,

ନାହିଁ ମୁଁ ଜହ୍ନୁ ସୁତାରେ ଭାସିତ ।୪।

କହେ ବନମାଳୀ ସାର       ବ୍ରଜ ନରେନ୍ଦ୍ର କୁମାର

ଶ୍ରୀଅଙ୍ଗକୁ ଛାର ମାର ଭର୍ତ୍ସିତା ।୫।

(ରାଗ – କୁସୁମ କେଦାର, ତାଳ – ଏକତାଳି)

 

ପୂର୍ବରାଗ

(ସଖୀପ୍ରତି ଶ୍ରୀରାଧା)

ସେ ଶ୍ୟାମନାଗ ରାଜ ଲୋ, ସତୀଙ୍କି କଲା ନିର୍ଲ୍ଲଜ ।

ଧାଇଁଲି ସଦନୁ ତେଜିଦେଇ ମନୁ ଗୁରୁଗଉରବ ଲାଜଲୋ । ଘୋଷା ।

କହିବା ଅବା କେ             କୁଳନାରୀ ଲୋକେ,

ଦେଖା ଦେବାର ବରଜ ।

ଏଡ଼ିକି କହୁଛି             ଗିରିଶଙ୍କୁ ମୂର୍ଚ୍ଛି

ଗିରିଜା ହୋଇବେ ସଜ ଲୋ ।୧।

ପତିବ୍ରତୀ ସ୍ତିରୀ            ସତୀ ସାବିତିରୀ,

ଧାଇଁବେ ତେଜି ପଦଜ ଲୋ ।୨।

ନିନ୍ଦା ହେଉ ମୋତେ       ତେଜନ୍ତୁ ସମସ୍ତେ

ଗଞ୍ଜନ୍ତୁ ବିପକ୍ଷ - ବ୍ରଜ ।

ଲୋଡ଼ା ନାହିଁ ଆଉ             ସୁଖେ ମିଳୁଥାଉ,

ମୋହନ ମୁଖ ପଙ୍କଜ ଲୋ ।୩।

ବୋଲେ ବନମାଳୀ             ଆଗୋ ବ୍ରଜବାଳୀ,

ମୋତେ ଦିଅ ପଦ ରଜ ।

ତୁମ୍ଭ ଭାବଲବ             କମଳା ସମ୍ଭବ

ଭବ ନ ଜାଣନ୍ତି ଆଜ ଲୋ ।୪।

(ରାଗ- ରସକେଦାର, ତାଳ- ଆଦି ଏକତାଳି)

 

ପୂର୍ବରାଗ

(ସଖୀପ୍ରତି ଶ୍ରୀରାଧା)

ଶ୍ୟାମଳ ଗାତ୍ରେ ମୋ ନେତ୍ର ପଡ଼ିଲାରେଁ

ପଡ଼ିବା ମାତ୍ରେମୋ ଜ୍ଞାନ ବୁଡ଼ିଲାରେ ।

ଡର ଡର ହୋଇ ସିନା ମୁହିଁ            ତର ତର କରି ଦେଲି ଚାହିଁ

ଦର ଦରଶନେ ଚିତ୍ତ ବୁଡ଼ିଲାରେ । ଘୋଷା ।

ଦିବ୍ୟାଞ୍ଜନଶୀକର୍ପୂରଦେଲେ ଆଖି, ପୂରଇଲୋତକଜଳେ ସଖୀଦେଖି

(ପଡ଼ି) ମୋହନ ରୂପମାଧିରୀ       ମୋ ଡୋଳାରେ ଗଲା ପୂରି

କି ସୁଖ ଜନ୍ମାଇ ଦୁଃଖ ଏଡ଼ିଲାରେ ।୧।

କି ଶୀତଳ ନେତ୍ରକୁ ଲାଗିଲା ରୂପ, ଦେଖି କୃତାର୍ଥ ହୁଅନ୍ତା ଫୁଲଚାପ

(ପଡ଼ି) ତର୍କ ଅଛି ସେହୁ ଘର            କରିଣ ହୃଦ ଭିତର,

ବାହାର ସଙ୍କୁଚ ମୋର ଫେଡ଼ିଲା ରେ ।୨।

ମହୀମଣ୍ତଳେ ସୁନ୍ଦର ଗଣିକାରେଥିଲେ      କେହି ଥିବ ଅବା ଦେବତାରେ

(ପଡ଼ି) ତାଙ୍କ ବେନି ଅବିଗୁଣ            ତଳେ ନଲାଗେ ଚରଣ,

ନୟନ ତ ପଲକ ନ ଲୋଡ଼ିଲାରେ ।୩।

ସେ ମୋହନ ସ୍ୱରୂପକୁ ସେହିପରି ଆଉ ଜଣେ ଦେଖିନାହିଁ ତ୍ରୟପୁରୀ

(ପଡ଼ି) ବିକି ହେବି ତେଜିଲାକ ତାଙ୍କ ଚରଣେଁ ମୁଁ ଆଜ,

ତୋର ମୋର ଏହି ଭାଷା ଛିଡ଼ିଲାରେ ।୪।

ବନମାଳୀ ସେ ନାଗର ଦରଶନେ କୃତାର୍ଥ କି ହୋଇବ ତା ପରସରେ

(ପଡ଼ି) ଦେଇ ପାରନ୍ତି ସଦନ, ତାଙ୍କ ଚରଣେ ମୋ ମନ,

ଭଜିଲା ନାହିଁ ଦଇବ ଏଡ଼ିଲାରେ ।୫।

(ରାଗ – କେମୋଦୀ, ତାଳ – ଏକତାଳି)

 

ସ୍ନାନ ମିଳନ

(ସଖୀ ପ୍ରତି ଶ୍ରୀ ରାଧା)

କି ଲାଜ ପାଇଲି ଆଜ ରେ ବାନ୍ଧବୀ ! କି ଲାଜ ପାଇଲି ଆଜ ।

ଉରେ ଚିର ଦେଇ             ତର ନ ସହଇ,

ଆଗରେ ନାଗରରାଜ ରେ । ଘୋଷା ।

ଚଉଦିଗେ ଚାହିଁ             କେଣେକେହି ନାହିଁ,

ନିଛାଟ ଘାଟକୁ ଗଳି ।

ଅଙ୍ଗରେ କୁଙ୍କୁମ             ବୋଳି ହେଉଥିଲି,

ଉତ୍ତରେ ଅମ୍ବର ଚୋଳି ରେ ।୧।

ପାଣି ପଲ୍ଲବରେ             ଘେଡ଼ଣା ନ ଯାଇ

ବର୍ତ୍ତୁଳ ତର ଉଜର ।

ଯେତେ ଯତ୍ନ କଲେ       ମହା ମହୀଧର,

ତାଙ୍କର ନିକି ସରୋଜ ରେ

ପାଖେ ଘୋଡ଼ଇଲେ       ଆରପାଖ ଦିଶେ

ଉପାୟ କିଛି ନ ଦିଶେ ।

ମୁଖ ଅବନତ-             କଲେ ସେ ଉନ୍ନତ –

ପୟୋଧର ବେନି ଠେସେ ରେ ।୩।

କୁନ୍ତଳଉହାଡ଼ି......            ରଖିନ୍ତି ମୁଁ ଅବା,

ବାନ୍ଧିଥିଲିବେଣୀ ଟେକି ।

ବୋଲେ ବନମାଳୀ             ଶୁଣ ଠାକୁରାଣୀ !

ଜଳେ ଲୁଚିଥାନ୍ତ ଟିକି ରେ ।୪।

(ରାଗ – କାମୋଦୀ, ତାଳ – ଏକତାଳି)

 

ପୂର୍ବରାଗ

(ସଖୀପ୍ରତି ଶ୍ରୀରାଧା)

ସୁଖ ଲୋଡ଼ି ଦୁଃଖରେ ଜଡ଼ିଲି ଗୋ, ନାଗରରାଜାଙ୍କୁ ଚାହିଁ ।

ମୋ ପାପ ଆଖି             ମୋତେ କଲା ଦୁଃଖୀ

କାହାକୁ କହିବି ସହି ! । ଘୋଷା ।

କି ସୁଖରେ ଥିଲା             ଜାଣି ମୁଁ ନ ଥିଲି,

ଅନାଇଁ ଦେଲେ ପ୍ରମାଦ ।

ଦେଖି ଛାଡ଼ି ନୋହେଁ       ଛାଡ଼ିଲେ ବିଦେହେ

ତଳେ ଲୋକ ଅପବାଦ ।୧।

ନୟନ ଯୁଗଳୁଁ            ଜାଣିବାରେ ଜଳ

ବହି ନଥିଲା ମୋହର ।

ଏବେ ସେ କଜ୍ଜ୍ୱଳ             ସହିତରେ ବୋଳେ

କହି ଦେଲା ହୃଦହାର ।୨।

ନିରତରେ ଜର -             କରି ଜର ଜର

ସ୍ୱେଦରେ ହୋଇଲା ତନୁ ।

ରଜନୀ ବାସର             ହୋଇଲା ଅସର

ନିମିଷେନ ଯାଏ ମନୁ ।୩।

ବନମାଳୀ ଭଣି             ଆଗୋ ଠାକୁରାଣୀ-

ଶିରୋମଣି ଶୁଣ ଶୁଣ ।

ନେତ୍ର ରଟି ବଶ             ହୋଇଗଲେ ନାଶ,

କରଇ ଉତ୍ତମ ଗୁଣ ।୪।

(ରାଗ–ଦକ୍ଷିଣକାମୋଦୀ।ତାଳ–ଆଠତାଳି)
 

 

ପୂର୍ବରାଗ

(ସଖୀପ୍ରତି ଶ୍ରୀରାଧା)

ମଜ୍ଜା ମଜ୍ଜା ହଲାଇ କୁଳଜା ରହିଲେ ।

ବ୍ରଜାବଳୀ – ରଜା ସଜା ମୁଖ ଚାହିଁଲେ । ଘୋଷା ।

କଞ୍ଜାକ୍ଷ କି ସୁନ୍ଦର             ନ ଯାଇ ମନୁ ମୋର,

କେ ଜାଣେ ଚାହିଁଦେଲେ ଦହିଲେ ।୧।

ମୁଁ ଜାଣିଥିଲେ ମିତ             ମଜାନ୍ତି କିମ୍ପା ଚିତ୍ତ

ହଜାର କହ ମୂଚ୍ଛ ନୋହିଲେ ।୨।

ସଜାଡ଼ିଲେ ମହତ             ଉଜାଡ଼େ ନନ୍ଦ ସୁତ,

ଉଜାଗରେ ଲୋଚନେ ରହିଲେ ।୩।

ଜଞ୍ଜାଳ ନେତ୍ର ପ୍ରୀତି       ହଜାଇ କୁଳଜାତି

ବେଜାରେବନମାଳୀ କହିଲେ ।୪।

(ରାଗ – କାମୋଦୀ । ତାଳ – ଆଠତାଳି)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ଧୃତି ତୁଟିଲା, ନନ୍ଦ କିଶୋର ଲୁଟିଲାରେ

କେତେ ଦୁର୍ବାଦଳବୃନ୍ଦ ନ ରଟିଲା ?

ତେବେ ଚିତ୍ତ ନ ଫାଟିଲା ରେ । ଘୋଷା ।

ମୋ ଲୋଭ ମୋତେ କାଟିଲା ରେ ।

କାହିଁକି ମୋହନ             ପଲକ ଫିଟିଲା

ଶ୍ୟାମ ନେତ୍ରେ ଚହଟିଲା ରେ ।୧।

ଉପାୟତ ନ ଖଟିଲା ରେ ।

ଯେଣିକି ଚାହିଁଲେ             ମୋହନ କୁଟିଳ

ଭ୍ରୂବଲ୍ଲୀ ମୋତେ ଘାଣ୍ଟିଲା ରେ ।୨।

ଦଇବ ମୋତେ ହଟିଲା ରେ ।

ନିବର୍ତ୍ତିଲେ ଚିତ୍ତ             ସନ୍ତାପ ଘଟିଲା,

ମଦନ ଜ୍ୱର ଘୋଟିଲା ରେ ।୩।

ବନମାଳୀ ଆକଟିଲା ରେ ।

ନିନ୍ଦୁଥାଇ ଯାହା             ଜଟିଳା କୁଟିଳା

ସେ କଥା ଅସି ଯୁଟିଲା ରେ ।୪।

(ରାଗ – ଦେଶାକ୍ଷ । ତାଳ –ସରିମାନ)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ଚରିତ୍ର କଥାଏ ଶୁଣ ସଖୀ !

ବ୍ରହ୍ମାଣ୍ତ ଯାକେ ନ ଥିବ ଦେଖି,

କାହାଗେ କହିବି            ନ ବୁଝନ୍ତି କେହି,

ଏହି ଭାବରେ ମୁଁ ଗଲି ଶୁଖି ।୧।

ପ୍ରିୟ ଚିତ୍ତ ଅଳଙ୍କାର,

ଅନାଇଁ ଲୋଭ ବଢିଲା ମୋର ।

ମୋର ମନ ମଣି             ମନ୍ଧା ରଭ୍ଗେ ଆଣି,

ମଣ୍ତ ହେବି କଲି ଏ ବିଚାର ।୨।

ଭଲ ଲୋକପରି ପାଶେ ଦେଖି,

ଖଳ- ମଦନକୁ କଲି ସାକ୍ଷୀ ।

ଦେଲି ମୁଁ ନବ -             ଲାବଣ୍ୟ କଳନ୍ତର

ଭୋଗ କରୁଥାଅ ବୋଲି ଲେଖି ।୩।

ଏବେ ସେ ଚିତ୍ତ ଅନ୍ତର ହିତ,

ହଲାଇଲି ମାତ୍ର ବିତ୍ତ।

ଯେ ଗଲା ସେ ଯାଉ       ପଛକେ ମୋ ଚିନ୍ତା

ନାହିଁ ଶୁଣ ଏବେ ବିପରୀତ ।୪।

ସଖୀ କିପାଇଁ ସନ୍ତତ ଚଳି,

କିମ୍ପାଇ ତନୁ ଦେଉଛି ଦଳି,

ବନମାଳୀ ବୋଲେ             କା ଆଗେ କହିବି

ରସନା ନାଶିଲେ ଦନ୍ତାବଳୀ ।୫।

(ରାଗ – ଶୋକ କାମୋଦୀ । ତାଳ – ଏକତାଳି)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ଆଲୋ ସଖୀ ! ପାସୋରି ନୁହେଁ ଗିରିଧାରୀକି ।

ପାସୋରି ନୁହେଁ ଗିରିଧାରୀକି, ଲୋ

ମୁରୁଛି ନୋହେ ଗିରିଧାରୀକି । ଘୋଷ ।

ଆନ କିଛି ନ ରୁଚେ       ଆଖି ଭିତରେ ନାଚେ,

କଳଙ୍କ ହେଲା କୁଳନାରୀଙ୍କି ।୧।

ସେକି ଗୋକୁଳବାସୀ       ମହା ମୋହନଫାଶି,

ଆସି ରହିଛି ନନ୍ଦପୁରୀ କି ?

ଚାହିଁବା ମାତ୍ରେ ମନ            ହରେ ମତି- ମୋହନ,

ଏତେକ ନ ପାରିଲି ତରକି । ୩ ।

କି କୋମଳ ବଚନ,            ପବିତ୍ରଅପଘନ

ଲୋଚନ ବେନି କାମ ଛୂରୀକି ? । ୪ ।

ଲେଖିଦେଖି ମୁଁ ୧ ଖତ,      ଲୋକ ପଣେ ଦେଖତ,

କେ ଆଣି ଦେବ କାଲି ପରିକି ? । ୫ ।

ବନମାଳୀ କହଇ,            ୨ ରାଗରେ ଯେ ଚାହାଁଇଁ,

ସେ ସିନା ଯାଏ ଏତେସରି କି । ୬ ।

(ରାମ- ମଙ୍ଗଳ, କେଦାର – ତାଳ ଟପ୍‌ପା)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ଯେଉଁ ଦିନୁ ଦେଖିଲି ନନ୍ଦ କିଶୋର ।

ସବୁ ବିଷୟା ଗଲା ମୋର ପାଶୋର । ସଖୀର । ଘୋଷା ।

କୁଳବତୀ କଳଙ୍କ ଆଣି ଗୋପରେ ।

ରଖାଇ ବିହି ହସାଇଲା ଗୋପରେ । ୧ ।

ରଖାଉ ନାହିଁ ଗୁରୁ କୁଳରେ ଲାଜ ।

ଲଖାଉ ଅଛି ହୃଦେ ଫୁଲ ନାରାଜ । ୨ ।

ଉପାୟ ହୋଇ ଆଉ ନ ଦିଶେ ସତ ।

ଯେଉଁ ଦିନୁ ମୋ ଚିତ୍ତେ ହେଲି ଆସକ୍ତ । ୩ ।

ହସନ୍ତୁ ସାଧୁ ମୋତେ ନିନ୍ଦନ୍ତୁ ବନ୍ଧୁ ।

ତେଜିନ ପାରିବି ମୁଁ ଗୋକୁଳ – ଇନ୍ଦୁ ।୪।

ବନମାଳୀ କହଇ ଗୋପୀଙ୍କ ପ୍ରୀତି ।

ଜାଣି ପାରି ନାହାନ୍ତି ଆଜହୁଁ ଶ୍ରୁତି । ୫ ।

(ରାଗ – କେଦାର, ଚକ୍ରକେଳି । ତାଳ- ଝୁଲା)

୧-ଖତ- ତମସୁଜ ।୨ ରାଗରେ – ସ୍ନେହରେ ।

 

ପୂର୍ବରାଗ

(ସଖୀ ଉକ୍ତି)

ନଟବର ସେ ଶ୍ୟାମ ସୁନ୍ଦର ।

ଦେଖିଲା ଲଗାର ବୃନ୍ଦର ଲୋ । ଘୋଷା ।

ନବଘନ ଶ୍ୟାମ,            ମୂରତି ସେ କାମ....

ଦେବଜିତ ତନୁ ସୁନ୍ଦର ଲୋ ।

କାହୁଁ କେତେ ରୂପ            ଭାଙ୍ଗି ଶିଖିଅଛି,

ଲେଖିଲେ ବସୁ ସୁନ୍ଦର ଲୋ । ୧ ।

ବେଣୁ ଧୀରେ ଧୀରେ,      ଲଗାଇ ଅଧରେ,

ଅଙ୍ଗୁଳି ଦେଇଣ ରନ୍ଧ୍ରର ଲୋ ।

ସ୍ତମ୍ଭନ ମୋହନ, ବଶ ଉଚ୍ଚାଟନ,

ଶୁଣି କେ ରହିବ କନ୍ଦର ଲୋ । ୨ ।

ସପ୍ତଦିନଶିଳା-            ଧରା ବୃଷ୍ଟି କଲା

ବଜ୍ରଘାତେ କି ପୁରନ୍ଦର ଲୋ ।

ଦେଖି ଉତପାତ            ଶୀଘ୍ରେ ଗୋପୀନାଥ

ଶ୍ରୀକରେ ଧଇଲେ ମନ୍ଦର ଲୋ । ୩ ।

କେଶୀ, ବକା, ଅଘା            ବତ୍ସା ବିନାଶିଲେ,

କାହୁଁ କେତେ ରୂପେ ହୁନ୍ଦର ଗଲା ।

ବୋଲେ ବନମାଳୀ,            ନ କଲେ ତ ଦୟା

ପକାଇ ବିଷୟା -            ଫାନ୍ଦର ଲୋ । ୪ ।

(ରାଗ- ଖଣ୍ତବାଣୀ, ତାଳ – ଖେମଟା)

 

ପୂର୍ବରାଗ

(ସଖୀ ଉକ୍ତି)

ଯମୁନା ଯିବା ନୋହିଲା ମିତ ।

ବାଟେ ଜଗି ବସିଅଛି ନନ୍ଦସୁତ (ସେହି କଳା ଭୂତ) । ଘୋଷା ।

ସେ ପୀତ ପଟିଆ            ପଥେ କରି ଠିଆ

ବୋଲୁଥାନ୍ତି ବାଣୀ ଆଚମ୍ବିତ ।

କରି ବଂଶୀ ସ୍ୱନ            ମୋହି ଆମ୍ଭମନ

ଚିତ୍ତକୁ କରନ୍ତି ବିହ୍ୱଳିତ । ୧ ।

କି ମନ୍ତ୍ର ପଢ଼ାଇ            ନିଅନ୍ତ କଢ଼ାଇ

ନ ରହଇ ଆମ୍ଭର ଆୟତ୍ତ ।

ଯମୁନା କୂଳରେ            କଦମ୍ବ ମୂଳରେ

ବସାଇ ନିଅନ୍ତି ଦ୍ୱରୁମତ । ୨ ।

ଜଳରେ ପୂରାଇ            କୌତୁକ ଭିଆଇ

ବସ୍ତ୍ର ହରି କଲେ ହରକତ ।

ବୋଲନ୍ତି ଜଳରେ            ଉଲଗ୍ନ ହୋଇଲି

କରଯୋଡ଼ି କର ଦଣ୍ଡବତ । ୩ ।

ଯମୁନା ଘାଟ ହେଲା ଦୁର୍ଘଟ ।

ହୋଇଲେ ବାହାର            ଚିତ୍ତ ଥରହର,

ଚିତ୍ତଚୋର ଡକାୟତ । ୪ ।

ଜଳରୁବାହାରି            ଯେଝା ବସ୍ତ୍ର ଧରି,

ପିନ୍ଧ ଫେରି ଅଇଲେ ତୁରିତ ।

ବୋଲେ ବନମାଳୀ            ଆଗୋ ବ୍ରଜବାଳୀ

ହୃସୁ ଚରଣେ ରଖି ଯା ଚିତ୍ତ । ୫ ।

(ରାଗ – କଳିତ କେଦାର, ତାଳ- ଝୁଲା)

 

ବିରହିଣୀ

(ସଖୀ ପ୍ରତି ଶ୍ରୀରାଧା)

ବିଷ ପୀୟୁଷ ବୋଲି ମୁଁ ଦେଲି ଚାଖି ।

ଆଗୋ ପ୍ରିୟସଖୀ । ପଦ ।

ଦିନେ ହେଇଥିଲି ଛିଡ଼ା,

ଆସି ମିଳିଗଲେ ଘରବୁଡ଼ା,

ଭଲ କରି ତାଙ୍କୁ            ଚିହ୍ନି ନ ପାରିଲି

ସେ ଦିନୁ ଅନଙ୍ଗ କଲା ପୀଡ଼ା ।୧।

ଗୋଟିକ ଯାକ ଦକ୍ଷିଣ ଆଖି,

ବିପକ୍ଷଙ୍କ ପରେ ଥିଲି ରଖି,

ଲାଜ ଭୟରୁ            ବାମନେତ୍ର ଅର୍ଦ୍ଧକ

ତାଙ୍କ ଅଧରେ ମୁଁ ଥିଲି ରଖି । ୨ ।

ଶେଷର ଅଞ୍ଚଳ ନୟନେ ଦେଇ,

ନାଗର ବରଙ୍କୁ ଦେଲି ଚାହିଁ

କେତେବେଳେ ମନ            ବିକଶି ଆସଇ

ନ ରସିବେ ମୋତେ ଆଉ କେହି । ୩ ।

ବନମାଳୀ ବୋଲେ ନବଦଶା,

ଆସି ମୋ ହୃଦେ କଲାଣି ବସା,

ଗୋଟି ଗୋଟିକେ            ଘୋଟିବ ଏହିକ୍ଷଣି

ମୂଳ ହେଲାଣି ଭରସା ହସା । ୪ ।

(ରାଗ – କାମୋଦୀ, ତାଳ - ଏକତାଳି)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ମୋହନ ଦେଲିତହିଁ ଗୋ ।

ଆଗୋ ପ୍ରିୟ ସହି । ଘୋଷା ।

କଦମ୍ବ ମୂଳରେ ରହି      କି ରଙ୍ଗେ ମୂରଲୀ ବାଇ

ମାନସେ ମୋର ନାଚଇ ଆନ ସାହା ନାହିଁ ଗୋ । ୧ ।

ଧନ୍ୟ ତା କଟାକ୍ଷ ଆଖି      ମୋ ମାନସେ ଗଲା ଲାଖି

ନ ପାରିଲି ସକୀ ଦେଖି ସେ ଶଷ୍ୟାମକୁ ଚାହିଁ ଗୋ ।୨।

ବଦନେ କି ଅଛି ତାର      ସଦନେ ହୋଇ କାତର

ମଦନେ ହୋଇ ଆତୁର ସବୁ ପସୋରାଇ ଗୋ । ୩ ।

କହଇ ସେ ବନମାଳୀ      ଏ ରସରେ ଭାଳି ଭାଳି

ନ ଦେଖିଲି ଶ୍ୟାମ ଝଳି ତା ପାଶରେରହି ଗୋ । ୪ ।

(ରାଗ – ଶାରଙ୍ଗ, ତାଳ - ଆଠତାଳି)

 

ପୂର୍ବରାଗ

(ସଖୀ ପ୍ରତି ଉକ୍ତି)

ଆଜ ବ୍ରଜରାଜ କୁମର,

ରାଜ ପଥରେ ଯାଉଥିଲେ ଗୋ । ଘୋଷା ।

ଗେଲେ ଗେଲେ ଖେନଟା ନାଚେ      ଆସୁଥାନ୍ତି ଗୋକୁଳ ପଛେ

ବାନ୍ଧି ଚୂଳ ମୟୁରପୁଚ୍ଛେ

ସେହିଯେ ପତନା ପ୍ରାଣଘେନା ଗୋ । ୧ ।

ନୟନ କଜ୍ୱଳ ଲାଞ୍ଜି            କିବା ମଦନ ଶର ସାଜି

ନବ ଯୁବା ନାରୀ ମରମ ଖୋଜି,

ବିବେକ ବୁଦ୍ଧିକି କରେ ବଣା ଗୋ । ୨ ।

ତାଙ୍କ ଯେଉଁ ଶ୍ରୀମୁଖ ଶୋଭା ଦେଖି କେବା ନୋହିବେ ଲୋଭା

ଉପକ୍ଷିବେ ନାରୀ କେ ନବଯୁବା,

କହିଥିଲେ ଯାହାକହି ନୋହେ ଗୋ । ୩ ।

ତାଙ୍କ ଯେଉଁ ଭୁରୁ ଛଟକ            ଚାହିଁଲେ କି ଆଉ ପଡ଼େ ପଲକ ?

ଏହି ରୀତି ଥିଲେ କାଳକ ଯାକ,

ଆଉ କି ବଞ୍ଚିବେ ଗୋପାଙ୍ଗନା ଗୋ । ୪ ।

କବରୀର ଗତିକି କରି      ହରି କରେ ମୂରଲୀ ଧରି

କବୀର ନର ଶିରୀକି ଧରୀ,

ସଧୀରେ ବଂଶ ବଜାଉଥିଲେ ଗୋ । ୫ ।

ବନମାଳୀ କହଇ ଗୀତେ      ତାର ଛବି କହିବି କେତେ

ଦେଖିଲା ବେଳକୁ ଚିତ୍ତ ଛିନ୍ନ ଛିନ୍ନ,

ମନକୁ ମୋହାର ମୋହିନେଲେ ଗୋ । ୬ ।

(ରାଗ – ଦେଶବରାଡ଼ି । ତାଳ - ଝୁଲା)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ଦେଖିଲେ କାହ୍ନୁ ମନ ନ ଯିବ ଗୋ

ସତୀବରତ ଧୃତି ଭାଜିବ ଗୋ । ଘୋଷା ।

ନବ- ନୀରଜ- ନେତ୍ର      ତମାଳ – ପତ୍ର- ଗାତ୍ର

କାମଭରରେ ତନୁ ରାଜୀବ ଗୋ । ୧ ।

ଦିନେ ଦେଖିଲି ଡୋଳେ      କେବି- କଦମ୍ବ ମୂଳେ

ଆନନକୁ ଲକ୍ଷ୍ୟ କି ରାଜୀବ ଗୋ । ୨ ।

ଦେଖିଲେ ତାଙ୍କ ନୃତ୍ୟ      ନ ଛାଡ଼ିବ ତ ଚିତ୍ତ

ଭୁଲି ତାଠାରେକେ ନ ମଜ୍ଜିବ ଗୋ । ୩ ।

ଦିନେ ସେ କୁଞ୍ଜବନ            ଦେଖି ହେଲି ଅଜ୍ଞାନ

ସେ ଦିନୁ ହୋଇଅଛି ତଜିବ ଗୋ । ୪ ।

ବୋଲଇ ବନମାଳୀ            ଶ୍ୟାମବନ୍ଧୁଙ୍କୁ ଭାଳି

ସତେ ପିଣ୍ଡ ତେଜିବ ଏ ଜୀବ ଗୋ । ୫ ।

(ରାଗ – କୁମ୍ଭକାମୋଦୀ । ତାଳ - ଏକତାଳି)

 

ପୂର୍ବରାଗ ପଞ୍ଚସ୍ପୃହା

(ସଖୀ ପ୍ରତି ଶ୍ରୀରାଧା)

ଦାରୁଣ ନେତ୍ରାନ୍ତକୁ ମୁଁ ଏଣୁ ଡରୁଥାଇ । ଘୋଷା ।

ଯହିଁ କି କରଇ ମନା      ତହିଁକି କରି କାମନା

ଅଗମ୍ୟ ପଥକୁ ଗମୁଥାଇ । ୧ ।

ଦେବତା – ଦୁର୍ଲ୍ଲଭ ବିଜେ      ଏ ପାପମନ ନ ବୁଝେ

ଆଶା କରି ଲୋଭେ ମରୁଥାଇ । ୨ ।

ପଡ଼ିଲେ ବୁଡ଼ି ରହଇ      ଲୋଡ଼ିଲେ ମିଳଇ ନାହିଁ

କାନ ସେହୁ ରସେ ରସିଥାଇ । ୩ ।

ମୃଗମଦ ନୀଳୋତ୍ପଳ ତା ଶ୍ରୀଅଙ୍ଗ ପରିମଳ

ନାସା ମୋର ଆଶା କରୁ ଥାଇ । ୪ ।

ତାର ଚର୍ବିତ ତାମ୍ବୁଳ            ଅଧ ଅଧରୁ କେବଳ

ଚାଖିବାକୁ ଜିହ୍ୱା ଝରୁଥାଇ । ୫ ।

ବନମାଳୀ ବୋଲେ ମନ,      ହେବାରୁ ତାର ଅଧୀନ

ଜୀଇବା ଭରସା ଦିଶୁନାହିଁ । ୬ ।

(ରାଗ – କଲ୍ୟାଣ । ତାଳ - ଆଦି)

 

ପୂର୍ବରାଗ

(ସଖୀ ପ୍ରତି ଶ୍ରୀରାଧା)

ଶ୍ୟାମନାଗର ମହତ ନିବାରଇତ ।

କାମରେ କାମିନୀ କଲା ବାଇ ତ । ଘୋଷା ।

ଲାଞ୍ଚ ଦେବି ଦେବତାରେ      କେ ବୋଲିବ ସେବ ତାରେ

ରହି ନୋହୁ ଅଛି ରହି ଜାକିତ ।୧।

ଦଖି ଆଖି ଲାଖି ରହେ      ସଖୀ ଆହୋ ସେ ବିରହେ

ନାହିଁ ମୁହିଁ ଯେ ସୁତାରେ ଖସିତ ।୨।

ଏମନ୍ତ ସୁନ୍ଦର ବର            ବରଜରେ ବେଦବର

ରଖିଥିବ ସୁଖ ଦରଶାଇତ ।୩।

ବନମାଳୀ କି ପଚାର      ଯେବେ ନିଗୂଢ ବିଚାର

କଲା ସେହୁ ରମ୍ୟପୁର ସାହିତ ।୪।

(ରାଗ-ବିରାଡ଼ି । ତାଳ –ଝୁଲା, ଖେମଟା)

 

ପୂର୍ବରାଗ

ସଖୀରେ ! ତାଙ୍କୁ ଦେଖିଲି ଡୋକେ ।

ବିଜେ କରିଥିଲେ କଦମ୍ୱ ମୂଳେ । ଘୋଷା ।

ସେ ରୂପକୁ ଧାତା ଗଢିଲାବେଳେ ।

କର କିପରି ରହିଲା ନିଶ୍ଚଳେ

ଗୋରଚନା ଚିତା ଶୋହେ କପୋଳେ ।

ରାହୁ ବାନ୍ଧିଛି କି ଚନ୍ଦ୍ର ମଣ୍ଡଳେ... ।୨।

କର୍ଣ୍ଣରେ ମକର କୁଣ୍ଡଳ କୁଳେ

ନବଘନ କୋଳେ ଚପଳା ଖେଳେ ।୩।

ବନମାଳୀ ମନ ରହି ନିଶ୍ଚଳେ ।

ଦିନେ ନ ମଜ୍ଜିଲା ପାଦ କମଳେ ।୪।

(ରାଗ ତୋଡ଼ି-ତାଳ ଝୁଲା)

 

ନବାନ୍ନରାଗ

(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)

ଦିନୁ ଦିନୁ ନନ୍ଦ୍ରି ତନୟ ଗୋ ।

ନବନବ ପରା ମୋ ମିତ !

ନିତି ଦେଖୁଥିଲି, ପ୍ରୀତି ବଢୁ ଥାଇ

ତୃପତି ନୁହଁଇ ଚିତ ଗୋ ମିତ ! ଘୋଷା ।

ହାସରେ ସଖୀ, ଭାଷରେ ତାର ପୀୟୁଷ ଯେ ଥାଇ ପୂରି ।

ଶ୍ରୁତିରେ ପଶି            ଧୃତି ନାଶଇ,

ବୃତ୍ତି ତେଜଇ ନାରୀଗୋ ମିତ ! ।୧।

ଖଞ୍ଜନ ମୀନ, ରଞ୍ଜନ ମୃଗ      କଞ୍ଜ-ନୟନ ତାର ।

ଛାତିରେ ପଡ଼ି,            କାତି ମାରଇ,

ଜାତି ମଦନ-ରେ ଗୋ ମିତ ! ।୨।

ଛାଡ଼ିସବୁ ସଜାଡ଼ିଲା ତନୁ      କେତେକାଳ ବସି ବିହି

କାମ ହୋଇଲେ,            ଝାମ ହୋଇବ,

ଶ୍ୟାମ ମୂରତି ଚାହିଁ ଗୋ ମିତ ।୩।

ବନମାଳୀ ବୋଲେ,            ମନ ମିଳିଗଲେ,

ବିସ୍ମରି ନ ପାରେ ଆଖି ।

ଯେତେ ଯେତେ ଦେଖ,      ଥିଲେ କେତେ ପୁଣି

ନୂଆ ନୂଆ ଦିଶେ ଟିକି ଗୋ ମିତ ।୪।

(ରାଗ-ବସନ୍ତ, ତାଳ-ଖେମଟା)

 

ନବାନ୍ନରାଗ

(ସଖୀ ଉକ୍ତି)

ନୂଆ ଲଳନା । ନୂଆ ନାଗରେ ହେଲୁ ସୁଆଗମାନ ରେ । ଘୋଷା ।

ତୁଆକୁ ତୁଅ ଯାଉ ଯମୁନା

ଭୁଆଶୁଣୀ କୁଳରୁ ହୋବୁତ ମନରେ ।୧।

ଦୁଆରବନ୍ଧ ଡେଇଁ ହେଉ ତନ୍ମାନା ।

କୁଆରୀ କାଳୁ କଲୁ ଶ୍ୟାମ କାମନାରେ ।୨।

ରୁଆଇ ହୃଦକ୍ଷେତ୍ରେ କାଳିଆ ସୁନା ।

ଥୁଆଇଲୁ ଅକୀର୍ତ୍ତି ପସରା ସିନା ରେ ।୩।

ଯୁଆଣୀ ବଧୂ ତୁ ରାଜନନ୍ଦନା ।

ଧୂଆଇକୁ ନୟନ ଲୋତକ କିନା ରେ ।

ଉଆସ ଛଡ଼ାଇବ ସେ ନନ୍ଦ କହ୍ନା

ଗୁଆଁର ବନମାଳୀ ଚିତ୍ତେ ଭାବନାରେ ।୫।

(ରାଗ- ନଳିନୀ ଗୌଡ଼ା, ତାଳ –ଝୁଲା)

 

ନବାନୁରାଗ

(ଶ୍ରୀ ରାଧା ଉକ୍ତି)

ଘନ କାଳିଆରେ,            ସେ ମୋ ଜୀବ- ଜୀବନ ।

ମିତଣୀ ! ମୋ ବିତ୍ତସବୁ ପୀତଦୁକୁଳିଆ । ଘୋଷା ।

ଗଲେ ଏ ପରାଣ ଯାଉ,      ନ ତେଜିବି ତାଙ୍କୁ ଆଉ

ନାଚିଲେ ନେତ୍ରେ ସର୍ବଦା କାଳନ୍ଦୀ କୂଳିଆ ।୧।

ଲାଗୁ କୁଳରେ କଳଙ୍କ      ଜୀବିକା ମୋ ପଦ୍ମ ମୁଖ,

ଦୁଃଖ ପାସୋରା ମନ୍ତର ଶିଖଣ୍ଡି-ଚୂଳିଆ ।୨।

ବିନାଶି ବାସ-ଆବର      ମନାସୁଛି ସଙ୍ଗ ତାର,

ନୟନ ପିତୁଳା ରଙ୍ଗ-କାଇଁଚମାଳିଆ ।୩।

ହେଜି କହିଲେ ଏଣିକି      ସଜନି ! ଜଳବାଣୀକି

ତେଜିବି କି ସତେ ମନୁ ନନ୍ଦ-ଦୁଲାଳିୟା ।୪।

ଶ୍ରୀମତି ଏସନ ବାଣୀ      ପ୍ରିୟସଖୀ ମନେ ଭଣି

କହେ ବନମାଳୀ ଚିନ୍ତି ବରଜ-ଧୂଳିଆ ।୫।

(ରାଗ- ଲତିତ କେଦାର, ତାଳ-ଏକତାଳି)

 

ନବାନୁରାଗ

(ସଖୀ ଉକ୍ତି)

କେଡ଼େ ହଟିଆରେ, ସେଶ୍ୟାମ ନାଗର

ତା’ରେ ରସିଲେ ପାଇବୁ ତୁ ବଡ଼-ବଟିଆ । ଘୋଷା।

କଥା ହେଉଥିଲେ ଜନେ      ତା ରୀତି ପକାଇ ମନେ

ଗୋପ ଗୋପୀ- ଚିତ୍ତଚୋରା ମହତ ଲୁଟିଆ ।୧।

ତନୟ – ତନୟା - ତଟେ      କେଳି କଦମ୍ବ ନିକଟେ,

କପଟେ ତୋ ଯିବା ବାଟେ, ସେ ନୂଆ ଘାଟିଆ ।୨।

ଦେଖରେ ପ୍ରାଣ ମିତଣୀ !      ଯାଇଥିଲି ନୀରଆଣି,

ଦେଖିଲି ତ୍ରିଭଙ୍ଗୀଠାଣି, ସେ ନଟକୁଟିଆ ।୩।

କହିଲ ଯେ ବନମାଳୀ      ସେ ରୂପକୁ ଭାଳି ଭାଳି

ମୋ କଣ୍ଠ ରତନମାଳି, ସେ ପୀତପଟିଆ ।୪।

(ରାଗ-ଲଳିତ କେଦାର, ତାଳ-ଏକତାଳି)

 

ନବାନ୍ନରାଗ

(ସଖୀ ପ୍ରତି ଶ୍ରୀରାଧା)

ନାଗରବର କଳା କହ୍ନାଇ ଗୋ (ନାଗର)

ଜାଗର ଜାଳିତ ପାଇଛି ମୁହିଁ ଗୋ । ଘୋଷା ।

ଆହା ସେ ମୁରୁଛି ନୁହଇ ସହି ।

ସାହା ଭରସା ମୋ ଅଟନ୍ତି ସେହି ଗୋ ।୧।

ଯା ଯା ଯେ କହନ୍ତୁ ଏ ଗୋପ ଗୋଈ

କାହାରି କଥାକୁ ମୋ ଛଳ ନାହିଁ ଗୋ ।୨।

ତାହାଙ୍କ ସେବାରେ ମୁଁ ଥିବି ରହି ।

ବାହାର ହେଲେ ହେବି ଘରୁ ମୁହିଁ ଗୋ ।୩।

ବନମାଳୀ ଦାସ ଗୀତେ କହଇ ।

ମନ ବୁଝିଥିଲେ ଆନ ନୁହଁଇ ଗୋ ।୪।

(ରାଗ – ପରଜ । ତାଳ – ଆଠତାଳି, ଝୁଲା)

 

ନବାନ୍ନରାଗ

(ସଖୀ ଭକ୍ତି)

ମୋହନରେ ରସି ବଡ଼ ଦ୍ୱନ୍ଦେ ପଡ଼ିଲୁ । ଘୋଷା ।

କଥା ଘେନିଲୁ ନାହିଁ            ଯଥା ବାଳକ, ସହି !

ବ୍ୟଥାରେ ହେଲୁ ଦହି ।୧।

ଜାଣି ଶଠ ପୀରତି            ଆଣି ରୋଇଲୁ ଛାତି,

ହାଣିଲା ସେ ବିପତ୍ତି ।୨।

ନୀତ ବଚନ ଯେତେ      ନିତି କହୁଛି ତୋତେ

ଚିନ୍ତିଲି ତା ଅହିତେ ।୩।

ପରାପର ବିଚାର            ଧରାରେ ଯେହୁ ସାର,

ପରାୟେ ସେ ବେଭାର ।୪।

ଭୁରୁ ଯୁଗ ନଚାଉଁ            ଦୁରୁ ଆମ୍ଭଙ୍କୁ ଚାହୁଁ,

ଭୀରୁ କି ହେବ ଆଉ ।୫।

ବନମାଳୀ କହଇ            ଜନମେ ପ୍ରୀତି ଯହିଁ,

ଧନ୍ୟ ତାହାର ଏହି ।୬।

(ରାଗ- କାମୋଦୀ, ତାଳ-ଏକତାଳି)

 

ନବାନ୍ନରାଗ

(ସଖୀ ପ୍ରତି ଶ୍ରୀରାଧା)

କିଏ ପକାଇଲା ଶ୍ୟାମ ନଟେ, ମା, କି କପଟେ । ଘୋଷା)

ମୋହନ ଚାତୁରୀ-କତୁରୀକି ମୁହିଁ

ଡରି ସଖୀ ସଙ୍ଗେ ବାହାର ନୁହଁଇ

କାହୁଁ କେତେ କପଟ ଜାଣଇ,

ମିଳେ ମୋ ସ୍ନାନ ଜଳଘାଟେ ମା’ ।୧।

ଖଣ୍ଡେ ଦୂର ଯାଇ ଜଳରେ ପଡ଼ଇ

ବୁଡ଼ିଲି ବୁଡ଼ିଲି ବୋଲି ବୋଲୁଥାଇ,

ହୃଦୟ ନ ସହେ ଆହା ମୁଁ ମରଇ,

ଛଡ଼ା –କୁସୁମ ଲମ୍ପଟେ ମା ।୨।

ଦେଖିଲେ ମୋହର ଚରଣ ଧୂଳିକି

ବୋଳି ହେଉଥାଇ ହୃଦୟ ସ୍ଥଳିକି,

ଭାଳି ବସିଥାଇ କାଇଞ୍ଚ ମାଳିକି

ଲେଖାଥିଲା ମୋ ଲଲାଟେ ମା’ ।୩।

ସ୍ତିରୀ ଛାରଠାରେ ଏତିକି କପଟ ?

ଏକାନ୍ତରେ ନିଶ୍ଚେ ହରାଇବି ଘଟ

ବୋଲେ ବନମାଳୀ ମୁରଲୀର ନଟ

ଶୁଣିଲି ଯା କର୍ଣ୍ଣପୁଟେ ମା’ ।୪।

(ରାଗ –ମୋହନ । ତାଳ-ଖେମଟା)

 

ନବାନୁରାଗ-

ସଖୀ ଉକ୍ତି

ଗୋ ଜେମାଦେଈ ! କି ଶୁଣିବ ଶୁଣ ମନଦେଇ ଗୋ । ଘୋଷା ।

ଯାହା କରେ ନନ୍ଦ ଚାଟ ଗୋ                  ପୋଥିଟାକର ପାଠ ।

ଭଲା ଯଶୋବନ୍ତୀ ଜଞ୍ଜାଳ ସହନ୍ତି ନ ପାରି କରି ଆକଟ ଗୋ ।୧।

ହାଟ ବାଟ ଘାଟ ଜଗା ଗୋ,                  ଲଟିଆ ଲବଣୀ ମଗା,

ଯମୁନା ନଈରେ ନାବକେଳି କରି ଦିନେ ଦେଇଥିଲା ଦଗା ଗୋ ।୨।

ଛଇଳ ନାଗର ହରି ଗୋ                  କରେ କେତେ ହୁରିଜୁରି,

ଗୋଦୋହନ ବେଳେ ଲୁଚିରହି ହେଳେ ଫିଟାଇଦିଏ ବାଛୁରୀ ଗୋ । ୩।

କଅଁଳା ପୁଅଟି ଦିନୁଗୋ,                  କେତେ ରସ ଜାଣେ କାହ୍ନୁ

ଗୃହକର୍ମ ଛଳେ ପାସୋରି ବସିଲେ ତା’ କଥା ନ ଯାଏ ମନୁ ଗୋ ।୪।

ବନମାଳୀ ରସେ କହି ଗୋ,                  କାଳିଆ କଳଙ୍କ ସେହି,

ତାହା ସଙ୍ଗେ ଯେହୁ ପୀରତି କରିବ ମରିବ ଜହର ଖାଇ ଗୋ । ୫ ।

(ରାଗ – ଗଡ଼ମାଳିଆ । ତାଳ- ଖେମଟା)

 

ନବାନୁରାଗ

(ସଖୀ ଶିକ୍ଷା)

କୁସୁନିଆଁ ଗିଳିଛି ନିଆଁ

ପୋଡ଼ିଦେବଟି ତୋ ପ୍ରୀତି ସୁନିଆଁ ।

ହେ ଦରହାସି ତୁ ନିଜର ଫେରାଇ

କଦର କରି ତାଠାରୁ ଘେନିଆଁ । ଘୋଷା ।

ଜାଣୁ କିନା ପୁତନା ଦାସୀ,            କ୍ଷୀରପାନେ ଦେଇଛି ନାଶି

ଶିଶୁଟି ଦିନରୁ ସେ ବଡ଼ ସାହସୀ ଛନ୍ଦାଚରଣିଆ ବୃନ୍ଦାବନିଆ ।୧।

ବଂଶୀୟରେ ନାମ ଉଚ୍ଚାରି,      ବଂଶି ଓଷ୍ଠ କିଛି ବିଚାରି?

ବସି ନୀପମୂଳେ କି ମନ୍ତ୍ରର ପଢ଼ଇ ରସିକ ରଚନ ରାଜଧାନିଆଁ ।୨।

ନାଟକରି ଓଗାଳେ ଘାଟ            ଘାଟଜଗା ସେ ନନ୍ଦବାଟ

ଛାଟ ଧରି କଲେ ଯେତେହେ ଆକଟ କାହାକୁ ନ ମାନେ ସେ ଅମାନିଆଁ

ଜାଣଇ ସେ ମୋହିନୀଲଗା            ବେଳ ଦେଖି ଦିଅଇ ଦଗା

ତା ପାଲରେ ଜୁଟି ତୋପରି କେତୋଟି ଗୋଟି ୨ହୋଇଲେଣି ଛାନିଆ

*ରସେ ବନମାଳୀ ବଦତି କିଶୋରୀଙ୍କି ବୋଲନ୍ତି ଦୂତି,

ହାସ ଭାଷଭଙ୍ଗୀ ଚାହାଁଣୀ ଛଟାରେ ଭୁଲାଇ ଜାଣେ ସେ ଗୋପ କନିଆଁ ।୫।

(ରାଗ-ଢିପା, ତାଳ-ଖେମଟା, ଝୁଲା)

 

ନବାନୁରାଗ

(ରାଧାଙ୍କ ପ୍ରତି ସଖୀ ଶିକ୍ଷା)

କିଶୋରୀମଣି ! ଘେନ ମୋ ମନାର

ଏକା ହୋଇ ନ ଯିବୁଟି ଯମୁନାରେ । ଘୋଷା ।

ତୁ ତ ନୂତନାରେ ଗଜଗମନା !

ସାରିଦେବ ସେ ତୋ ସର୍ବସ୍ୱ ସିନା ରେ ।୧।

ଶ୍ୟାମ ସୁନ୍ଦର ନାମ ଅଟେ ଯା’ ନା’

ବାମନେତ୍ରୀଙ୍କର ମୋହନୀ ବାନାରେ । ୨।

କେତେ ଭଙ୍ଗୀ ଜାଣେ ନନ୍ଦର କାହ୍ନା ।

ଯାହାକୁ ଦେଖେ ତାଠାରେ ତା କହ୍ନାରେ ।

ଚନ୍ଦ୍ରା ପରି ପଡ଼ିଯିବୁଟି ଚିହ୍ନା ।

ଦାଣ୍ଡ ହାଟ ବାଟ ବଜାରେ କିନା ରେ ।୪।

କହେ ବନମାଳୀ ଆରେ ସୁମନା !

ଜାଣିଛି ଆଗୁଁ ମୁଁ ତୋ ଭାବନା ରେ ।୫।

(ରାଗ –ଲଳିତକେଦାର । ତାଳ-ଆଠତାଳି)

 

ନବାନୁରାଗ

(ସଖୀ ପ୍ରତି ରାଧା)

ନ ତେଜିବି ମୂରଲି – ଧରା ।

ବାଜୁପଛେ ଅପବାଦ ନାଗରା । ଘୋଷା ।

ବାନ୍ଧିବି ! ମୋ ଚରିତ ଗାଇ            ହସନ୍ତୁ ବା ତାଳି ବଜାଇ

ଯେ କହିବ ସିନା ମନଭଙ୍ଗାଇ, କିଏ ଦେବ ଶ୍ୟାମ ବ୍ରୀତି ଲଗାଇ ।୧।

ନୟନ ମୋ ପ୍ରେମ ଇଙ୍ଗିତ,             ଭଙ୍ଗୀ ସଙ୍ଗୀ ହେବାରୁ ମିତ !

ଅବିହିତକୁ ମୁଁ ମଣେ ବିହିତ, କି କରିବେ ପରଲୋକ କହିତ ? ।୨।

ଗୁରୁ ଗୁରୁଜନ ଗଞ୍ଜଣା             ଦେଲେ ଦେବେ ପଛକେ ସିନା,

ଏକ ଶ୍ୟାମବନ୍ଧ ସଙ୍ଗକାମନା, ହେଲେ ହେବି ଜାତି ପଟକେ ମନା ।୩।

ବନମାଳୀ କହେ ଏ ଗିରି            ମୋହନ ମୋ ହୃଦୟ ହାର,

ଏ ପରଣ ମନ କିଣା ଯାହାର, ତା ସ୍ନେହରୁ କି ମୁଁ ହେବି ବାହର ? ୪।

(ରାଗ- ସିନ୍ଧୁ କାମୋଦୀ । ତାଳ-ଝୁଲା)

 

ନବାନୁରାଗ

(ଶ୍ରୀରାଧା ପ୍ରତି ସଖୀ)

ଅରଜିଲୁ ଲାଜ ଗୁମାନ ମହତ, ଶ୍ୟମକୁ କଲୁ ସଙ୍ଖାଳୀରେ । ଘୋଷା ।

ସରସୀଜନେତ୍ରୀ, ବରହେମଗାତ୍ରୀ ଶ୍ରୀ ବୃଷଭାନୁ - ଦୁଲାଳିରେ ।

ଭରସିଲୁ ଯାହା କାଳନ୍ଦୀ କୂଳକୁ ଏକାକିନୀ ପଦ ଚାଳିରେ ।୧।

କରଷିଏ ଭୟ ନ ରଖିଲୁ ହୃଦେ ସଖୀଙ୍କ ବାଣୀ ନ ପାଳିଲେ ।

ସ୍ପରଶିବାପାଇଁ ମୋହନ ବିଗ୍ରହ କେତେ ହେଲୁ ନିଉଛାଳିରେ ।୨।

ଦରଶନ ଆଶେ ଧରଧରା ପାଶେ ଧାଇଁଲୁ ତୁ କୁଳପାଳୀ ରେ ।

ପରସନ୍ନମୁଖୀ ଆଜନମସୁଖୀ ଶେଷେ କେତେ ହେବୁ ଭାଳିରେ ।୩।

ବରଜ ବଜାରେ ହସିବେ ହଜାରେ କରେ ମାରି କରତାଳି ରେ ।

କରଜରେ ଗାର କଟାହେବ ସାର ଭାଷେ ରସେ ବନମାଳୀରେ ।୪।

(ରାଗ-ରସକେଦାର । ତାଳ-ଆଠତାଳି)

 

ନବାନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ମୁଁ ତୁଳର ହେଲି ବାହର ଲୋ ସଜନି !

ଶ୍ୟାମ ପ୍ରତି କରି ଗଳାହାର ଲୋ । ଘୋଷା ।

ଯେ ଯେତେ କହନ୍ତୁ                  ନିନ୍ଦା କୁବଚନ,

ତହିଁ ଶୋଚନା ନାହିଁ କଦାଚନ,

ଗଣ୍ଠିଧନ ମୋର                  କାଳିଆ କାଞ୍ଚନ

ମୁଁ ତ କିଣା କିଙ୍କରୀ ତାହାର ଲୋ ।୧।

କେ ବୋଲନ୍ତି ରାଧା                  ହେଲା କଳଙ୍କିନୀ,

କେ ବୋଲନ୍ତି ରାଧା       ହେଲା ପାଗଳିନୀ,

କେ ବୋଲନ୍ତି ରାଧା            ପ୍ରେମମୟୀ ଧନୀ,

ଏ ନିନ୍ଦା ପ୍ରଶଂସା କାହାର ଲୋ ।୨।

ଭଲ ମନ୍ଦ ହାନି ଲାଭ ନ ବିଚାରି,

ବଳେ ମୁଁ ହୋଇଛି କୃଷ୍ଣ-ପରିଚାରୀ,

ବୁଝ ଭଲ କରି                  ସଭିଙ୍କିପଚାରି,

ତାହା ବନେ ତ ନ ରୁଚେ ଆହାର ଲୋ ।୩।

ନଟ ନଟବର ଲାବଣ୍ୟଠାଣିକି,

ସେ ମନମୋହନ ମୂରଲୀପାଣିଙ୍କ,

ପାସୋରି ପାରିବି                  କେଉଁପରି ସଖି !

ନବ ତମାଳ କାନ୍ତି ଯାହାର ଲୋ ।୪।

ବୋଲେ ବନମାଳୀ ଶୁଣ ଶ୍ରୀରାଧିକେ,

ଅପକୀର୍ତ୍ତି ହାଟ ବସିବ ଅଧିକେ,

ଗୁପତ ପୀରତି                  ଗୁପତ ସୁରତି

ଗୁପତରେ କର ବିହାର ଲୋ ।୫।

(ରାଗ-ମାଳନବ, ତାଳ-ଟପ୍‌ପା)

 

ନବାନୁରାଗ

(ସଖୀ ଉକ୍ତି)

ଗାରିମା କି ପାରିବୁ ରଖି ?

ବାରିଜାକ୍ଷି ! ହରି ଠାରିଲେ ଆଖି । ଘୋଷା ।

ନାରୀ କୂଳେ ଜନମ ହୋଇ      ତା ରୀତିକେ

ନ ଜାଣେ ସାହି !

ଘାରି ନୋହିଛି କେ            ମଦନ - ବାଣରେ

ପାରୀନ୍ଦ୍ର ମଧ୍ୟମା ଆଜନ୍ମ ସୁଖୀ ।୧।

ଚାରିଦଶ ଭୂବନ ଯାକେ             ବାରିବାକୁ ଆଡ଼ି ଅଛି କେ ?

ବାରିଦ ବରନ                  ସୁନ୍ଦର ମୋହନ

ଚାରି ହଜା ଖଣ୍ଡ ଅଛି ସେ ଶିଖି ।୨।

ହରି ଯାକୁ ସେ ଶମ୍ବରାରି                  ସାରିଅଛି ଧୈର୍ଯ୍ୟ ଚାତୁରୀ

ସାରୀଟି ମୁଖରୁ                              ଶୁଣିଛୁତ ଗୋରୀ ।

ଦାରିଦ୍ର୍ୟଭଞ୍ଜନ ଶୋଭା ଛଇକି ।୩।

ପ୍ୟାରୀ ଘେନ ଚିତ୍ତେ ବିଚାରି                  ତ୍ୟାରି ବନମାଳୀ ସଞ୍ଜାରୀ

ମାରିଦେଲେ ଶ୍ୟାମ-                        ନୟନ କଟାରୀ

ପାରିଣ କେ ରହି କହ ସୁମୁଖି !

(ରାଗ-ଦେଶାକ୍ଷ, ତାଳ-ଝୁଲା, ଖେମଟା)

 

ନବାନୁରାଗ

(କୁଟିଳତା)

ଛି ଛି କଲେଣି ଗୋ, ବ୍ରଜ- ବିଳାସିନୀମାନେ ।

କାଳ କାଳକୁ ହେ            ରହିଲାଣି କଥା,

ଶୁଣିଲାର ନାହିଁ କାନେ । ଘୋଷା ।

ଗୋକୁଳ ସୁନ୍ଦରୀ            ହୋଇ ଠରା ଠରି

କହୁଛନ୍ତି ସ୍ଥାନେ ସ୍ଥାନେ ।

ତୁ ଏଡ଼େ ନିର୍ଲ୍ଲଜ୍ଜୀ            ଲାଜ ନାହିଁ ଆଜି,

ଚାହୁଁଛୁ କେଉଁ ବଦନେ ? ।୧।

ଏତେ ହଟହଟା            ଜାତିକୁଳେ ହଟା

କରନ୍ତି ଇତର ଗଣେ ।

ଗରଳ ଖାଇ ଯା            ନ ଯାଏ ଜୀବନ

ଜୀଇଁଛୁ କେଉଁ କାରଣେ ? ।୨।

ସେ ତୋର ଭଣଜା            ତୁ ତାହାର ମାଇଁ

ଏହା ନ ବିଚାରୁ ମନେ ।

ରାତି ଦିବା ହୋଇ            ଚହଳ ପଡ଼ଇ

ଏ ସାହି ସେ ସାହି କାନେ ।୩।

ବନମାଳୀ ବୋଲେ            ବନମାଳୀ ପାଦ –

କମଳଯୁଗ ଧିଆନେ ।

ଗଲେ ଜୀବ ଯିବ            ସୁଗତି ଲଭିବ

ଶୋଚନା ନଥାଇ ମନେ ।୪।

(ରାଗ-ତୋଡ଼ିପରଜା । ତାଳ- ଆଠତାଳି)

 

ନବାନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ବ୍ରଜରାଜ ସୁତ ଫନ୍ଦେ ପଡ଼ି ମିତ ! କେତେ କଥା ଦେହ ସହୁଛି ।

ହେଜମନେ ବ୍ୟାଜ କହୁନାହିଁ ଲାଜ –ପଙ୍କେ ମନ ବୁଡ଼ିଯାଉଛି । ଘୋଷା ।

ଏ ଗୋପରେ କେହି ଅଛି ଯୁବତୀ, ଶ୍ୟାମ ସଙ୍ଗରଙ୍ଗସେ ନ ମାତି ।

ଫୁଲାଇଣ ଛାତି ସର୍ବେହେଲେ ସତୀ, ମୋ ନାମେ କଳଙ୍କ ରହୁଛି ।୧।

କିଏ ଯାଉନାହିଁ ଅବା ଯମୁନା, ମୋହ ଯିବାପାଇଁ ହୋଇଛି ମନା ।

ପାଟକ କୁଳ ଅଟକକୁ ନମାନି ଏତେ ସରି ସିନା ହେଉଛି ।୨।

ଆହୁରି କାତରେ ହୃଦୟ ଥରେ, ଡେରି ଶୁଣ ଏବେ ଶ୍ରୁତିପଥରେ ।

କଦମ୍ବ ମୂଳରେ କି ମଧୂର ସ୍ୱରେ ବଂଶୀ ରାଧେ ରାଧେ ଗାଉଛି ।୩।

ଦିଶିବ କି ସତେ ସୁଗତି ପଥ, ଦୋଷୀ ବୋଲି ନ ବୋଲିବ କୃତାନ୍ତ ।

ନିଶି ଦିନ ଭାଳି ଦୀନ ବନମାଳୀ ଯୁଗଳ ପଦକୁ ଧ୍ୟାଉଛି ।୪।

(ରାଗ-ବସନ୍ତ, ତାଳ-ଝୁଲା)

 

ବଂଶୀ ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା)

କେ ମୂରଲୀ ବଜାଉଛି ବୃନ୍ଦାବନେ ଗୋ !

ତା’ପରି ନାଗର ଆଉ ନାହିଁ ଜଣେ ଗୋ । ଘୋଷ ।

ସେ ନାଦ କର୍ଣ୍ଣେ ବାଜିଲା            ପାଦ ମୋର ନ ଚଳିଲା,

ମୋର ମରମେ ଭେଦିଲା ପଞ୍ଚବାଣେ ଗୋ ।୧।

ମୂରଲୀ ବଡ଼ ପ୍ରମାଦ            କଲା ମୋତେ ଅବସାଦ,

ପତିବ୍ରତା ଛଡ଼ାଇଲା ପରି ମଣେ ଗୋ ।୨।

ଚିତ୍ରପଟେଲେଖାଇବି            ଯତନରେ ରଖାଇବି,

ଚିତ୍ତ ତହିଁ ଖଟାଇବି ଅନୁକ୍ଷଣେ ଗୋ ।୩।

ବନମାଳୀ ଦାସ କହେ      ନନ୍ଦସୁତ ମନ ମୋହେ

ମଜ ମଜ୍ଜ ରହିଥିବି ଶ୍ରୀଚରଣେ ଗୋ ।୪।

(ରାଗ –ପରଜ । ତାଳ-ଆଠତାଳି)

 

ବଂଶୀ ଅନୁରାଗ

(ଶ୍ରୀରାଧାଙ୍କ ପ୍ରତି ସୀଖ ଉକ୍ତି)

ବଂଶୀ ଧ୍ୱନୀ ! ରାଧେ ଉଚ୍ଛନ୍ନ କଲାଣି ପୁର ତିନି । ଘୋଷା ।

ଏହାର ମହିମା ଅତିରେକ            ଭାଙ୍ଗିଦିଏ ସଖୀବ୍ରତ ଟେକ

ଛଡ଼ାଏ ଗୁମାନ            ଲାଜ ଭୟ ମାନ

ଛର ଧୃତି ଅବା ସେ କେତେକ ।୧।

ଦୁରେ ବଜୁଥିଲେ ଧୀରକରି      ଲାଗୁଥାଇ ତ ନିକଟ ପରି

ଯୁବା –ନୀ ଦମ୍ଭ-            କୁମ୍ଭର ଆରମ୍ଭ

ଚୂନା କରିଦିଏ ଯେ ବାଂଶରୀ ।୨।

ସପତସ୍ୱରେ ପଞ୍ଚମ ରାଗେ ବାଏ ଯେ ନାଗର ଅନୁରାଗେ

ତପନ କାଞ୍ଚନ-            ବରନୀମାନଙ୍କ

ଝାଙ୍କେ ସେ ମାଦକ ଆସି ବେଗେ ।୩।

ଛୟା ପୀୟୁଷରୁ ବଳି ସ୍ୱାଦୁ ପରମାଦଅତି ପରମାଦୁ,

ବୋଲେ ବନମାଳୀ            ଏ ରସରେ ଭାଳି

ଲାଗିବ କି ସତେ ଏକ ବିନ୍ଦୁ ।୪।

(ରାଗ-ଲଳିତ କାମୋଦି । ତାଳ- ଆଠତାଳି)

 

ବଂଶୀ ଅନୁରାଗ

(ସଖି ପ୍ରତି ଶ୍ରୀରାଧା)

ସହି ! ନିକୁଞ୍ଜ ବନେ ବଂଶୀକେ ବଜାଏ ଗୋ !

ଶ୍ରୁତି ଯୁଗେ ସୁଧା ବରଷା ଏ ଗୋ । ଘୋଷା ।

କେ ବନ ଦେବତା କି ମନ୍ତ୍ର ଗାଏ,

ପଲ୍ଲବିତ କରେ ଦ୍ରୁମ ଲତାଏ,

ଖଗ ମୃଗ ପୀରତି ଲଗାଏ ଗୋ ।୧।

ପତିବତା ସତୀ-ମତି ଭୁଲାଏ,

ମନମଥ-ଶରେ ତନୁ କମ୍ପାଏ,

ଲଜ୍ଜାଗ୍ରନ୍ଥି କି ଯତ୍ନେ ଫିଟାଇ ଗୋ ।୨।

ତୋଳିଲା କୁସୁମ କରୁ ଖସାଏ,

ଅସମ୍ଭବକୁ ସମ୍ଭବ କରାଏ,

ଶୁଣା ତ ନ ଥିଲା ଆଜ ଯାଏ ଗୋ ।୩।

ବନମାଳୀ ଏହୁ ରସରେ ଗାଏ,

ତା ବିନୁ ମୂରଲୀ ମନ କେ ପାଏ ?

ସହି ! ସେହି ନାଗର କହ୍ନା ଏ ଗୋ ।୪।

(ରାଗ-ଶଙ୍କରାଭରଣ । ତାଳ-ଝୁଲା)

 

ବଂଶୀ ଅନୁରାଗ

(ଶ୍ରରାଧାଙ୍କ ପ୍ରତି ସଖୀ ଉକ୍ତି)

ନବ ନାଗର କହ୍ନା , ମୂରଲୀ ବଜାଏ ଗୋ !

ଶୁଖିଲାତରୁକୁ ପଲ୍ଲବାଏ ଗୋ । ଘୋଷା ।

ଶୀତ ଋତୁ ନୋହେଁ ତନୁ କମ୍ପାଏ

ବିଶିଖ ନୋହେଁ ମରମକୁ ପାଏ,

ଶିଖୀ ନୋହେ ମାନସ ତତାଏ ଗୋ ।୧।

କେବା ଜାଣେ କେଉଁ ମନ୍ତର ଗାଏ,

କର୍ଣ୍ଣେ ବାଜି ଆୁନ ଚଳେ ପାଏ,

ବଳେ ଧରି ମଦନେ ମତାଏ ଗୋ ।

ହଟ କରି ଜଳ- ଘାଟକୁ ଯାଏ,

ଆଭିରୀ- କୂଳେ ଘାଟକୁ ଯାଏ,

ନୀପମୂଳେ ଉଭା ଶୋଭା ପାଏ ଗୋ ।୩।

ବନମାଳୀ ଏହୁ ରସରେ ଗାଏ,

ଅସତ କଥାକୁ ସତ କରାଏ,

ଏହା ଘେନି ଏତେ ଦୁଃଖ ପାଏ ଗୋ ।୪।

(ରାଗ - ଶଙ୍କରାଭରଣ । ତାଳ - ଝୁଲା)

 

ବଂଶୀ ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା)

କୁଞ୍ଜେ ମୂରଲୀ ବାଜୁଛି

କଲେ ହେବ ଅପବାଦ ନ ଗଲେ ମରୁଛି ଗୋ । ଘୋଷା ।

ଶାଶୁ ନଣନ୍ଦ ମୋହର ଦେଖି ନ ପାରନ୍ତି

ଯମୁନାକୁ ନୀର ଆଣିବାକୁନ ଛାଡ଼ନ୍ତି ଗୋ ! ।୧।

ମଦନ ବାଣରେ ତନ୍ତୁ ଘାରି ହେଉଅଛି ।

କି କରିବି କାହିଁ ଯିବ ଅସ୍ଥିର ହେଉଛି ଗୋ ।୨।

ସେ ମୋହନ ବେଣୁଧର ପାଣ ସଙ୍ଖାଳି ।

ଗୋପଙ୍ଗନାମାନେ ବେଢି ଦ୍ୟନ୍ତି ହୁଳ ହୁଳି ଗୋ ।୩।

କୁଳଛଡ଼ା ଗରବୁଡ଼ା ନାଗର କହ୍ନାଇଁ ।

ବୋଲେ ବନମାଳୀ ମିଛ ନୁହେଁ ପ୍ରାଣସହି ଗୋ ।୪।

(ରାଗ-ଶଙ୍କରାଭରଣ । ତାଳ-ଆଠତାଳି)

 

ବଂଶୀ ଅନୁରାଗ

(ଶ୍ରୀରାଧାଙ୍କ ପ୍ରତି ସଖି)

ନିକୁଞ୍ଜେ ମୂରଲୀ ବାଜୁଛି, ସଞ୍ଜ ସମୟରୁ ଶୁଭୁଛି । ଘୋଷ ।

ରଜନୀ ! ରଜନୀ ! ବଳିପଡୁଅଛି କର କର ଅଭିସାର ।

ହେଜ ଶ୍ୟାମ ବ୍ରଜ ଯୁଗରାଜ ଆଜ ରାଧେ ତୋ ନାମ ଭଜୁଛି । ୧ ।

ବ୍ୟାଜ ମନେ ନାହିଁ ଦ୍ୱିଜରାଜ ମୁହିଁ କାର୍ଯ୍ୟ ନିକଟରେ ରହିଛି।

ହଜର ମୁଁ ତୋର ସେବାରେ ନିକର ବୋଲି ଏତେ ଜଣାଉଛି । ୨ ।

ସଜକଞ୍ଜନେତ୍ରୀ ରାଜନନ୍ଦିନୀ ଗୋ ସାଜ କଳା ବେଶ ବାଛି ।

ମଜ୍ଜ ବନ୍ଧୁ ପ୍ରେମେ କେଳି-କୁଞ୍ଜଧାମେ ଧନ ନ ବିଚାରି କିଛି । ୩ ।

ଧ୍ୱଜ ବଜ୍ରାଙ୍କୁଶ ଆଦି ଅଷ୍ଟାଦଶ ଚିହ୍ନ ଯେପଦେ ସାଜୁଛି ।

ସେ ପଦକୁ ଭାଳି ଭାଳି ବନମାଳୀ ଯୁଗଳ ରସେ ମଜ୍ଜୁଛି । ୪ ।

(ରାଗ କଲ୍ୟାଣ । ତାଳ-ଟପ୍‌ପା)

 

ଶରଣାଗତି

ମୂରଲୀ ! ତୋର ଶରଣ ଗଲି ରେ (ମୂରଲୀ)

ଦିନେ ନ ଡାକିବୁ ରାଧିକା ବୋଲିରେ । ଘୋଷା ।

ସେ ନନ୍ଦ ସୁତ ମୁଁ ରାଜ –କୁମାରୀ ।

ବଂଶୀ ଦେଲୁ ସିନା ପରତେ କରି ରେ ।୧।

ଲୁଚି ଲୁଚି ଯାଏ ସଖୀ ସଙ୍ଗତେ ।

କି ଘେନି ଚିହ୍ନିଲୁ ମୂରଲୀ ମୋତେ ରେ ।୨।

ଜାତି ତୋର କଣ୍ଟା ବାଉଁଶ –ଖଣ୍ଡ ।

ଧ୍ୱନି ସଙ୍ଗେ ଥାଇ ପଞ୍ଚମ କାଣ୍ଡ ରେ ।୨।

କୃଷ୍ଣ ହସ୍ତୁ ତୋତେ କେ ଦ୍ୟନ୍ତା ମୋତେ ।

ଭସାଇ ଦିଅନ୍ତି ଯମୁନା ସ୍ରୋତେ ରେ ।୪।

ମୂରଲୀ ରେ ! ମୋର ଏଡ଼େ ବଡ଼ାଇ !

ପତିବ୍ରତା ଦମ୍ଭ ଦେଉ ଛଡ଼ାଇ ରେ ।୫।

ବନମାଳୀ ବୋଲେ ଯୋଡ଼ିଣ କର ।

*ମୂରଲୀଟିଦୁତି ସଦିନା ତୁମ୍ଭର ରେ ।୬।

(ରାଗ –ଖଣ୍ଡ କାବୋଦୀ । ତାଳ-ଆଠତାଳି)

*ପାଠାନ୍ତରେ –ସବୁ ଭିଆଇଲେ ଶ୍ୟାମ ନାଗରରେ ।୬।

 

ବଂଶୀ ଅନୁରାଗ

(ବଂଶୀ ପ୍ରତି ସଖୀ ଉକ୍ତି)

ବଂଶୀ ରେ ! ତୋର ଏଡ଼ିକି ଦାଉ ?

ଦମ୍ଭ ଧରି କେବା ସହିବ ଆଉ । ଘୋଷା ।

ଶ୍ୟାମ କରେ ଅନୁବରତେ ଥାଉ ।

ଆମ୍ଭ ରାଧା ନାମୁଁ କି ସୁଖ ପାଉ ? ।୧।

ପଞ୍ଚମ ତାନରେ କି ଗରତ ଗଊେ ।

ଗୋପିନୀ କୁଳେ କଳଙ୍କ ଲଗାଉ ।୨।

ମୋହନ ଅଧର ଅମୃତ ଖାଉ ।

ବ୍ରଜେ ଅକୀର୍ତ୍ତି ଘୋଷଣା ଦିଆଉ ।୩।

ବନମାଳୀ ବୋଲେ ନ ବାଜ ଆଉ ।

ସବୁଯାଉ ପଛେ ମହତ ଥାଉ ।୪।

(ରାଗ –କେଦାର । ତାଳ-ଆଠତାଳି)

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧାଙ୍କ ଉକ୍ତି)

ପ୍ରୀତି ବୋଲି ଯେଉଁ ଦୁଇ ଅକ୍ଷର ଗୋ,

ସଜନି ! କହ କାହିଁ ତାର ଘର । ଘୋଷା ।

କି ଜାଣି ସେ କେଉଁ ସାହାସ ବଳେ,

କେଆରିଲା ତାକୁ ମଞ୍ଚମଣ୍ଡଳେ ଗୋ । ୧ ।

କି ବର୍ଣ୍ଣ କାହାର କି ଜାତି ରୀତି,

କି ଲକ୍ଷଣ ତାର କେତେ ବା ଧୃତି ଗୋ । ୨ ।

କେତେ ବା ବୟସ ସେ କି ଆକୃତି,

କେଉଁ କୁଳେ ଜାତ କିସ ତା ବୃତ୍ତି ଗୋ । ୩ ।

ବନମାଳୀବୋଲେ ଶୁଣ ଗୋ ରାଇ !

*ବିଧାତାର ବଳ ପ୍ରୀତି କି ନାହିଁ ଗୋ । ୪।

(ରାଗ –ଦେଶାକ୍ଷ । ତାଳ-ଆଠତାଳି)

* ପାଠାନ୍ତର-ସବୁ ଭିଆଇଲେ ଶ୍ୟାମ ନାଗରରେ ।୬।

 

ପ୍ରୀତି ଅନୁରାଗ

(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)

ପ୍ରୀତିଛୁରୀ ଶାଣ ଦିଅରେ, ବାଜିବ ଛାତିକି କର ଲୁହାରେ । ଘୋଷା ।

ସ୍ନେହ ଲୁହା ଯତ୍ନେ ତତାଇ, ଅଶ୍ରୁତଳ ତହିଁରେ ଦେଇ ।

ମାର- କାରିଗର ଯତନେ ଗଢିଛି, ତହିଁରେ କଳଙ୍କ ବିଷପିଆରେ ।୧।

ଅତି ବଡ଼ ତୀକ୍ଷ୍‌ଣ ସେ ଧାର ନେତ୍ର ନ ଥାକଇ ତହିଁର ।

ନବୀନ ଦର୍ପଣପରି ଝଟକଇ, ସବୁଦିନେ ଦେଖ ଦିଶେ ନୂଆରେ ।୨।

ସେ ଛୁରୀକି ଯେହୁଁ ଛୁଇଁବ, ଜାତି କୁଳ ସବୁ ତେଜିବ ।

ନ ପାରିଲେ ଧରି ନିଶ୍ଚେ ନାଶଯିବ, ବିରହିମାନଙ୍କ ପ୍ରାଣ ଆଖିରେ ।

ବୋଲେ ବନମାଳୀ ସେ ଛୁରି, ସାନ ବଡ଼ ନୁହେଁ କାହାରି ।

ଯାହାସଙ୍ଗେ ଯେତେ ପୀରତିକରଇ, ତେତିକି କରଇ କୁଆଭୁଆରେ ।

(ରାଗ-କୁସୁମକେଦାର । ତାଳ-ଝୁଲା)

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧାଙ୍କ)

ପ୍ରୀତି ସ୍ନେହବଶରୁ ବରପ୍ରୀତି ଯେ କଲା ସେ ମରୁ ଗୋ । ଘୋଷା ।

ପୀତି ବୋଲି ଯେଉଁ ବେନି ଅକ୍ଷର ।

କାହୁଁ ଜନ୍ମିଲା କାହିଁ ତାର ଘର ?

ନ ଜାଣଇ ସେ ପର ଅପର ।

(ପ୍ରୀତି) କହୁ କହୁ ହେଲା ଯା ଦୂର ।୧।

ପ୍ରୀତି କରୁଥିଲେ ଫୁଲର ଛାତି,

ବାରଣ ନ ଯାଇ ଏ ଦିବାରାତି,

ମଦନମାଦକେ ନିରତେ ମାତି,

(ପ୍ରୀତି) ନ ରଖଇ ଜାତି ପତି ।୨।

ଝୁଲି ଝୁଲି ବନ୍ଧୁ ଆସିବା ବେଳେ,

ଭୂଜଧରି ମୁଁ ଯେ ବସାନ୍ତେ କୋଳେ,

ବଦନ ଶୋଭା ନିରଖିଣ ଡୋଳେ,

ଚୁମ୍ୱ ଦିଅନ୍ତି ମଦନ ଭୋଳେ । ୩ ।

ବନମାଳୀ କହେ ପ୍ରୀତି ବିଚାର

ପ୍ରୀତି କଲେଟି ହେବ ନାରଖାର,

ପ୍ରିୟ ସଖୀ ବୋଲେ ଏମନ୍ତ କର,

ଶିଖ ପ୍ରୀତି ପାଶୋରା ମନ୍ତର । ୪ ।

(ରାଗ-ଆଷାଢ଼ ଶୁକ୍ଳା । ତାଳ –ଝୁଲା)

 

ପ୍ରୀତି ଅନୁରାଗ

(ଶ୍ରୀରାଧା ପ୍ରତି ସଖୀ ଉକ୍ତି)

ପୀରତି ପଥ ଖସଡ଼ା ରେ, ସଙ୍ଗିନୀ !

ପୀରତି ପଥ ଖସଡ଼ା

ନ ଜାଣି ତହିଁକି            ପଦ ବଢାଇଲେ

ପଦ ପଦକେ କରଡ଼ା । ଘୋଷା ।

ଚିକ୍‌କଣ ମଞ୍ଜୁଳ-            ଶିଳାରେ ତଇଳ,

ହୋଇଣ ଅଛଇଁ ଇଡ଼ା ।

ଆଉ ଚାଲିବାର            ଅଧିକ ତୋହର

ହୋଇ ପାରିବୁ କି ଛିଡ଼ାରେ ।୧।

ଚିପି ପଦାଙ୍ଗୁଳି            ସ୍ଥିରେ ଦେବୁ ଚାଳି

ବୃଷ୍ଟପତକୁ ନ ହୁଡ଼ ।

ନୋହିଲେ ଯେ ଜନ-      କରିଚି ସେବନ

ତା’ର ପଛେ ପଛେ ଗୋଡ଼ାରେ । ୨ ।

କେବଣ ଏ ଘଟ-            ଯିବାର ନିକଟ

ବଚନେ ନୁହଇଁ ବୀଡ଼ା ।

ଯେତେ ତୋର କିଛି            ବୁଦ୍ଧ ବଳଅଛି

ଚରଣ ତହିଁକି ବଢାରେ ।୩।

ହସିବେ ଗୋ ସଖି !      ଭଗାରିଏ ଦେଖି

ଅଧିକ ହୋଇବ ପୀଡ଼ା ।

ବନମାଳୀ କହି            ଯେବେ ପାରୁ ଯାଇ

ସୁକୀର୍ତ୍ତି ପତାକା ଉଡ଼ାରେ । ୪ ।

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା ଉକ୍ତି)

ମର୍ମ ଦହୁଛି ଗୋ,

କୃଷ୍ଣ ପ୍ରତି ଦାନାବାନଳ ହେଉଛି ଗୋ । ଘୋଷା ।

ଅନ୍ତର ହେବାରୁ ସେତ      ନ ରହଇ ମୋ ସଚେତ,

ଏ ଦଶା ଲଲାଟେବିହି ଲିହିଛି ଗୋ ।୧।

ବେଳହୁ ଯାଇଛି ହୁଡ଼ି      ଆପଣା ଇଚ୍ଛାରେଲୋଡ଼ି

ଚିନ୍ତା ପଙ୍କେ ଗଡ଼ି ସଢି ଯାଉଛି ଗୋ ।୩।

ଶୁଣ ଲୋ ପରାଣ ସଖୀ !      ନପାରେ ଜୀବନ ରଖି

ସ୍ନେହ ଏତେ ସରି କଲା କହୁଛି ଗୋ ।୪।

ବନମାଳୀ ଦାସ ଭଣି      ନ ଭଳ କିଶୋରୀମଣି

ଶ୍ରୀକୃଷ୍ଣଙ୍କୁ ଆଣିକି ମୁଁ ଯାଉଛି ଗୋ ।୫।

(ରାଗ- କୃଷ୍ଣକେଦାର । ତାଳ-ଆଠତାଳି)

 

ପ୍ରୀତି ଅନୁରାଗ

(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)

ପ୍ରୀତି କଲେ କରୁଥିବ ବାଛି ବାଛି ଗୋ ପ୍ରିୟ ସଖୀ ।

ଚୂନହଳଦୀ ମିଶିଲା ପରି       ବେନିପ୍ରୀତି ନୋହୁଥିବ ବାରି

ଏବେ କି ପ୍ରୀତିରୁ            ଆନ ବଞ୍ଚିବାରୁ

ମରିଯିବା ସଖୀ ! ମାଧୂରୀ ଗୋ ।୧।

କ୍ଷଣକେ ହସା କ୍ଷଣକେ ରୁଷା      କ୍ଷଣେ      ନିନ୍ଦା କ୍ଷଣେ ପରଶଂସା

ଏମନ୍ତେ ପ୍ରୀତିଆ            ସଙ୍ଗେ ପ୍ରୀତି କଲେ

ଜୀବ ଥାଉଁ ହୁଏ ଲୋକହସା ଗୋ ।୨।

ସେ ପୁଣି ତାହାକୁ ଝରୁଥିବ      ଦଣ୍ଡେ ନ ଦେଖିଲେ ମରୁଥିବ

ପୁଣି ସେ ତାହାଙ୍କୁ            ଦାଣ୍ଡରେଦେଖିଲେ

ଆନ ବାଟେ ମୁଖ ମୋନି ଯିବ ଗୋ ।୩।

କୋଟି ଜନ୍ମ ଥିଲେ କୋଟି ଯାଗ      ମିଳୁଥାଇ ସମ ଅନୁରାଗ

ବୋଲେ ବନମାଳୀ            ଏହି ପ୍ରୀତି ପାଳି

ଆଣି କଲାଣି ଅନଙ୍ଗ ଯୋଗ ।୪।

(ରାଗ –ଶୋକ କାମୋଦୀ । ତାଳ-ଏକତାଳି)

 

ନେତ୍ର ପ୍ରୀତି

(ସଖୀ ପ୍ରତି ଶ୍ରୀରାଧା ଉକ୍ତି)

ଅତି ବିଷମ ନେତ୍ର ପୀରତି, ଆଲୋ ସଖୀ । ଘୋଷା ।

ପରସ୍ପରେ ପଡ଼ଇ            ସୁଧା ଆଣି ଇଡ଼ଇ

ସବୁ ବିଷୟା ହୁଏ ଆରତି ।୧।

ପାସୋରିଲେ ପାସୋରି      ସୋରିଷକେ ନ ପାରି

ନ ଦେଖି ଛାତି ହୁଏ କରତି ।୨।

ରେଣୁ ପଡ଼ିଲେ ଆଖି      ଚିତ୍ର କିଛି ନ ଦେଖି

ବନ୍ଧୁ ମୂରତି ହୁଏ ଭରତି ।୩।

ଆଖିର ଆଖି କୀଟ             ଅଟି ଏ କି ଲଟ ?

କାଟୁଛି ହୋଇ ନାହିଁ ବରତି ।୪।

ନୟନ ପରବଶ –             ହେଲେ କରଇ ନାଶ

ସତ ଏ ବନମାଳୀ ଭାରତୀ ।୫।

(ରାଗ – କାମୋଦୀ, ତାଳ-ଏକତାଳି)

 

ପ୍ରୀତି ଅନୁରାଗ

(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)

ସହିରେ ! ପୀରତି କଲେ କେତେ ବିରତି ସହି ରେ । ଘୋଷା ।।

ପରଶ ଲେଶ ନ ଥାଇ କରି,

ପର ହସନ୍ତି ତୁଚ୍ଛାକୁ ଘେରି,

ପରମ ଦୁଃଖ ସ୍ନେହରେ ପୂରିଅଛି ରହି ରେ ।୧।

ନ ଗଣି ଖଳ ବଚନମାନ,

ନଗ ସମାନ ସହଇ ମନ,

ନୃଗମେ ଯେବେ ସେ ପ୍ରିୟଜନ ପାଶୁଁ କାହିଁ ରେ ।୨।

ଦିବସ ମଧ୍ୟ ଦିଶେ ଅନ୍ଧକାର,

ଦିବ୍ୟ ସମ୍ପତ୍ତି ଦିଶଇ ଛାର

ଦିବା ମୂରତି ଯେବେ ବନ୍ଧୁର ଦେଖା ନୋହିଁ ରେ ।୩।

ବିରହି ହେଲେ ଯାଏ ଜୀବନ,

ବିରହୀ ପିଇ ନ ପାରେ ବନ,

ମରହାନନ୍ଦେ ଭାସେ ବନମାଳୀ କହି ରେ ।୪।

(ରାଗ – କେଦାରଗୌଡ଼ା । ତାଳ – ଝୁମ୍ପା)

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା ଉକ୍ତି)

ବିଚିତ୍ର ପ୍ରେମ ବଡ଼ଶୀତାର ।

ଓଟାରିଛି ମନ ମୀନକୁ ମୋର ଗୋ । ୧ ।

ସବୁ ଚିନ୍ତା ଛାଡ଼ି ବିଧାତା – ଗୁଣି

କେତେକାଳ ରୂପ ଥିଲା ନିର୍ମାଣି ।୨।

ଚଉଦ ଭୂବନେ ଏହୁ ବିଚିତ୍ର ।

ବାରେ ଯେ ଦେଖିଛି ଧନ୍ୟ ତା ନେତ୍ର ଗୋ ।୩।

ସେ ଗଙ୍ଗା – ସାଗରେ ଯେ ଥିବ ଝାସି ।

ତା ସଙ୍ଗେ ହରିବ ଦିବସ ନିଶି ଗୋ ।୪।

ଧନ୍ୟ ସେ କଣ୍ଟାରେ ଯେ ଅଛି ଲାଗି ।

ନ ଜାଣି ତା ବନମାଳୀ ଅଭାଗୀ ।୫।

(ରାଗ – ତୋଡ଼ି । ତାଳ - ଆଠତାଳି)

 

ପ୍ରେମାନୁରାଗ

(ସଖୀ ପ୍ରତି ଶ୍ରୀକୃଷ୍ଣ ଉକ୍ତି)

ବିଚିତ୍ର ପ୍ରେମ ବନ୍ଧା ଦଉଡ଼ି ।

ଶିଥିଳ ହେଲେ ପ୍ରାଣ ଯାଏ ଉଡ଼ି । ଘୋଷା ।

ଯେତିକି ଆଣ୍ଟେ ବାନ୍ଧିଥାଇ ଭିଡ଼ି ।

ତେଡ଼ିକି ଦିଅଇ ରସ ନିଉଡ଼ି ।୧।

ନ କାଟଇ ଥାଇ ହୃଦରେ ଜଡ଼ି ।

କି ଗଣ୍ଠି ପଡ଼େ ସେ ନୁହଇଁ ଫେଡ଼ି ।୨।

ଭିରୁ ଉରୁ ବାସ ଦିଅନ୍ତେ – କାଢି

ଘଡ଼ିକି ଚେତା ଯାଏ ବୁଡ଼ି ।୩।

ଖଳ ବଚନ କତୁରୀକି ଛାଡ଼ି ।

ବିବିଧ ଉପାୟେ ନ ଯାଏ ଛିଡ଼ି । ୪ ।

ଧନ୍ୟ ଏ ବନ୍ଧନେ ଯେ ଅଛି ପଡ଼ି ।

ନ ଜାଣେ ତା ବନମାଳୀ ଅନାଡ଼ି । ୫ ।

(ରାଗ – ତୋଡ଼ି । ତାଳ - ଆଠତାଳି)

 

ବଂଶୀ ଅନୁରାଗ

(ସଖୀ ପ୍ରତି ଶ୍ରୀକୃଷ୍ଣ ଉକ୍ତି)

ନ ଚିହ୍ନି ସ୍ନେହ ଜନ୍ମଇ ପରସ୍ପରେ କେ ଜାଣେ ?

ଦେଉଛି ଯେଉଁ ଆନନ୍ଦ ନାହିଁ ବେଦ ପୁରାଣେ । ଘୋଷା ।

ଲୋଡ଼ା ନୁହଇଁ ରତନ            କେହି ନକରେ ଯତନ,

ବଢ଼ଇ ଦିନକୁ ଦିନ ନଦୀ ଯେହ୍ନେ ଶ୍ରାବଣେ ।୧।

ନୟନକୁ ଲୁଚି ଯାଇ                   ସେ ସିନା ହେଲା ଉତ୍ସାହୀ,

ଚାହିଁଲା କ୍ଷଣି ଲାଗିଲା ମାଦକରୁ ଦି’ଗୁଣେ ।୨।

ସେ ପୁଣି ଡ଼ାକି କାନକୁ                  କହଇ କରଇ ପାନକୁ

ତା କଥା ସୁଧା ଆନକୁ ନ ପୁରାଅ ଶ୍ରବଣେ ।୩।

ବନମାଳୀ କହେ ନାଗ –                   ଠାରୁ ଦୁଷ୍ଟ ଅନୁରାଗ ।

ଶରଧାରେ କଲେ ସଙ୍ଗ ବାଧା ପଡ଼େ ପରାଣେ ।୪।

(ରାଗ – ନଳିନୀ ଗୌଡ଼ା । ତାଳ - ପଡ଼ି)

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା ଉକ୍ତି)

କ୍ଷତିତଳେ ପ୍ରୀତି ସମ ନାହିଁ, ଗଢି ନାହିଁ ତା ବିହି ଲୋ ।

କାହୁଁ ହୁଏ ଜାତ କି ରେ ଚିତ୍ତକୁ ପରସ୍ପର ରଖି ସହି ଲୋ । ଘୋଷା ।

ଗୁପତରେ ହେମ-             କୁଟଲୋ ସଜନୀ !

ପ୍ରକଟ ଯେମନ୍ତ ହଟ

ଲୋଟର ଭଗାରି             ପାଦରେ ଖଟାଇ,

ବଡ଼ପଣ ଚୂନ ଆଣ୍ଟ ।୧।

ନ ଗଣି ଇନ୍ଦ୍ର             ସମ୍ପତ୍ତିରେ ସଜନୀ !

ନ ଜାଣି ଶୀତ ତପତି ।

ପ୍ରିୟତମ ଦେହ             ଲାଗିଲେ ନ ରୂଚେ,

ଚତୁଃସମ ବୋଳା ଛାତି ।୨।

ନ ଦେଖିଲେ ଆଖି             ଜ୍ୱଳୋରେ ସଜନୀ

ପିତ୍ତ – ଜ୍ୱରଠାରୁ ବଳେ ।

ମାନ ହୋଇ ଲବେ             ନରହେ ମାନସେ

ଚାହିଁ ଆନନ୍ଦାଶ୍ରୁ ଗଳେ ।୩।

ମାନ ହୋଇ ଲବେ       ନରହେ ମାନସେ

ଚାହିଁ ଆନନ୍ଦାଶ୍ରୁ ଗଳେ ।୩।

ବିଚିତ୍ର କଥା କେ             ଆଣେରେ ସଜନୀ

ଦ୍ୱିପଦ ପଶୁ ସେ ପ୍ରାଣୀ ।୪।

କିଛି ଥି ବଲ             ଭବରେ ସଜନୀ !

ସହୃଦତା ଲବେ ଥିବ।

ବନମାଳୀ କହେ             ପୀରତି ଅର୍ଜିଲେ

ବ୍ରହ୍ମପଦ କି କରିବ ?।୫।

(ରାଗ – କାମୋଦୀ । ତାଳ - ଆଦି)

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ଦୁର୍ଲ୍ଲଭ ଜନ ପ୍ରୀତି             ପୂର୍ବ ଭାଗ୍ୟୁ ମିଳନ୍ତି

ଏହା ମନ୍ଦଧୀ ଭଣନ୍ତି ।

ମୁଁ ମଣଇଁ ବିପତ୍ତି –       ସତୀଙ୍କର ବସତି,

ପ୍ରୀତିକି ମୋର ପ୍ରଣତି । ପଦ।

ଅଳ୍ପ ପରିଚୟ ନାହିଁ ନିରତେ ତଳ୍ପ କରି ବସୁଧାକୁ ବିରତେ

କଳ୍ପକରି ଦିନ ହୁଏ ପରତେ ।

କଳ୍ପନା କରି ସଦ୍ମ କାରା କିହୁଡ଼ା ହୁଡ଼ିଲି ମୁଁ ସ୍ନେହ ରଖି

ସଙ୍ଗିନୀ ଖଣ୍ଡିଲି ନୟନୁ ତାରା ।୧।

ଲୋଟିଲି ରିପୁପାଦେ       କୁଟି ହେଉଛି – ତନୁ

ଫାଟିଲି ନିଜ କୁଳରୁ ।୨।

ପ୍ରୀତିପଥ ପ୍ରମାଦ             ଚିନ୍ତିଥିଲେ କି ପଦ୍ମ,

ଦିଅନ୍ତେ ମୁହିଁ ମୋହ‌ରେ ।

ନାଶିଲି ସବୁ ସୁଖ             ଭାଷିଲି ଦୁଃଖେ ଦେଖା

କମ୍ପଇ ହୃଦ ମୋଦରେ ।୩।

ବନମାଳୀ ବଦତି             ଥିଲେ ମହାବିଭୂତି

ଧିକାର ତାହା ଛାରକୁ ।

ଯେ ନୋହିଛି ମଣ୍ଡନ       ଅନୁରାଗ ରତନ

ତା ଅଙ୍ଗେ ମହୀ ଭାରକୁ ।୪।

(ରାଗ – କେଦାର ଗୌଡ଼ା । ତାଳ – ଆଦି)

 

ପ୍ରୀତି ଅନୁରାଗ

(ଶ୍ରୀରାଧାଙ୍କ ପତି ସଖୀ ଭକ୍ତି)

ପ୍ରୀତି ଯେଡ଼ିକି ସୁଆଦ !

ତେଡ଼ିକି ତା ପରମାଦ । ଘୋଷା ।

ଆଖି ଆଖି ମେଳ             ହୋଇବାକାଳରେ

ସେ ଦୁଃଖରେ ଥିଲେ ମଜ୍ଜି ।

ଆନକୁ ଅଳପ             କରି ଅନାଇଲେ

ଜ୍ଞାନ ଯାଉଥାଏ ହଜି ।୧।

ବେନି ଅପରୂପେ             ବଚନ କହିଲେ

ଦୁହିଁଙ୍କର ବଡ଼ ଦୁଃଖ ।

କଥା ପଦକ ଯା             ବୃଥା ହେଲା ବୋଲି

ମରଣ ପରମ – ସୁଖ ।୨।

ମନ୍ଦେ ମନ୍ଦେ ହସି             କହୁଥିଲେ କଥା,

ଲଭଇ କୋଟି ସମ୍ପତ୍ତି ।

ଲପନ ମିଳନ             ଦେଖିଲେ ମଦନ,

ଛାତିକି ମାରଇ କାତି ।୩।

ସଂସାର ଭିତରେ             ଯେତେ ସାରାତ୍ରାର,

ଅଙ୍ଗେଥିଲା ପରି ମଣେ ।

ବନମାଳୀ ବୋଲେ             ଏହା ଛଦ୍ମ ନୋହେଁ,

ଏକା ଅନୁଭବି ଜାଣେ ।

(ରା- ପରଜ । ତାଳ - ଝୁଲା)

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ଶ୍ୟାମ ପ୍ରତି ପରମାଦ ।

ମଧୂ ତୁଲେ ହଳାହଳ ଭେଦ । ଘୋଷା ।

ସୁକୃତ ଦୁଷ୍କୃତ-             ବଳେ ପାଣମିତ,

ଲାଭ ସିନା ହୁଏ ଭବେ ।

ଆଜନମୁଁ ସୁଖ,             ଦୁଃଖ ଯେ ନ ଜାଣେ,

ସେ କି ଅନୁଭବେ ଲବେ ।୧।

ଗରବ ଗୁମାନ             ଯଉବନ ଧନ

ସବୁ ପାଦତଳେ ଦଳା

ବଳି ପଡ଼ୁଥାଇ             ବେଳୁ ବେଳଯେବେ

କୃଷ୍ଣଚନ୍ଦ୍ର ପ୍ରେମକଳା । ୨ ।

ରଜନୀ ଦିବସେ             ଏକାନ୍ତରେ ଘୋଷେ,

ଅରଜି ଥିବାର ପ୍ରୀତି ।

ଜମ୍ବୁ ନନ୍ଦ ସୁନା-             ଠାରୁ ସେ ଅଧିକ

ଜକ ଜକ ଦିଶେ ଅତି ।୩।

ନାମ ଶ୍ରବଣାଦି            ନବନୁରାଗରେ,

ଯେତେକ ଲକ୍ଷଣମାନ

ଗୋପନେ ଅଛି କି ?       ବୋଳେ ବନମାଳୀ

ଆଦ୍ୟ ଅକ୍ଷୁର ବିଧାନ ।୪।

(ରାଗ - ପରଜ । ତାଳ – ଝୁଲା)

 

ବଂଶୀ ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ସଜନୀ ଗୋ ! ନ ଜାଣି ପୀରତି ଯାହାକଲି । ଘୋଷା ।

ସେ ନବନାଗର କାହ୍ନୁ       କି ରଙ୍ଗେ ବଜାନ୍ତି ବେଣୁ,

ଶୁଭିଲା ବେଳରୁ ହୁଡ଼ିଗଲ, ସଜନୀ ଗୋ ।୧।

କି କଲି ମୁଁ ମୂଢ ମତି       ହୋଇ ଏଡ଼େ କୁଳବତୀ

କୁଳଶୀଳ ରଖି ନ ପାରିଲି, ସଜନୀ ।୨।

କାହାରେ କହିବି ଏହା       କେହି ନାହିଁ ମୋର ସାହା,

ଆହା ଆହା ବୋଲି ଝୁରିମଲି, ସଜନୀ ଗୋ ।୩।

ବନମାଳୀ ଦାସ କହେ       ନାହିଁ ନା ଏବେ ଉପାୟେ,

ବେଳହୁଁ ତ ମୁହଁ ହୁଡ଼ିଗଲି, ସଜନୀ ଗୋ ।୧।

(ରାଗ – ସନ୍ଧୁ କାମୋଦୀ । ତାଳ - ଏକତାଳି)

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ଆଗୋ ସହଚରି !

ହେଲି ଲୋହାକାର ସଣ୍ଡୁଆସି ପରି ।

କେତେବେଳେ ଜଳେ       କେବେ ବା ଅନଳେ

ଦୁଇ କଥା ତାର ସମସରି । ଘୋଷା ।

ପୀରତି କଥା କେ ହୋଏ ସଖୀ,

ସଖୀ ! ମୁଁ ହେଲି ପରମ ଦୁଃଖୀ,

ଦେଖୁଥିଲେ ମନ             ତୃପତ ନୁହଁଇ,

ନ ଦେଖିଲେ ଫୁଟିଯାଏ ଆଖି ।୧।

ଆହୁରି କଥାଏ ସହି ଶୁଣ,

ପାପ ପୀରତିର ଏହି ଗୁଣ,

ନିନ୍ଦା କରୁଥିଲେ             ଫୁଲୁଥାଇ ଛାତି,

ସ୍ତୁତି କଲେ ଜଳି ଉଠେ ପ୍ରାଣ ।୨।

ତେତେବେଳେ ଯାହା ହୁଏ ମିତ !

ବିଗ୍ରହରେ ଳାଗିଯାଏ ଚିତ୍ତ,

ଦେଖୁଥିଲେ ବରଷ             ଲବ ହୁଅଇ

ନ ଦେଖି ନିମିଷେ ଯୁଗବର ।୩।

ବନମାଳୀ କହେ ପ୍ରୀତି କରି,

ମୁଖ ନାହିଁ ମଲି ଝୁଲି ଝୁଲି,

ନାଗ ଚୁଚୁନ୍ଦ୍ରାକୁ             ଗିଳି ଛାଡ଼ିଦେଲେ,

ଲୋଡ଼ିଲେ ନେତ୍ର ପାଦ୍ରରେ ହାରି । ୪।

(ରାଗ – ଶୋକ କାମୋଦୀ । ତାଳ – ଏକତାଳି)

 

ପ୍ରୀତି ଅନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ପ୍ରିୟ ସହି ! ଜୀବନ ପଛକେ ଯିବ ଗୋ ।

ପରାଣୁ ଅଧିକ             ଯାହାକୁ ମଣିଛି,

ସେ କାହିଁ ମନରୁ ଯିବ ଗୋ । ଘୋଷା ।

ପର ପରିବାଦ ମୋତେ ତ ସୁଆଦ ସେ ଶ୍ୟାମ ପୀରତି ଲାଗି ଗୋ ।

ପଛରେ ପୁରତେ କହନ୍ତୁ ଯେ ଯେତେ ତହିଁ କି ମୁଁ ଅନୁରାଗୀ ଗୋ ।

ପୁରୁଷ ଉତ୍ତମ ଅତି ଅନୁପମ ମୂରତି ନାଗରବରଗୋ ।

ପଶିଛି ଶରଣପଙ୍କ ଚରଣ ଯୁଗଳେ ତା ସ୍ନେହାଦରେ ଗୋ ।୨।

ପତା ପତିକୂଳ ଛେଦି ଚେରମୂଳ, ବରଜିଛି ଲାଜ ଭୀତି ଗୋ ।

ପଲ୍ଲବ ଶ୍ୟାମଳ ଚନ୍ଦ୍ର ବଦନ ମୋ ନେତ୍ରେ ନାଚୁ ଥାଉ ଗୋ ।୩।

ପଲକେ ଅନ୍ତର ହେଲେ ବଂଶୀଧର ଲାଗେ କୋଟି ଯୁଗସରି ଗୋ

ପାଇଛି ତାହାଙ୍କୁ ଏତେକାଳ ମୁଁ ତ କେତେ ବାରବ୍ରତ କରି ଗୋ

ପଞ୍ଚା ପଞ୍ଚା ହୋଇ ପରିପନ୍ଥୀ ହୋଇ ହସିଲେ ହସନ୍ତୁ ଦାଣ୍ଡେ ଗୋ

ପାସୋରି ନ ପାରେ କୁହୁକ ପ୍ରକାରେ ସେ ନନ୍ଦ ନନ୍ଦନ ପ୍ରୀତି ଗୋ

ପରାକୀୟା ରସେ ମଜ୍ଜିଛି ସରସେ ମିଶି ନିଶି ଚନ୍ତି ଚିନ୍ନି ଗୋ । ୬।

ପଦ୍ମ ସୁବାସିନୀ ଶ୍ରାକୋଶରୀ ମିଶି କରନ୍ତି ଳଳିତା ପାଖେ ଗୋ

 

ପଙ୍ଖା ଚାଳି ଚାଳି ଭାଳେ ବନମାଳୀ ଧନ୍ୟ ଧନି ! ପଦ ଭାଷେ ଗୋ ।୭।

(ରାଗ ଭାଟିଆରୀ । ତାଳ –ଆଠତାଳି)

 

ସ୍ୱାଭୀଷ୍ଟ ଲାଳସା

(ସଖୀ ପ୍ରତି ଶ୍ରୀରାଧା)

ଶ୍ୟାମବନ୍ଧୁଙ୍କୁ ନିରତେ ଦେଖିବି । ଘୋଷା ।

ଯେ ବୋଲି ସେ ବୋଲୁ       ଗୁରୁ ଗୁରୁଜନ –

ଲାଜ ଭୟରୁ ଉପେକ୍ଷିବି ।୧।

କଳା କାଞ୍ଚଲାରେ             କାଳିଆ ମୂରତି,

ଯତନେ ଘୋଡ଼ାଇ ରଖିବି ।୨।

ଗୁପତ ମନ୍ଦିରେ             ରଖି ମୋହନଙ୍କୁ,

ମଦନ – ମନ୍ତ୍ର ମୁଁ ଶିଖିବି ।୩।

ନୀଳମଣି – ଜିଣା             ହୃଦୟ ମଧ୍ୟରେ,

କୁନ୍ଦନ ପରାୟେ ଲାଖିବି । ୪।

ନଟବର ବେଶ             ମୋହନ ମୂରତି,

କୁଞ୍ଜେ କଳାବେଶ ଦେଖିବି । ୫ ।

ବନମାଳୀ ବୋଲେ             ବଧୂଲୀ – ଅଧରୁ,

ସାଦରେ ଅମୀୟ ଚାଖିବ । ୬ ।

(ରାଗ – ପୂରବୀ । ତାଳ – ଝୂଲା ।)

 

ଦୃଢ଼ବ୍ରତ

(ସଖୀ ପ୍ରତି ଶ୍ରୀରାଧା)

ବୃନ୍ଦାବନ – କଳାନିଧିଙ୍କି ।

ମୋ ମନ ଧନକୁ ଦେଇଛି ବିକି ।

ଛାଡ଼ି ଅଛି ମାନ, ମହତ ଗୁମାନ,

ଲୋଡ଼ି କୃଷ୍ଣ, କଳିଙ୍କିନୀ – ସିଦ୍ଧିକି ।। ଘୋଷା ।।

ଯେବା ଯାହା କହନ୍ତୁ ଛଳି, ମେଲନ୍ତୁ କେମ୍ଭେ ଢଗ ଢମାଳି,

ତହିଁକି ଶୋଚନା, ନାହିଁ ଏତେ ବିନା

କରନ୍ତୁ ପଛକେ କେ ଧିକିନିକି । ୧।

ଗୁରୁଜନ ଭର୍ତ୍ସନା ବାରି, ତହିଁକି ମୁଁ ଏଡ଼ିଛି ଶିରି,

କରେ ମାରି ତାଳି ହସନ୍ତୁ ଗୁଆଳୀ,

କି କରିବେ ମୋ ଅହତି ସାଧିକି ? ।୨।

ହେଲେ ହେବି ଘରୁ ବାହାର, ନ ତେଜିବି ମୂରଲୀଧର,

ଅକୀର୍ତ୍ତି ଦୂଷଣ କଲିଣି ଭୂଷଣ,

ନ ବାଞ୍ଛାକୁଳ ଧରମ ବିଥିକି । ୩ ।

ଏ ମୋ ଦୃଢବ୍ରତ ସଜନି ! ହୋଇ ଶ୍ୟାମ ନାମଭଜନୀ,

ନେବି ମନ କାଳ, ସଂସାର ଜଞ୍ଜାଳ,

ନ ବାଧ ବନମାଳୀ ଅଜ୍ଞାଧୀକି । ୪ ।

 

ସଖୀ ଶିକ୍ଷା

(ଶ୍ରୀରାଧାଙ୍କ ପ୍ରତି ଲଳିତା)

ଚିତ୍ତ ଶ୍ୟାମ ବନ୍ଧୁରେ ରସାଇ ଦେ ଲୋ ।

ହସିବେ ଭଗାରି ଯେ ହସାଇ ଦେ ଲୋ । ଘୋଷା ।

ମାନସୁ ଲାଜ             ସଜନୀ ଆଜ,

ସାତ ସମୁଦ୍ରରେ ଭସାଇ ଦେଲା ଲୋ ।୧।

ଖଳ ମୁଖରା             କାଟିବ ଗିରା

ତା ବଦନେ ଦୁର୍ବାହ ଘୋଷାଇ ଦେ ଲୋ ।୨।

ଗାଇବେ ଦୋଷ             ରାତ୍ରି ଦିବସ,

ସାହି ପଡ଼ୋଶୁଣୀଙ୍କି ମିଶାଇ ଦେ ଲୋ ।୩।

କହୁଛି ସତ             ନୁହଁ ନିସତ,

ମୋ କଥାରେ ତନୁ ଉଲସାଇ ଦେ ଲୋ । ୪।

ବନମାଳୀ କି            ତୋହ ଆଳୀକି,

ବିପକ୍ଷ ଜାଣିବାକୁ ବସାଇ ଦେ ଲୋ । ୫ ।

(ରାଗ – ଧନାଶ୍ରୀ । ତାଳ - ଏକତାଳି)

 

ସଖୀ ଶିକ୍ଷା

(ଶ୍ରୀ ରାଧାଙ୍କ ପ୍ରତି ଲଳିତା)

ଶ୍ୟାମ ଜାଣେ ମୋହିନୀ – କୁଟୀ ।

ସହି ! ତା, ନଜରେ ନ ପଡ଼ିବୁଟି ।

ରଙ୍ଗିଆ ଭଙ୍ଗିଆ, ସୁବଳ – ସଙ୍ଗିଆ,

ଚନ୍ଦ୍ରାମନ- ଧନ ନେଇଛି ଲୁଟି । ଘୋଷା ।

ଏ ଗୋପରେ ଯେତେ ତରୁଣୀ, ଦମ୍ଭେ କେବା ରହିବ ପୁଣି

ଶ୍ରବଣେ ତାହାର            ଶୁଣି ବଂଶୀସ୍ୱର,

କଦମ୍ବ – ମୂଳକୁ ଯିବି ଧପଟି । ୧ ।

ତାର ଯେଉଁ ଚାହାଁଣି ଛଟା,       ମଦନରେ କାଣ୍ଡିଆ ଅଠା

ତୋର ଅଖି – ପକ୍ଷୀ, ତହିଁ ଗଲେ ଲାଖି,

ଉବୁରିବୁ କେବେ ମନ୍ଦାର – ଓଠି । ୨।

ଦେଖିଲେ ତା ଠିଆଠାଣିକି       ରଖି ନ ପାରିବୁ ଆଣିକି,

ଅଖିଳ ନାଗର, ମଉଡ଼ମଣି ଯେ,

ଯେତେବେଳେ ଯିବ ତୋ ଆଗେ ଜୁଟି ।୩।

ସୁରସିଆ ଦରହାସିଆ,       କୁଳବତୀ ଧୃତି ଧ୍ୱଂସିଆ,

ଜାଣି ବୁଝି ଧନି ପାହୁଣ୍ଡ ଚାଲିବୁ

ସଖି ଗହଳେ ଲୁଚିଥିବୁଟି । ୪ ।

ବିଚିତ୍ର ତା’ ଛଇ ଚାତୁରୀ,       ସତୀ- ଦମ୍ଭ ଦିଏ କତୁରି,

କହେ ବନମାଳୀ – ତୁ ରାଜଦୁଲ୍ଲାଳୀ,

ଉଠି ନ ପାରିବୁ ପଡ଼ିଲେ ଝୁଣ୍ଟି । ୫ ।

(ରାଗ – କୁସୁମକେଦାର, ତାଳ- ଝୁଲା)

 

ସଖୀ ଶିକ୍ଷା

(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)

ଯେତେ କହିଲେ ମାତର ।

ଖଳ କେବେ ସରଳ ନ ହେବ ମନେକର । ଘୋଷା ।

ଦିନମଣି ଯେବେ ହେବେ ପଶ୍ଚିମେ ଉଦୟେ ହୁଏ ।

ଆମାବାସ୍ୟା ରାତ୍ରେ ଯଦି ଶଶି ଉଦେ ହୁଏ।

ବୃଦ୍ଧର ଯଦ୍ୟପି ହୁଏ ଯୌବନ ସଞ୍ଚାର ।

ଖଳ କେବେ ସରଳ ନ ହେବ ମନେକର । ୧।

ଶତଦଳ ଫୁଟେ ଯଦି ପର୍ବତ ଉପର ।

ମୃତ ପ୍ରାଣୀ ଯଦି ପ୍ରାଣ ପାଏ ପୁନର୍ବାର ।

ଚାରୁ ରୂପ ଯଦି କଳା ହୁଏ ହରିଦ୍ରାର ।

ଖଳ କେବେ ସରଳ ନ ହେବ ମନେକର । ୨।

ଲୁହାରୁ ଯଦ୍ୟପି ହୁଏ ଫୁଲର ସୌରଭ ।

କୁପୁତ୍ର ଯଦ୍ୟପି ହୁଏ ଯଦି ଜ୍ୟୋତି ଚନ୍ଦ୍ରମାରା

ଖଳକେବେ ସରଳ ନ ହେବ ମନେକର । ୩।

ଉଷୁନା ଧାନରୁଯଦି ଅଙ୍କୂରଇ ଗଜା ।

ସିଂହର ଆକୃତି ଯଦି ଧରେ କାକେ ଅଜା ।

ଶୁକ୍ଳବର୍ଣ୍ଣ ପାଲଟଇ ଯଦ୍ୟପି ଅଙ୍ଗାର

ଖଳ କେବେ ସରଳ ନ ହେବ ମନେକର । ୪ ।

(ରାଗ – ଶଙ୍କରାଭରଣ । ତାଳ - ଆଠତାଳି)

 

ଦାନଲୀଳା ଘଟସଧା

(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)

ବାଟଛାଡ଼ ସୁହଟ ନାଗର ! ଯମୁନାକୁ ଯିବି ନୀର ଆଣିକି ?

ଘାଟ ପାଇଁ ଯେବେ       ଲାଟ ଲଗାଇବ

ପ୍ରତିବନ୍ଧା ଦେବି ମଥାମଣିକି । ଘୋଷା ।

ଘରେ ମୋ ନଣନ୍ଦ             ଅଟେ ବଡ଼ ମନ୍ଦ

ଶାଶୁ ମୋ ଅଟଇ ସପତଣୀ କି ?

ଆହେ ଗିରି ଟୋକା       ନ କର ତୁ ଡ଼କା,

ତୁମ ଲାଗି ନ ଆସିବ ଏଣିକି । ୧ ।

ମୁହିଁ ବୃଷଭାନୁ             ନୃପତିଙ୍କ ଜେମା,

ଆନ ପ୍ରାୟେ ମୋତେ ଅନ୍ତ ମଣିକି

ଧରି ମୋ ଅଞ୍ଚଳ             କରୁଛ ଜଞ୍ଜାଳ

ଡ଼ର ନାହିଁ ପର ଭୂଆଷୁଣୀ କି । ୨ ।

ନନ୍ଦ ମହାଖୁଡ଼             ପୁଅ ଏଡ଼େ ବଡ଼,

ଦେଖିଥାଅ ଗୋପ ଗଉଡ଼ୁଣୀ କି ।

କ୍ଷୀର ଦେଲାବେଳେ       ପୁତନା ମାଇଲ

ସ୍ତିରୀହତ୍ୟା ଦୋଷ ନ ବହିଲା କି ? । ୩ ।

ମୁଁ ଯେବେ ଏଥର             ଆସିବି ପାଣିକି

ସଙ୍ଗେ ଆଣିଥିବି ସଖୀ ଶ୍ରେଣୀଙ୍କି ।

ବୋଲେ ବନମାଳୀ             ଶୁଣ ଠାକୁରାଣୀ

ନିରାଶ ନ କର ବେନୁ ପ୍ରାଣୀଙ୍କି । ୪ ।

(ରାଗ – ଭୈରବୀ । ତାଳ - ଝୁଲା)

 

ଘାଟସଧା

ଘାଟ କଉଡ଼ି ନେଇଯା, ରେ ନାଗରୀ ରଜା । ଘୋଷା ।

ନୋହିଲେ ତ ମୁହିଁ ଛାଡ଼ିଦେବି ନାହିଁ

ନିଶ୍ଚେ ଦିଆଇବି ସଜାରେ ।୧।

ନ ଜାଣ କି ଗୋପି,       ପ୍ରବଳ ପ୍ରତାପୀ

କଂସର ମୁଁ ଯ ଭଣଜାରେ ।୨।

ଲେଖି ଯୋଖି ସର୍ବ             ଦିଅ ଛାଡ଼ି ଲୋଭ,

ବେଭାରେ କାହିଁକି କି ଲଜ୍ଜାରେ ।୩।

ବନମାଳୀ ବୋଲେ             କେତେବେଳେ ହେଲେ

ନ ଥିଲା ତ ଏହା ଖଞ୍ଜାରେ । ୩ ।

(ରାଗ – ମରୁଆ । ତାଳ - ଏକତାଳି)

 

ଘାଟସଧା

(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)

ଛାଡ଼ ଘାଟ ମୋହନ ମୋ ରାଣ ତୋତେ । ଘୋଷା ।

ମୁଁ ଯେ କୁଳବଧୂ ଘୋଷା,       ହେବିଟି ଭଗାରୀ ହସା

ଅକୀର୍ତ୍ତି ହାଟ ନ ବସା । ୧ ।

ଏ ଗୋପରେ କେତେକବାଳୀ, ନାହାନ୍ତି ମୋ ତହୁଁ ବଳି

ଲଗାଉ କଳଙ୍କ କାଳି । ୨।

ସିଝାଇ ମାନସ ଜାଳି,       ଦେବାକୁ ତୁ ନିଉଛାଳି

ନୁହେଁଟି ମୁଁ ଚନ୍ଦ୍ରାବଳୀ । ୩ ।

ଧୂର୍ତ୍ତରେ ତୁ ବନମାଳୀ !       ଜାଣିଛି ତୋ ଚତୁରାଳି

ଯା କରୁ ପଥ ଓଗାଳି । ୪ ।

କହେ ରସେ ବନମାଳୀ,       ନ ହୁଅ ଏତେ ଛାଉଳି,

ଦେଖ ଆସନ୍ତି ମୋ ଆଳି । ୫ ।

(ରାଗ – ମୋହନା । ତାଳ – ଝୁଲା)

 

ଘାଟସଧା

(ଶ୍ରୀରାଧାଙ୍କ ପ୍ରତି ଶ୍ରୀରାଧା)

ପ୍ରିୟ ଛାଡ଼ ହେ ମୋହ ଆଶା ଭରସା ।

ନ ରଖ ପରବଶ ମୁଁ କହି ଦେଲଟି,

ଗୋଚର କଲିଟି ହେ ତୃଷା ଥାଇ ସୁଧା ଏଡ଼ିଲିଟି ହେ । ଘୋଷା ।

ଜଗିଛନ୍ତି ଅରି            ଦିବସ ଶର୍ବରୀ,

ଉଞ୍ଚାଇ ନୟନ ଭାଲିଟି ହେ ।୧।

ଜାଣି ଖରଶ୍ୱାସ            ସ୍ୱାମୀ ଅବିଶ୍ୱାସ

କରଇ କ୍ରୋଧେ ପାଶରୁ ଦିଏ ଠେଲିଟି ହେ ।୨।

ମନକୁ ଆଘ୍ରାଣ             କରୁଛନ୍ତି ଜାଣ,

ସପତ୍ନୀ ସଳଖି ନପାରେ ଚାଲିଟି ହେ । ୩ ।

ଶ୍ୱଶୁରଙ୍କ ଧାତା             ଇଙ୍ଗିତ ଦେବତା,

ସ୍ୱରୂପ ଗଢିଛି ମୋତେ ଦେଲା ଭୁଲିଟି ହେ । ୪ ।

ମୋହ ଯାଆମାନେ       ବୋଲନ୍ତି ନ ମାନେ,

ତାଙ୍କର ଶତ୍ରୁ ଅଟେ ମୋହର ଚିଲିଟି ହେ । ୫ ।

ଆଉ ବୃଥା ଶ୍ରମ             ନ ପାଅ ମରମ

କହି ରସିକ ଅନ୍ତର ହେଲିଟି ରେ । ୬ ।

ତୁନି କରି ବନ-             ମାଳୀ ବୋଲେ ଧନ

ବୈଦ୍ୟ ମୁଁ ଚତୁରା ଚିତୋଇବ ଗଲିଟି ହେ । ୭ ।

(ରାଗ – ମୋହନକେଦାର । ତାଳ - ଏକତାଳି)

 

Unknown

ଘାଟସଧା

(ଶ୍ରୀରାଧାଙ୍କ ପ୍ରତି ଶ୍ରୀକୃଷ୍ଣ)

ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା ।

ଆଉ ଜାଣି ଛଳ କରନା । ଘୋଷା ।

ଦେଖିଲା ବେଳରୁ ତୋ ଚନ୍ଦ୍ରବଦନ,

ଘନ ଘନ ହୃଦ ଦହଇ ମଦନ,

କଲାଣି ତୋ ରୂପ ନୟନେ ସଦନ,

କଟାକ୍ଷ କଟାରୀବନ୍ଧୁ ଧରନା । ୧ ।

ସଖୀମେଳେ ଯେବେ ବସୁ ହସି ହସି,

ମଣଇଁ ସତେକି ତାରା ମଧ୍ୟେ ଶଶୀ,

ସେ ସୁଷମା ଭାଳି ନ ସରଇ ନିଶୀ,

ସୁଧା ଅଧରରେ ବିଷ ଭରନା । ୨ ।

ସୁଖୀନ ବସନେ ଫୁଟି ତୋ ଉଜର,

ଭାଙ୍ଗିଦିଏ ଯୁବାମଣ୍ଡଳୀର ତେଜ,

ରସିକା ରତନ ତୁ ନାଗରୀ ରାଜ,

ଆଶା ରତନଟି ମୋର ହରଜା । ୩ ।

ବାନ୍ଧିଦେବି ଧନ ମନ ମଦସୁଖେ ଜଡ଼ା,

ଖଞ୍ଜି ଚଉପାଶେ ବେଗେ ପାଖୁଡ଼ା,

ବନମାଳୀ ବୋଲେ ତୁମ୍ଭେ ଘରବୁଡ଼ା,

ଲବେ କୃପା ବହ ପ୍ରାଣେ ମାରନା । ୫ ।

(ରାଗ – ଜୟନ୍ତି । ତାଳ - ଆଠତାଳି)

 

ଘାଟସଧା

(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)

ନାଗର ରାଜା ! ସତୀଙ୍କି କଲ ନିର୍ଲ୍ଲଜ ହେ । ଘୋଷା ।

ରହିବ ଅବା କେ ?       କୁଚ-ନାରୀ ଯେହୁ,

ଦେଖିଛି ବାରେ ବରଜ । ୧ ।

ଲୋଡ଼ା ନାହିଁ ଆଉ             ସୁଖ ମାନ ଥାଉ

ତୁମ୍ଭର ମୁଖ – ପଙ୍କଜ । ୨ ।

କହୁଛି ଏତିକି             ଗିରିଙ୍କୁ ମୂଚ୍ଛ

ଗିରିଜା ହୋଇବ ସଜ । ୩ ।

ସତୀ ସାବିତିରୀ             ପତିବ୍ରତା ନାରୀ,

ତେଜି ଆସିବେ ବରଜ । ୪ ।

କହେ ବନମାଳୀ             ଆଗୋ ବ୍ରଜବାଳୀ,

ଦିଅ ମୋତେ ପଦରଜ । ୫ ।

(ରାଗ – ମରୁଆ । ତାଳ – ଏକତାଳି)

 

ଘାଟଲୀଳା

(ଶ୍ରୀକୃଷ୍ଣଙ୍କ ପ୍ରତି ସଖୀ ଉକ୍ତି)

ଶ୍ୟାମରୀତି ଜାଣୁ ନାହିଁକି ? ଏକା ନୀରଘାଟେ ଗଲୁ କାହିଁକି । ଘୋଷା

ସେ ହଟିଆ ନବରଙ୍ଗିଆ

ଆଖିଠାର ଭୁରୁଭଙ୍ଗିଆ;

ନିପଟ ଚିକ୍‌କଣ ଶ୍ୟାମଳ ଅଙ୍ଗିଆ

ଆଡ଼କୁ ଉଆଡ଼େ ଦେଲୁ ଚାହିଁକି । ୧ ।

ତାର ଯେଉଁ ମୋହନ ବେଶ,

ସତୀ ଦମ୍ଭ କରେ ନିଃଶେଷ,

ସେ କୁଞ୍ଜଦେବତା ତୋ’ ହୃଦେ ଆଦେଶ

ହେଇ ପକାଇଛ ମହନେ ଝାଙ୍କି । ୨ ।

ତା ପାଲରୁ କେଉଁ ଚତୁର,

କି କରି ଆସିବ ଉତୁରି,

ପଙ୍କଇ କୁହୁକ ଧୂଳିକୁ ମନ୍ତୁରି

ଦେଖନ୍ତେ ସୁନ୍ଦରୀ ଚନ୍ଦ୍ରମହୀଁଙ୍କି । ୩ ।

ବୋଲେ ବନମାଳୀ ନବୀନା,

ବଳେ ଚିହ୍ନା ପଡ଼ିଲୁ ସିନା ?

ତୁ ତ କୁଳପାଳି ! ନ ପାରିଲୁ ଭାଳ,

ଚାଲିଲୁ ପହଣ୍ଡ ଏକା ନଈକି । ୪ ।

(ରାଗ – ମଧୁଶ୍ରୀ, ତାଳ – ଝୁଲା)

 

ସ୍ୱାଗତ

(ଶ୍ରୀରାଧାଙ୍କ ଉକ୍ତି)

ନାଗର ମୋହନ ରାଜ ।

ବରଜ – ମଣ୍ଡଳୁ ନାଶିଲା ଲାଜ । ଘୋଷା ।

ଗୋକୁଳ – ଲଳନା କୁଳପାଳିକା ।

ସଖୀ ନେତ୍ରପ୍ରାନ୍ତେ ଦଂଶିଲା ଧୈର୍ଯ୍ୟ । ୧।

ମଦନ – ମୋହନ ରୂପ ଲୋଲୁପ ।

କରେ ଭାଙ୍ଗ ତପୀ ତପ ନନ୍ଦତନୁଜ । ୨ ।

ଶ୍ରୀଅଙ୍ଗ ମାଧୂରୀ କେଉଁ ବିଧି ନିର୍ମାଣିତ ?

କି ନୁହେଁ ଅଳପ ହେଜ । ୩ ।

ବେଶ କି ସୁନ୍ଦର ତାର କୁମାର ସାକ୍ଷାତ

ଅଟଇ ମାର ମଧୂବତ ଯଜ୍ଞେ

ମାଧବ ଦୀକ୍ଷିତ ମର୍ମଧ୍ୱେଂସେ ହାସ କି ମଧୂର । ୪ ।

ଦିଶଇ ନନ୍ଦଗାଆଁର ଅଗାରେ ।

ତା ସମ ଦେବାକୁ ଗାରେ ।

କିଶୋର ସଦୃଶ ସଂସାରେ ନାହିଁଟି ।

ଦୀନ ବନମାଳୀ ଶରଣତୋ ପାଦରଜ ।

(ରାଗ –ଚକ୍ରକେଳି । ତାଳ – ଏକତାଳି)

 

ରୋଷଗିର

(ଶ୍ରୀରାଧା ଉକ୍ତି)

ଛଇଳବର, ଛୁଅଁନା ତନ୍ତ୍ରକୁ ମୋର । ଘୋଷା ।

ମୁକୁରେ ମୁଖ ଦେଖ, କି ଚିହ୍ନ ସେ ପ୍ରତ୍ୟକ୍ଷ ।

ଗଣ୍ଡେ ଦିଶୁଚି ଜର ଜର ହେ । ୧ ।

କାହାର ଦନ୍ତ କ୍ଷତ, ସହିଲ କହ ସତ,

କି ନାରଖାର ଶ୍ରୀଅଧର ହେ । ୨ ।

କାହା ପାଦ ଯାବଚ୍ଚ, ଘେନିଅଛ ତିଳକ,

ଲଲାଟ ପଟରେ ତୁମ୍ଭର ହେ । ୩ ।

ଉରେ କି ଶୋଭା ଦିଶେ, ସଞ୍ଚା ଦେଇଛି କେ ସେ,

ତୀକ୍ଷଣ ନଖରାଜି ଜାର ହେ । ୪ ।

କାହା ନେତ୍ର କଜ୍ଜ୍ୱଳ, କଲ ଅଧରେ ମେଳ,

ପ୍ରବାଳେ କସ୍ତୁରୀ ପ୍ରକାର ହେ । ୫ ।

ରତେ ପୁହାଇ ନିଶୀ, ଆସିଛ କଳା ଶଶି ।

ଫେରି ଯାଆ ପାଶେ ତାହାର ହେ । ୬ ।

କହଇ ବନମାଳୀ, ବୃଷଭାନୁ ଦୁଲାଳୀ,

ମଣ୍ଡିତା ରସେ ରୋଷଗିର ହେ । ୭ ।

(ରାଗ – ସୁରଠ, ତାଳ –ଝୁଲା)

 

ସଖା ଉକ୍ତି

(ଶ୍ରୀକୃଷ୍ଣଙ୍କ ପ୍ରତି ଲଳିତା)

ଶ୍ୟାମ ସୁନ୍ଦର ସଙ୍ଗେ

କହିଥିଲି ରସନା, ମଜ୍ଜିଲୁ ତ ତରଙ୍ଗେ । ଘୋଷା ।

ଖଣ୍ଡିଲୁ ସୁଖ ଆଣି            ମଣ୍ଡି ଗଣ୍ଡରେ ପାଣି,

ଦଣ୍ଡି ଦେଲୁ ଅନଙ୍ଗେ ଭ୍ରହଲେ ସେ ଅପାଙ୍ଗେ । ୧ ।

ମନ୍ଦ ହାସତ ତେଜିଲୁ, ଭାନୁ ନନ୍ଦିନୀ !

କହିଚି ତା ନ ହେଜିଲୁ ।

ପ୍ରେମ ଶଠରେ ରଚି            ହେମଅଙ୍ଗା ନ ବଞ୍ଚି,

ସାମକ ଯାମ ସିନା, କାମ କାଣ୍ଡ ଭୋଗିଲୁ । ୨ ।

ପ୍ରୀତି ଦୁର୍ଲ୍ଲଭ ଜନରେ,

ସୁଗତି ଅକୀର୍ତ୍ତି ହେଜିଲୁ ନାହିଁ ମନରେ ।

ଘୋଷରେ ନନ୍ଦାତ୍ମଜ      ଦୋଷ ଗୁଞ୍ଜର ବୀଜ

ଘୋଷନ୍ତି ବ୍ରଜଜନେ, ରୋଷ ନ କଲୁ ଦିନେ । ୪ ।

ବନମାଳୀ ତା କହଇ, ମୋହନ ସୁସ୍ମିତ ସ୍ୱାଧୀଙ୍କ ମତି ମୋହଇ ।

ବୃଷଙ୍କୁ ତେଜି ଶଚୀ            ବୃଷାସନଙ୍କୁ ମୁଞ୍ଚି

ଚଞ୍ଚଳେ ଚଳେ ଶିବା ମଞ୍ଚରେ ଅଛି କେବା । ୫ ।

(ରାଗ – କେଦାର ଗୌଡ଼ା । ତାଳ – ଏକତାଳି)

 

ଗତ ଚରିତ

(ସଖୀ ପ୍ରତି ଶ୍ରୀରାଧା)

ବ୍ରଜରାଜ – ରଜନୀ ଭରମେ ଲୋ, ସଖୀ ସୁଖଦେଲା ଯେତେ ।

ସେ ମୁରଲୀପାଣି ବସନ ନ ଜାଣି ଭ୍ରମେ ଆଣିଦେଲା ମୋତେ । ଘୋଷ ।

କି ସୁଖରେ ରାତି            ବଞ୍ଚିଲି ମୁଁ ଛାତି

ଉପରେ ରଖି ଅମ୍ବର ।

ହେଲା ମୋତେ ପ୍ରତେ      ସତେ ମୋ ପୁରତେ,

ବିଜୟେ ନାଗର ବର । ୧।

ପ୍ରଭାକୁ ଉଠନ୍ତେ            ରଜନୀ ପ୍ରବେଶି,

ସଭ୍ରମେ ମାଗିଲା ବାସ ।

ହାର ଲାଞ୍ଚ ଦେଇ            କହିଲି ମଣାଇ,

ଆଜକ ଥାଉ ମୋ ପାଶ । ୨ ।

ଏହିପରି ଯେତେ            ଅଳଙ୍କାରି ମାନ,

ଦିଅଇ ଦିନକୁ ଦିନ ।

ରକି ସେ ବସନ            ତୋଷୁ ଥାଇ ମନ,

ହୋଇଲି ଭୂଷଣ ହୀନ । ୩ ।

ଜଟିଳା ପୁଚ୍ଛ ନେ                  ଯେତେବେଳେମୋତେ,

କି ବୋଲି ଦେବି ଉତ୍ତର ?

ବୋଲେ ବନମାଳୀ            କହ ଗୋ ରାଧିକେ

ଶୋଇଥିଲି ନେଲା ଚୋର । ୪ ।

(ରାଗ – ପୁନ୍ନାଗ, ତାଳ – ଆଦି)

 

ସଖୀ ଉକ୍ତି

ଔଦାସ୍ୟ ପରି ବାଳା ବସିଛି ହେ ।

ଔତ୍କଟ୍ୟ ବେଦନାରେ ପଡ଼ିଛି ହେ । ଘୋଷା ।

ଔତ୍କର୍ଷ ରୂପ ଯାର, ପତନେ ମାର ଶର ।

ଘନ ଘନେ ରୋମାଞ୍ଚ ହେଉଛି ହେ । ୧ ।

ଔପମ୍ୟ ତିନିପୁରେ, ଦେବାକୁ ଯା ଅଙ୍ଗରେ

ନାହିଁ ସେ ଏବେ ମୂର୍ଚ୍ଛି ଭଜିଛି ହେ । ୨ ।

ଔର୍ଦ୍ଦ୍ରପରି ମଦନ, ପୋଡୁଛି ହୃଦବନ,

ବେନି ଲୋଚନୁ ନୀର ବହୁଛ ହେ । ୩ ।

ଔଚିତ୍ୟ ଅବସ୍ଥାରେ, ଉଦ୍ଧାର କର ବାରେ,

ରାଧାର ଦୁରଦଶା ଭାଷୁଛି ହେ । ୪ ।

ଔଷଧି ଓଷ୍ଠାମୃତ, ପିଆଇ କୁଞ୍ଜ- କାନ୍ତ,

ତା ପ୍ରାଣ ରଖ ଦୁଃଖେ ସଢୁଛି ହେ । ୫ ।

ଔ – ବର୍ଣ୍ଣେ ବନମାଳୀ, କହଇ ଭାଳି ଭାଳି,

ବିରହେ ଧରାରେ ଛାଡୁଛି ହେ । ୬ ।

(ରାଗ – କାମୋଦୀ । ତାଳ – ଏକତାଳି)

 

ଗତ ଚରିତ

(ସଖୀ ପ୍ରତି ଶ୍ରୀରାଧା)

କି ଗୋ ପ୍ରାଣସଖୀ ! ଶୁଣ ।

ଗଲା ନିଶି କଲାକର୍ମ      କୁଟିଳାକୁ ହୋଇ ଭ୍ରମ,

କହିଥିଲି ସବୁ ମର୍ମ । ଘୋଷା ।

ଏକାଠାରେ ଥିଲୁଁ ଶୋଇ      ଜାଣିଲି କୃଷ୍ଣ ପରାୟ,

ଦୃଢେ କରି ଆଲିଙ୍ଗନ ବଦନେ ବଦନେ ଦେଇ । ୧ ।

ବୋଇଲି ଆହେ ମୋହନ      ଦେଖିବା ହେଲା ସ୍ୱପନ,

କେତେବେଳୁଁ ଗୁପତରେ ଆସି କରିଛ ଶୟନ । ୨ ।

ଭୁଞ୍ଜାନାହିଁ କିମ୍ପା ପାନ      ଶ୍ରୀଅଙ୍ଗୁ ସୁବାସ ହୀନ,

ଏଡ଼େ ଅଧୈର୍ଯ୍ୟ କାହିଁକି ପରାଣେ ଥାଉ ମଦନ ।୨।

କ୍ରୋଧେ ବୋଇଲା କୁଟିଳା      ମୁଁ ଯେ ନୁହଇ ଜଟିଳା,

ଜଟି ତାକୁ କହୁଥାଉ ଆଜ ସନ୍ଦେହ ଫିଟିଲା । ୩ ।

ବନମାଳୀ ହସି କହେ      ନଣନ୍ଦୀ ନ ପଡ଼େ ମୋହେ

ସେବେ ନିତ୍ୟ ତୋ ଭାଇ ନିମିତ୍ତ ଗୋ ପାଣିଗ୍ରହେ । ୫ ।

(ରାଗ –କୌଶକ । ତାଳ – ଏକତାଳି)

 

ଗତ ଚରିତ

(ସଖୀ ପ୍ରତି ଶ୍ରୀରାଧା)

କାଲି ଯା କଲେ ସଖୀ ! ନାଗର ରାଜ,

କହିବାକୁ ବଡ଼ ଲାଜ । ଘୋଷା ।

ଯମୁନା ସ୍ନାହାନେ ଗଲି,      ଘଷି ମାଜି ହେଉଥିଲି

ଏ କାଳରେ ମିଳିଗଲେ ମୂରଲୀ – ଭୂଜ । ୧ ।

କଦମ୍ବ ମୂଳରେ ଲୁଚି,      ଦେଖୁଥିଲେ ଘୁଞ୍ଚି,

ଅତରକେ ମୁଁ ନ ଜାଣସେ ଭଙ୍ଗୀବ୍ରଜ ।

ସାରି ମୁଁସ୍ନାନ ମାଜଣା,      ଘଟପାଶେ ଜଗଜିଣା

ବାଟ ଓଗାଳି ମାଗିଲେ ଅପୂର୍ବ ଚିଜ । ୩ ।

ବହୁତ ବିନୟ ହେଲ.      ତାଙ୍କ ଫାନ୍ଦୁ ଉବୁରିଲି,

ବୋଲେ ବନମାଳୀ ଏହା ନୁହଇ ବ୍ୟାଜ । ୪ ।

(ରାଗ – ମରୁଆ । ତାଳ – ଆଠତାଳି)

 

ଗତ ଚରିତ

(ସଖୀ ପ୍ରତି ଶ୍ରୀରାଧା)

ବୀର ବେଶେ ରେ,

କାଲି ଶ୍ୟାମ ଅସିଥିଲେ ମୋର ପାଶେ ଗୋ । ଘୋଷା ।

ବେନି ଚରଣକୁ କରି ଯୋଡ଼ା,

କି ଭଙ୍ଗୀରେ ନେଇ ଚଢାଇଲା,

(ପଡ଼ି) ପୟରେ ନୂପୁର,      ବଜୁବନ୍ଧୁ ଘୁଙ୍ଗୁର,

ଝୁମୁ ଝୁମୁ ଝଙ୍କର            କରି ଗୁଣ ଟଙ୍କାର

(ଧୋ ଧ୍ରୀମି ତା ଧ୍ରୀମି ଥଲାଙ୍ଗୁ ଦଧିଘନ ତା)

କୁସୁମରେ ନେଇ ରଖାଇଲା ଗୋ । ୧ ।

ଲମ୍ବୋଦର ତାତ ରିପୁ ଯାର,

ସେନାପତି କହେ ତତପର,

(ପଡ଼ି) ରମଣି ! କି ଦେଖିଲି      ସ୍ମରବାଣ ଯୋଖିଲି

ମରମରେ ଭେଦିଲି            ମନ କଥାକହିଲି

(ଧୋ ଧ୍ରୀମି ତା ଧ୍ରୀମି ଥଲାଙ୍ଗୁ ଦଧିଘନ ତା)

ରବି ରସେ ନିଶି ପୁହାଇଲା ଗୋ । ୨ ।

ଶୋଇଥିଲା ଶଶୀଧର ନାରୀ,

ଗଜଦନ୍ତ ରିପୁ ପଲାଙ୍କାରି ।

(ପଡ଼ି) ଦେଖିଥିଲି ପଲଙ୍କେ      ଶୋଇଥିଲା ଉଲଙ୍ଗେ,

ଡାକ ଦେଲି ଆତଙ୍କେ      ରଖ ତୁମ୍ଭେ ଏ ସଙ୍ଗେ

(ଧୋ ଧ୍ରୀମି ତା ଧ୍ରୀମି ଥଲାଙ୍ଗୁ ଦଧିଘନ ତା)

ପୁଣି ମନହେଲା ରତି ରସେ ଗୋ । ୩ ।

ବନମାଳୀ ଏହୁ ରସେ ଭଣି,

ମୋ ପୁରେ ବିଜୟ କମ୍ବୁପାଣି,

(ପଡ଼ି) କାଲି ରାତି ଅର୍ଦ୍ଧରେ      ଆସିଣ ମୋ ପାଶରେ,

ରତି – ପତି ଭଣ୍ଡାରେ      କରିଣ ନାରାରେ,

(ଧୋ ଧ୍ରୀମି ତା ଧ୍ରୀମି ଥଲାଙ୍ଗୁ ଦଧିଘନ ତା)

ପ୍ରବନ୍ଧରେ ପୁହାଇଲ ନଶି ଗୋ । ୪ ।

(ରାଗ- ଆହାରୀ । ତାଳ – ପଡ଼ିତାଳ, ଝୁମ୍ପା)

 

ବିରହାନୁରାଗ

(ପ୍ରତୀକ୍ଷାରେ ଶ୍ରୀକୃଷ୍ଣଙ୍କ ଉକ୍ତି)

କାହିଁ ସେ ମୋର କିଶୋରୀ ।

ଏ ମୋ ପରାଣ ଛାଡ଼ି ମାରଇ ମୋତେ ଶମ୍ବରାରି । ଘୋଷା ।

ନୟନ ମୋ ପିପାସିତ      ଖୋଜେ ତାକୁ ଅବିରତ,

ଦେଖୁ ଦେଖି ଗୋଟିଯାକ ପିଇଦେବିକି

ରୂପମାଧୂରୀ । ୧ ।

ହୃଦରୁ ଉଠେ ଉଚ୍ଛାସ,      ଘନ ଘନ ବହେ ଶ୍ୱାସ,

ଲୋଡ଼େ ଏକା ତା ସଙ୍ଗତି, ଆହା ସେ ରାଜକୁମାରୀ । ୨ ।

ପାଇଲେ ତାର ଶ୍ରୀଅଙ୍ଗ      ଯୋଡ଼ିଦେବ ମୋର ଅଙ୍ଗ

କିବା କରିବ ଅନଙ୍ଗ, ଧରାଇ ବିରହ ବଂଶାରୀ । ୩ ।

ବନମାଳୀ ଦାସ ଭଣି      ଶୁଣ ହେ ମୂରଲୀ ପାଣି,

ତୁମ୍ଭଲାଗି ଠାକୁରାଣୀ ବସିଛନ୍ତି ଧ୍ୟାନକରି । ୪ ।

(ରାଗ – ମାଳବ । ତାଳ – ଏକତାଳି)

 

ବିରହାନୁରାଗ

(ସଖୀ ପ୍ରତି ଶ୍ରୀରାଧା)

ସଜନି ! ତୋରଧରୁଛି କର ଗୋ ।

ଆଣି ଦିଅ ମୋ ଶ୍ୟାମ ସୁନ୍ଦର ଗୋ । ଘୋଷା ।

ଯେଣେ ଚାହିଁଦେଲେ ସେବ ବେଣୁଧର ।

ଦିଶି ଯାଉଛନ୍ତି ଏ କି ହୁନ୍ଦର ଗୋ । ୧ ।

ଜାଣନ୍ତି ସେ କି ମୋହିନୀ ମନ୍ତର

ନିରନ୍ତରେନେତ୍ରେ କଲେତ ଘର ଗୋ । ୨ ।

ଅନ୍ତରବାହାରେ ସେ ଚିତ୍ତ – ଚୋର ।

ଇନ୍ଦ୍ରଜାଲ ପରି ମୋତେ ଗୋଚର ଗୋ । ୩ ।

କି କରିବି ସଖୀ ! ଉପାୟ କର ।

ଦିଅ କିବା ପ୍ରୀତି – ଛଡ଼ା ମନ୍ତର ଗୋ । ୪ ।

ବନମାଳୀ ବୋଲେ ଚିନ୍ତା ନ କର ।

ଅବଶ୍ୟ ଆସିବେ ମୂରଲୀଧର ଗୋ । ୫ ।

(ରାଗ – ତୋଡ଼ି । ତାଳ – ଆଠତାଳି ।)

 

ଦୂତୀ ପ୍ରେଷଣ

(ସଖୀ ପ୍ରତି ଶ୍ରୀରାଧା)

ସଜନି ! ଘେନ ମୋ ବିନତିକି ରେ ।

ମୋହନେ କହବିୁ ମାତ୍ର ଏତିକିରେ । ଘୋଷା ।

ଶିକ୍ଷା ଦେଲା କେହୁ ଶିରୀପତିଙ୍କି ।

ଦୀକ୍ଷା କଲେ ସ୍ତିରୀ ମରା ରୀତିକି ରେ । ୧ ।

ଶ୍ରଦ୍ଧାକରି ସେ ଲାବଣ୍ୟ ମୂର୍ତ୍ତିଙ୍କି ।

ରାଧା ପରା ହରାଇଛ ଜାତିକି ରେ । ୨ ।

ପରବତ – ଧର ନୀଳ ହାତୀଙ୍କି ।

ସାର କରି ଲଭେ ଅପଖ୍ୟାତିକି ରେ । ୩ ।

ବୋଲେ ବନମାଳୀ ସେ ଶ୍ରୀମତୀଙ୍କି ।

କୃଷ୍ଣ ବିନେ କାହିଁ ଅଛି ଗତି କି ରେ । ୪ ।

(ରାଗ – ତୋଡ଼ି ପରଜ । ତାଳ – ଆଠତାଳି)

 

ପ୍ରକାରାନ୍ତରେ ଦୂତୀ ପ୍ରେଷଣ

(ସଖୀ ପ୍ରତି ଶ୍ରୀରାଧା)

କହିବୁ ଦୂତୀ ! ଚିତ୍ତ ଚୋରଙ୍କୁ ଏତେକ ଗୋ ।

ଗତ ସ୍ନେହ ହରି            ଦେଲେ ଦୂର କରି,

ଚିତ୍ତ ହୁଏ ଦକଦକ ଗୋ । ଘୋଷା ।

ଦେହଳୀ ବଳି ମୁଁ            ଆଳିଗଣ ସଙ୍ଗେ,

ଯମୁନା ହେଲେ ବାହାରଗୋ ।

ପଥ ଅଗାଳିଣ            ବାସ ଝିଙ୍କିବାର,

ପାଶୋରି ଦେଲେ ମାତ୍ରକ ଗୋ । ୧ ।

ଶିରେ ଜାମୁଡାଳି            ଖୋଷି ବନମାଳୀ,

ଢଳି ବନୁ ଆସିବାର ଗୋ ।

ଭାଳି ଭାଳି ସେହି            ରୂପକୁ ମୋହର,

ନେତ୍ରୁ ବୋହୁଛି ଲୋତକ ଗୋ । ୨ ।

ଯେଣେ ଚାହିଁଦେଲେ       ନୟନେ ମୋହର,

ଦିଶୁଛି ସେହି ଶ୍ରୀମୁଖ ଗୋ ।

ପଡୁଅଛି ମନେ             କଦମ୍ବ ମୂଳରେ,

ମଧୂର- ମୁରଲୀ ଡାକ ଗୋ । ୪ ।

ପଚାରିବୁ ଦୂତୀ,            ମୁଁ ପରା ତାଙ୍କର,

ଏବେ ତ କଲେ ନିରେଖ ଗୋ ।

ବୋଲେ ବନମାଳୀ            ଏ ରସରେ ଭାଳି

ଯୁଗଳ ପଦେ ସେବକ ଗୋ ।୪ ।

(ରାଗ – ଚିନ୍ତା କେଦାର । ତାଳ – ଝୁଲା)

 

ପ୍ରକାରାନ୍ତରେ ଦୂତୀ ପ୍ରେଷଣ

(ସଖୀ ପ୍ରତି ଶ୍ରୀରାଧା)

ଦୂତୀ କହ ଯା ମୋର ସନ୍ଦେଶ ।

ଶ୍ୟାମବନ୍ଧୁର ପାଶ । ଘୋଷ ।

ସାହି ପଡ଼ୋଶୁଣୀ            ଗଞ୍ଜଣାରେ ମୁହିଁ

ହୋଇଲି ଅଘୋର ବାସ ।

କଳାକାହ୍ନୁ ସଙ୍ଗେ            ପ୍ରୀତି କରିବାରେ

ଗଲା ଜାତି କୂଳ ନାଶ । ୧ ।

ପୋଡୁ ଏ ଜୀବନ            ନବ ଯଉବନ

କୃଷ୍ଣ ଲାଗି ସବୁ ବିଷ ।

ଶୟନେ ସ୍ୱପନେ            ବିସ୍ମରି ନ ଯାଏ,

ଏଥିକି ଉପାସ କିସ ?

ନବମ ଦଶାକୁ            ଭଜିଲିଣି ସଖୀ !

ଆଉ କି ଜୀବନେ ଆଶ ?

କର ଧରି କରି            କହୁଛି ସୁନ୍ଦରୀ,

ଶ୍ରୀକୃଷ୍ଣଙ୍କୁ ଘେନି ଆସ । ୩ ।

ରାଧା ବାଣୀ ଶୁଣି            ଦୁତିକା ମିତଣୀ

ମିଳିଲେ ଶ୍ରୀକୃଷ୍ଣ ପାଶ ।

ନିକୁଞ୍ଜ ପ୍ରାଙ୍ଗଣେ            ପ୍ରବେଶ ହୁଅନ୍ତେ

ଭଣେ ବନମାଳୀ ଦାସ । ୪ ।

(ରାଗ – ବଙ୍ଗଳାଶ୍ରୀ । ତାଳ – ଆଠତାଳି)

 

ଦୂତୀ ଭାବନା

(ଗମନ ପଥେ ଲଲିତା)

କି ହେଲା ଆସି । ଶ୍ୟାମବନ୍ଧୁ ସ୍ନେହରେ ରସି ।

ମୋ ସଜନୀ ଗଲା ଭାସି      ନିଶିଦିବସେ ସେହି ସଙ୍ଗତି,

ସୁଖ ହେଲା ବିନାଶି ଘୋଷା ।

ଥାଉଁ ଦୂରେ ଆନ ପ୍ରସଙ୍ଗ      ଯାହାରି ଅଙ୍ଗ –

ରିପୁ ରୂପେ ହୋଇଲେ ସଙ୍ଗ,      ନଖରେ ପଡ଼ି ଅପାଙ୍ଗ

ବିଧୂ ଉଦେ ବୁଝିଭୃଙ୍ଗ, କେଶୀ କମ୍ପେ ଆତଙ୍ଗ ।

କଷ୍ଟେ ଲେଉଟାଇ ଶ୍ରୀକର,      ନବ ତେର,

ବୁଝି ସହୀ ଚାହିଁବାର,      ଫିଙ୍ଗଇ ପାଣି କି ବର

ବରନା ହୋଇ ଅସ୍ଥିର,      ଆର୍ତ୍ତେ ଡାକେ ରଖ ଶଙ୍କର । ୨ ।

ହୁଅନ୍ତେ ବଳୟ ନିନାଦ,            କମ୍ପଇ ହୃଦ

ଚିନ୍ତେ ଆସେ ମଧୂପବୃନ୍ଦ,      ତେଜି ଦେଇ ମନୁମୁଦ,

ବଢାଇ ଦାରୁଣ ଖେଦ,      ବସିବାଠାରେ ପ୍ରମାଦ । ୩ ।

ଉହୁଁ ବୋଲି ବିକଳେ,      କୁହୁ ତା କଳେ

ମଣଇ ଡାକିଲେ କୋକିଳେ,       ପୂରିଯାଏ ତନୁ ଝାଳେ

ଲୋଟଇ ଅବନୀ ତଳେ, ତା ଦଶା ନାହିଁ             ଏ କୋକୁଳେ । ୪ ।

ଦୀନ ବନମାଳୀ କହେ,      ଯାହାର ଦେହେ,

ଅନୁରାଗ ପିଶାଚ ରହେ,      ଆନ ଆନନ ନ ଚାହେଁ

ତା ତନୁ ମଣ୍ଡନ ନ ବହେ, ନୀର ସନ୍ତତ ବହେ । ୫ ।

(ରାଗ – ମାରିଆ । ତାଳ – ପଡ଼ିତାଳ)

 

ଦୂତୀ ବାର୍ତ୍ତା

(ଶ୍ରୀକୃଷ୍ଣ ନିକଟରେ ଲଳିତା ଉକ୍ତି)

ଆହେ ନାଗରବର !

କି ଅପରାଧ କରିଛି ସଖୀ ମୋର ? । ଘୋଷା ।

ଯା ମୁଖେ ହାସ ନ            ଦେଖି ଲଭ ତା

ଏବେ ତା ନୟନୁ ଆପ      ବହୁଯେ ଅଛି ଅମାପ,

ଆହା ବୋଲୁନାହିଁ ଏ କି ମହାପାପ । ୧ ।

ଯାହା ପାଦଧୂଳି            ବୋଳି ହୁଅ ଗାତ୍ରେ

ଏବେ ସେ ଚରଣ ଧରି      କହୁଛି ବିନୟ କରି,

ଜୀବଥିଲେ କି ନ ଦେଖେ ପାପନେତ୍ରେ । ୨ ।

ଗୁରୁଜନ ପାଶେ            ଥିଲେ ଆମ୍ଭ ସହୀ

ଆପଣା ଛାଇର ଶିର      ନିବେଶି ଚରଣେ ତାର

ବିନତି ଯେ କରେସେ କି ମନେ ନାହିଁ । ୩ ।

ଆଉ କହିବାକୁ             ମୋର ନାହିଁ କଥା,

ଯାହାକୁ ଦେଖିବା ଆଶେ      ଜଗ ଯମୁନାର ପାଶେ

ଏବେ ତା ଦୁଆରେ ପୋତିଯାଅ ମଥା । ୪ ।

ବୋଲେ ବନମାଳୀ            ଶୁଣ ସଖୀ ଭାଷା,

ଶ୍ରୀକୃଷ୍ଣ କହନ୍ତି ହସି            ତୁ ତ ଥିଲୁପାଶେ ବସି

ସେ ଦିନ ଏଡ଼େ ରୋଷକୁ ମୁଁ କି ଦୋଷୀ । ୫ ।

(ରାଗ – କାମୋଦୀ । ତାଳ- ଏକତାଳି)

 

ପ୍ରକାରାନ୍ତରେ ଦୂତୀ ବାର୍ତ୍ତା

(ଶ୍ରୀକୃଷ୍ଣଙ୍କ ପ୍ରତି ଲଳିତା)

ସେତ ଦେଇଛି ଜୀବନ ବିକି । ଘୋଷା ।

ତାକୁଯମୁନା ହେଲାଣି ମନା      ସେହି କରିଛି ତୁମ୍ଭ କାମନା

ଅନାଇଁ ବାର ମନେ ନାହିଁକି । ୧ ।

ତାର ନୟନରୁ ଏବେ ନୀର            ବହୁଅଛି ଧାର ଧାର

ହାର ହୋଇଛି ସେହୁ ଛାତିକି । ୨ ।

ତାକୁ ଅଶନ ହେଲାଣି ବିଷ            କାହିଁ ପାଇଁକି ଏଡ଼େ ନିରାଶ,

ସାର କରିଛି ତୁମ୍ଭ ପ୍ରୀତିକି ।

ବ୍ରଜେ ନାହାନ୍ତି କେତେ ଯୁବତୀ,            ବଂଶୀ ସ୍ୱନେ ରାଧାନାମ ଇତି,

ଗାଇ ବାଇକଲି ତା ମତିକି । ୪ ।

ସଖୀ କରିଛି ଧରା – ଶୟନ,            ସାହା ନାହିଁ ତୁମ୍ଭ ବିନୁ ଆନ,

(ଘେନ – ଚକ୍ରକେଦାର । ତାଳ – ଏକତାଳି)

 

ବିରହାନୁରାଗ

(ସଖୀ ପ୍ରତି ଶ୍ରୀକୃଷ୍ଣ ଉକ୍ତି)

କହିବୁ ପରାଣ ବନ୍ଧୁକୁ ବନ୍ଧୁକୁ । ଘୋଷା ।

ରାହୁ ପ୍ରାୟ ରତୀଶ            ନିରତେ କରେ ଗ୍ରାସ

ନ ଛାଡ଼େ ମୋ ହୃଦୟ ବିଧୁକୁ ।

ଚିର ତୃଷିତ ପରି,            ହୋଇଛି ସହଚରୀ ।

ବରଷୁ ତା ଅଦରୂ ମଧୂକୁ ମଧୁକୁ । ୨ ।

ସାଦଝରେ ନୟନେ            ସେ ରମଣୀ ରତନ,

ଘଟନ ତା ସିନ୍ଦୂର ବିନ୍ଦୁକୁ ବିନ୍ଦୁକୁ । ୩ ।

ବନମାଳୀ ବଦତି            ଶୁଣି ବୋଲେ ସେ ଦୂତୀ,

ନିବେଶି ତା ଭାବନା – ସିନ୍ଧୁକୁ ସିନ୍ଧୁକୁ । ୪ ।

(ରାଗିଣୀ – ଝିଂଝଟ । ତାଳ – ଝୁଲା ।)

 

ଦୂତୀ କଥନ

(ଶ୍ରୀକୃଷ୍ଣ ପ୍ରତି ଲଳିତା)

କାହ୍ନୁ ହେ ! ତୁମ୍ଭେ ବଡ଼ ଦାରୁଣ

ଜଣାଗଲା ତୁମ୍ଭ ବିବେକ ପଣ । ଘୋଷା ।

ଭାବଗ୍ରାହୀ ନାଥ ଭରସା ପାଇଁ

ଭଜି ଭାସିଗଲା ମୋ ପ୍ରାଣସହୀ । ୧ ।

ପୁରୁଷ, ଭ୍ରମର ଏକଇ ଜାତି

କାର୍ଯ୍ୟ ଲଭିବା ଯାଏଁ ଭୁଣ୍ଡୁଥାନ୍ତି । ୨ ।

ବଳି ପଡୁଅଛି ନବମ ଦଶା

ନ କର ନ କର ଭଗାରୀ ହସା । ୩ ।

ବନମାଳୀ କହେ ଦୂତୀ ବଚନେ

ବିଜେ କଲେ କୃଷ୍ଣ ରାଧା ସଦନେ । ୪ ।

(ରାଗ – ତୋଡ଼ି ପରଜ । ତାଳ – ଆଠତାଳି)

 

ଦୂତୀ ବାର୍ତ୍ତା

(ଶୀରାଧାଙ୍କ ପ୍ରତି ସଖୀ ଉକ୍ତି)

ସଜ ହୋଇଥାରେ ଗଜରାଜ, ଗତି – ଆଜ ।

(ଏ) ରଜନୀ ଆସିବେ ସଜ – ନୀଳୋତ୍ପଳ- ଶ୍ୟାମବ୍ରଜ-ଯୁବରାଜ । ଘୋଷ ।

ସୁନାମ ପ୍ରତିମା ରେ !      ମୀନା ପରି କଳା

ଝୀନ ଶାଢୀ ଯତ୍ନେ – ପିନ୍ଧି

ବଳାହକ ମଣି -            ନୀଳ କୁନ୍ତଳରେ

କଳାପ କମର ବାନ୍ଧି । ୧ ।

ପଣ୍ଡୁରୀକ କର-            ଯୁଗେ ଇନ୍ଦିବର-

ଯୁଗଳ ଚଳାଇବାକୁ

ମୃଦୁଳ ଲାଞ୍ଛନ            ତାପିଞ୍ଛେ କନକ-

ମଞ୍ଜରୀ ମିଳାଇବାକୁ । ୨ ।

କୁଞ୍ଜାଳୟେ ଝସ-            ଧ୍ୱଜ କେଳି ରସ

ଭୁଞ୍ଜାଇ ଭୁଞ୍ଜିବୁ ପରା ?

କଞ୍ଜାୟତାକ୍ଷୀରେ            ଖଞ୍ଜାଇ ଲଲାମ

ଉପରେ ପୁନ୍ନାଗ ଝରା । ୩ ।

ରସା ରମଣୀ            ହେମସାର ସମୂହ

ମିଶିବାର ବୁଝିବାକୁ

ବରତୁଳ ପୟୋଧର      ଧରେ ଗତିବର

ତୁଲେ ଯୁଝିବାକୁ । ୪ ।

ବୋଲେ ବନମାଳୀ            ଆଗୋ ନବବାଳୀ

ବୃଷଭାନୁ ଜେମାମଣି !

ତୁମ୍ଭ ଚିନ୍ତାମଣି            ନୀଳମଣି ଠାଣି

ଚୁମ୍ବ ଦେବେ ଗଣି ଗଣି । ୫ ।

 

ଅଭିଶାରିକା

(ସଖୀ ପ୍ରତି ଶ୍ରୀରାଧା)

ସଖୀ ଗୋ ! ମୋର କୁଞ୍ଜକୁ ଆଜ !

ଆସିବେ ପରା ସେ ନାଗର ରାଜ ? । ଘୋଷ ।

ଆଜ ତ ଏ ମୋର କେଳି – ମନ୍ଦିର

ଦିଶୁଅଛି ସଖୀ ! କେଡ଼େ ସୁନ୍ଦର । ୧ ।

ଭାଙ୍ଗି ରଖିଅଛି ବିଡ଼ିଆ ପାନ

ଭୁଞ୍ଜିବେ ବୋଲି ମୋ ଜୀବନ ଧନ । ୨ ।

ଗୋଳି ରଖିଛୁ ଏ ଚନ୍ଦନ, ଚୁଆ

ଲାଗି ହେବେ ମୋ ଭାବ ବିନୋଦିଆ । ୩ ।

ଗୁନ୍ଥି ରଖିଛି ଏ କୁସୁମ –ମଲ୍ଲୀ

ମୋ ମନ ମୋହନ ପିନ୍ଧିବେ ବୋଲି । ୪ ।

ଆଜ ତ ଗୋଧନ- ବାହୁଡ଼ା ବେଳେ

ମୋତେ ଅନାଇଁ ବିଜେ କରୁଥିଲେ । ୫ ।

ଆଜ ତ ମୋହର କେଳି- ମାନସ

ଦେଖି କାନ୍ତ ହେବେ କେଡ଼େ ହରଷ । ୬ ।

ତୋତେ କି ଦିଶୁଅଛି ସଖୀ ! କହ

ବୋଲେ ବନମାଳୀ ନାହିଁ ସନ୍ଦେହ । ୭ ।

(ରାଗ – କୁମ୍ଭ କେଦାର । ତାଳ- ଆଶତାଳି ଝୁଲା)

 

ଦୂତୀ ବାର୍ତ୍ତା

(ସଖୀ ପ୍ରତି ଶ୍ରୀରାଧା)

ଆଜି ମୋ ଆଶା ବୃଥା ହୋଇଲା ଗୋ । ଘୋଷା ।

ହେଲାଣି ଅର୍ଦ୍ଧ – ନିଶି      ନଇଲେ ଗୋପ – ଶଶୀ

ଏତେ କଷଣ ଦେହ ସହିଲା ଗୋ । ୧ ।

କେତେ ଯତନ କରି       କେଳି – କୁଞ୍ଜ ସାଜିଲି,

ପରାଣ ବନ୍ଧୁ ସଙ୍ଗ ନୋହିଲା ଗୋ । ୨ ।

ମୋ ହୃଦୟ ବେଦନା      ସଖୀଏ ! ଜାଣ ସିନା,

ମଦନ – ତାପେ ଏବେ ଦହିଲା ଗୋ । ୩ ।

ତାଙ୍କୁ ଆଉ କେ କେତେ      ପରତେ ଯିବ ସତେ,

ମନକଥା ମନରେ ରହିଲା ଗୋ । ୪ ।

ରାଧାନୁହେଁ କାତର            ଆସିବେ ସେ ନାଗର,

ପ୍ରବୋଧ ବନମାଳୀ କହିଲା ଗୋ । ୫ ।

(ରାଗ - ସାରଙ୍ଗ । ତାଳ- ଏକତାଳି)

 

ଉତ୍କଣ୍ଠିତା

(ସଖୀ ପ୍ରତି ଶ୍ରୀରାଧା)

ସରିବ କି ଏ ନିଶି ଗୋ ନାମର

ମୋହନ ବିନା । ଘୋଷା ।

କଣ୍ଟ ଦେଇ ବେଣୁଧାରୀ      ନଇଲେ ମୋ କୁଞ୍ଜ- ପୁରୀ

କେ ସହିବ ମୋର- ବେଦନା । ୧ ।

ସଖି ମୁଁ ଯୋଡୁଛି କର      ଏଥକୁ ଉପାୟ କର

ଦୂରହେବ ସନ୍ତା କିନା । ୨ ।

ସକଳ କଲା ଅନ୍ଧାର      ପ୍ରଖର ମଦନଶର

ଘନଶ୍ୟାମ ଅନାଉଁ କିନା । ୩ ।

ଅସନ ମଣିଲ ବିଷ            ଗୁରୁ ହେଲା ଝୀନବାସ

କୃଷ୍ଣ କୃଷ୍ଣବୋଲି ଜପେ ନା । ୪ ।

ଶ୍ରୀମତୀ ବିଳାପ ଜାଣି      ମିଳିଲେ ସେ ବେଣୁପାଣି

ବନମାଳୀ କରେ ଭାବନା । ୫ ।

(ରାଗ – କାଶ୍ମିର । ତାଳ- ଏକତାଳି)

 

ଉତ୍କଣ୍ଠିତା

(ସଖୀ ପ୍ରତି ଶ୍ରୀରାଧାଙ୍କ ଉକ୍ତି)

ଶ୍ୟାମ ବିନେ ସଜନୀ ! ଆନେ ବଞ୍ଚିବି କି । ଘୋଷା ।

ମୁଁ ତ କରିନାହିଁ ଦୋଷ      କାହିଁକି ମୋରେ ନିରାଶ,

କରିଥିଲି କେଡ଼େ ଆଶ ଦହିଲେ କି । ୧ ।

ସେ କେକୀ ପୁଚ୍ଛଚୂଳିଆ      ନବୀନ – ଘନକାଳିଆ

କଳାପ ଗଞ୍ଜମାଳିଆ ନଇଲେ କି । ୨ ।

ଶେ ଯାଇ ମୁଁ ଦିବ୍ୟ ଶେଯ      ହୋଇଥିଲି କେତେ ସଜ,

କୁଞ୍ଜରାଜ କାହା ସଙ୍ଗେ ରହିଲେ କି । ୩ ।

ଏ ଜୀବନ ଯିବ-, ଜୀବ -      ଧନଙ୍କୁ କେ ଭେଟାଇବ

ଶ୍ରୀ ବୀରକିଶୋର ଦେବ କହିଲେ କି । ୪ ।

(ରାଗ –ମଙ୍ଗଳ । ତାଳ – ଝୁଲା)

 

ବାସକ ସଜ୍ଜା

(ଦୂତୀ ପ୍ରତି ଶ୍ରୀମତୀ)

ଆଗୋ ଦୂତୀ ! ଆଜରାତି ଶ୍ୟାମପ୍ରୀତି

ନୋହିଲା ଗୋ । ଘୋଷା ।

ଶେଯକରି ମୁଁ ସୁପାତି      ଜାଲିଲି କର୍ପୂର-ବତୀ,

ରାତିଯାକ ଉଜାଗରେ ଦେଖ ଆସି ପାହିଲା ଗୋ । ୧ ।

କାଳିଆ ପୁରୁଷ ପ୍ରୀତି      ଅବଳାନାରୀ ଯୁବତୀ

କରତି ହେଉଛି ଛତି ଧରତୀରେ ସହିଲା ଗୋ । ୨ ।

କରିଥିଲି ପ୍ରତିଆଶା            ହରଫେଡ଼ିବେ ଦୁର୍ଦ୍ଦଶା

ମୋଠାରେ ଏଡ଼ିକି ଦାଶ କେଉଁନାରୀବିହିଲା ଗୋ । ୩ ।

ଗୀତେ କହେ ବନମାଳୀ      ଏ ରସରେ ଭାଳି ଭାଳି

ବାନ୍ଧିଥିଲି ଫୁଲ- ଗଭା ବାସି ହୋଇ ରହିଲା ଗୋ । ୪ ।

(ରାଗ – ଦକ୍ଷିଣୀକାମୋଦୀ । ତାଳ – ଆଠତାଳି)

 

ବାସକ ସଜ୍ଜା

(ସଖୀ ପ୍ରତି ଶ୍ରୀରାଧା)

କାହିଁକି ନଇଲେ ମୋର କୁଞ୍ଜକୁ ଶ୍ୟାମନାଗର ।

କି ମନ୍ତ୍ର କଲା ସେ କେଉଁ ଚତୁରୀ ରସିକାବର । ଘୋଷା ।

ଜାଳି ରତନ- ଦୀପାବଳୀ      ଅତି ସୁଯତନ କରି

ମଣ୍ଡିଥିଲି କେଳି- ଦାସ ହେଲା ସବୁ ଛାରଖାର । ୧ ।

ଜାଣି ମୁଁ ଅତି ହରଷେ      ଟାଣି ଚନ୍ଦ୍ରାତପ ତୋଷେ

ବାଣୀକି ବିଶ୍ୱାସ କରି ହେଲି ସଖୀ ! ଏତେ ଦୂର । ୨ ।

ଚୁଆ, ଚନ୍ଦନକୁ ଗୋଳି,      ଗୁନ୍ଥିଲି ନିଆଳିମାଳି,

ଭାଙ୍ଗିଥିଲି ନାଗମଲ୍ଳୀ ବାସି କଲେ ବଂଶୀଧର । ୩ ।

ଶ୍ରୀହସ୍ତେ ମୁରଲୀ ଛୁଇଁ      କହିଥିଲେ ଆନ ଦେଇ

କାହିଁଗଲା ସତେ ଆହା ସେ ଆଶା ଭରସା ମୋର । ୪ ।

ବନମାଳୀ ଦାସ ଭଣି      କି ହେବ କଲେ ଭାଳେଣି

ଭୁଲାଇ ମଲ୍ଳ – ଘରଣୀ ବନ୍ଦିକଲା ଏ ନିଶାର । ୫ ।

(ରାଗ – ଭୂର୍ପାକ । ତାଳ – ଏକତାଳି)

 

ବାସକ ସଜ୍ଜା

(ସଖୀ ପ୍ରତି ଶ୍ରୀଣାଧା)

ଦୂତୀ ଗୋ ହେଲା ପାହାନ୍ତି, (ସଖୀ ଗୋ ହେଲା ପାହାନ୍ତି)

ଏତେବେଳଯାଏ ମୋ ଶ୍ୟାମ ଦେଖା ନାହାନ୍ତି । ଘୋଷା ।

ବାସକ ସଜ୍ଜା ମୋହର,      ଚୂଆ ଚନ୍ଦନ ଅଗୁର

ବାସି ହୋଇଯିବ ମୋର କୁସୁମ ପନ୍ତି । ୧ ।

ଏହା ଯେବେ ଜାଣି ଥାନ୍ତି      ଏଥକୁ ଆସି ନଥାନ୍ତି

ଉଜାଗରେ କି ପୁହାନ୍ତି ଏ କାଳରାତି । ୨ ।

ଆସନ୍ତେ ଯେବେ ଏକ୍ଷଣି      ଧରନ୍ତି ମୁଁ ପାଦ ପାଣି

ପ୍ରୀତିରସେ ରସାଇଣ ଚୁମ୍ବ ଦିଅନ୍ତି । ୩ ।

ଗୀତେ କହେ ବନମାଳୀ      ଶୁଣ ଗୋ ପରାଣ ଆଳି !

ଭେଟ କରାଇବି ଶ୍ୟାମ ନିକୁଞ୍ଜ ହାତୀ । ୪ ।

(ରାଗ - ଢିପା । ତାଳ – ଝୁଲା ।)

 

ବାସକ ସଜ୍ଜା

(ସଖୀ ପ୍ରତି ଶ୍ରୀରାଧା)

ଏବେ ସଜନୀ କି ହେଲା ?

ଶ୍ୟାମ ପ୍ରୀତିରେ ସୁଖ ନୋହିଲା । ଘୋଷା ।

ହେଲା ବଡ଼ ପରାପଦ      କେ ସହିବ ଅପବାଦ

ଦାଣ୍ଡ ଲୋକ ଶୁଣି ବାଦ କରି କଥା ମୋତେ କହିଲା । ୧ ।

ଚିନ୍ତାକରି ଦିବା ନିଶି            ଦିନ ସରୁନାହିଁ ବସି

ଚାହିଁ ନୟନରୁ ନୀର ଖସି ଉରକୁ ଯାହା ଦହିଲା । ୨ ।

ନଇଲେ ସେ ପୀତପଟ      କାହୁଁ ଶିଖିଲେ କପଟ,

ଚାହିଁ ଚାହିଁ ଯେତେ ବାଟ ଆସି ସଙ୍କେତ ରାତି ପାହିଲା । ୩ ।

ସେ ମୋହନ ଲୋଭେ ପାଣି             ଯାଉଥାଏ ସିନା ଆଣି,

ବନମାଳୀ ଦାସ ଭଣି, ଆଉ ଯମୁନା ଯିବା ନୋହିଲା । ୪ ।

(ରାଗ – କର୍ଣ୍ଣାଟ । ତାଳ – ଆଠତାଳି)

 

ବାସକ ସଜ୍ଜା

କାଳିଆ ନାଗ ତୁଲେ କି ପ୍ରୀତି

ନ ଜାଣୁ କି ତାର ଦଂଶିବା ରୀତି ଗୋ । ଘୋଷା ।

କ୍ଷୀର ଦେଇ ପୋଷିବାର ଯେ ବୃତ୍ତି ।

ଉଦଗାରେ ଗରଳ ଶୁଣୁଛି ଶ୍ରୁତି ଗୋ । ୧ ।

ସେ ଅଣବିଶ୍ୱାସୀ ଦୁର୍ଦ୍ଦଣ୍ଡ ଅତି ।

ତା, ନା ପଡୁଁଜଳ ଉଠଇ ଛାତି ଗୋ । ୨ ।

ଦୂରୁଁ ଜୂହାରୁଛି ତାକୁ ଲେ ଦୂତୀ,

ନୋହୁ ପଛେ ଆଉ ଶଠ ସଙ୍ଗତି ଗୋଟି । ୩ ।

ଜାଗରେ ପୁହାଇ ଦେଲା ଯା ରାତି ।

ବୃଥା ହେଲା ପୁଷ୍ପ- ତଳ୍ପ ସୁପାତି ଗୋ । ୪ ।

ବନମାଳୀ ବୋଲେ ଚିତ୍ତରେ ଚିନ୍ତି

କେ ସହିବ ? ଏହା ନିକିତି ନିତ ଗୋ । ୫ ।

(ରାଗ – ତୋଡ଼ି ପରଜ । ତାଳ – ଆଠତାଳି)

 

ଖଣ୍ଡିତା

(ଶ୍ରୀକୃଷ୍ଣ ପତି ଶ୍ରୀରାଧା)

କାଲି କାହିଁକି ନଇଲ ଶ୍ୟାମନାଗର ?

ଯାହା ହେଉଅଛି ଦେହ ମନରେ ମୋର । ଘୋଷା ।

ଆଉ କେ ଯିବ ବିଶ୍ୱାସ      ଲମ୍ପଟିଆ ପୀତବାସ

ତଣ୍ଟିକଟା ଆଚରଣ ଏକା ତୁମ୍ଭର । ୧ ।

କୁଞ୍ଜକୁ ସଙ୍କେତ ଦେଇ      ଭଣ୍ଡିଲ ମୋତେ କିମ୍ପାଇଁ ?

ଦଗାଦାର ନଟବର ମୂରଲୀଦର । ୨ ।

ଏହିପରି ତୁମ୍ଭ ରୀତି            ଜାଣି ନ ଥିଲି ଶ୍ରୀପତି !

ଗଛରେ ଚଢ଼ାଇ ମୂଳ କାଟି ଦେବାର । ୩ ।

ବନମାଳୀ ଦାସ ଭଣେ,      ତୁମ୍ଭସରି ନାହିଁ ଜଣେ,

ହଟିଆ ନଟକୁଟିଆ ହେ ଚିତ୍ତଚୋର । ୪ ।

(ରାଗ – ମୋହନା, ତାଳ, - ଝୁଲା)

 

ଖଣ୍ଡିତା

(ଶ୍ରୀରାଧା- ଶ୍ରୀକୃଷ୍ଣ ଉକ୍ତି ପ୍ରତ୍ୟକ୍ତି)

ମଧୂର ବଚନେ            କହନ୍ତି ମୋହନ

ଚିତ୍ତ କରିବାକୁ ବୋଧ ।

କାଲି ଅନାୟତେ            ରହିଲି ସଜନୀ,

କଲି ବଡ଼ ଅପରାଧ ।

ଭାଷେ କିଶୋରୀ ଯେ,      ଶ୍ରୀମୁଖ ଯାଇଛି ଶୁଖି ।

ଅନିଦ୍ରା ହେଇଲା            ପ୍ରାୟେ ଦିଶୁଅଛି

ନୀଳ – ଇନ୍ଦୀବର ଆଖି । ୧ ।

ବୋଲେ ବନମାଳୀ            ଧବଳୀ ବତ୍ସା ମୁଁ

ଲୋଡ଼ି ଲୋଡ଼ି ଶ୍ରମ ପାଇ ।

ପ୍ରସର – ଯାମିନୀ            ହେବାରୁ କାମିନୀ

ଶୟନ ଭୋଜନ ନାହିଁ ।

ଭାଷେ କିଶୋରୀ ଯେ,      ଅଧରେ ଏ କିସ କ୍ଷତ ?

ଗୁପତନ କରି            ଆହେ ନନ୍ଦସୁତ !

ବ୍ୟକତ କରି କହତ । ୨ ।

ବୋଲନ୍ତି ରସିକ            ଶୁକମୁଖେ ମୁଖ

ଦେଇ ପଢ଼ାନ୍ତେ ସଙ୍ଗୀତ

ସେଥି ଥିଲା ଚଳି            ବିମ୍ବଫଳ ବୋଲି

କଳା ତହିଁ ଚଞ୍ଚୁଘାତ ।

ଭାଷେ କିଶୋରୀ ଯେ,      ଅଧରେ ଏ କିସ କଳା

ଜାମୁଫଳ ଏକ            ଚାଖିଲି ରେ ବାଳା ।

ତହୁଁ ବୋଳ ଲାଗିଗଲା । ୩ ।

ରସବତୀ ଭାଷି            ମଳିନ ତ ଦିଶି

ତବ ଅଙ୍ଗେ ଅଙ୍ଗ ବାସ ।

ସଖା କରି ମେଳି            ଦେଲେ ଗେରୁ ବୋଳି

ଦେବ ସଖୀ ! ଅଙ୍ଗଦେଶ ।

ଭାଷେ କିଶୋରୀ ଯେ ତନୁରେ ଏ କିସ ଗାର !

କଣ୍ଟକ ବନେ ମୁଁ            ଲୁଚିବି ତରସ୍ତେ

ତେଣୁ ତନୁ ନାରଖାର । ୪ ।

ବୋଲନ୍ତି ରାଧିକା            ବଞ୍ଚକ ଜୀବିକା

କରି ତୋଷିବ କି ମନ ?

ରତି – ଶାନ୍ତ            ରଦ କ୍ଷତ,

ଚୁମ୍ବଦାନ ଦିଶୁଛି କରଜ ଚିହ୍ନ ।

ଏତେ ଲକ୍ଷଣ ଯେ,             ବହିଛ କପଟୀ ଗୁରୁ !

ବୋଲେ ବନମାଳୀ            ଭାଷନ୍ତି ଶ୍ରୀମତି

ଜୁହାର କରୁଛି ଦୂରୁ । ୫ ।

(ରାଗ – ଆଶାବରୀ । ତାଳ – ଆଡ଼ତାଳି)

 

ଖଣ୍ଡିତା

(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)

ଶଠ ନାଗରେ ହେ, ! ତୁମ୍ଭ ପ୍ରୀତି ଜଣାଗଲା,

ଥାଉ ପଛେ            ଦେବା ନେବା ପଣ,

ଦେଖିବା ସ୍ୱପ ହେଲା । ଘୋଷା ।

ତୁମ୍ଭ ଧୃତି ପଣ             ଯେତକ ବଚନ

ନ କହି ପଦ୍ମ.. ଲୋଚନ !

ଯେତେ କାମ ଖେଦ      ହୋଇଲା ବିଷାଦ,

ତା ପାଶେ କର ଗମନ । ୧ ।

ନିଦ୍ରା ଦୂର କରିବ            ଯେବଣ ଚତୁରୀ

ତୁଲେ ବଞ୍ଚିଲ ରଜନୀ ।

ତାହାର ପୀରତି            ଯେତେ ତୁମ୍ଭ ପ୍ରତି

କହୁଛି ନୟନ ବେନି । ୨ ।

କେଳି ରସ ବେଳେ            ତାକୁ ସ୍ନେହ ଭୋଳେ

ଲୋଚନେ ଦେଲ ଚୁମ୍ବନ ।

ଏ ତୁମ୍ଭ ସୁରଙ୍ଗ            ଅଧର ବିରଙ୍ଗ

ଉଜ୍ଜ୍ୱଳେ ଅତି ମଳିନ । ୩ ।

ତାର କରରୁହ            ଯେତେ ତୁମ୍ଭ ଦେହ,

ଯେମନ୍ତ ଦିଶଇ ଶୁଣ ।

ଜମ୍ବୁନଦ ରେଖା,            ଲେଖିଥିଲେ ଶିଖା

ଜାଣି ମରି ତ ପାଷାଣ । ୪ ।

ଠାବେ ଠାବେ ପୁଣି            ଚୁଡି ଚିହ୍ନ ଘେନି

ଆସିଛ ସରମ ନାହିଁ ।

ବୋଲେ ବନମାଳୀ            ସତ କିଏ ମିଛ,

ଦରପଣେ ଦେଖ ଯାଇଁ । ୫ ।

(ରାଗ – ତୋଡ଼ି । ତାଳ – ଝୁଲା)

 

ଖଣ୍ଡିତା

(ସଖୀ ପ୍ରତି ଶ୍ରୀରାଧା)

ସେ ନଟ ନାରେ କହ୍ନା ।

ସଖୀ ! ତା, କଥା ତୁ ମୋତେ କହନା । ଘୋଷା ।

ଯାହା କରି ଦେଲା କାଲି,      ମୁଁ ବୋଲି ସିନା ସହିଲି

ଆଉକେ ସହନ୍ତା ଭଲା ସେ ଯାତନା । ୧।

ସୁଆଗିନୀ ଚନ୍ଦ୍ରାବଳୀ,      ତା ପାଶକୁ ଯାଉ ଚଳି

କୁଞ୍ଜ- ଦ୍ୱାର ତାକୁ କରିଦିଅ ମନା । ୨ ।

ଶତ ଧୃତ ଦଗାଦାର,      ଭାଷା ଆଠକଣ ଜାଣ,

ତୁଣ୍ଡେ ନ ବସାଇବି ମୁଁ ତାହାର ନାଁ । ୪ ।

କାଳିଆ ଜାତି ଯେତେକ,      ଗୋଳିଆ ମତି ତାହାଙ୍କ

ହୃଦାନ୍ତରେ କରକିନା ବିବେଚନା । ୪ ।

ଚେତିଲି ମିତ ! ହିତ ହେଲା ବିପରୀତ,

ମୋ କରମେ ଥିଲା ଏତେ କଦର୍ଥନା । ୫ ।

ବୋଧି କହେ ବନମାଳୀ,       ରାଧେ ! ସହିଯାଏ ପାଳି

ପ୍ରିୟ କଲାର ଦୋଷକୁ ତୁ ଧରନା । ୬ ।

(ରାଗ – ନାଟ କୁରଙ୍ଗ । ତାଳ – ପହପଟ)

 

ଖଣ୍ଡିତା

ଯାଅ ହେ ଲମ୍ପଟ            ନଟବର ଶଠ ଧିଟ ।

ଏ ବେଲି ଦେଖାଅ            ଚନ୍ଦ୍ର – ନିଳୟ ନିକଟ ।

ଖଣ୍ଟ ବିଟ ମଧୁଲିଟ ।

ରଙ୍ଗ କୁଞ୍ଜେ ଅନୁସର ଶିଖଣ୍ଡ – ମୁକୁଟ । ୧ ।

ସିନ୍ଦୂର ବିନ୍ଦୁ ଯାହାର            ଲେଖାଇ ଆଣିଛ

ଚାତୁରୀ ଯେତେକ ତହିଁ      ବଖାଣ ଯା ସ୍ୱଚ୍ଛ ।।

ଲିଭିନାହିଁ ମୃଗମଦ ।

ଅରଜି ଆସିଛ ଆହା କରଜ ସମ୍ପଦ । ୨ ।

ଗଣ୍ଡରେ ତାମ୍ବୁଳ ବୋଳି      ଦିଶେ ଦାଉ ଦାଉ

ଲଜ୍ଜା ନାହିଁ କି ବଦନେ      ଏ ବଞ୍ଚନା ଥାଉ ।।

ଆହେ କପଟୀଙ୍କ ଗୁରୁ !

ଏପରି ପୀରତିଆଙ୍କୁ ଜୁହାର ମୋ ଦୂରୁ । ୩ ।

ହେଜ ହେଜ କାଲି କଣ୍ଟ ଦେଇଥିବା କଥା

ଦରଶନ ଦେଉଅଛ ଏତେବେଳେ ବୃଥା ।

ଗାତ୍ରଗୋଟି ଯାକ ତବ ।

କୁଙ୍କୁମଚିହ୍ନରେ କି ସୁନ୍ଦର ତ କେଶବ । ୪ ।

ରାଗ ରହିଅଛି ଅଙ୍ଗେ ପୁଣି ଚୁନସଞ୍ଚା ।

ରସିକ ଶେଖର ଆଉ କଥାରେ ନ ବଞ୍ଚା ।

ହସାଇଲା ତ ଭଗୀର ।

କେତେ ଯେ କଷଣ ଦିଆଇଲ ଗିରିଧାରୀ । ୫ ।

ରିଷାମାଳିନୀ ନ ହେଉ ମୋ ପରି ସେ ବାଳୀ ।

ଉଚିତ ବିନୟ କର ହୋଇ ନିଉଛାଳି ।।

ଠକ ଚିନ୍ତାମଣି ଶ୍ୟାମ ।

କହେ ବନମାଳୀ ରାଧେ, ଅପରାଧ କ୍ଷମ । ୬ ।

(ରାଗ – ଶଙ୍କରାଭରଣ । ତାଳ – ତ୍ରିପଟା)

 

ମାନଭଙ୍ଗେ ଚାଟୁ

(ଶ୍ରୀ ରାଧାଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ବିନୟୋକ୍ତି)

ମୋ ଧନରେ ! ମନରୁ ମାନ ତୁ ବରଜ ବରଜ ବରଜ

। ଘୋଷା ।

କାହିଁକି ମଥାପୋତି                  ବସିଛୁ କୁନ୍ଦଦନ୍ତି ।

ଧରା ଚିରୁ ତୁ କରଜ କରଜ କରଜ । ୧ ।

ଦୁଃଖୀ ଜନର ପାଇଁ                  ଶୁଖିଯାଇଛି କାହିଁ,

ତୋର ବଦନ – ସରୋଜ ସରୋଜ ସରୋଜ । ୨ ।

କାମସିନ୍ଧୁ ତୁ ଏକା            ତୁହି ନବ ନାବିକା,

ପାରିକର ତୁ ଗରଜ ଗରଜ ଗରଜ । ୩ ।

ଆଉ ନ କର ଛନ୍ଦ            ଭୁଜେ ବାନ୍ଧି ଦେ ଦଣ୍ଡ

ଘେନ ଆଜ ମୋ ଅରଜ ଅରଜ । ୪ ।

ବଦତି ବନମାଳୀ            ନ ବସ ଆଉ ଭାଳି

କୁଞ୍ଜେ ନବୀନା କେଳି ସରଜ ସରଜ ସରଜ । ୫ ।

(ରାଗ – ଝଂଝଟ । ତାଳ – ଆଠତାଳି)

 

ମାନଭଙ୍ଗେ ସଖୀ ସମ୍ବୋଧନ

(ଶ୍ରୀରାଧାଙ୍କର କଳା ବର୍ଜ୍ଜନେ ଦୂତୀ ଉକ୍ତି)

ସରାଗ ତୋ ମୁଖେ            ନାହିଁ ଗୋ ଶ୍ରୀମତୀ

ସରାଗ ତୋ ମୁଖେ ନାହିଁ ।

ସରାଗ ସିଞ୍ଚିଲା            ପଙ୍କଜ ପରାୟେ

ହୋଇଅଛୁ କାହିଁପାଇଁ । ଘୋଷା ।

ନିନ୍ଦୁ ଘନଶ୍ୟାମ            ଶୋଭାକୁ ତୁ କିମ୍ପା

ପିନ୍ଧୁ ନାହୁଁ ନୀଳ ଚେଳ ?

ଚାରୁ – ମୃଗମଦ-            ତିଳକ ଲାବଣ୍ୟ,

ନିଶ୍ଚଳେ ନକରୁ ମେଳ । ୧ ।

ରାଜ ଜେମା ! କ୍ଷମା      ଉଚିତ ତୋହର

ଏହା ମନେ ବୁଝିଥିବୁ ।

ଲାଳନା, ତୋ କଥା            ବୁଝି ବସିଲେତ

ଦଣ୍ଡରେ କଳନା ଯିବୁ । ୨ ।

ବାଞ୍ଛା – ବଟତଳେ            ତପ କରିଥିଲେ

ତୋ ପାଦେ ଦେବାକୁ ଲାକ୍ଷା ।

ଅଦୋଷରେ ରାଗ            କରି ପଶ୍ଚାତାପ

କହିଅଛୁ କୁଟିଲାକ୍ଷ । ୩ ।

ବନମାଳୀ ବୋଲେ            ଯାଦୁ ନ ଦେଖିଲେ,

ନେତ୍ରୁ ଗଳେ ଅଶ୍ରୁଧାର ।

ଶ୍ୟାମକୁ ମାନ ନ             କର ମୁଁ କହୁଛି

କାମକୁ ଯେବେ ତୋ ଡର । ୪ ।

(ରାଗ – ପରଜା । ତାଳ – ଝୁଲା)

 

ଦୁର୍ଜ୍ଜୟ ମାନ

(ସଖୀ ପ୍ରତି ଶ୍ରୀରାଧା)

ଲୋଡ଼ା ନାହିଁ ସେହି ପ୍ରୀତି ଗୋ, ପ୍ରାଣସଙ୍ଗିନୀ । ଘୋଷ ।

ପୋଡ଼ା କରମରୁ ସିନା      ଲଭିଲି ଏତେ ଯାତନା,

କେତେ ସହିବକି ଛାତି ଗୋ, ପ୍ରାଣସଙ୍ଗିନୀ । ୧ ।

ଯେଣେ ଅନାଇଲେ ମନ୍ଦ      ଘଟୁଅଛି ପରମାଦ,

କାହିଁକି ଚାଟୁ ବିନତି ଗୋ, ପ୍ରାଣସଙ୍ଗିନୀ ।୨।

ମୋର କୁଳଟାପବାଦ      ପରକୁଦା ଗୀର ନାଦ

ଚହଳ ପଡ଼ିଛି ନିତି ଗୋ, ପ୍ରାଣ ସଙ୍ଗିନୀ ।୩।

ସ୍ନେହକଲି ଶ୍ୟାମ ତୁଲେ      ଏ ଖଣ୍ଡକ ଜାଣିଥିଲେ

ବଳାଇଥାନ୍ତି କି ମତି ଗୋ, ପ୍ରାଣ ସଙ୍ଗିନୀ ।୪।

ଥରେ ଭୁଲିଗଲି ସିନା      ଏଣିକି ହେଲା ଚେତନା,

ବନମାଳୀ ରଚୟତି ଗୋ, ପ୍ରାଣ ସଙ୍ଗିନୀ ।୫।

(ରାଗ – ମରୁଆ । ତାଳ – ଏକତାଳି)

 

ମାନଭଙ୍ଗେ ସଖୀ ସାନ୍ତ୍ୱନା

(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)

କାହିଁକି ନବୀନା,            ହୋଇଛ ବିମନା

ସତକରି କହ ମୋ ଆଗରେ

ନିମିଷେ ଅନ୍ତର            ହେଲେ ବଂଶୀଧର,

କୋଟି – ଯୁଗ ସରି ମଣୁଟିରେ । ଘୋଷା ।

ଯା ନାମକୁ ମାଳି            କରିରେ ଛଇଳି !

ଲମ୍ବାଇଲୁ ଆଳମାନଙ୍କୁ ନଭାଳି,

ସେହି ବନମାଳୀ            ତୋର ପାଦଧୂଳି

ଶଯ୍ୟାକରି ନିଦ୍ରା ଯାଉଛି ରେ ।୧।

ଯାର ଲାଗି ବ୍ରତ            ପାଳିଲୁ ଗୋ ମିତ !

ଜାଣି ତୋ ନିୟତ, ଦୋଷ ଉମାକାନ୍ତ,

ଲଭି ତାଙ୍କୁ ତୁ ତ            କୁ ପର ବତ,

ଏହା କି ତୋହର ଉଚିତ ‌ରେ ।୨।

ଯମୁନାକୁ ନୀର            ଆଣିବାର ତର

ତର ରାମାବର ! ହେଉ ଯା ଅସ୍ଥିର,

ଭେଟିଲେ ନାଗର            ହୋଇଯାଉ ଦୂର

ମଥା ପୋତି ରହୁ ଗୁମାନ ରେ ।୩।

ଅପମାଦ ହାଟ            ହୋଇଲା ପ୍ରକଟ

ନ ମାନିଆକଟ କଲୁ ତାଙ୍କୁ ଇଷ୍ଟ,

ଆଗୋ ନାରୀଶ୍ରେଷ୍ଠ !      ପାଇଲୁ ତୁ କଷ୍ଟ,

ପଥେ ବସିଅଛି ତୋ ଆଶାରେ ।୪।

ଇନ୍ଦ୍ର ନୀଳମଣି            ପାଇ ଗୁଣମଣି,

ହରାଇଲେ ଜାଣି, କିଏ ଦେବ ଆଣି ?

ବନମାଳୀ ବାଣୀ            ମାନ ଯୋଷାମଣି,

ଭେଟ ଯାଇଁ ତୋର ଚିତ୍ତଚୋରେ ।୫।

(ରାଗ – ଖମ୍ବାଜ । ତାଳ- ଏକତାଳି)

 

ସଖୀ ସାନ୍ତ୍ୱନା

(ଶ୍ରୀରାଧାଙ୍କ ପ୍ରତି ଲଳିତା)

ଶ୍ୟାମେ ତୁ ନୁହଁ ବିମନା ରେ, ସୁମନା । ଘୋଷା ।

ମୁଞ୍ଚ ଏ ରୂଷାଣି            ଆରେ ବୀଣାପାଣୀ,

ଛାମୁକୁ ନକର ମନା ରେ ।୧।

ହତ ଓଠ ଧରି, କଟାକ୍ଷେ ଅନା ରେ ।୨।

ସୁଚିତ୍ତେ ବିଚାର            ସେ ତୋର ତୁ ତାର

ଜୀବନ ସଙ୍ଖାଳି ସିନା ରେ ।୩।

କଲେ ହତାଦର,            ହେବେଟି କାହାର ?

ସେ ଘନ କାଳିଆ ସୁନାରେ ।୪।

ବନମାଳୀ କହେ-            କାହା ଦେହ ସହେ

ଦେଖି ମୋହନ ଯାତନା ରେ ।୫।

(ରାଗ – ପୁରବୀ, ତାଳ- ପହପଟ୍ଟ)

 

ମନଭଙ୍ଗେ ପ୍ରବୋଧ ଉକ୍ତି

(ଶ୍ରୀରାଧାଙ୍କ ପ୍ରତି ସଖୀ)

ମାନକରି ମୋହନଙ୍କୁ, ରହିବୁ କି । ଘୋଷା ।

ବେନୁ ବାଳ ବୃନ୍ଦାବନକୁ      ଧେନୁ ଘେନି କଳାକାହ୍ନୁ

ଆସନ୍ତେ ପାଶୋରି ମନୁ ରହିବୁ କି ।୧।

ସୁଖାମଣ୍ଡଳୀ ମଧ୍ୟରେ ନାଚିବାର ଧୀରେ ଧୀରେ

ଦେଖ ଝୁଲ ନୋହିଁ ତୁହି ରିହବୁ କି ।୨।

ଯମୁନା ପାଣିକି ତରେ      ନ ଯିବୁ ସେ ପଥରେ,

ଚାହିଁ, ନୀପମୁଳେ ସହୀ ରହିବୁ କି ।୩।

ବନମାଳୀ ନିବେଦନ      ଘନଶ୍ୟାମେ ନୁହଁ ବାମ,

ମନରୁ ନ ତେଜି ମାନ ରହିବୁ କି ।୪।

(ରାଗ – କୋଳହଳ । ତାଳ – ଆଠତାଳି)

 

ମାନଭଙ୍ଗେ ସଖୀ ଉକ୍ତି

(ଶ୍ରୀରାଧାଙ୍କ ପ୍ରତି ଲଳିତା)

ସ୍ନେହକୁ ଏ କେମନ୍ତ ଦିଶିଲା ରେ ?

ସେ ତୋତେ ଅନୁସରି ଭାଷିଲା ରେ । ଘୋଷା ।

ସୁଶୀଳା ରେ ବିଚାର      କାହା ଦୁଃଖ କାହାର ?

ଯାହାର ମନ ରସିଲା ରେ ।୧।

ସେବକ ଜନେ ମାନ-      କରିବାର ବିଧାନ

ଏତୋ ଅବଧାନକୁ ଆସିଲାରେ ।୨।

ସରସୀରୁହ- ମୁହୀଁ            ସରମ ଚିତ୍ତେ କେହି !

ସ୍ତନ କଠିନ ଏବେ ମିଳିଲା ରେ ।୩।

ବନମାଳୀ ବଦତି            ଶ୍ୟାମଳ ତନୁ ଚିନ୍ତି,

ଘାରି ହେବାର ବେଳ ଆସିଲା ରେ ।୪।

(ରାଗ – ଖଣ୍ଡକାମୋଦୀ, ତାଳ-ଏକତାଳି)

 

ମାନଭଙ୍ଗେ ସଖୀ ପ୍ରବୋଧ ଉକ୍ତି

(ଶ୍ରୀରାଧାଙ୍କ ପ୍ରତି ବିଶାଖା)

ଭାଳି ଭାଳି ଦିନ ସରିବ ନାହିଁ ଗୋ ।

କିଶୋରୀ ! ଶ୍ୟାମେ ହେଲୁ ଅସ୍ନେହୀ ଗୋ । ଘୋଷା ।

ଜାଣୁ ମଣି ହୋଇ ନ ପାରୁ ଜାଣି ।

ଆଣୁନାହିଁ ଚିତ୍ତେ ସଖୀଙ୍କ ବାଣୀ ଗୋ ।୧।

ହାତ ଓଠ ଦରି କହିଲି ଯେତେ ।

ତା ତ’ ନ ବୁଝିଲୁ କା’ ଦୋଷ କେତେ ଗୋ ।୨।

ଗଣ୍ଡେ ମଣ୍ଡ ବାମ କର- ପଲ୍ଲବ ।

ଦଣ୍ଡେ ନ ହେଜିଲୁ ନିଜ ସୁଲଭ ଗୋ ।୩।

ବନମାଳୀ ବୋଲେ ଏତେ ମାତର ।

ମନମୋହନଙ୍କୁ ନ କର ପର ଗୋ ।୪।

(ରାଗ – ତୋଡ଼ି । ତାଳ – ଆଠତାଳି)

 

ମାନଭଙ୍ଗେ ସଖୀ ପ୍ରବୋଧ ଉକ୍ତି

(ଶ୍ରୀରାଧାଙ୍କ ପ୍ରତି ଲଳିତା)

ସରିଯିବ ସୁଖ ଏଣିକି ଗୋ ରାଧେ !

ଦରିଦ୍ର ନିଧି ଘେନ ବାଣୀକି ଗୋ ।

ନାରୀ କୁଳେ କେହି            ବର୍ତ୍ତିବୁ ନ ଚାହିଁ,

ସେ ଶ୍ୟାମ ସୁନ୍ଦର ଠାଣିକି ଗୋ । ଘୋଷା ।

କରୀ-ଗମନା-ହର- ସୁତ ଶର, ମାରିଲା ବେଳକୁ କି ଗତି ତୋର ?

ଘାରିହେବାର ତ ହୋଇବ ନିରତ, ଝୁରି ଝୁରି ବଂଶୀପାଣିକି ଗୋ ।୧।

ବାସ ପ୍ରସାରି ଦୋଷ ମାଗିବାର- ବେଳେ କରିବା ନିରାଶ ବିଚାର

ହେଲା କି ମାତର ମଣିଲୁ ଇତର ପରାୟେ ତୋ ଚିନ୍ତାମଣିକି ଗୋ ।୨।

ପାଣି ଧରି ଜଣାଉଛି ତୋ ହିତ, ଜାଣି ଜାଣି ମଣି ମଣୁ ଅହିତ,

ଛାଣି ସୁଧା ଆଣି ଶ୍ରୀକରେ ଧରି ଯା, ପାଣିକି ଫିଙ୍ଗିଲୁ ପୁଣି କି ଗୋ ।୩।

ପଡ଼ିଲେ ତା ଗୁଣ ମନରେ ଥରେ, ଘାରିହୁଏ ହୃଦ ମନପଥରେ,

ବୋଲେ ବନମାଳୀ, ଏ ରସରେ, ଭାଳିପାଇବୁକି ଗୁଣମଣିକି ଗୋ ।୪।

(ରାସ- ଭୂପାଳ । ତାଳ –ଆଠତାଳ ଝୁଲା)

 

ମାନଭଙ୍ଗେ ସଖୀ ପ୍ରବୋଧ ଉକ୍ତି

(ଶ୍ରୀରାଧାଙ୍କ ପ୍ରତି ସଖୀ)

ବୀଣାପାଣି ଆଉ ଏଣିକି ଗୋ !

ନ ପାଇବୁ ଗୁଣମଣିକି, ଆଗୋ ରାଧେ !

ନ ଦେଖିବୁ ଗୁଣମଣିକି ଗୋ । ଘୋଷା ।

ମଧକର ଯେହ୍ନେ କମଳ- ସ୍ନେହେ,

ଚୁମ୍ବିବା ଲାଳସେ ବନ୍ଧନ ହୁଏ ।

ମଧୂ ଶେଷେ ସେ ଯୋ      ସେ ଫୁଲକୁ ତେଜେ

ମନେ ନ ପାକାଏ ପୁଣିକି ଗୋ ।୧।

ସରୋବରେ ନୀର ସିଞ୍ଚିନ କାକେ,

କେତେ ଜୀବ ଯାନ୍ତି ତୃଷା ଆକୁଳେ,

ଶୁଷ୍କ ହେଲେ ଜଳ            ତେଜନ୍ତି ସେ କୂଳ,

ଏକଥା ତୁ ନାହୁ ଜାଣିକି ଗୋ ? ।୨।

ଗୁରୁ ଗୁରୁଜନ ଲଜ୍ଜାକୁ ଏଡ଼ି,

ରହିଅଛୁ ଯାହା ପ୍ରେମରେ ଜଡ଼ି,

ଶେଷକୁ ସେ ତୋର                  ହୋଇଯିବ ପର,

ପଥରେ ମଣ୍ଡିବୁ ପାଣିକି ଗୋ ।୩।

ପ୍ରୀତି ସୂତ୍ରେ ଗୁନ୍ଥି ଯେଉଁ କାଞ୍ଚନ,

ଗଳେ ଲମ୍ବାଇଲୁ ନାରୀ ରତନ,

ଶେଷକୁ ବିଷମ                  ହେବ ଅହିସମ

ହୃଦରେ ଦଂଶିବ ଫରୀ କି ଗୋ ।୪।

ମଜ୍ଜ ଅଛୁ ଯାହା ପ୍ରୀତି ଲମ୍ପଟେ ।

ବନମାଳୀ ବୋଲେ ଆସେ କପଟେ,

ଶେଷକୁ ସେ ଧନ,            ନ ଦେବ ଦର୍ଶନ

ପଛେ ହେଜିକୁ ମୋ ବାଣୀକି ଗୋ ।୫।

(ରାଗ – ଭୈରବୀ । ତାଳ- ଆଠତାଳି)

 

ଦୁର୍ଜ୍ଜୟମାନ

କାହିଁକି ଏଡ଼େ ରୁଷାଣୀ ! କିଶୋରମଣି !

ନୟନୁ ଝରାଉପାଣି ।

ନୋହେ କି ସେ ତୋର      ନୋହୁ କି ତୁ ତା’ର ?

ବୃଥା ସନା ଏ ଭାଳେଣିରେ । ଘୋଷା ।

ଯେଉଁ କଳାଦ୍ରବ୍ୟେ             ସ୍ନେହ ଅତିଲାଭେ

କରିତାଉ ସୁଲକ୍ଷଣୀ ।

ଏ କି ବିପରୀତ            କହ ପ୍ରାଣମିତ ।

ସେ କିମ୍ପା ଦୂର ହେଲାଣି ।୧।

ଯା’ର ଦେଖା ଆଶେ      ଯମୁନାର ପାଶେ

ଏଣେ ତେଣେ ତୋ ଚାହାଣି ।

ଏବେ ତା’ର ନାମ            ଧଇଲେ ବିଷମ

କୋପ ପରକାଶୁ ଆଣି ।୨।

ଯା’ର ପାଦ ଧୂଳି            ଅଙ୍ଗେ ହେଉ ବୋଲି,

ରସିକା- ବର ସିହାଣୀ ।

ଅତି ପୁଣି ତାକୁ            ପାଦେ ଠେଲିବାକୁ

ସତ ବଳିଲା କି ଘେନି ? ।୩।

ଯା’ର ଅଙ୍ଗବାସ            ନିତ୍ୟେ କରି ଆଶ

ତୋଷୁଥାଉ ରଜକିନୀ ।

ବୋଲେ ବନମାଳୀ,            ତା ଅଳ୍ପ ଦୋଷକୁ

ନ କହ ଏ ଚଳବାଣୀ ।୪।

(ରାଗ – ରଣବିଜେ । ତାଳ- ଝୁଲା)

 

ଦୂତୀ ସନ୍ଦେଶ

*ହେ ଶ୍ୟାମବନ୍ଧୁ ! ଏତେ ସରିକଲ କେଉଁ ଅପରାଧୁ ।

(ଘୋଷା)

ଇନ୍ଦ୍ର ନୀଳମଣି କାନ୍ତି ଛବି ଶ୍ରୀମତୀ ଦୁଃଖ ମୁଁ କି କହିବି -

 

ତୁମ୍ଭ ବିରହରେ ଯାହା ସେ ହେଉଛି

ସେଥକୁ କେଉଁ ଉପମା ଦେବି ।୧।

ସ୍ତନ ବିନିହିତ ରତ୍ନମାଳା – ଭାର

ମଣେ ଗୋରୀ ମେରୁତୁଲ,

କୁଙ୍କୁମ ଚନ୍ଦନ ଶୁଣି ଝଡ଼ିପଡ଼େ

ନାସେ ବହେ ତପ୍ତ ଶ୍ୱାସ ଝାଳ ।୨।

ବାମ କର ଅଧ କପୋଳରେ, ମଣିଛ ସୁନ୍ଦରୀ ବିକଳରେ,

ସେ ଅସ୍ତ ଗିରିକି ଶଶୀ ଭଜୁଛି କି

ଏସନ ମୁଁ ଅନୁମା କରେ ।୩।

ନଳିନ ନୟନପ୍ରାନ୍ତେ ତାର, ନିରବଧି ବହେ ଅଶ୍ରୁଧର,

ମୀନ କିବା ମୋତି ଉଦ୍‌ଗାର କରୁଛି ।

ଉପମା ଆସଇ ଏ ପ୍ରକାର ।୪।

ବୋଲେ ବନମାଳୀ ହେ ମୋହନ, ହେଲା ଯାହା ଏଡ଼େ ନିଦାରୁଣ

ତୁମ୍ଭ ଅଦର୍ଶନେ ବଞ୍ଚିବ କେସନେ

ମଦନ ହୁତାଶ ବହେ ପ୍ରାଣ ।୫।

*ହେ ବ୍ରଜବନ୍ଧୁ (ପାଠାନ୍ତର)

(ରାଗ – ଭାଟିଆରୀ । ତାଳ- ଏକତାଳି)

 

ଶରଣାଗତି

(ଶ୍ରୀରାଧାଙ୍କ ପ୍ରତି ବୃନ୍ଦା)

ମନ ତେଜ ସଜନୀ !

ସେ ମୋହନ ଲାଗି ମୁଁ କରୁଛି ଦୟନୀ । ଘୋଷା ।

ମୋତେ ଛନ୍ତି ପଠାଇ,      ତୋତେ ସଙ୍ଗ ନେବାପାଇଁ

ବିଳମ୍ବ କରୁ କିମ୍ପାଇଁ ରାଜନ୍ଦିନୀ ।୧।

ତରି ମନମଥକୁ,            ନିଦ୍ରା ନ ଆସେ ନେତ୍ରକୁ

ଘୋଷନ୍ତି ତୋର ନାମକୁ ଗଜ ଗାମିନୀ ।୨।

ସେବାରେ ମନାଇଁ ହର,      ପାଇଣ ଥିଲୁ ଯେ ବର,

ଏବେ ତାକୁ କରୁ ପର ରସରଙ୍ଗିନୀ ।୪।

ଝଟୁକ- କାଞ୍ଚନ-ଗୋରୀ,      ହାଟ କରୁ କି ବିଚାରି ?

ବାଟ ଚାହିଁଥିବେହରି ଗଲ ରଜନୀ ।୪।

ବନମାଳୀ ଦାସ ଭଣି      ଦୁତିକା ବଚନ ଶୁଣି,

ମାନ ତେଜିବେ ତକ୍ଷଣି, କିଶୋରୀମଣି ।୫।

(ରାଗ- ମରୁଆ । ତାଳ – ଆଠତାଳି)

 

ମନାବଶେଷେ କଳହାନ୍ତରିତା

(ସଖୀ ପ୍ରତି ଶ୍ରୀରାଧା)

ଆଲୋ ପରାଣ ସତୀ !

ତୁଚ୍ଛାକୁ ସିନା ଏ ରୋଷ ଅଛି ବହି । ଘୋଷା ।

କଲେ ମୁଁ ନିରାଶ            ରାସ- ବିହାରୀଙ୍କ,

ଜାଣି ତ ହୁଅଇ ଦୀନ ।

ଜଗି କେତେ କରେ ଦୈନ୍ୟ      ମୋତେ ଚାହିଁ ପ୍ରତିଦିନ,

ସଖୀ ! ଏ କି ? ।୧।

ବଢାଉଛି ମୁହିଁ ଯେତେ ଅନାଦର,

ବଢାଇଲା ମନେ ତାର      ସବୁ ଏ ପ୍ରେମ ସଞ୍ଚାର,

ପୁରୂବୁଁ ଅଧିକେ କଲା ଆଦର ।

ସଖୀ ! ଏ କି ? ।୨।

ନାନା ତାଳି ଦେଲେ            ମଶେ ପରିହାସ,

ତେଜ ମୁଖ ପରସନ୍ନ      କରଇ ତା ଦରଶନ,

ପ୍ରଣୟ- କୋପ ଏ ବୋଲି ହୁଏ ତୋଷ ।

ସଖୀ ! ଏ କି ? ୩।

ଦୁରୁ ଚାହିଁ ଅନ୍ତର ମୁଁ ହେଲେ ସଖୀ !

ଜାଣଇ ମୋହର ଲୋଭ      ବଢ଼ ବାବୁ ଏ ଆରମ୍ଭ –

କରେ କରୀନ୍ଦ ଗମନା ହୁଏ ସୁଖୀ ।

ସକୀ ! ଏ କି ? ।୪।

ଦେଲେ ଅପବାଦ ଅସହଣୀମାନେ,

ସେ ତ ଅତ୍ୟନ୍ତ ଲମ୍ପଟ      ମଣଇଁ ହେଲି ମୁଁ ଶ୍ରେଷ୍ଠ

ଏଥି ମୋ କି ଦୋଷ ? ନ ବିଚାର ମନେ ।

ସଖୀ ! ଏ କି ? ।୫।

ଶୁଣ ପ୍ରିୟ ମଳୀ ବୋଲେ ଗଲା ଜଣା-

ଆମ୍ଭେ ତା ନ ଦେଖି ଦିନେ      ନ ଶୁଣ ତାହା ଶ୍ରବଣେ

ବନମାଳୀକି ପରତେ ପ୍ରତାରଣା ।

ସଖୀ ! ଏ କି ? ।୬।

(ରାଗ – ଶଙ୍କରାଭରଣ । ତାଳ- ଏକ ତାଳି)

 

କଳାହାନ୍ତରିତ

(ସଖୀ ପ୍ରତି ଶ୍ରୀରାଧା)

କାହୁଁ ରାଗ- ନାଗ ହୃଦେ ପଶିଲା ରେ,

ମର୍ମ୍ମ ଦଂଶିଲା । ଘୋଷା ।

କେତେକେ ପ୍ରଣୟ କୋପେ      ନ କରନ୍ତି ଏକି ପାପ ?

କାଳି ମୁଁ ହେଲି ଅଳପ ରୁଷିଲାରେ ।୧।

ପ୍ରିୟଙ୍କୁ ବୋଇଲି ଯାଅ      ଶୁଣିଲା ମାତ୍ରେ ନିର୍ଦ୍ଦୟ,

ଉଠିଗଲେ ଲୋଡ଼ନ୍ତେ ନ ଦିଶିଲା ରେ ।୨।

ଆର୍ତ୍ତେ ପୁଣି ତାଙ୍କୁ ଲୋଡ଼େ      ମୋ ଶିରେ ବଜ୍ର ନ ପଡ଼େ

ନିକର ଏବେ ଭଗାରୀ ହସିଲା ରେ ।୩।

ଯେ କଲା ଏଡ଼େ ନିରାଶ      ସ୍ନେହ ଯେ କଲା ବିଶାନ,

ପୁଣି ସେ ଜନକୁ ଚିତ୍ତ ରସିଲା ରେ ।୪।

ବନମାଳୀ ବୋଲେ ନାଗ -      ନବବଧୂ ଅନୁରାଗ,

ଦଇବ ତା ବଙ୍କାକାରି ନାଶିଲା ରେ ।୫।

(ରାଗ – ଖଣ୍ଡବାଣୀ । ତାଳ- ଆଠତାଳି)

 

କଳାହାନ୍ତରିତ

(ସଖୀ ପ୍ରତି ଶ୍ରୀରାଧା)

ଶ୍ୟାମ ଦୋଷ ଦେଖି ମନରେ ସଖୀ ମୁଁ ବିଚାର କରିଥାଇ।

ଚାହିଁଦେଲେ ଅଣାୟତ୍ତ ହୁଏ ମନ ରେ । ଘୋଷା ।

ଦୁରୁ ନେତ୍ରେ ଭୁରୁ            ଘୋଡ଼ାଇ ଗଲେ,

ବଳେ ମୋ ଦୃଷ୍ଟ ପଡ଼େ ଯାଇଁ ।

ରୁନ୍ଧ ଥଇ କଣ୍ଠ            ନ କହିବ କିଛି

କଥା ବଳେ ବାହାରଇ ।୧।

କାହୁଁ ମୋ ପାପ            ବଦନେ ସ୍ୱିତି ଜାତ

ହୁଅଇ ତେତିକି ବଳେ ।

କରକଶ ଚିତ୍ତ            କଲେ ଚାହିଁ ମିତ !

ଦରବି ଯାଇଁ ମୁଁ ବଳେ ।୨।

ଅଭିମାନ ଧରି            ରହିଥିବି ସଦା,

ଏ ବିଚାର ଥିଲେ ହେଲେ ।

କୋଳାଇ ନେତାକୁ            ମନ ବଳେ କେଶେ

ଅକସ୍ମାତେ ଦେଖି ଦେଲେ ।୩।

କି କହିବି ଦୁଷ୍ଟ            ଚିତ୍ତ ମୋର ହେଲା

ବେଳକୁ ବେଳ ଚଞ୍ଚଳ ।

ବନମାଳୀ ଇଚ୍ଛା            କହିଥିବି ଏହି

ଜନ ପିନ୍ଧିବା ଅଞ୍ଚଳ ।୪।

(ରାଗ – ବଙ୍ଗଳାଶ୍ରୀ । ତାଳ – ଝୁଲା)

 

କଳାହାନ୍ତରିତ

(ସଖୀ ପ୍ରତି ଶ୍ରୀରାଧା)

ସଖୀ ରେ ! ଆହା କି କର୍ମ କଲି ?

ଦାରୁଣ ମାନ ଯା ଅର୍ଜି ବସିଲି । ଘୋଷା ।

ସେ ଶ୍ୟାମନାଗର ଆସି ମୋ ପାଶେ ।

କେତେ ବିନୟୀ ହେଲେ ନିଶିଶେଷେ ।୧।

ଅନାଦର କରି ଯା ନ ଚାହିଁଲି ।

ରୋଷେ ଆହା କର ଛିଞ୍ଚାଡ଼ି ଦେଲି ।୨।

କି ନିଷ୍ଠୁର ଛାତି ଏହା ସହିଲା ।

ପ୍ରାଣପନ୍ଧୁ ବୋଲି ଦୟା ନୋହିଲା ।୩।

ବନମାଳୀ ବୋଲେ ସନ୍ତାପି ନୁହଁ ।

କାହର କି ଦୋଷ ଏଥିକି କହ ? ।୪।

(ରାଗ – ତୋଡ଼ି । ତାଳ – ଆଠତାଳି)

 

ଯୁଗଳ ମିଳନ

(ସଖୀମାନଙ୍କର ମଧୁମୟ ସଙ୍ଗୀତ)

ଦେଖ ଗୋ ! ରାଧାମାଧବ ରଙ୍ଗ ।

ମଧୁର ମିଳନ ଯୁଗଳ ଅଙ୍ଗ । ଘୋଷା ।

ଅହ କି ନୟନ ଆନନ୍ଦକାରୀ ।

ଘନେ ସୌଦାମିନି ଲୀଳା- ଲହରୀ ।୧।

ରାଧ- ମୁଖ ପଦେ କୃଷ୍ଣ ଭ୍ରମର ।

ଇଚ୍ଛା- ସୁଖେ ମଧୂ ଆସ୍ୱାଦିବାର ।୨।

ଗୋରୀ ଉରଜେ କଳା ଉରଲାଗି ।

କି ଶୋଭା ଦିଶନ୍ତି ପରାଣସଙ୍ଗୀ ।୩।

ସୁନା- ପର୍ବତେ କି ଘନ ବିହାର ।

ଉପମା ସୃଷ୍ଟି କରେ ଛାରଖାର ।୪।

ବୋଲେ ବନମାଳୀ ଦାସ ଏ ରସ ।

ଦେଖି କାହା ନେତ୍ର ନୋହିବ ବଶ ।୫।

(ରାଗ – ତୋଡ଼ି । ତାଳ- ଝୁଲା)

 

ଦୂତୀପ୍ରେକ୍ଷଣ

(ସଖୀ ପ୍ରତି ଶ୍ରୀରାଧା)

ଅଞ୍ଜନ ଗଞ୍ଜନ ଛବି ଶ୍ରୀଛାମୁକୁ ଥରେ,

ଯାଅ ମୋ ସଜନୀ ! କୁଞ୍ଜ- ବନେ । ଘୋଷା ।

ଆସ, ନିରାଶ ତୁ ନ କର,

ବାସ ସୁମନ ପରିରେ ସରିଲା ହୃଦୟ ଗିର ।୧।

ତେ ଗୁମାନ ମନୁ ତୋର ।

ଧରୁଛି ତୋ କର ମୋତେ ମାର ତାପରୁ ଉଦ୍ଧାର ।୨।

ଧରାରେ ତୋ ଯଶ ବିସ୍ତାର ।

ତା’ ଅଧରାମୃତ ପାନ ଦାନେ ବିଳମ୍ବ ନ କର ।୩।

ଘେନ ବାରେ ମିନତି ମୋର ।

ଜଣଶଇ ମଣାଇ ଶ୍ୟାମେ କହ ଦୁଃଖ ସମାଚାର ।୪।

ବାଣୀ ଶୁଣି ଦୂତୀ ରାଧାର ।

ଗଳେ ବନମାଳୀ ଶ୍ୟାମ ଛାମୁକୁ ହୋଇ ସତ୍ୱର ।

(ରାଗ- ପୁନ୍ନାଗ, ତାଳ- ଝୁଲା)

 

କୁଞ୍ଜଭିସାରିଣୀ ରାଧା ଉକ୍ତି

ସଙ୍ଗିନୀରେ, ଜଣେ କେହି ମୋର ସଙ୍ଗେ ଆସ ଆସ

କେଳି ମନ୍ଦିରକୁ ଯିବି ନ ବଳେ ମନ ସାହସ । ଘୋଷା ।

ମୋ ଲାଗି କୁଞ୍ଜବିହାରୀ ବସିଥିବେ ଅନୁସରି,

ସବୁ ବାଧାବିଘ୍ନ ଲଙ୍ଘି ଭେଟିବଇଁ ପାଶ ।

ବାସକ ସଜ୍ଜା ସମ୍ଭାର, ଯାବତ ଯା ଉପଚାର

ଘେନାଇଁ ହୁଅ ବାହାର ହୋଇ ଗୋ ଉଲ୍ଲାସ ।୨।

ସୁବାସ ସୁମନ ମାଳା ମଣ୍ଡିବି ବନ୍ଧୁଙ୍କ ଗଳା,

ଖଣ୍ଡିବି ଅନ୍ତରୁ ମୋର ଏ ବିଚ୍ଛେଦ ତ୍ରାସ ।୩।

ସେ ବୃନ୍ଦାବନ ମଦନ ଶୁଭେ କରି ଆଲିଙ୍ଗନ ।

ଭାଷିବେ ପ୍ରୀତି ବଚନ ବଳାଇ ଆଶ୍ୱାସ ।୪।

ବନମାଳୀ ଦାସ ଭଣେ, ନବପରିଚାରୀ ପଣେ ।

ଅନୁଗମିବି ଗହଣେ ମିଳୁ ଅବକାଶ ।୫।

(ରାଗ- ସାରଙ୍ଗ, ତଳ- ଏକତାଳ)

 

ମିଳନ ମାଧୂରୀ

ଭଲା କଲେ କି ଭଙ୍ଗୀ ସେ ମୋହନ ।

ମୋର ପରାଣସଙ୍ଗୀସେ ମୋହନ । ଘୋଷା ।

ରାଇ ଆଜ୍ଞାଦେଲେ ହେବ ସଙ୍ଗୀ ନାଟ ।

ଲଳିତରେ ଶ୍ରୀ ଲଳିତା କଲେ ପ୍ରକଟ ସେ ।୧।

ତୁଙ୍ଗବିଦ୍ୟା ବଜାଇଲେ ମର୍ଦ୍ଦଳ ବୀଣା ।

ନୃତ୍ୟକଲେ ଇନ୍ଦୁ ରେଖା ସଖୀ ପ୍ରବୀଣା ସେ ।୨।

ରାଗ ଆଳାପିଲେ ରଙ୍ଗଦେବୀ ସଙ୍ଗିନୀ ।

ଚାମର ଢାଳନ୍ତି ଚମ୍ପାଲତା ରଙ୍ଗିନୀ ସେ ।୩।

ଚିତ୍ରା ବିଶାଖିକା ସୁଦେବୀକା ଶ୍ୟାମଳା ।

ଡାକନ୍ତି ଉକୁଟ ମିଳି ସକଳ ବାଳା ସେ ।୪।

ରାଗରସିକ ମୋହନ ଶ୍ୟାମ ସୁନ୍ଦର ।

ତାଳେ ତାଳେ କଲେ ରଙ୍ଗେ ବେଣୁ ହୁନ୍ଦରସେ ।୫।

ବୃନ୍ଦା ଯୋଗାଇଲେ ମଧୂପାନ ବିଡ଼ିଆ ।

ଦୀନ ବନମାଳୀ ସେବା ଚରଣ ଧୂଆ ସେ ।୬।

(ରାଗ – ରସକେଳି । ତାଳ – ଝୁଲା)

 

ଶ୍ରୀକୃଷ୍ଣଙ୍କ ସ୍ୱୟଂ ଦୂତୀ

(ସଖୀ ପ୍ରତି ଶ୍ରୀରାଧା)

ପ୍ରାଣ ସଙ୍ଗିନୀରେ ! କାଲି ମୁଁ କି ଲାଗେ ବୁଡ଼ିଲି ।

ତୋତେ ନ ବିଚାରି ମିତ ପଦେ ହୁଡ଼ିଲି ।

ମୁଁ ଯା ଅବିଚାରେ ପଡ଼ିଲି । ଘୋଷା ।

ଶ୍ୟାମ ହୋଇ ନାରୀବେଶ ମୋ ପୁରେ ହେଲେ ପ୍ରବେଶ ।

ଗୋଇଲେ ଗୋ ଆଗ ଆସ, ଦେଇଯିବ ଲକ୍ଷାରସ ।୧।

ଶୁଣି ତା ମୃଦୁ ବଚନ            ରହିଲା ମୋ ଚେତନ,

ପିନ୍ଧିଲି ଅତି ନିଉନ- ଝୀନବାସ ପୁରାତନ ।୨।

ଯାଇଁ ମୁଁ ଭାଷିଲି ରହ      ନ ଢଙ୍କାଇ ତାଙ୍କ ଦେହ,

କାହିଁକି ଶଙ୍କା ନିବହ ହୁଅନ୍ତା ସଜନୀ କହ ? ।୩।

ସେ ତ ନାନା ଘଳାକ୍ଷମ      ଲାକ୍ଷା ଦେଇ ଅନୁପମ

ପଦତଳେ ତାଙ୍କ ନାମ, ଲେଖିଲେ ଗୋ ଶ୍ୟାମ ।୪।

ତରକି ତାହାଙ୍କୁ ମିତ !      ଚଞ୍ଚଳ କରନ୍ତେ ଚିତ୍ତ,

ଧରି ପାଦ ନନ୍ଦସୁତ ନ ଛାଡ଼ିଲେ କଦାଚିତ ।୫।

ହେବାରୁ କୂଟ ପ୍ରକଟ      କାହିଁଗଲେ ପୀତପଟ

ବନମାଳୀ ସେ ଲମ୍ପଟ, ପାଦପଦ୍ମେ ମଧୂଲିଟ ।୭।

(ରାଗ- ବରାଡ଼ି । ତାଳ- ଏକତାଳି)

 

ମାଥୁର

ଦୁଇ ପ୍ରବାସ

(ଶ୍ରୀକୃଷ୍ଣ ପ୍ରତି ଗୋପୀଗଣ)

ମୁରୁଛି ଦେଇ କାହ୍ନୁ !      ଆମ୍ଭ ମାନଙ୍କୁ ମନୁ,

ସତେ ଯିବକି ମଧୁପୁରକୁ ହେ । ଘୋଷା ।

କେ ଆଉ ଗୋବର୍ଦ୍ଧନ      ତୋଳି ରଖିବ ପ୍ରାଣ

ବାଟ ହଟାଇ ସୁନାଶିରକୁ ହେ ।୧।

ନେଉଅଛି ଧରାଇ            ତିଳେ ବିଶ୍ୱାସ ନାହିଁ,

ସେ ନିଦାରୁଣ କଂସାସୁରକୁ ହେ ।୩।

କେତେ କେତେ ବିପଦୁଁ      ଉଦ୍ଧରିଲ କା ବାଦୁଁ,

ଏ ଗୋପ ପୁରେ ଥର ତରକୁ ହେ ।୪।

କହିଲ ବନମାଳୀ            ଗୋପୀ ନେତ୍ର ସଙ୍ଖାଳି !

କଥା ଯାଉଛି କେତେ ଦୂରକୁ ହେ ।୫।

(ରାଗ – ଜୟନ୍ତ । ତାଳ-ଆଠତାଳି)

 

ମାଥୁର

(ଶ୍ରୀକୃଷ୍ଣ ବିଚ୍ଛେଦେ ଗୋପୀମାନଙ୍କ ଭାବନା)

କାହିଁକଲେ ମୂରଲୀ ଫୁଙ୍କା ?

ଯୁବତୀ ରସିଆ କାମିନୀ ରଙ୍କା

ତ୍ରିଭଙ୍ଗ ଭଙ୍ଗୀରେ            ମୂରଲୀ ବଜାଇ

ଡାକୁଥାନ୍ତି ଆସ ଆସ ରାଧିକା ! । ଘୋଷା ।

ଗୋପପୁରେ ପଶି            ଗୋପୀଙ୍କ ମନ୍ଦିରେ

ଦହି ସୁଧ ଖାଇ ଛିଣ୍ଡାନ୍ତି ଶିକା ।

ଯମୁନା କୂଳରେ            ବସ୍ତ୍ର ଚୋରିକରି

କେଳି କଦମ୍ବରେ ବାନ୍ଧେ ପତାକା ।୧।

ମୀନ ଅବତାରେ            ସାଗର ଭିତରେ

ବ୍ରହ୍ମାଙ୍କ ଛଳରେ ମାଇଲେ ଶଙ୍ଖା ।

ତ୍ରେତୟା ଯୁଗରେ            ରାମର ଅବତାରେ

ଜାନକୀ ଛଳରେ ଭାଙ୍ଗିଲେ ରଙ୍କା ।

ପାଦ, ପାଣି ବଙ୍କା            ନୂପୁର ହିଁ ବଙ୍କା,

ଚୂଳ ହିଁ ବଙ୍କା, ତା ଚାହାଁଣୀ ବଙ୍କା

ବଙ୍କିମା ଅଧରେ            ମୂରଲୀ ବଜାଇ

ଡାକୁଥାନ୍ତି ଆସ ଆସ ରାଧିକା ।୪।

ଯମୁନା କୂଳରେ            କଦମ୍ବ ମୂଳରେ

ହରଗଉରୀ ଏ ପୂଜି ବାଲୁକା ।

ବୋଲେ ବନମାଳୀ            ସେ ପାଦେ ଶରଣ,

ଝୁରି ଝୁରି ତନୁ କ୍ଷୀଣ ରାଧିକା ।୪।

(ରାଗ – ଲଳିତ କେଦାର । ତାଳ – ଝୁଲା)

 

ମାଥୁର

(ଶ୍ରୀକୃଷ୍ଣ ବିଚ୍ଛେଦେ ସଖୀମାନଙ୍କ ପ୍ରତି ଶ୍ରୀରାଧାଙ୍କ ଉକ୍ତି)

ଆହା କି ଦଣ୍ଡ ଆସି ପଡ଼ିଲା, କାନ୍ତ ଆସିବା କଣ୍ଟ ଗଡ଼ିଲା ।

କଣ୍ଠୁ ରତନହାର ତୁଟିଲା, କେଶୁ କୁସୁମ ଗଭା ଲୁଟିଲା । ଘୋଷା ।

ବିଦେଶେ ଗଲାବେଳେ କହିଗଲେ ଯାଇଣ ଆସିବିବୋଲି ବୋଇଲେ

କେଉଁନାରୀ ତାକୁକି ମନ୍ତ୍ର ପଢ଼ାଇ ମୋର ଗଳାକୁ କାଟିଲା ।୧।

ନାଥର ହୃଦୟ ପଥର ହେଲା କେ ପ୍ରୀତି ପାସୋରା ମନ୍ତର ଦେଲା ?

ଏକାଳେ ଏକାକୀ କିପରି ବଞ୍ଚିବି, ଭୁଜଙ୍ଗ ଭକ୍ଷ ରଟିଲା ।୨।

ସାହା କେହିନାହିଁ ନାହା ବାହାରେ ଯାହାହୁଏ ଦେହ ସରଦାହାରେ,

ହଢଦର ବେଦନା କାହାକୁ କହିବି ? ନୀରେ ଉରଜ ବୁଡ଼ିଲା ।୩।

ରାଧା ବିରହବ୍ୟାଧି ସଖୀ ଦେଖି ବନମାଳୀ ବୋଲେ ଶୁଣ ଗୋ ସଖୀ

ମଥୁରା କୃଷ୍ଣ ଲେଉଟି ଆସନ୍ତେ, କୁବୁଜା ମନ ମୋହିଲା ।

(ରାଗ – ପରଜ । ତାଳ – ଆଠତାଳି)

 

ମାଥୁର

(ଦୂତୀ ପ୍ରତି ଶ୍ରୀରାଧାଙ୍କ)

ଏ ନବଯୌବନେ ମୋର କାନ୍ତ ଦୂରେ ରହିଲା

ମନେ ମନେ ମନ ଚମ୍ପା ଫୁଟି ଶୁଖି ଝଡ଼ିଲା । ଘୋଷା ।

ତାଙ୍କ ବିନୁ ନାହିଁ ଆନ      କିପରି ବଞ୍ଚିବି ଦିନ ?

ନୟନରୁ ନିରନ୍ତରେ ନୀର ଝରିଲା । ୧।

ହୃଦୟ ଚନ୍ଦ୍ର ମୋହର      କରିଗଲେ ଯାହା ପର,

ଚନ୍ଦ୍ର ବିନା ଗମନର କେଉଁ ସୁଖ ରହିଲା ।

ଯା ରୂପ ନିତି ଧିଆନ      ସେ କିମ୍ପା କରଇ ଆନ ?

ଝୁରୁ ଝୁରୁ ଶ୍ରୀଚରଣ ଦିନ ତ ନ ସରିଲା । ୩।

ଏ କି ପ୍ରୀତି ଆବେଭାର      ସରଧରେ ନାରଖାର,

ଶ୍ୟାମିନେ ହୃଦହର କାଳସର୍ପ ହୋଇଲା ।୪।

ଶ୍ରୀମତୀ ଏସନ ବାଣୀ      ଦୂତିକା ଆଗରେ ଭଣି,

ବୋଲେ ବନମାଳୀ ତାଙ୍କୁ କୁବୁଜା ତ ମୋହିଲା । ୫।

(ରାଗ – ତୋଡ଼ି ପରଜ । ତାଳ-ଆଠତାଳି)

 

ମାଥୁର

(ସଖୀ ପ୍ରତି ଶ୍ରୀରାଧା)

କାଳିଆ ଭାବ ମନକୁ ଯିବ ଗୋ !

ଝୁରି ମରିବାକୁ କଲା ଦଇବ । ଘୋଷା ।

କି ଦୁଃଖ ଦେଇ            ଗଲେ ମାଧୋଇ

ଲୋଡ଼ିଲେ ସେ ସୁଖ ଆଉ କେ ଦେବ ? ।୧।

ଯମୁନା କୂଳେ            କଦମ୍ବ ମୂଳେ

କେତେ ରଙ୍ଗ ନ ଭିଆନ୍ତି କେଶବ ? ।୨।

ନିକୁଞ୍ଜ ରାଜ            ଦିଆଇ ଲାଜ

ଅନ୍ତର ହୋଇଲେ ଭାଙ୍ଗି ଗରବ ।୩।

ତ୍ରିଭଙ୍ଗି ଠାଣି,            ବାଙ୍କ – ଚାହାଣି

ତାଙ୍କ ଲାଗି ନିଶ୍ଚେ ଏ ଜୀବ ଯିବ ।୪।

କାଲି ନିୟମ            ଯମୁନା - ସମ

ଶରଣ ଏ ରାଧିକାର ସୁଲଭ ।୫।

ଶ୍ରୀକର ଧରି            ପ୍ରବୋଦ କରି

ବନମାଳୀ ବୋଲେ ମୁଞ୍ଚ ଗୋ କ୍ଷୋଭ ।୬।

(ରାଗ-ପଟମଞ୍ଜରୀ । ତାଳ-ଝୁଲା)

 

ମାଥୁର

(ଶ୍ରୀକୃଷ୍ଣଙ୍କ ଭାବନା)

ସରଲାଣି ସୁଖ ସ୍ନେହ କାହିଁରେ ନ ଲାଗେ ମନ ।

ବରଜିଲା ଦିନୁ ବ୍ରଜପୁର ସୁଖ- ନିକେତନ । ଘୋଷା ।

ରହିଛି ସିନା ଜୀବନ            ଝୁରିବାକୁ ନିଶିଦିନ,

ଦିନ ଦିନକର ଘେନା ଘେନି ସୁଖ ବରଧନ ।୧।

ପ୍ରାଣ ସମ କିଶୋରୀର      ନ ଶୁଣେ ଅମୀୟ, ଗିର

ବଦନ-କଳ, ମଧୁର ହେଲାଣି ଏବେ ସ୍ୱପନ ।୨।

କରୁଥିବ କିସ ବସି            ଭାଳୁଥିବ ଦିବାନିଶି

ଆହାରେ ମନ୍ଦ କରମ ବିଧି ହେଲା ବିଡ଼ମ୍ବନ ।୩।

ଗୀତ କହେ ବନମାଳୀ      ବିରହ ଭାବନାବଳୀ

ଅଗ୍ନିସମ ଦିଏ ଜାଳି ନ ପାଇ ଗୋପୀଚନ୍ଦନ ।୪।

(ରାଗ-ଚିନ୍ତା କେଦାର । ତାଳ-ଆଠତାଳି)

 

ମଥୁର

(ଶ୍ରୀକୃଷ୍ଣ ବିଚ୍ଛେଦେ ସଖୀ ଶ୍ରୀରାଧା)

କହ ଗୋ କି ବୁଦ୍ଧି କରିବି ?

ପ୍ରାଣନାଥ ନଇଲେ ତ ଜୀବନ ହାରିବି । ଘୋଷା ।

ଯେ ଦେଶରେ ରହିଛନ୍ତି ମୋର ପ୍ରାଣପତି ।

ସେ ଦେଶରେ ନାହିଁ ପରା ମାର- ଶର- ଭୀତି ? ।୧।

ଯେତିକି ଟେକନ୍ତି କାନ୍ତ ତେତିକି ପକାନ୍ତି ।

ଭ୍ରମରଙ୍କ ପରି ସିନା ପୁରୁଷଙ୍କ ମତି ।୨।

ଅଙ୍କ ବିନା ମୋତେ କାନ୍ତ ନ ବସାନ୍ତି ଆନେ ।

ସେ ଏଡ଼େ ନିଷ୍ଠୁର ବୋଲି ଥିଲା କାହ ମନେ ? ।୩।

ଅବଧି ତ ବଳିଗଲା କାନ୍ତ ମୋ ନଇଲେ ।

କାହା ସୁଖ ଅଭିଳାଷେ ମୋତେ ପାଶୋରିଲେ ? ।୪।

କହେ ବନମାଳୀ ଦାସ ସ୍ଥିର କରି ମତି ।

ଅବଶ୍ୟ ଆସିବେ ଶ୍ୟାମ ନ ଭାଳ ଶ୍ରୀମତି ।୫।

(ରାଗ-ଶଙ୍କରା ଭରଣ । ତାଳ-ଆଠତାଳି)

 

ମଥୁରା

(ସଖୀ ପ୍ରତି ଶ୍ରୀରାଧା)

ବିହ ନାତି କରି ମୋତେ କାହିଁ ପାଇଁ ଗଢ଼ିଲାରେ । ଘୋଷା।

ବିଧୁ ନିଶି ମଧୂକାଳ                  ବହି ମଳୟାନିଳ,

ଏକାକିନୀ ନାତିକୁଳ ଦଶା ଆସି ପଡ଼ିଲା ରେ ।୧।

ଏ ବୟସ ଅକାରଣ            ଗଲାରେ ସଜନୀ ଜାଣ,

ବନର ମାଳତୀ ପରି ବନେ ଫୁଟେ ଝଡ଼ିଲା ରେ ।୨।

ତା ସ୍ନେହକୁ ଭାବି ଭାବି      ପୁଷ୍ପ-ଶରେ ଗଲି ଦ୍ରବି,

ମନ ତାକୁ ଧନ ପରି ନିତି ନିତି ଲୋଡ଼ିଲାରେ ।୩।

ମଧୂକର ଭଳି ହେଲେ      ମଧୂପୁର ସେ ରହିଲେ

କି ଦୋଷ ମୁଁ କଲି ବୋଲି ପ୍ରୀତି ରଜ୍ଜୁ ଛିଡ଼ିଲାରେ ।୪।

ହେଲି ମୁଁ ଅତି ନିରେଖ      ମଦନ କଲା ବିମୁଖ,

ବନମାଳୀ ବୋଲେ ଭାଳି ଏ ବିରହ ବଢ଼ିଲାରେ ।୫।

(ରାଗ –କେଦାର । ତାଳ-ଏକତାଳି)

 

ମାଥୁର

(ଶ୍ରୀକୃଷ୍ଣ ବିଚ୍ଛେଦ ସଖୀ ପ୍ରତି ଶ୍ରୀରାଧା)

ପ୍ରାଣ ସଙ୍ଗିନୀ ଗୋ ନାହିଁ ଆମ୍ଭ ବନମାଳୀ । ଘୋଷା ।

ଦେଖ ଏ କଳିକା କାଳୀ-

କୁଣ୍ଡଳୀ ଆସୁଛି ଖେଳି ।୧।

ଆସେ ବିଜୁଳି ରସନା ଚାଳି,

ସେ ସିନା କାଳୀକି ଦଳି ।୨।

କାଳନ୍ଦୀରେ କଲେ କେଳି

ସଙ୍ଗେ ଘେନି ବ୍ରଜବାଳୀ ।୩।

ଏହି ରସେ ଭାଳି ଭାଳି

ଗୀତେ କହେ ବନମାଳୀ ।୪।

(ରାଗ-ଢିପା । ତାଳ-ଆଠତାଳି)

 

ମାଥୁର

(ମଧୂପୁରେ ଶ୍ରୀକୃଷ୍ଣ ପ୍ରତି ବୃନ୍ଦା ଦୂତୀ)

ହେ ମୋହନ ! ପାଶୋରି ଦେଲେ କି ମନୁ ?

ଧେନୁ ପଛେ ବେନୁ            ବାଇ ଆସିବାରେ

ସଖା ମେଳେ ବୃନ୍ଦାବନୁ । ଘୋଷା ।

କି ନ କଲ ସତେ            କୁବୁଜା-ବନ୍ଧୂ ହେ,

ରାଧା- ପ୍ରେମଋଣୀ ହୋଇ ।

ମଧୂପୁରେ ସାଧୂ-            ପଣ ଦେଖାଉଛି

ବରଜ ବିଧୂ ମାଧୋଇ ! ।୧।

ଗୋପୀ –ନାଥ ବୋଲି      କିପରି କାହିଁକି ?

ଛାଡ଼ି ତ ଆସିଛ ଗୋପ ।

ଏବେ ଯେ ମଥୁରା-            ନାଥ ବୋଲାଇବ

କାହିଁ ସେ ତ୍ରିଭଙ୍ଗି ରୂପ ? ।୨।

ସେ ମାଧୂର୍ଯ୍ୟମୟ            ଲାବଣ୍ୟ ବିଗ୍ରହ

ଦେଖୁ ନାହିଁ ତ ନୟନେ ।

ଅଇଶ୍ୱର୍ଯ୍ୟ ମିଶା            ଆକୃତି ପ୍ରକୃତି

କେ ଶିକ୍ଷା ଦେଲା ଏ ସ୍ଥାପେ ।୩।

ଆହେ ରସ ରାଜ !            ମାଡ଼େ ମୋତେ ଲାଜ

ଏ ରାଜା ବେଶକୁ ଦେଖି ।

ବନମାଳୀ ଭାଷେ            ନଟବର ବେଶେ

ଗୋପେ ଚାଲ ବଙ୍କା ଆଖି ।୪।

 

ମାଥୁର

(ମଧୂପୁରେ ଶ୍ରୀକୃଷ୍ଣଙ୍କ ପଶ୍ଚାତାପ)

ଏଣିକି ଆଉ ନ ପାରେ ସତୀ ।

ଦୁଃଖେ ପ୍ରିୟ ସହୀ ଲୋଟଇ ମହୀ । ଘୋଷା ।

ଏ ଜୀବନ ଧନ            ଯେଉଁ ଜୀବନ ।

ଦୂରେ ରଖି କେହି ବଞ୍ଚିବ ଦିନ ? ।୧।

ଆହା ବୋଲିବାକୁ            ନାହିଁ କେ ସାହା ।

ସଞ୍ଚୁଥିବ କୁହା ଲୋତକ ବୁହା ।୨।

ଆଜନମ ସୁଖୀ ନବ ଛଇଳା ।

ମୋହ ଲାଗି କେତେ ଦୁଃଖ ସହିବି ? ।୩।

ଲାବଣ୍ୟ ପିତୁଳା            ପ୍ରେମ ସୁଆଗୀ

ମୋର ଲାଗି ସବୁ ତିଆଗୀ ।୪।

ନାଚଇ ନୟନେ            ଅନବରତେ

ତା ମୋହନୀ ଛବି ଅତି ଆରତେ ।୫।

ରଖିଲାଣି ମନ            ତାର ଧିଆନେ ।

ସହିଲିଣି ଦେହ କୁସୁମ ବାଣେ ।୬।

ବନମାଳୀ ବୋଲେ ନନ୍ଦ ନନ୍ଦନ ।

 

ଗୋପେ ଚଳ ରାଧା ହୃଦ-ଚନ୍ଦନ ।୭।

(ରାଗ-ତୋଡ଼ି । ତାଳ –ଆଠତାଳି)

 

ମାଥୁର

(ଶ୍ରୀକୃଷ୍ଣ ପ୍ରତି ବୃନ୍ଦା)

ମୋହନ ! କହିଲେ କି ହେବ ଆଉ ।

ଦିନକୁ ଦିନ ହେ, ବଳି ପଡ଼ିଲାଣି

କିଶୋରୀ ବିରହ ତାଉ । ଘୋଷା ।

ଗଲେ ଯମୁନାକୁ            ନୀର ଆଣିବାକୁ

ନୀର ଭରି ନେତ୍ର ଯୁଗେ ।

କଦମ୍ବୀ ମୂଳକୁ            ଚାହିଁ ପୁଣି ତାକୁ

କି ପୁଚ୍ଛଇ ଅନୁରାଗେ ? ।୧।

ବୃନ୍ଦାବନେ ବାଳୀ            ଆଉ ଫୁଲ ତୋଳି

ଯାଉ ନାହିଁ ତୁମ୍ଭ ବିନା ।

ଗଣ୍ଡେ କର ଦେଇ            ଚିନ୍ତାର୍ଥିନୀ ହୋଇ

ସଢୁଛି ନବନବୀନା ।୨।

କରମକୁ ନିନ୍ଦେ            କେଶ ହିଁ ନ ବାନ୍ଧେ

ବେଶରେ ନାହିଁ ଆଦର ।

ଦର କଣ୍ଠୀ ଗୋରୀ            ଦରମରା ପରି

ଢଳି ପଡ଼େ ମହୀରେ ।୩।

କି ଉନ୍ମାଦ ରୋଗ            ଘୋଟିଛି ତାହାକୁ

କେହି ନ ପାରନ୍ତି ଚିହ୍ନି ।

ବୋଲେ ବନମାଳୀ            ତୁମ୍ଭେ ସିନା ତାର

ବୈଦ୍ୟରାଜ ଚୂଡ଼ାମଣି ।୪।

(ରାଗ-ଖଣ୍ଡ ବଙ୍ଗଳାଶ୍ରୀ । ତାଳ-ସରିମାନ, ଝୁଲା)

 

ଗ୍ରାମ୍ୟ ରସ

(ନାୟକ ଉକ୍ତି)

ଏହା ତୁ ପାଇଲୁ କାହୁଁ ? ରେ ସଙ୍ଗାତ ।

ଚନ୍ଦ୍ର ସୂର୍ଯ୍ୟଙ୍କ ତ            ସେବାରେ ମନାଇଁ

ଈଶ୍ୱରେ ପାଇଛୁ ଧ୍ୟାୟିରେ । ଘୋଷା ।

ଅତି ଯତନରେ            ଝୀନ ବସନରେ

ଘୋଡ଼ାଇ ରଖିଛୁ ଯାହା ।

ତୋ ମନେ ବିଚାରୁ            କେହି ଦେଖି ନାହିଁ

ମୋ ନେତ୍ର ଦେଖିଛି ତାହା ରେ ।୧।

କେଉଁ ବିନ୍ଧାଣି            ବିଶ୍ୱକର୍ମା ଗଢ଼ିଛି

ତୋର କୁଚ କୁନ୍ଦେ ବସାଇ ।

ହୀରା ନୀଳା ମୋତି            ମାଣିକ୍ୟ ପୂରାଇ

ମର୍କତ ଢାଙ୍କୁଣି ଦେଇ ରେ ।୨।

ଯେଉଁଦିନ ହରି-            ଲକ୍ଷ୍ମୀ ବନ୍ଦାପନା

କଲେ ସର୍ବ ବ୍ରଜବାଳୀ ।

ସେହି ଦିନ ତୁହି            ମର୍କଟ - ଫରୁଆ

ଆଣିଅଛୁ ଚୋରିକରି ରେ ।୩।

ବନମାଳୀ କହେ            ଚୋରି ଯେବେ ନୋହେ

ବସନ କାହିଁକି ତାଙ୍କୁ ?

ତୋହର ଯେବେ ସେ      ଅର୍ଜିଲା ପଦାର୍ଥ

ଫେଡ଼ି ଦିଅ ନେତ୍ର ଦେଖୁରେ ।୪।

(ରାଗ-କାମୋଦୀ । ତାଳ-ଏକତାଳି)

 

ଗ୍ରାମ୍ୟ ରସ

(ନାୟକର ବିଦେଶ ଗମନେ ନାୟିକାର ଉକ୍ତି)

ଏ ଯୁବା କାଳରେ କାନ୍ତ ଛାଡ଼ି ନ ଯା ଦୂର ଦେଶ ।

ସହିକି ପାରିବି କ୍ଷଣେ ଦୁଃସହ ବିଚ୍ଛେଦ କ୍ଳେଶ । ପଦ ।

ଦେକ ବସନ୍ତ ଆଗତ, ବହେ ଦକ୍ଷିଣା ମରୁତ,

ବନପ୍ରିୟ ପକ୍ଷୀଋତ କଲେଣି ବୃକ୍ଷେ ବିଶେଷ ।୧।

ଚନ୍ଦନ ରଜନୀକର, ମୋ ପକ୍ଷରେ ହେବ ଗର,

ଜାଣି ଜାଣି ହାଣି ମୋତେ ସ୍ମରାନଳେ ନ ନିବେଶ ।

ଭାଳି ଭାଳି ଅହରହ, ବଳିପଡ଼ିବ ବିରହ,

ଜହର ସମାନ ହେବ ଆଶନ ବସନ ବେଶ ।୩।

ଏ ପିଣ୍ଡେ ପରାଣ ଧରି, ରହିବି ମୁହିଁ କିପରି ?

ତୁମ୍ଭ ଗୁଣ ଗୁଣି ଜୀବନ ହେବ ନିଃଶେଷ ।୪।

ବୋଧି ବନମାଳୀ ଭଣେ, ଦୁଃଖ କରୁ କି କାରଣେ ?

ତୋ ପାଶେ ଭେଟିବି ଧନ ବରଷା ନୋହୁ ପ୍ରବେଶ । ୫।

(ରାଗ-ମତିଆରୀ । ତାଳ-ଆଠତାଳି)

 

ଗ୍ରାମ୍ୟ ରସ

(ନାୟକ ଉକ୍ତି)

ବଲ୍ଲଭୀ ଲଭିଛି ଆଜ ବୀରବେଶ ରେ । ଘୋଷା ।

କପାଳ ସାରଙ୍ଗ ତା’ର ଭୂରୁଗୁଣ ବେଶରେ ।

ନେତ୍ର ପଞ୍ଚସର ସନ୍ଧି ଧୈର୍ଯ୍ୟ କରେ ନାଶରେ ।୧।

ଶୋଭା ପାଉଅଛି ତା’ର ତୋରା ଚନ୍ଦ୍ରହାସରେ ।

ନିତମ୍ବ ଚଳଇ ପାଇନାହିଁ ରତି ରସରେ ।୨।

ସୁମନ ଗଭା ପାଗ ବସିଛି ଶିରଦେଶରେ ।

ଜାନୁ ଯୁଗ ନିବିଡ଼େ ବାନ୍ଧିଛି ଝୀନବାସରେ ।୩।

ଝୁଣ୍ଟିଲାନାଗରା ବଜାଉଛି ଗତି ରସରେ ।

ଅଞ୍ଚଳେ ଶେଷ ପତକା ଉଡ଼େ ମହୀଦେଶରେ ।୪।

ମନସିଜ ମୋହବଶ ଫଳଦାନେ ତୋଷରେ ।

ମନକୁ ରସାଇ ବୋଲେ ବନମାଳୀଦାସରେ ।୫।

(ରାଗ-ବିଭାଷ, ତାଳ-ଅଡ଼ତାଳି ।

 

ଗ୍ରାମ୍ୟ ରସ

(ନାୟକ ଉକ୍ତି)

କି ରସରେ ରସିକା- ରତନ ରସାଇଲାରେ ।

ଭସାଇଲା ମନ ତୋଷାଇଲା ରେ । ଘୋଷା ।

କରଧରି ବସାନ୍ତେ ଉରେ

ଏ କି କଥା ଭାଷ ମଧୂରେ ସେ

କି ତରତରେ,

ଖସି ବସୁଁ ତଳେ            ଝୁଣ୍ଟିଆ ସେ କାଳେ

କାମ ନିଶାଣ କି ଘୋଷାଇଲା ରେ ।୧।

ଗଣ୍ଡେ ଚୁମ୍ୱ ବିହବିବା କାଳେ,

ମୁଖ ଏଡ଼ି ନେଲା ସେ ବେଳେ କି,

ବିଡ଼ିବା ଛଳେ,

ନୟନ ପ୍ରାନ୍ତରେ            ଠାରି ଅଳପରେ

ନେତ୍ର ଡଗରା କି ପେଶାଇଲା ରେ ।୨।

ଉଚ୍ଚ କୁଚେ ପଡ଼ନ୍ତେ ହାତ

ଗୋରୀ ହେଲା ଆଣଆୟତ୍ତ ସେ

ଇଚ୍ଛି ସୁରତ,

ଜବା ଅଧରରୁ            ପୀୟୁଷବରଷି

ମୋ ହୃଦ- ରାଜ୍ୟକୁ ଭସାଇଲା ରେ ।୩।

ବିପରୀତେ ମଜାଇ ମତି

ସୁଖେ ଦେଲା ପୁହାଇ ରାତି ସେ,

ନବ ଯୁବତୀ,

ବନମାଳୀ ବୋଲେ            ଯୁବା ଜନ କୁଳେ,

ଇନ୍ଦ୍ରପଦେ ନେଇ ବସାଇଲା ରେ ।୪।

(ରାଗ-ସଉରି । ତାଳ-ଝୁଲା, ଖେମଟା)

 

ଗ୍ରାମ୍ୟ ରସ

(ନାୟକ ଉକ୍ତି)

ସେତେବେଳର ଯେ କେତକୀ-କରନା ମୋର ।

ଆଗେ ଉଭାହୋଇ            ଲପନ କମ୍ପାଇ

ଲାଗେ କହୁ ନାହିଁ ଗିର । ଘୋଷା ।

ଋଚକ କୁଚାର            କୁଞ୍ଜଲାଗ ରୁଚ,

ଲୁଚି ଦେଖୁଥିଲେ ଦିନେ ।

ସୁଚକ ପରାଏ            ମୋର ଆସିବାର

ସଖୀ ସୁଚି ଦେଲା କାନେ ।୧।

କେଳି ନିଳୟରେ            କପାଟ ପାଶରେ,

ବନ୍ଧ ପଟ୍ଟ ଦେଖୁଥିଲା ।

ଚରମରୁ ମୋର            ଆସିବାର ଜାଣି

ପଟ ଛାଡ଼ି ଉଭା ହେଲା ।୨।

ମୋଦରେ କୀରକୁ            ଚଉପଦୀପଦେ,

ବଢାଉ ଥିଲା ନାଗରୀ ।

ଅରପଦ ହସି            ନିକଟକୁ ଆସି

କହିଦେଲି ଧୀରକରି ।୩।

ସୁରତରୁ ବଳି            ପରମ ପଦାର୍ଥ

ସ୍ୱର୍ଗେ ଥିବ ପରା ? ବୋଲି ।

ପୃଚ୍ଛୁ ସଜନୀକି            ଆଜ ରଜନୀକି

ଜଣାଯିବ ବୋଲି ଦେଲି ।୪।

ପ୍ରେମିକ ରସିକ            ବସି ବିଡ଼ୁଥାଇ

ପ୍ରେମିକାର ମନୋଭାବ ।

ବୋଲେ ବନମାଳୀ,            ହେବ କି ଏଭଳି

ସ୍ୱର୍ଗସୁଖଅନୁଭବ ।୫।

(ରାଗ – ତୋଡ଼ି ପରଜ । ତାଳ – ଆଠତାଳି)

 

ଗ୍ରାମ୍ୟ ରସ

(ନାୟକ ଉକ୍ତି)

ସଙ୍ଗାତ ! ଊଣା ନୋହୁଁ ଏ କରୁଣା ।

ବଳାରୁଣଶଧାରୀ            ବଳାଋଣାଧରୀ,

ପରାଣ ହେଉ ପୁରୁଣା । ଘୋଷା ।

ପରି ପରି ମତି            ପରି ପରି ଗତି

କଲାବେଳେ ବିଚକ୍ଷଣା ।

ସୁତ ସୁତ ମାତ            ଜାତ ସୁତ ସୁତ

ସୁତ ବୁଦ୍ଧି କର ବଣା ।୧।

ସୁମନେ ସୁମନେ            ବାନ୍ଧିଲେ ବେଣୀକି,

ତ୍ରିବେଣୀ କିବା ତୁଳନା ?

ସୁଧା ଭାଣ୍ଡ ପିବା            ଆଶେ ଲଣ୍ଡ ଭଣ୍ଡେ

ଧାଏଁ ଅହି ଟେକି ଫଣା ।୨।

ଠାରି ଦେଲା ବେଳେ      ସାରି ଦେଉ ହେଳେ

ଭୁରୁ ତା ସଙ୍ଗେ ଠିକଣା ।

ଦୂର ହୋଇଯାଏ            ସୁରପତି ସୁଖ

ହଲିବାରେ ନାକଚଣା ।୩।

କାଶନିନ୍ଦି ହାସ            ନାସେ ମୋ ପରଶ

ନ ଦିଏ ମାର ବେଦନା ।

ସାରସ- ଲପନ            ଦରଶନ ଲାଗି

ବନମାଳୀ କରେ ଜଣା ।୪।

(ରାଗ- ଦେଶାକ୍ଷ । ତାଳ – ସରିମାନ)

 

ଗ୍ରାମ୍ୟ ରସ

(ନାୟକ ଚାଟୁ ଉକ୍ତି)

(ଆହା) ଶଶୀବଦନା !      ଏ ମୋ ନାଶିବ,

ଆଶିବ ଅଶ୍ରୁନ ବରଷିବ ।

ଦିଶିବ ସବୁଶିରୀ            ବସି ତୋ ଗୁଣ ସ୍ମରି

ଶିଶିରେ ପଦ୍ମପରି ନାଶିବ । ଘୋଷା ।

ହସି ବଚନ କେବେ ଭାଷିବ ?

ଅସିତ- କେଶୀ ଦୁଃଖ ନାଶିବ,

ଋଷ ବସନା ସହୀ !            ଭାଷିଲେ ଥରେ ମୁହିଁ

ଆସି ବିବେକ ତାପ ଧ୍ୱଂସିବ ।୧।

ପୋଷିଲା ଜନ ଯେବେ ନାଶିବ,

ଋଷି ମୋହିନୀ ନିନ୍ଦା ଦିଶିବ ।

ମିଶି ମୋ ଅଙ୍କେ ଆସି      ହସି ଅଳ୍ପେ ନ ଭାଷି

ବସିଲେ ମାର ଅହି ଦଂଶିବ ।୨।

ରସି ସୁରତେ ଯେବେ ରସିବ,

କଷିଲା ସ୍ମର କାଣ୍ଡ ଖସିବ ।

ପେଷି ହେଇଲି ଏଣୀ-      ଦୃଶୀମୋ କଣ୍ଡ ଶ୍ରେଣୀ,

ପଶି କି କାମ ଭୂତ ଗ୍ରାସିବ ।୩।

ଦୋଷୀ ହୋଇଲ ଏହା ଭାଷିବ,

ଭୂଷି କରଜେ ଅଙ୍ଗ ଚଷିବ ।

ତୃଷିତ ମୁହିଁ ଚିର            ନିଶୀ ଦିବସେ ବର-

ହାସୀ ବନମାଳୀକି ତୋଷିବ ।୪।

(ରାଗ- ଭୂପାଳ । ତାଳ- ଏକତାଳି)

 

ଗ୍ରାମ୍ୟ ରସ

(ନାୟକ ମେଲାଣି)

ଧନ ! ପକାଉଥିବୁଟି ମନେ ।

ମୋତେ ଶୟନେ ସ୍ୱପନେ । ଘୋଷା ।

ଯେଉଁ ପ୍ରତିଆଶ            ଯେ କରି ନିରାଶ,

କାମିନୀ କାମ ସଦନେ ।୧।

ସଜ ପଦ୍ମ ଦେଖି            ଭ୍ରମର ଛାଡ଼େ କି,

ତାର ଆଶା ମଧୂପାନେ ।୨।

ଚନ୍ଦ୍ରକୁଚକୋର            ଚକୋରକୁ ଚନ୍ଦ୍ର,

ତୁମ୍ଭ ଅମ୍ଭ ପ୍ରୀତି ତେହ୍ନେ ।୩।

ବୋଲେ ବନମାଳୀ            ଏ ରସରେ ଭାଳି

ପର୍ବଭାବ ଭାବି ମନେ ।୪।

(ରାଗ – କେଦାର । ତାଳ- ଏକତାଳି)

 

ଗ୍ରାମ୍ୟ ରସ

(ନାୟକ ଅନୁଚିନ୍ତା)

ଆହା ମୋର ରତିଲାଳସୀ,

ମନେପଡ଼େ ତୋର ଶ୍ରୀମୁଖଶଶୀ ।

ଦରଦର ହାସ            ପୀୟୁଷ ପ୍ରକାଶ

କୁଞ୍ଚିତ ସୁନୀଳ- ଭ୍ରମର- କେଶୀ । ଘୋଷା ।

ଦିନେ ଚାନ୍ଦିନୀରେ ଚାନ୍ଦ ତଳରେ

ବସି ପରା ଧନ ମୋର କୋଳରେ ।

ତାମ୍ବୁଳ ଭୁଞ୍ଜାଇ            ମାନସ ରଞ୍ଜାଇ

ବିହିଥିଲୁ ଚୁମ୍ବ ପରାଣ ତୋଷି ।୧।

ଶେଯେ ମଲ୍ଲୀ ଫୁଲ ବିଞ୍ଚିବା କଥା

ମନେ ପଡ଼ି ହୃଦେ ଦିଅଇ ବ୍ୟଥା ।

ତୋ ବୀଣା- ବଚନ            ହେବାରୁ ସ୍ୱପନ

ମଦନ ଶାୟକ ମାରଇ ବସି ।୨।

ରଚନା ଅଳତା ମଣ୍ଡିଣ ଚିକୁରେ

ଦିନେ ଦେଖୁଥିଲୁ ମୁଖ ମୁକୁରରେ ।

ପୃଷ୍ଠଦେଶ ଥାଇ            ଶୋଭା ଦେଖୁଥାଇଁ

ଦେଖି ପ୍ରତିବିମ୍ବ ଦେଲୁ ଯା ହସି ।୩।

ଦିନେ ଘନରାତି ପାହାନ୍ତି ଜାଣି

ସୁରତି ଆଶାରେ ଧଇଲି ଟାଣି,

ରବି ବିପରୀତ            ତୋଷିଲୁ ଯେ ଚିତ୍ତ

ବନମାଳୀ ଚାଟୁ ପଦକେ ରସି ।୪।

 

ଗ୍ରାମ୍ୟ ରସ

(ନାୟିକା ଉକ୍ତି)

କାହାରେ କହିବି ସହୀ ! ମୋ ଅନ୍ତର ବାହାରେ ।

ଯାହାରେ କହିଲେ କେହି ନ ବୋଲିବେ ଆହାରେ । ଘୋଷା ।

ନାହାରେ କି ଦୋଷ କଲି ତେଜିଲେ ସେ ଯାହାରେ ।

ସାହାରେ ପଶିବି ନିଶ୍ଚେଁ ନ ପାଇଲେ ତାହାରେ ।୧।

ଆହାରେ ନାହିଁ ପୀରତି କ୍ଷିନ୍ନ ହେଲି ଚାହାଁରେ ।

ସାହାରେ ତୁ ଦେଲେ ଯିବି ଶରଣ ମୁଁ ତାହାରେ ।୨।

ବାହାରେ ପୂରିବ ସତେ ମୋ ଶ୍ରବଣ ଗୁହାରେ ।

ତାହାରେ ତେଜିଲି ମୁହିଁ ସବୁ ଆଶା- ବିହାରେ ।

ବାହାରେ ତେଜିଲି ମୁହିଁ ସବୁ ଆଶା- ବାହାରେ ।

ଗୁହାରେ ଯେ ଜାଣେ ପ୍ରୀତି ବନମାଳୀ ଜୂହାରେ ।୪।

(ରାଗ – ମୁଖାବୀ । ତାଳ- ଆଠତାଳି)

 

ଗ୍ରାମ୍ୟ ରସ

(ନାୟିକା ପ୍ରତି ସଖୀ ଉକ୍ତି)

ମୋତେ ଦିଗ ଦିଶେ ବଣା ରେ ସଜନୀ,

ମତ୍ତ ଦନ୍ତୀ ଗତି            ଶୁଣି ନିବେଦନ୍ତି

ଏବେ ତ ଯାଉଛି ଶୁଣ ରେ । ଘୋଷା ।

ପରକାଶୁଁ ପ୍ରିୟ            ଆସିବାର ସାତ

ବାର ଯାଇ ନାହିଁ ଗଣା ।

ନଳିନ- ଚରଣ             କର ଧରି ତୋର

ମାଫ କର ନାହିଁ ଶୁଣାରେ ।୧।

ଗଣ୍ଡ ମଣ୍ଡଳରୁ            ପାଣ୍ଡରତା ତୋର

ଦଣ୍ଡେ ହୋଇ ନାହିଁ ଊଣା ।

ବହିପାରୁ ନାହୁଁ            ଶ୍ରୀଅଙ୍ଗେ ମୁକୁତା

ମାଳ ଯତ୍ନେ ରତ୍ନ- ଗୁଣା ରେ ।୨।

ଗାଇପାରୁ ନାହୁଁ             ରସି ବଷେ ଗୀତ-

ମାନଙ୍କୁ ଧରିତ ବୀଣା ।

ହରିଣୀ – ଇକ୍ଷଣି ।            ଶୁଣି ନାହୁଁ ଶୁକ,

ଶରୀଙ୍କ ବୀଣା ପ୍ରବୀଣାରେ ।୩।

ପ୍ରିୟ ସଖାଙ୍କୁ            କହୁଥିଲେ ନାୟକ

ଆହୁରି ଯିବି ପଟଣା ।

ରମଣୀ – ରତନ            ଜାଣିପାରୁ ନାହୁଁ

ଦଇବର ବୁଝାମଣା ରେ ।୪।

ସେକାଳେ ସଜନୀ,            ବାଣୀ ହେଲା ତାକୁ

ବିରହ- ବଦନ ଝୂଣା ।

ବନମାଳୀ ବୋଲେ,            କଣ୍ଟତଟେ ପ୍ରାଣ

ରହି ବୁଜିଲା ଧୋଷଣା ରେ ।୬।

(ରାଗ – ତୋଡ଼ି । ତାଳ- ଏକତାଳି)

 

ଗ୍ରାମ୍ୟ ରସ

(ନାୟିକ ଉକ୍ତି)

ଏକାଳେ ଯା ପ୍ରାଣନାଥ      ବିଦେଶେ ରହିଲେ ଗୋ,

ଅଭାଗିନୀ ଠାବେ କିମ୍ପା ନିର୍ଦ୍ଦୟା ବହିଲେ ଗୋ । ଘୋଷା ।

ଅବଧି ଦିନ ତ ବଳି-      ଗଲାରି ପରାଣ ଆଳି,

ବିଷମ କାମ- ଅନଳେ ମୋ ହୃଦ ଦହିଲେ ଗୋ ।୧।

ପୁରୁଷ ଜାତି ଭମର,      ପରାୟ ରୀତି ତାଙ୍କର

ଯାହା ହୁଏ ମନ ତାହା କି ହେବ କହିଲେ ଗୋ ।୨।

କରିଥିଲେ ଗଳାହାର      ଏବେ କଲେ ଅନାଦର

କେମନ୍ତେ ଆପେ ବିଚ୍ଛେଦ ଯାତନା ସହିଲେ ଗୋ ? ।୩।

ଗୀତେ କହେ ବନମାଳୀ      ପୂର୍ବଭାବ ଦେଲେ ଟାଳି,

ଏହା ହେବ ବୋଲି ଜାଣି ନଥିଲିପହିଲେ ଗୋ ।୪।

(ରାଗ – ନଳିନୀଗୈାଡ଼ା, ତାଳ – ଝୁଲା)

 

ଗ୍ରାମ୍ୟ ରସ

(ନାୟକ ଅନୁଚିନ୍ତା)

କଳାବତୀ ଖଞ୍ଜନାସୀ ଗୁରୁ ନିତମ୍ବିନୀ ।

ଘନକେଶୀ ଉରୁଶୋଭୀ ଚମ୍ପକବରନୀ ।

ଛାନ୍ଦ ପଠିନୀ ରେ ।୧।

ଜଳଜବାସିନୀ ଝୀନବାସନୀ ନବୀନା

ଟେକସ୍ତବା ଠଣମୁଖୀ ଡ଼ାଳିମ୍ବଦଶନା

ଢଗବଚନା ରେ ।୨।

ଅରଣାଧରୀ ତରୁଣୀମଣି ଥିର ଗତି ।

ଦରହାସୀ ଧୀରାହୀରା ନବ ରସବତୀ ।

ପ୍ରୀତି ମୂରତି ରେ ।୩।

ଫୁଲକୋମଳା ବିବିଧ ବିଳାସ ମଣ୍ଡନା ।

ଭାବମୟୀ ମୋତିଦନ୍ତୀ ଯଦି ଧୈର୍ଯ୍ୟଘେନା ।

ରସବର୍ଦ୍ଦନା ରେ ।୪।

ଲାବଣ୍ୟ ନିଧି ବଚିତ୍ର ବେଶ ମନୋହରା ।

ଶଚୀପତି ଶିରୀ ଦାୟୀ ସରଦର୍ପହରା ।

ସିଦ୍ଧି ପସରା ରେ ।୫।

ହାସମଞ୍ଜୁଳା ହୃଦୟା ତାପ ଧ୍ୱଂସକରା ।

କ୍ଷଣଦା କାନ୍ତ ତୁ ବନମାଳୀ ଦିନସରା ।

କ୍ଷମାନିଧାନୀ ରେ ।୬।

(ରାଗ- ଜୟନ୍ତ । ତାଳ- ଝୁଲା)

 

ଗ୍ରାମ୍ୟ ରସ

ସଙ୍ଗିନୀରେ, ମୋର ତୁଲେ ଆସ ।

କୁଞ୍ଜ ନିଳୟକୁ ଯିବି ସାରିଛି ସୁବେଶ । ଘୋଷା ।

ମୋ ଲାଗି କୁଞ୍ଜବିହାରୀ ବସିଥିବେ ଅନୁସରି,

ପରିରମ୍ଭକାଳେ ସହୀ, କରିବି ମୁଁ କିସ ? ।୧।

ମୁଁ ଯେ ନୂତନା ବାଳୀଶ, ନ ଜାଣେ କେଳିରସ,

ଡର ଲାଗୁଅଛି ମାତେ, ସେ ନ ଜାର ପୁରୁଷ ।୨।

ଆରମ୍ଭରେ ନିଧୂବନ, ବିହୁଁ ସେ ଗଣ୍ଡେ ଚୁମ୍ବନ,

ଲାଜରେ ତ ସଢ଼ିଯିବି ସେହି ଅବାକାଶ ।୩।

କହେ ଦାସ ବନମାଳୀ, ଶୁଣରେ ନବୀନା ବାଳୀ ।

ପକାଇଥିବୁଟି ପକ୍ଷ୍ମକବାଟୀ ଅବାଶ୍ୟ ।୪।

(ରାଗ – କାଫ, ତାଳ –ଏକତାଳି)

 

ମନଶିକ୍ଷା

ସାଧାରଣ ସିଦ୍ଧି ଲାଳସା

*ମନ ! ଆନରେ

ନ ରସି ହୁଅ ତୁ ସାବଧାନ ରେ । ଘୋଷା ।

ବିଷୟା- ବିଷକୁ ଗଦ      ଭକ୍ତ ଜନ- ପ୍ରମୋଦୀ

ନର- ନନ୍ଦନ ପଦ ଗାନରେ ।୧।

ତ୍ୟଜ କୁସଙ୍ଗ ସଙ୍ଗ            କୁମତି କ୍ଷଣଭଙ୍ଗ,

ତ୍ୟଜ ଶରୀରୁ ଅହଙ୍କାର ରେ ।୨।

ନେତ୍ରେ ନ ଦେଖ ଯାହା      ସତ କି ମଣୁ ତାହା ?

ସ୍ୱପନ – ଧନ ପରି ଜାଣ ରେ ।୩।

ଏ ଯେଉଁ କଳେବର            ହେନ ଅସ୍ଥିର ସ୍ଥିର,

ଭବସାଗରୁ ପାର ରେ ।୪।

ଧୀର ଶ୍ରୀ ବୀରବର            ତୀର ମୁକୁଟ ଶିର,

ବୀର କିଶୋର ଦେବ ଗାନରେ ।୫।

(ରାଗ – ସାବେରୀ । ତାଳ- ଅଡ଼ତାଳି)

 

ମନଶିକ୍ଷା

(ଅବୋଧ ମନ ପ୍ରତି ଚୈତନ୍ୟ ଉପଦେଶ)

*ମନ ବାଇ !

ଛାଡ଼ି ନ ପାରୁକି ବିଷୟା ଗଞ୍ଜାନ୍ତି ରେ ? । ଘୋଷା ।

ଦାରା ପୁତ୍ର ପରିବାର      ଯାବତ ବନ୍ଧୁ ସରୋବର,

ଧନ ରତ୍ନ ଲଙ୍କାର,            ବାଡ଼ି ବୃତ୍ତି ସେ ତୋହର,

ସବୁ ମିଛ କିଛି ନେବୁ ନାହିଁରେ ।୧।

ଲାଗିଛି ମାୟାର ହାଟ       କାରବାର ମୋହ ନାଟ,

ବେଳ ଥାଉଁ ଦେଖ ବାଟ,       ତୋ ଚାରି ଦଉଡ଼ି କାଟ,

ଆଶ୍ରା ଧର ଦିବ୍ୟଗତି ପାଇଁରେ ? । ୩ ।

ନିଶୀ ଦିବସରେ ବୃଥା       ଭ୍ରମାଇଁ ଦେଉଛୁ ମଥା

ଜଞ୍ଜାଳକୁ କରି ପୋଥା       ଖାଉଛୁ ଜାୟାର ମୁଥା,

କେଉଁ ଲଭେ ଏ ସଂସାରେ ଥାଇ ରେ ? । ୩ ।

ଭାଷନ୍ତି ଧରଣୀଧବ       ଶ୍ରୀ ବୀର କିଶୋର ଦେବ

ଚିନ୍ତିଣ ରାଧା ମାଧବ       ଶ୍ରୀଗୁରୁ – ଚରଣ ସେବ,

ଅନୁସର ସାଧୁ କୃପା ଛାତରେ । ୪ ।

 

ମନଶିକ୍ଷା

(ଯୁଗଳ ଉପାସନା)

ଶ୍ରୀଗୁରୁ ବୈଷ୍ଣବେ ଶୁଦ୍ଧ ଭକତି ଅରଜରେ । ଘୋଷା ।

ଶିରେ ବୋଳି ହୁଅ ନିତ୍ୟେ ସାଧୁପଦ – ରଜ ।

ନ ଝୁଣ୍ଟିବୁ ମେଣ୍ଟିଯିବ ଅଙ୍ଗୁ ତୋ ଦରଜେ ରେ । ୧ ।

ବ୍ରଜ ଅପ୍ରାକୃତ ପ୍ରେମ ରସାର୍ଣ୍ଣବେ ମଜ୍ଜ ।

ଦମ୍ଭ ଅଭିମାନ ଗର୍ବ ସମ୍ବଳେ ବରଜେ ରେ । ୨ ।

ପୁଲକାଇ ଅପଘନ ହୋଇଣ ସଲ୍ଲଜ ।

ବାହୁ ତୋଳି ହରି ବୋଲି ତରଜି ଗରଜ ରେ । ୩ ।

ଭଣିଲେ ଧୀର ଶ୍ରୀ ବୀର ଗଜପତି ରାଜ ।

ଧ୍ୟାନ କରି ଶ୍ରୀ ଯୁଗଳ – ଚରଣ – ସରୋଜ ରେ । ୪।

(ରାଗ – ଶଙ୍କରଭରଣ । ତାଳ – ଏକତାଳ, ଝୁଲା)

 

ମନଶିକ୍ଷା

ଜଗତଟି ଯାକ             ହରିମୟ ମନ

ଦେଖୁଥାଅ ନୟନ ଭରି ।

ସ୍ଥାବର ଜଙ୍ଗମ             ସର୍ବତ୍ରଙ୍କ ମନ

ଭାବରେ ଅଛନ୍ତି ପରି ରେ,

ହରିବିନା ସ୍ଥାନ ନାହିଁ,

ହରି ଏକା ସବୁରି ଗୋସାଇଁ ରେ । ୧ ।

ସର୍ବ ଅନ୍ତର୍ଯାମୀ             ବ୍ରହ୍ମାଣ୍ଡର ସ୍ୱାମୀ

ପୂର୍ଣ୍ଣାନନ୍ଦ ସନାତନ ।

ପରମ ଗୁପତେ             ବିରାଜନ୍ତି ନିତ୍ୟେ

ଅଖିଳ ବିଶ୍ୱମୋହନ ରେ ।

ଭକ୍ତ ଭାବରେ ସେ ଭୋଳା,

ଶ୍ୱେତ ଅମଳ କମଳ ଡୋଳାରେ । ୨ ।

ଜଳେ ସ୍ଥଳେ ବ୍ୟୋମେ       ମହାମନୋରମେ

ପ୍ରକାଶନ୍ତି ଜ୍ୟୋତିରାଶି ।

ସ୍ୱର୍ଗ ମର୍ତ୍ତସ୍ଥଳ             ସହିତେ ପାତାଳ

ଏକା ସେହି ଶ୍ରୀନିବାସୀ ରେ ।

ତାଙ୍କୁ ଦିବ୍ୟ ନେତ୍ରେ ଅନା ।

ହରିପ୍ରେମେ ପୂରା ଅକାମନାରେ । ୩ ।

ପ୍ରାଣ ସହିତରେ             ଦେହକୁ ସମପ

ଅଭୟ ପଙ୍କଜ ପଦେ

କର ତୁ କୀର୍ତ୍ତନ             ସଦା ହରିଗୁଣ,

ନ ପଡ଼ିବୁଟି ବିପଦରେ ।

ବନମାଳୀ ଦାସେ ଭଣେ ।

ଭ୍ରମ ହୁଅନା ସଂସାର – ବଣେରେ । ୪ ।

(ରାଗ – ଦୀର୍ଘ ବଙ୍ଗଳାଶ୍ରୀ । ତାଳ - ଝୁଲା)

 

ମନଃଶିକ୍ଷା

ମାନସ ! ଘେନ ହିତ ବାଣୀକି ।

ଆନନ୍ଦେ ଭଜ ଶ୍ରୀ ବଂଶୀ ପାଣିଙ୍କ । ଘୋଷା ।

ମାନକିନୀ ଗୁରୁଦତ୍ତ ଆଦେଶ ।

ଆନସଙ୍ଗତିକ ଦୂରେ ନିବେଶ । ୧ ।

ପାନକରି ସଦା ଶ୍ରୀନାମାମୃତ ।

ଗାନକର ରାଧାକୃଷ୍ଣ ଚରିତ । ୨ ।

ମାନବ ଅମାନୀ ନିରଭିମାନେ ।

ଧ୍ୟାନରତ ହୁଅ ତୁ ସାବଧାନେ । ୩ ।

ତାନମାନେ କରତାଳି ବଜାଇ ।

ବନମାଳୀ ନାଚୁ ଲଜ୍ଜା ହଜାଇ । ୪ ।

(ରାଗ – ପୁନ୍ନାଗ । ତାଳ - ଝୁଲା)

 

ମନଃଶିକ୍ଷା

ମନଃ ! ବାଇଆ ରାଜା ।

ବଣା ହୋଇ ତୁ ଅଣ ପଥରେ ନ ଯା । ଘୋଷା ।

ଅକାରଣେ ନ ରସିଅନିତ୍ୟ ଧନେ ।

ପକାଅ ଦିବ୍ୟଦୃଷ୍ଟି ଚକାନୟନେ । ୧ ।

ରତନ ସଂହାସନେ ଚତୁର୍ଦ୍ଧାମୂର୍ତ୍ତି ।

ଯତନ କେମନ୍ତେ ସେ ଶୋଭା ଆକତି । ୨ ।

ତ୍ରିଧୂପ ପଞ୍ଚ ଅବକାଶ ଯା କରେ ।

ଦର୍ଶନ କରୁଥାଅ କୋରକ କରେ । ୩ ।

ଜୟ ଜଗତନାଥ ବୋଲି ବଦନେ ।

କୀର୍ତ୍ତନ କରି ପ୍ରମାନନ୍ଦ ବର୍ଦ୍ଧନେ । ୪ ।

ଆମରଣ ତୋ ଗାତି କମଳାସାଇଁ ।

ଭଜନୁ ଅପସରି ରହୁ କିମ୍ପାଇ । ୪ ।

ବୋଳଇ ବନମାଳୀଛାଡ଼ି ଅଳସ ।

ଅଭୟ ପାଦପଦ୍ମେ ଶରଣ ପଶ । ୭ ।

(ରାଗ – କଲ୍ୟାଣୀ । ତାଳ – ଝୂଲା)

 

ମନଃଶିକ୍ଷା

ଭଜମନ ! ଆରେ ଭଜମନ !

ଭକ୍ତବାନ୍ଧବ ଦରିଦ୍ର ପ୍ରାଣଧନ । ଘୋଷା ।

ଭଜନେ ନ କର ଅବହେଳା,

ଭବ ସାଗରେ ବୁଡ଼ାନା ଭେଳା,

ଭାସ୍ୱରନନ୍ଦନ ନ କରୁ ବନ୍ଧ ଭାବଗ୍ରାହୀ

ପଦେ ଲୟ ମେଳା । ୧ ।

ଭୟଙ୍କର କାଳ କବଳରୁ ଉବୁରିବୁ ଯେବେ ଇଚ୍ଛା କରୁ,

ଭବବନ୍ଦନୀୟ ନୀଳାଦ୍ରୀ ନିଳୟନାଥଙ୍କୁ କିମ୍ପା ନ ଅନୁସରୁ ।

ଭୁବନେକ ବନ୍ଧୁଭକ୍ତିରଙ୍କା ଭାବ ଭୋଳେ ତାଙ୍କୁ ଡକାପକା,

ଭରସା ଥାଉଁ ତୋ ଏମନ୍ତ, କି ଛାର ଶମନେ କରୁ ଶଙ୍କା।୩।

ଭୋଜନ ଆଚ୍ଛାଦନକୁ ତୁହି ଚିନ୍ତାକରୁ ବୃଥାକାହିଁ ପାଇଁ,

ଭରିଦେବ ଯେ ଅମୃତ ରସାବଳୀ କ୍ଷମା ଅନୁପାର ରମାସାଇଁ । ୪ ।

ଭାବବିନୋଦିଆ ବିଶ୍ୱମ୍ବର, ଭୂଜତଳକୁ ଆଶ୍ରୟ କର,

ଭଣେ ବନମାଳୀ ପାଦପଦ୍ମ, ଭାଳି ପ୍ରେମାନନ୍ଦ ଦିନକାଳ ହର । ୫ ।

(ରାଗ – ଭାଟିଆରୀ । ତାଳ - ଏକତାଳି)

 

ମନଃଶିକ୍ଷା

ଯତନେ ଶ୍ରୀ ଜଗବନ୍ଧୁ ନାମ

ଭଜରେ ପାଗଳ ମନ ।

ଯମଦଣ୍ଡରୁ ତୁ ମୁକୁଳି ଯିବୁଟି

ଅନ୍ତକାଳେ ନୋହି ଛନ୍ନ । ପଦା

ଯାବତ ଜୀବନ ପିଣ୍ଡେଥିବାଯାକ

କରୁଥା ହରି କୀର୍ତ୍ତନ ।

ଯଦୁକୂଳ ଚନ୍ଦ୍ର ସଦ- ହୋଇଥିବେ

ନ ହୋଇବୁ କଦର୍ଥନ । ୧ ।

ଯଶୋଦାନନ୍ଦନ ଦେବାଦିବଦନ

ଦୟାଳୁ ଜଗନ୍ମୋହନ ।

ଯାମଳାଭଞ୍ଜନ, ଭକତରଞ୍ଜନ,

କରିବେ ଦୁଃଖ ମୋଚନ । ୨।

ଯେତେ ଯା ଅର୍ଜିଛୁ ଆଜନ୍ମ ପାତକ

ଜାଣି ନ ଜାଣି ରେ ମନ ।

ଭଜୁଥିଲେ ହରି ତୁଳା ଗିରିପରି,

ସକଳ ହେବ ଦହନ । ୩ ।

ଯୋଗାରୁଡ଼ ହରି ଯାହାଙ୍କ କିଙ୍କର

ସେ ପ୍ରଭୁ ଥିଲେ ପ୍ରସନ୍ନ ।

କି ଛାର କଷଣ ବାଧିବଟି ଆଉ,

କହେ ବନମାଳୀ ଦୀନ । ୪ ।

(ରାଗ – ବଙ୍ଗଳାଶ୍ରୀ । ତାଳ - ଝୁଲା)

 

ମନଃଶିକ୍ଷା

ଆରେ ମୂଢ଼ – ମନ ! ସଦା ପାନକର ନାମରସାୟନ । ଘୋଷା ।

ଘୁଞ୍ଚିଯିବା ପାଇଁ ଭବବ୍ୟାଧି ହରିନାମ ମହୌଷଧି,

ତ୍ରିତାପ ଯନ୍ତ୍ରଣା ହୋଇଯିବ ଊଣା କରୁଥିଲେ

ନିତ୍ୟେ ତୁ ସେବନ ।

ଶ୍ରୀଗୁରୁ ବୈଷ୍ଣବ ବୈଦ୍ୟରାଜ ପଦାବ୍ରଜ

ଆଶ୍ରିତେ ହେବୁ ଭଜ,

ଦମ୍ଭ ଅଭିମାନ କରି ବରଜନ,

ହଟାଅ ଦେହୁଁ ଆଜନ୍ମ ରୁଜ । ୨ ।

ଅନ୍ୟ ଅଭିଳାଷ କୁଟିକାଟି ମିଥ୍ୟା ପ୍ରବଞ୍ଚନା ପକା କାଟି,

ମହାଜନ ପଥେ ଅନୁରତ ହୋଇ

ସଧୁସଙ୍ଗେ ବଳା ଶରଧାଟି । ୩ ।

ବେଳହୁଁ ତୁ ହୁଅ ସାବଧାନ ଗ୍ରମ ଗୀତେ ନ ନିବେଶ କାନ,

ହୃଷୀକେ ଗୋବିନ୍ଦ ସେବାକାର ଭଲେ ଦୃଢ଼ ନୋହୁଁଆନ

ସ୍ୱେଦ ଅଶ୍ରୁକମ୍ପ ପୁଲକରେ ଖଣ୍ଡ ମଣ୍ଡି ପ୍ରେମାନନ୍ଦ ଭରେ,

ହରିଗୁଣଗାଥା ଗାଅ ତୁସର୍ବଥା କହେ ବନମାଳୀ ତୋ ହିତରେ । ୫ ।

(ରାଗ – ଭାଟିଆରୀ । ତାଳ - ଆଠତାଳି)

 

ମନଃଶିକ୍ଷା

ଭଜ ଶ୍ରୀନନ୍ଦନରେ ମାନସ ! ଭଜ ଶ୍ରୀନନ୍ଦନନ୍ଦନ ।

ସଞ୍ଜକଞ୍ଜନେତ୍ରେ ଧୃତବେଣୁବେତ୍ର ଗୋପୀଙ୍କ ହୃଦଚନ୍ଦନ । ପଦ ।

ଗଜରାଜ ନିସ୍ତାରଣ ବାନା ଯାର ଉଡ଼େ ଚଉଦ ଭୂବନ,

ସଜହୋଇ ବସିଛନ୍ତି ସଂହାସନେ କରିବା ପାଇଁ ପାବନ । ୧ ।

ଆଜ ଭକଶେଷ ଅମରବୃନ୍ଦଙ୍କ ବନ୍ଦନୀୟ ଯେ ଆପଣ

ଓଜଶୀଳ ବୋଲି ବାଜଇ ବାଜଣା ଯାହାଙ୍କ ଠାକୁର ପଣ । ୨ ।

ମଜ୍ଜ ଅନୁକ୍ଷଣ ତାହାଙ୍କ ଭାବରେ ହୋଇ ନ ଯାଏ ଅକାରଣେ ।

ରଜନୀ ଦିବସ ହରି ହରି ଘୋଷ ଶ୍ରୀପଦେ ଘେନି ଶରଣ । ୩ ।

ଉଜ୍ଜ୍ୱଳ ରସ ବିଗ୍ରହ ଅନୁଗ୍ରହ କରିବେ ନୋହି କୃପଣ ।

ସ୍ୱଜନ ବୋଲିଣ ଦେବେ ଆଲିଙ୍ଗନ ବ୍ରଜବନ ଉଦ୍ଧାରଣ । ୪ ।

ଆଜନ୍ମ ପାତକ ମାର୍ଜ୍ଜନ କରାଅ ସେବି ଯୁଗଳ ଚରଣ ।

ବନମାଳୀ ଦାସ ନ ହେଉ ନିରାଶ ଆଚରି ଅନୁସରଣ । ୫ ।

(ରାଗ – ତୋଡ଼ି । ତାଳ - ଆଡ଼ତାଳି)

 

ମନଃଶିକ୍ଷା

ଷଟ୍‌ ପଦ ମତି ମନ ।

ଜାଣି ଶୁଣି ଆପେ ହୋଇ ନ ଯା ତୁ ଉଚ୍ଛନ୍ନ ! ପଦ ।

ଆରେ ମନ- ମଧୂ କର ଏକି ତୋର ଭ୍ରମ ?

ବିଷୟ ମଧୁ ଟୋପାକୁ କରୁ ବୃଥା ଶ୍ରମ ।।

ଭ୍ରମୁଛୁ ସଂସାରବନେ କାଳକୁ ନ ଡରି ।

ସଙ୍ଗେ ଘେନି ଜାୟା ଭ୍ରାନ୍ତି- ମଧୂକାରୀ ।।

କାମନା କେତକୀ ଫୁଲ ସୌରଭରେ ଭୁଲୁ ।

ଗୁଣୁ ଗୁଣୁ ଗୁଞ୍ଜର ତୁ କେଉଁଗୁଣେ ଉଲୁ ।।

ମନଭୃଙ୍ଗ ! ଅନ୍ତରଙ୍ଗ ମୁଁ ବିବେକ ଭାଇ ।

କଣ୍ଟକୀର ପାଶେ ନ ଯା ପକ୍ଷକୁ ଛିଣ୍ଡାଇ ।।

ଅତଏବ ମନଆଳି ଉପଦେଶ ଧର ।

ପରମାର୍ଥ ପଦ୍ମଫୁଲ ମଧୁପାନ କର ।।

ସେ ଫୁଲର ସବିଶେଷ ଗୁଣ କେବା ଜାଣେ ?

ଯିବ ଧନ୍ଦା ମହାନନ୍ଦେ ମକରନ୍ଦ ପାନେ ।।

ବନମାଳୀ ବୋଲେ ତୋତେ ଜାଣିରୁହ ବାବୁ ।

ମୋ ହିତ କଥା ପାଳିଲେ ସାଧୁ ପାଲଟିବୁ ।

 

ପ୍ରାର୍ଥନା

(ସାଧକ ଭକ୍ତର ସ୍ୱାଭୀଷ୍ଟ ଲାଳସାମୟୀ ଆତ୍ମନିବେଦନ)

*ଭୂଜ ତଳେ ମୋତେ       ରଖ ମହାପ୍ରଭୁ !

ବାହୁତଳେ ମୋତେ ରଖ ।

ବିପୁଳ ଭୁଜ ବିସ୍ତାରି       କେତେ ଛାର

କି କରିପାରିବ ଦୁଃଖ । ଘୋଷା ।

ସଜ ହୋଇଥିବ             ନନ୍ଦିଘୋଷ ରଥେ

ମୁଁ ଥିବି ତୁମ୍ଭ ସେବାରେ

ତୁମ୍ଭେ ଦୀନବନ୍ଧୁ             ନିର୍ଦ୍ଦୟ ହୋଇଲେ

କି ବୋଲିବେ ଏ ସଂସାରେ ? । ୧ ।

ଏ ଗଜରାଜ             ସମ୍ପତ୍ତି କ୍ଷିତି ପତି,

ରତିଏ ରୁଚଇ ନାହିଁ ।

ଭାଷ ଯାଉଅଛି             ଏ ଭବ ସାଗରେ

ରକ୍ଷାକର ଭାବଗ୍ରାହୀ । ୨ ।

ଦିନକୁ ଦିନ ତ             ଦୁଃଖ ଅତିରେକ

ସୁଖ ତ ଦିଶଇ ନାହିଁ ।

ଭୁବନ ମୋହନ             ଚକା – ନୟନକୁ

ଯେତେବେଳୁ ଦେଲି ଚାହିଁ । ୩ ।

ମୁଁ ଅତି ପତିତ             ଭରସା କରିଛି

ପ୍ରଭୁ ଶ୍ରୀଚରଣ ତଳେ ।

ଶ୍ରୀ ବୀର କେଶରୀ             ମହାରାଜା ଭଣେ

ଦୟାକର ମୋତେ ବେଳେ । ୪ ।

(ରାଗ – ବଙ୍ଗଳାଶ୍ରୀ । ତାଳ - ପହପଟ)

 

ପ୍ରାର୍ଥନା

(ଶ୍ରୀ ରାଧାଙ୍କ ପ୍ରତି ଦୈନ୍ୟାକ୍ତି)

ଶ୍ରୀରାଧେ ! ମୋର ଦଇନି ଏତେ

ସେବାପରିଚାରୀ ହେବି ଦେହାନ୍ତେ । ଘୋଷା ।

କରୁଣାମୟୀ ଗୋ ଅରୁଣଧରି !

ମଣିବ ସଖୀଙ୍କ କିଙ୍କରୀ କରି । ୧ ।

କୁଞ୍ଜଅଭିସାରେ ଥିବି ଗହଣେ,

ନ ହୋଇବ ଛାମୁଛଡ଼ା ମୁଁ କ୍ଷଣେ । ୨ ।

ପହଣ୍ଡମଣା ନଉକରୀ ପଣେ,

ଆଳିଚରଣ ମୋତେ ଗଣିବ ଜଣେ ।୩।

ରବିପୂଜା କାଳେ ଘେନିବ ସଙ୍ଗେ ,

ଅଙ୍ଗରାଗ ଲେପିବାକୁ ଶ୍ରୀଅଙ୍ଗେ । ୪ ।

ରଚିବା ପାଇଁକି ବେଶବିଧାନ,

ମୋ ପ୍ରତି ହେବ ଦିବ୍ୟ ଅବଧାନ । ୫ ।

ନିଭୃତ ନିକୁଞ୍ଜେ ଯୁଗଳଠାଣି,

ଦରଶନ ହେବି ମନ ଫୁଲାଣି । ୬ ।

କାକୁସ୍ଥେ କହେ ବନମାଳୀ ଦାସ,

ଏ ବିନୁ ନାହିଁ ଆନ ଅଭିଳାଷ । ୭ ।

(ରାଗ – ଝିଂଝଟ । ତାଳ - ଝୁଲା)

 

ଜଣାଣ

ଅଶିତ ପଙ୍କଜମୁଖ ! ସସ୍ମିତ ହାସ – ମୟୁଖ,

ବସି ତ ଦେଖୁଛ ଦୁଃଖ ଭକ୍ତଙ୍କ ସୁଖ ହେ । ୧ ।

ଦୀନବତ୍ସଳ ସମ୍ବନ୍ଧୁ, ନାମ ପରା ଦୀନବନ୍ଧୁ ,

ମୁଁ ଦୀନ ତୁମୋ ମୋ ବନ୍ଧୁ, କରୁଣାସିନ୍ଧୁ ହେ । ୨ ।

ଶରଣାଗତ – ପାଳକ, ଚରଣାଶ୍ରିତ କାଳକ,

ବତ୍ସ- ଗୋଧନ ଚାଳକ, ଶୁଣ ମୋ ଡାକ ହେ । ୩ ।

ପାଦପଦ୍ମକୁ ସଙ୍ଖାଳି, କରିଛି ହେ ବନମାଳୀ !

ଦରିଦ୍ର ମୁଁ ବନମାଳୀ, ଶ୍ରୀରାମ ଭାଳି ହେ । ୪ ।

(ରାଗ – ମୁନିବର । ତାଳ - ଝୁଲା)

 

ଜଣାଣ

ଛାର ଏ ଉଦର ପାଇଁ ।

କେତେ ଜନଙ୍କୁ ବୋଲିବି ମଣିମା ଗୋସାଇଁ । ପଦ ।

ଜଳଦ ସୁନ୍ଦର ଆହେ ! ସିନ୍ଧୁସୁତା ବର,

ଦିନୁ ଦିନ ଘୋର ଜର ଆସି ହେଲା ମୋର ।୧।

ନ ଥିଲା ବିବେକ ହୋଇଥିଲି ମୁଁ ବାଳକ,

ମତାସ୍ତନେ ଖଞ୍ଜିଥାନ୍ତି କ୍ଷୀରକୁ କାଳକ ।୨।

ଅଜଗର ମହାଘୋର ଅରଣ୍ୟରେ ଥାଇ,

ତାହାର ଆହାର ଖଞ୍ଜ, ସାବଧାନ ହୋଇ ।୩।

ତୁମ୍ଭେ ପାଶୋରିବାକୁ ମୋ ନାହିଁ ଭୟ ଲେଶ ।

ପାଶୋରନ ଗଲେ ତୁମ୍ଭେ ବନମାଳୀ ତୋଷ ।୪।

(ରାଗ – ଶଙ୍କରାଭରଣ । ତାଳ – ଆଠତାଳି)

 

ଜଣାଣ

ମହାବାହୁ ! ମୋ ସମ ନାହିଁ କେ ଦୁଃଖୀ

ଉଦର ଚିନ୍ତାରେ ଚିନ୍ତାଇ ନୟନଦି ନୁଦିନ ଗଲି ଶୁଖି । ଘୋଷା ।

ଇତର ଜନରେ ଯାଚକ ହେବାକୁ ବିଶେଷେ ମାଡ଼ଇ ଲାଜ।

ଅନ୍ତର ବେଦନା କେ ଅବା ଜାଣିବ ତୁମ୍ଭ ଦିନୁ ଦେବରାଜ ।୨।

ଗାଦୀଶ୍ୱରମାନେ ଯେତେ ସେ ଅଛନ୍ତି ସେ ସର୍ବେ ତ ଗର୍ବେ ମତ୍ତ

ସଦବେଶ ଧରି ଆତ୍ମା ନ ଚିନ୍ତନ୍ତି ଉପାଧି କହି ମହାନ୍ତ ।୨।

ପ୍ରଭୁ ତୁମ୍ଭ ଭଳି ଥାଉଁ ତାଙ୍କୁ ଅଳି କରିବି କି ସୁଖ ଲାଗି ।

ଅଯାଚକ ପଣେ ରହି ଚିନ୍ତ ମଣେ ତବ ନାମ ଅନୁରାଗୀ ।୩।

ହେ ଦୁଃଖ ନାଶନ ହେ ଗରୁଡ଼ାଶନ, ତୁମ୍ଭେ ସିନା ମୋର ଥାତି ।

ଅକିଞ୍ଚନ ବନ୍ଧୁ ନୀଳାଚଳ- ଇନ୍ଦୁ କରୁଣା କିମ୍ପା ନିହାତି ।୪।

ଶରଣ ରକ୍ଷଣ ହେ ପଦ୍ମଇକ୍ଷଣ, ମୋ ଦୁର୍ଦ୍ଦଶା ଦିଅ ଟାଳି ।

ଚନ୍ଦନଅର୍ଗଳି ସମୀପରେ ଅଳି କରେ ଦାସ ବନମାଳୀ ।୫।

(ରାଗ –ପରଜ । ତାଳ – ଆଦି)

 

ଜଣାଣ

ଖଗଆସନ ହେ ଜଗବନ୍ଧୁ ଦଇତ୍ୟାରି !

ଖରେ କର୍ଣ୍ଣ ଡେରି ଶୁଣିମା ଏ ଦୀନ ଜନ ଗୁହାରି । ଘୋଷା ।

ଖିଳ ବ୍ରହ୍ମାଣ୍ଡର ପରମ ଈଶ୍ୱର, ମହା ବଳୀୟାର ବାହୁ ।

ଖଳ ଗର୍ବହାରୀ ନୀଳାଦ୍ରୀ ମୋତେ ଅକରୁଣା ନୋହୁଁ ।୧।

ଖଟଣି ସେବକମାନଙ୍କ ମଧ୍ୟେ ମୁଁ ଜଣେ ଅପରାଧୀ ଭୃତ୍ୟ ।

ଖସାଅ ମୋହର ଆଜନ୍ମ ଦୁଷ୍କୃତ ଅରଜିଅଛି ବହୁତ ।୨।

ଖଡ଼ିକାର ଗଣେ ଗଣି ନ ପାରିବେ ଯେତେ ମୋ ପାତକରାଶି ।

ଖିଆଲ ନ ମଣି ଜଗଚିନ୍ତାମଣି ହେଳେ ତା ପକାଅ ନାଶି ।୩।

ଖେଦହରା ଛେଦ ତ୍ରିତାପ ଯନ୍ତ୍ରଣା –କରୁଣା କଟାକ୍ଷ ଢାଳି ।

ଖମ୍ବ ଗରୁଡ଼ର ପଛେ ରହି ଦୁଃଖ ଜଣା କରେ ବନମାଳୀ ।୪।

(ରାଗ – ଆଶାବରୀ । ତାଳ – ଝୁଲା)

 

ଜଣାଣ

ମହାବାହୁ ! କାହାକୁ କହିବି ଦୁଃଖ ?

ତୁମ୍ଭେ ଥାଉଁ ଥାଉଁ ଦୁଃଖୀ ଜନବନ୍ଧୁ ଚିକ୍‌କଣ କଳାଶ୍ରୀମୁଖ । ଘୋଷା ।

ପତିତପାବନ ଗତିଦାୟକ ହେ ଅତି ତ ଅରକ୍ଷ ମୁହିଁ ।

କତିରେତୁମ୍ଭର ଏତିକି ଜଣାଣ ଛାମୁଛଡ଼ ହେବ ନାହିଁ ।୧।

ଟେରା ବାଡ଼ ପଛେ ଉଭା ହୋଇଥିବି ଧୂପ ଅବକାଶ ବେଳେ,

ଛେରାପହଁରା ନଉକରୀ ପଟରେ, ଖଟଣୀ ଖଟିବି ହେଳେ ।୨।

ଛତ୍ରିଶ ନିଯୋଗୀ ମଧ୍ୟରେ ଗଣିବ ମଣିମା ହେ, ମୋତେ ନିତି ।

ଢାଳୁଥିବି ଭାବେ ଚାକର ଆଲଟ ଗାଇ ତୁମ୍ଭ ଗୁଣ ଗୀତି ।୩।

ସେବାରୁ ଅନ୍ତର ନ ହୋଇବି ପ୍ରଭୁ ଏହି ଅଳି ଶୀଚରଣେ ।

ମରଣ ଅବଧି ଶ୍ରୀମୁଖ ଦର୍ଶନୁ ବଞ୍ଚିତ ନୋହିବ କ୍ଷଣେ ।୪।

ଭୁକ୍ତିମୁକ୍ତି ମୋର ଲୋଡ଼ା ନାହିଁ କିଛି ନ ଲୋଡ଼ଇ ବଡ଼ପଣ ।

କେବଳ ଶ୍ରୀପାଦପଦ୍ମରେ ଭକତି ରହିଥାଉ ଅନୁକ୍ଷଣ ।୫।

କନ୍ଧେ ବହି ଝୁଲି ଶ୍ରୀକ୍ଷେତ୍ରରେ ବୁଲି ଜୟ ଜଗବନ୍ଧୁ ବୋଲି ।

ଆନନ୍ଦେ କୀର୍ତ୍ତନ ନର୍ତ୍ତନରେ ଦିନ ହରୁଥାଉ ବନମାଳୀ ।୬।

(ରାଗ- ଭାଟିଆରୀ । ତାଳ- ଆଠତାଳି)

 

ଜଣାଣ

ମଣିମା ହେ ! ଏତିକି ମାଗୁଣି ମୋର ।

ମରଣ କାଳରେ            ଦରଶନ ଦେବ

କଳାମୁଖ କଳାକର । ଘୋଷା ।

ମଥାରେ ଥିବ ମୋ            ତୁମ୍ଭ ଛଡ଼ାମାଳ

ମୁଖରେ ଥିବ ତୁଳସୀ ।

ମନେ ମନେ ଭାଳି            ରଟି ହେଉଥିବି

ନୀଳାଦ୍ରି ଶିଖର ବାସୀ ।୧।

ମହାବାହୁ ଟେକା            ଶ୍ୱେତପଦ୍ମ ଚକା

ନୟନକୁ ନିତି ଚାହିଁ ।

ମଜ୍ଜାରେ ପୁଲକ            ପୁରୁଥାଇ ରଙ୍କ-

ନିଧି, ଦୁଃଖୀଜନ – ସାଇଁ । ୨।

ମଙ୍ଗଳ ଆଳତି            ଅବକାଶ କାଳେ

ଗରୁଡ଼ ପଛରେ ଥାଇ ।

ମୋହି ହେଉଥିବି            ପ୍ରତି ନିଶାନ୍ତରେ

ତୁମ୍ଭ ଗୁଣ ଗାଥା ଗାଇ ।୪।

ମଞ୍ଜୂଳ ବଡ଼ସିଂ-            ହାର ବେଶ ଦେଖି

ମାରୁଥିବି କକ୍ଷ ତାଳି ।

ମରୁଆ ଦୟଣା            ମାଳିଆଙ୍କୁ ଏତେ

ଅଳି କରେ ବନମାଳୀ ।୪।

(ରାଗ – ପରଜ । ତାଳ – ଆଦି)

 

ଜଣାଣ

ଇଚ୍ଛାମୟ ଶ୍ରୀହରି ! ଶ୍ରୀଛାମୁରେ ଅଛି ଅନୁସରି ହେ !

କି ଛାର ମୋହର, ଦୁଃଖ ବିଶ୍ୱମ୍ବର ! ତୁମ୍ଭେ ଥିଲ- ଚକ୍ର ଧରି ହେ

ହେ ବିପତ୍ତି ପତି ହରିଛ ବିପତ୍ତି କେତେ କାହାର ଆଦରି ହେ ।

ଗଣନାଥ କରି ନ ପାରିବେ ଧରି ଖଡ଼ି ଖଡ଼ିକାରେ ସାରି ହେ ।୧।

ମହାମହା ସଙ୍କଟରୁ ସ୍ୱଭକ୍ତଙ୍କୁ ରଖିଛ ହେଲେ ଉଦ୍ଧାରି ହେ!

ଶୁଣିଛି ଶ୍ରୁତିରେ ନିହିଛି ଶ୍ରୁତିରେ ବର୍ଣ୍ଣାବଳୀ ସରି ସରି ହେ ।୨।

ବାରଣ ତାରଣ ମୃଗ ନିସ୍ତାରଣ ଧ୍ୱଜା ଉଡ଼େ ବସୁନ୍ଧରୀ ହେ ।

ମଜ୍ଜା ନିବାରଣ କାରଣ କାରଣ ବୋଲି ପୁଣି ପଡ଼େ ହୁରି ହେ ।୩।

ଦାରିଦ୍ର୍ୟ ଭଞ୍ଜନ ମାନସ ରଞ୍ଜନ ଆରତ ଗଞ୍ଜନକାରୀ ହେ ।

ସନ୍ତାପନାଶନ ଶୋକ ବିଧ୍ୱଂସନ ବନମାଳୀ କର ପାରି ହେ ।୪।

(ରାଗ – ଭୈରବ । ତାଳ- ଆଠତାଳି)

 

ପ୍ରଭାତୀ

ଉଠ ହୋ କାହ୍ନୁ କେଶବ ହରି ।

ମୁକୁନ୍ଦ ମାଧବ ମୁରାରି । ଘୋଷା ।

ପାହିଲା ନିଶୀ କାକ ଦେଲେ ଡାକ ।

ନନ୍ଦ ସିଂହଦ୍ୱାରେ ବ୍ରଜ ବାଳକ ।୧।

ଡାକନ୍ତି ଉଠ ରାମ ବନମାଳୀ ।

ଉଠ ଗୋପୀନାଥ ନେବା ବାଛୁରୀ ।୨।

କାଲି ଉପବାସ ବତ୍ସା ଧେନୁର ।

ପଡ଼ିଲୁ ବଳା ଅଘାର ଆଗର ।୩।

ତୁ ନାଥ ଜୀବଦାନ ଦେଇ ରଖୁ ।

କେତେ ନିଦ୍ରା ଯାଉ କମଳ- ଚକ୍ଷୁ ।୪।

ବତ୍ସା ଧେନୁମାନେ ଅସ୍ଥିର ହେଲେ ।

କ୍ଷୀର ନ ପାଇ ହମାଁ ରାବ କଲେ ।୫।

ଦୁହୁଣୀ ବେଳ ହୋଇଛି ଉଛୁର ।

ପହୁଡ଼ ଭାଙ୍ଗ ହୋ ସାରଙ୍ଗଧର ।୬।

ଯହିଁ ଡ଼ାଳ ଦେଲେ ବ୍ରଜ ବାଳକ ।

ନିଦ୍ରା ତେଜିଲେ ଶ୍ରୀ ପଙ୍କଜ ମୁଖ ।୭।

ମୁଖ ପଖାଳି ଗୋଗୋଷ୍ଠେ ବିଜୟେ ।

ବନମାଳୀ ଦାସ ସେ ପାଦ ଧ୍ୟାୟେ ।୮।

(ରାଗ – ପୁନ୍ନାଗ । ତାଳ- ଝୁଲା)

 

ଯୁଗଳ – ଭଜନ

ରାଧେକୃଷ୍ଣ ରାଧେକୃଷ୍ଣ ରାଧେକୃଷ୍ଣ ରଟରେ ।

ଦେଖୁଦେଖୁ ତୁଟିଯିବ ଏ ତୋ ମାଟି ଘଟରେ । ଘୋଷା ।

ଯମୁନା- ପୁଳିନ କେଶୀ ଘାଟ ବଂଶୀବଟରେ ।

ଚଳିଯା ତୁ ତହିଁ ଏ ଜଞ୍ଜାଳ ଛାଡ଼ି ଝରରେ ।

ନିଭୃତ- ନିକୁଞ୍ଜ- ସୁଞ୍ଜ ସେ କାଳିନ୍ଦି ତଟରେ

କୁଟୀର ବନାଇ ରାଇ ଶ୍ୟାମ ପଦେ ଖଟରେ ।୨।

ଶ୍ୟାମାଞ୍ଜନୀ ଗୁଞ୍ଜମାଳା ଘେନ ବକ୍ଷ- ପଟରେ ।

ବ୍ରଜଧୂଳି ଅଙ୍ଗେ ବୋଳି ରଙ୍ଗେ କର ନାଟରେ ।୩।

ବୃଥା ଦାରା ପୁତ୍ର ସ୍ନେହେ ହେଉ ଲଟପଟରେ

ଘାଣ୍ଟି ନୁହଁ ଏଣିକି ଏ ମିଥ୍ୟାଭାବ- ନଟରେ ।୪।

ମାୟା- ମୋହ- ଜାଲେ ପଡ଼ି ନୁହଁ ଛଟପଟରେ ।

ଦାରୁଣ ବିଷୟ ମୁଞ୍ଜ ଜାଣି କାଳ କୂଟରେ ।୫।

ନ ଲାଗୁ ତୋପରେ ଜନ୍ତୁପତି ଯମ ଲଟରେ ।

ବୋଲେ ବନମାଳୀ ଗୁରୁ- ବଚନୁ ନ ହଟରେ ।୬।

(ରାଗ – ମଙ୍ଗଳ ବରାଡ଼ି । ତାଳ- ପହପଟ)

 

କେତେ ଛନ୍ଦ ଜାଣଲୋ ସହି

କେତେ ଛନ୍ଦ ଜାଣେଲୋ ସହି

ନନ୍ଦରାଜାର ଟିକି ପିଲାଟି ।
ଟିକି ପିଲା ବୋଲି ଯାହାକୁ ବୋଲନ୍ତି

ଚିରି ପକାଇଲା ବକାର ପାଟି ।।
ଜନମକାଳେ ଏନ୍ତୁଡିଶାଳେ କୁଆଁ କୁଆଁ

ହୋଇ ରାବିଲା ଛଳେ ।
ରହିଣ କୋଳରେ କ୍ଷୀର ସହିତରେ

ପୁତନା ଅସୁରୀ ପ୍ରାଣ ନେଲାଟି ।।
ନ କରିଣ ଦକା ନାଶିଲା ଆଶଙ୍କା

ଚନ୍ଦନ ପଟିଆ ଚିତ୍ତ ଚମକା ।
ଶକଟା ଧେନୁକା ବକା ସର୍ପ ଦଳି

ବନର ଅନଳ ଗିଳିଦେଲାଟି ।।
ଇନ୍ଦ୍ର ବିବାଦେ ନିର୍ଘାତ ନାଦେ

ଶିଳା ବରଷିଲା ଅତି ପ୍ରମାଦେ ।
ଦେଖିଛ ତ ହାଦେ ବିନା ଅବସାଦେ

ମନ୍ଦର ଗିରିକି ଟେକି ଥିଲାଟି ।।
ସ୍ନାହାନ କାଳେ ଯମୁନା ଜଳେ

ନନ୍ଦ ବୁଡିଗଲା ବୋଲି ଅଥଳେ ।
କଉତୂକ କରି ତାହାଙ୍କୁ ଉଦ୍ଧରି

ଗୋପରେ ପତାକା ଉଡ଼ଇଲାଟି ।।
ସେଦିନ କଂସ ହୋଇଣ ରୋଷ

କଲେ ପଦ୍ମ ପାଇଁ ଦେଲା ଆଦେଶ ।
ପଦ୍ମ ତୋଳା ରସ- କରିଣ ପ୍ରକାଶ

ବଳେ ଛଳେ କାଳି ଦଳିଦେଲାଟି ।।
ବିସ୍ତାରି ପାଟି ଖଇଲା ମାଟି,

ମାଆ ଯଶୋବନ୍ତୀ ଛାଟରେ ପିଟି,
ଆକଟନ୍ତେ ଥରେ ତା ପେଟ ଭିତରେ,

ଅଶେଷ ବ୍ରହ୍ମାଣ୍ଡ ଦେଖାଇଲାଟି ।।
କେ ଜାଣେ ଲୋ ମା ! ତାହାର ମହିମା

ବତ୍ସା ହରିନେଲା ସେ ବେଦବ୍ରହ୍ମା ।
କହେ ବନମାଳୀ ତାକୁ ପୁଣି ଛଳି

ଲକ୍ଷେ ଧେନୁବତ୍ସା ଜାତ କଲାଟି ।।

 

ତୋ ଲାଗି ଗୋପଦାଣ୍ଡ ମନା

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ।

ତୋ ଲାଗି ନ ଯିବି ଯମୁନାରେ କାଳିଆ ସୁନା ।।

ନିତି ଏହି ବାଟେ ଯାଉ ରେ କାଳିଆ,

ନିତି ଏହିବାଟେ ଯାଉ ।
ହାଟରେ କଉଡି ମାଗିଲେ କାଳିଆ

ମୂରଲୀ ବଜାଉ ଥାଉ ରେ ।୧।
ତୁହି ଗୋପପୁରେ ରଜାରେ କାଳିଆ

ତୁହି ଗୋପପୁରେ ରଜା ।
କେମନ୍ତ ସଜରେ ମୂରଲୀ ବଜାଉ,

ଆହୁରି ଟିକିଏ ବଜା ରେ ।୨।

କୁହି ବଡ଼ଘର ପୁଅରେ କାଳିଆ!

ମୁହିଁ ବଡ଼ଘର ବୋହୂ।
ସରମ ତୋ ମୁଖେ ନାହିଁରେ କାଳିଆ !

ତୁହି ଅଟୁ ନନ୍ଦଚାଟ 

ମଥୁରା ହାଟକୁ ଦଧି ବିକିଗଲେ

ନିତି ମାଗୁଥାଉ ଘାଟ ରେ।୪।
କହଇ ବଲ୍ଲଭାନନ୍ଦ ଏ ରସରେ,

ଶୁଣ ଆଗେ ସଖୀବୃନ୍ଦ ।
ଯମୁନା କୂଳରେ ମୂରଲୀ ବଜାଏ

ତୁମ୍ଭ ଘେନି କୃଷ୍ଣଚନ୍ଦ୍ରରେ ।।

 

କି ଲାଜ ପାଇଲି ଆଜ

କି ଲାଜ ପାଇଲି ଆଜ ବାନ୍ଧବୀ,

କି ଲାଜ ପାଇଲି ଆଜ । (ଘୋଷା)
କି ଲାଜ ପାଇଲି ଆଜ ବାନ୍ଧବୀ,

କି ଲାଜ ପାଇଲି ଆଜ ।
ଉରେ ଚିର ଦେଇ ତର ନ ସହଇ

ଆଗରେ ନାଗର ରାଜରେ ॥
ଚଉଦିଗେ ଚାହିଁ କେଣେ କେହି

ନାହିଁ ନିଛାଟ ଘାଟକୁ ଗଲି ।
ଅଙ୍କରେ କୁଙ୍କୁମ ବୋଳି ହେଉଥିଲି

ଉତ୍ତରେ ଅମ୍ବର ଚୋଳି ରେ ॥
ପାଣି ପଲ୍ଲବରେ ଘେଡ଼ଣା ନ ଯାଇ

ବର୍ତ୍ତୁଳ ତର ଉଜର।
ଯେତେ ଯତ୍ନ କଲେ ମହା ମହୀଧର

ତାଙ୍କର ନିକି ସରୋଜରେ ॥
ପାଖେ ଘୋଡ଼ଇଲେ ଆରପାଖେ ଦିଶେ

ଉପାୟ କିଛି ନ ଦିଶେ ।
ମୁଖ ଅବନତ- କଲେ ସେ ଉନ୍ନତ

ପୟୋଧର ବେନି ଠେସେ ରେ ॥
କୁନ୍ତଳ ଉହାଡ଼ି…. ରଖନ୍ତି ମୁଁ ଅବା,

ବାନ୍ଧିଥିଲି ବେଣୀ ଟେକି ।
ବୋଲେ ବନମାଳୀ ଶୁଣ ଠାକୁରାଣୀ

ଜଳେ ଲୁଚିଥାନ୍ତ ଟେକି ରେ ॥

 

ରାଗ

ସଙ୍ଗିନୀରେ ଚାହାଁ ବେଣୁପାଣିକି
ଚିତ୍ତ ବିତ୍ତ ଚୋରା ଚିନ୍ତାମଣିକି ।ପଦ।
ବକୁଳ ସେବତୀ ମଲ୍ଲୀ ନିଆଳୀ ଗଭା
ନାନା କୁସୁମେ ମଣ୍ଡିତ ବାଙ୍କ ଟାହିଆ
ତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳି
ସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ ।୧।
ଭଲା ତାର ଯେଉଁ ନୟନ ଠାର
ସେ କି ମାର ବୀର କାମ କୁଠାର
ଭୂରୁ ବାଙ୍କ ଛୁରୀ ଚାଲିବା ଚାତୁରୀ
ଚଉଦପୁରେ କେ ନ ଥିବେ ଦେଖି ।୨।
ଧନ୍ୟ ତାର ଯେଉଁ ମୁରୁକି ହସା
ସତେ କି ସେ ସୁଧା ନୀର ବରଷା
ଚାହିଁଦେଲେ ଥରେ ଥରି ମନ୍ମଥରେ
ଧଇର୍ଯ୍ୟ ଗୁମାନ କେ ପାରେ ରଖି ।୩। 
ଦାସ ବନମାଳୀ ବୋଲେ ଗୋ ଶୁଣ
ଗୋପ ନନ୍ଦସୁତ ମୋହନ ଗୁଣ
କୁଳବତୀ ବ୍ରତ କରିବାକୁ ହତ
ନୂଆ ମଦନ ସେ ବରଜେଟିକି ।୪।

ମଣି ବିମାନେ ଗୋବିନ୍ଦ

ମଣି ବିମାନେ ଗୋବିନ୍ଦ ।
ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ ।।
ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ ।
ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ ।୧।
ସଙ୍ଗରେ ପଞ୍ଚପାଣ୍ଡବ ଲଭନ୍ତି ଆନନ୍ଦ ।
ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛନ୍ଦ ।୨।
ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ ।
କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ ।୩।
ବଡ଼ଦାଣ୍ଡ ଉଛୁଳଇ ଗହଗହ ନାଦ ।
ଶଙ୍ଖଭେରୀ ତୂରୀ ଘଣ୍ଟା କାହାଳି ଶବଦ ।୪।
ବୋଲେ ବନମାଳୀ ଧ୍ୟାୟୀ ଚରଣାରବିନ୍ଦ ।
ଚାପକୁ ବିଜୟେ ଆହା ଗୋପୀ-ହୃଦ-ଚାନ୍ଦ ।୫।

 

ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ

ଜଗନ୍ନାଥ ହୋ
କିଛି ମାଗୁନାହିଁ ମୁଁ ତୋତେ
ଧନ ମାଗୁନାହିଁ             ଜନ ମାଗୁନାହିଁ
ମାଗୁଛି ଶରଧା- ବାଲିରୁ ହାତେ । ଘୋଷା । 
ଆନ ଦରଶନ ନ ଲୋଡେ ନୟନ
ଏକା ତୋହ ଦେଖା ବିନା
ଶୁଣିବାକୁ କାନ ନ ଇଚ୍ଛଇ ଆନ ତୁମ୍ଭ ଚରିତେ କାମନା ॥୧॥ 
ରସନା ନ ବାଞ୍ଛେ ଗ୍ରାମ୍ୟଗୀତ ଗାଇବାକୁ ରଜନୀ ଦିବସ।
ତୁମ୍ଭ ନାମାବଳୀ କେବଳ ଶଙ୍ଖାଳି ହୋଇଥାଉ ପୀତବାସ ॥୨॥ 
ନାସା ମୋର ତୃପ୍ତ ନ ଲଭଇ ଆନ ସୁବାସ ଦ୍ରବ୍ୟ ଆଘ୍ରାଣେ।
ତବ ଛଡ଼ାମାଳ ତୁଳସୀ କୁସୁମ, ଚନ୍ଦନ, କର୍ପୂର ଧ୍ୟାନେ ॥୩॥ 
ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ, ହରେକୃଷ୍ଣ ଜପୁଥାଉ।
ବୋଲେ ବନମାଳୀ ମୋ ବେନି ଚରଣତୋ ତୀର୍ଥ ଭ୍ରମଣେ ଧାଉଁ ॥୪॥

 

ଜୟଗୀତି

ଜୟ ଜଗନ୍ନାଥ ହେ ଯଶୋଦା କୁମର ।
ଶ୍ରୀମତି ଚିତ୍ତ-ଚାତକ ନୂତନ ଜଳଧର ।।
ଶିରେ ଶିଖିପୁଚ୍ଛ ଚୂଡା       ଗୁଚ୍ଛ କିଆପତ୍ର ବେଢା
ସତୀଙ୍କ ବରତ ଛଡା ମୂରଲୀ ନଟବର ।
ନିତ୍ୟ ସତ୍ୟ ପୂର୍ଣ୍ଣାନନ୍ଦ       ଗୋକୁଳ ରକ୍ଷଗୋବିନ୍ଦ
ପାଦ ଅରବିନ୍ଦେ ଭକ୍ତ ଭ୍ରମର ନିକର ।
ଶେଷ ଯା ମହିମା ଲେଶ       ନ କରି ପାରନ୍ତି ଶେଷ
ଯା ନାମ ଜପି ମହେଶ ମୃତ୍ୟୁକୁ କଲେ ଦୂର ।
ଲବଣ ଜଳଧି ତଟ             ନୀଳାଦ୍ରୀ ନାମ ପ୍ରକଟ
କଳପ ବଟ ମୂଳେ କି ଲାଗିବ ନାବ ମୋର ।
କହେ ବନମାଲୀ ଦାସ       ଶ୍ରୀଗୁରୁ ଚରଣେ ଆଶ
ସତେ କ୍ଷେତ୍ରବୋସେ ଶେଷ ଜୀବନ ଯିବ ମୋର ।

 

ଦୁଃଖ ନିବେଦନ

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି ।
ହେଲେ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି ।।
ଲକ୍ଷ ଯୋଜନରେ ଗଜ       ଡାକିଲା ହେ ଦେବରାଜ ।
ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି ।।
କୁରୁପତି ସଭାସ୍ଥଳେ       ଦ୍ରୌପଦୀ ଆତଙ୍ଗ କାଳେ ।
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି ।।
ବଳବନ୍ତ ପ୍ରଭୁ ବୋଲି       ବେଳେ ମୁଁ ଯେ ଆଶ୍ରୟ କଲି ।
ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି? ।୩।
ରଖ ବା ନ ରଖ ମୋତେ       ଶରଣ ତୋ ପାଦଗତେ ।
କହେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି ।।

 

ଜଣାଣ

ମଣିମା ହେ ଏତିକି ମାଗୁଣି ମୋର ।
ମରଣ କାଳରେ             ଦରଶନ ଦେବ

କଳାମୁଖ କଳାକାର ।ଘୋଷା।
ମଥାରେ ଥିବ ମୋ ତୁମ୍ଭ ଛଡାମାଳ,

ମୁଖରେ ଥିବ ତୁଳସୀ ।
ମନେ ମନେ ଭାଳି ରଟି ହେଉଥିବି

ନିଳାଦ୍ରୀ ଶିଖର ବାସୀ ।।
ମହାବାହୁ ଟେକା             ଶ୍ୱେତପଦ୍ମ ଚକା

ନୟନକୁ ନିତି ଚାହିଁ ।
ମଜ୍ଜାରେ ପୁଲକ             ପୂରୁଥାଉ ରଙ୍କ-

ନିଧି ଦୁଃଖିଜନ - ସାଇଁ ।୨।
ମଙ୍ଗଳ ଆଳତି ଅବକାଶ କାଳେ ଗରୁଡ ପଛରେ ଥାଇ ।
ମୋହି ହେଉଥିବି             ପ୍ରତି ନିଶାନ୍ତରେ

ତୁମ୍ଭ ଗୁଣ ଗାଥା ଗାଇ ।୩।
ମଞ୍ଜୁଳ ବଡସିଂ-            ହାର ବେଶ ଦେଖି

ମାରୁଥିବି କକ୍ଷ ତାଳି ।
ମରୁଆ ଦୟଣା             ମାଳିଆଙ୍କୁ ଏତେ

ଅଳି କରେ ବନମାଳୀ ।୪।

 

ଜଣାଣ

ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ ।
ବେଳକୁ ବେଳତ ପ୍ରବଳ ହେଉଛି

ବିଜୁଳି ଯେସନେ ଘନେ । ।
ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ଲକ୍ଷ୍ମୀ ସାଇଁ ।
ଅରକ୍ଷିତକୁ ତ ରଖି ଦେଉନାହଁ ଭବଜଳରେ ଭସାଇ ।।
ଆହେ ହରି ମୁହିଁ ସହି ନ ପାରଇ ଅନ୍ତର ବେଦନା ମାନ ।
ଯେଣୁ କହି ତୁମ୍ଭେ ଦୟା ନ କଲ ପ୍ରଭୁ ଆତଙ୍କନାଶନ ।।
ଏଡେ ନିଷ୍ଠୁରତା ହେଲ ମୋହ ଭଳି ଦୁଃଖୀଜନ ହୀନଠାରେ ।
ହୀନଜନମାନେ ଗୁହାରି କରନ୍ତି ନ

ଶୁଣ କି ତୁମ୍ଭେ ବାରେ ।।
ପୋଡୁ ମୋ ଅଦୃଷ୍ଟ ଅନ୍ନ ବସ୍ତ୍ର କଷ୍ଟ

ଏଡେ ବଡ ପ୍ରଭୁ ଥାଉଁ ।
ବନମାଳୀ ବୋଲେ ଚଞ୍ଚଳ ମୋ ମନ ପଦ୍ମପାଦେ ତୁମ୍ଭ ରହୁ ।।

 

କୃଷ୍ଣ କେଶବ ହରି

କୃଷ୍ଣ କେଶବ ହରି
ମାଧବ ଦଇତାରି
କଞ୍ଜନୟନ ପ୍ରଭୁ କୁଞ୍ଜବିହାରି ॥ଘୋଷା॥ 
ଗୋବିନ୍ଦ ନନ୍ଦବାଳ ବାସୁଦେବ ଦୁଲାଳ
ବରଜସୁତମେଳ ବକାଅଇରି
ଯଦୁକୁମୁଦଚନ୍ଦ୍ର ଜଗନ୍ନାଥ ଉପେନ୍ଦ୍ର
ସାରଙ୍ଗଧାର ରସରାଜ ମୁରାରି ॥୧॥ 
ବାଳିଭ୍ରାତ-ମଇତ୍ର ମାଳୀ-ସୁଦାମା-ମୁକ୍ତ
ଦରନାଶନ ଦାବାନଳଆହାରୀ
ବିଷ୍ଣୁ ପରମାନନ୍ଦ ଆଦିକନ୍ଦ ସୁରେନ୍ଦ୍ର
ବ୍ରହ୍ମାଣ୍ଡନାଥ ବଳିଦ୍ୱାର-ଭିକାରୀ ॥୨॥ 
ରୁଞ୍ଜଗୁଞ୍ଜମାଳିଆ ଆମ୍ବଜାମୁଡାଳିଆ
କାଳିଦଳିଆ କୁଜସୁନ୍ଦରକାରୀ
କେଳିପୁଚ୍ଛଚୂଳିଆ ଧେନୁବୃନ୍ଦଚାଳିଆ
ନୀପମୂଳିଆ ବାଙ୍କ ମୁରଲୀଧାରୀ ॥୩॥ 
ସତ୍ୟସୁଖଦାୟକ ନିତ୍ୟସ୍ଥଳନାୟକ
ଘେନିମା ଚିତ୍ତେ ମୋର ଏହି ଗୁହାରି
ଭାବଇ ବନମାଳୀ ଏ ନାମ କଣ୍ଠେ ମାଳୀ
କରି ମୋ ଜୀବ ଯିବ ସତେ ବାହାରି ॥୪॥

 

ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ

ଏହି ଅଳି ଶ୍ରୀଛାମୁରେ ହେ ଦୀନବନ୍ଧୁ! ଏହି ଅଳି ଶ୍ରୀଛାମୁରେ ।
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ

ରହିଥାଉ ନିରନ୍ତରେ ।।
ଦାନା କନା ପଛେ ମନା ହେଉ ମତେ

ନୀଳଚକ୍ର ବାନା ଚାହିଁ ।
ସୁଖୀ ହେଉଥିବି ଅଖିଳ ପତି ହେ

ନିର୍ଦ୍ଦୟ ହୋଇବ ନାହିଁ ।୧।
ବାରମାସେ ତେର ଯାତ୍ରା ଦେଖୁଥିବି

ଶ୍ରୀକ୍ଷେତ୍ରେ ହୋଇ ଭିକାରୀ ।
ସାଧୁ ସନ୍ଥଙ୍କର ବୋଲାଇ କିଙ୍କର

ମାଗୁଥିବି ମାଧୁକରୀ ।୨।

ଆନନ୍ଦ ବଜାରେ ବୁଲିଣ ମଜାରେ ଗାଉଥିବି ତୋର ନାମ।
ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି ବୋଲି ହରେକୃଷ୍ଣ ନାମ ।୩।
ଏଥିପାଇଁ କୁଳ ମୂଳ ହରାଇଛି ସାଥି କରି ତୋତେ ଏକା ।
ଦାସ ବନମାଳୀ ଦୋଷ ନ ଧରିବୁ ଗୋବର୍ଦ୍ଧନ ଗିରି ଟେକା ।୪।

 

ଦୁଃଖ ଜଣାଣ

ଆହେ ପ୍ରଭୁ କଳାଶ୍ରୀମୁଖ ।

କାଳଯାକ ଭଜି ନ ଗଲା ଦୁଃଖ । ଘୋଷା ।

କିଅବା ଛାମୁରେ ଜଣାଇବି ମୁହିଁ ସାକ୍ଷାତେ ମୋ ଦୀନ ଅବସ୍ଥା ଦେଖ

ତେଣୁ ଶ୍ରୀଛାମୁକୁ ଯାଇ ନ ପାରଇ

ଖଣ୍ଡିଏ ତ ମୋର ନଥାଇ ଭେକ ।୧ ।

ସାହୁଙ୍କ ଜଞ୍ଜାଳ କୁଟୁମ୍ୱଙ୍କ ଗୋଳ ଅନ୍ତର ବେଦନା ସବୁ ଅଧିକ ।

କା ଆଗେ କହିବି କେ କଷ୍ଟ ଫେଡ଼ିବ

ସଂସାରେମୋ ପରି ନାହିଁ ନିରେଖ । ୨ ।

ମନ ମଧ୍ୟେ ମୋର ହରଷ ନ ଥାଇ ହୃଦୟ ମଧ୍ୟରେ ସଦା ବିମୁଖ ।

ଚଉବର୍ଗ ଦାନି ଆଶ୍ରେକରି ମୁଁ ଯେ କାହିଁରେ ଆଉ ନ ପାଇଲି ସୁଖ । ୩ ।

ବାତଚକ୍ର ପ୍ରାୟେ ମନ ଭ୍ରମୁଥାଇ ଦଣ୍ଡେ ନ ରହଇ ତୁମ୍ଭରି ପାଖ ।

କହେ ମନମାଳୀ ଶଙ୍ଖରେ ପୂରାଇ ଚକ୍ର ଉହାଡ଼ି ଘୋଡ଼ାଇଣ ରଖ । ୪ ।

(ରାଗ...ଝଁ ଝୋଟ, ତାଳ....ଝୁଲା)

 

ଶ୍ରୀନାମାବଳୀ

କୃଷ୍ଣ କେଶବ ହରି ମାଧବ ଦଇତ୍ୟାରି ।

କଞ୍ଜନୟନ ପ୍ରଭୁ କୁଞ୍ଜ ବିହାରି । ଘୋଷା।

ଗୋବିନ୍ଦ ନନ୍ଦବାଳ ବସୁଦେବ ଦୂଲଳ

ବରଜସୁତ ମେଳ ବର ଅଇରି।

ଯଦୁକୁମୁଦଚନ୍ଦ୍ର ଜଗନ୍ନାଥ ଉପେନ୍ଦ୍ର

ସାରଙ୍ଗଧର ନିରାକାର ମୁରାରି ।୧।

ବାଳିଭ୍ରାତ ମଇତ୍ର ମାଳିସୁଦାମା ମୁକ୍ତ

ଦରନାଶନ ଦାବାନଳ ଆହାରି ।

ବିଷ୍ଣୁ ପରମାନ୍ଦ ଆଦିକନ୍ଦ ସୁରେନ୍ଦ୍ର

ବ୍ରହ୍ମନାଥ ବଳିଦ୍ବାର ଭିକାରୀ ।୨।

ରଞ୍ଜଗୁଞ୍ଜମାଳିଆ ଆମ୍ୱଜାମୁଡ଼ାଳିଆ

କାଳିଆ କୁଜ ସୁନ୍ଦରକାରୀ ।୩।

କେକୀପୁଚ୍ଛଚୂଳିଆ ଧେନୁ ବୃନ୍ଦଆଳିଆ

ନୀପମୂଳିଅ ବାଙ୍କମୂରଲୀଧାରୀ ।

ନିତ୍ର ସୁଖଦାୟକ ନିତ୍ୟ ସ୍ଥଳନାୟକି ଘେନିମା

ଚିତ୍ତେ ମୋର ଏହି ଗୁହାରି ।

ଭାବଇ ବନମାଳୀ ଏ ନାମ କଣ୍ଠେମାଳି କରି

(ରାଗ: ରସ କଦମ୍ୱ, ତାଳ- ଆଠତାଳି)

 

ଚନ୍ଦନ ଯାତ୍ରା

ମଣି ବିମାନେ ଗୋବିନ୍ଦ !

ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ । ଘୋଷା।

ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ ।

ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ ।୧।

ସଙ୍ଗରେ ପଞ୍ଚପାଣ୍ଡବ ଳଭନ୍ତି ଆନନ୍ଦ ।

ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛାନ୍ଦ ।୨।

ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ ।

କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ ।୩।

ବଡ଼ଦାଣ୍ଡ ଉଛୁଳଇ ଗହ ଗହ ନାଦ ।

ଶଙ୍ଖଭେରୀ ତୁରୀ ଘଣ୍ଟା କାହାଳି ଶବଦ ।୪।

ବୋଲେ ବନମାଳୀ ଧ୍ୟାୟି ଚରଣାରବିନ୍ଦ ।

ଗୁପନ ବିଜୟେ ଆହା ଗୋପୀ – ଦ୍ୱଦ- ଚାନ୍ଦ ।୫।

 

ନବାନୁରାଗ

କେତେ ଛନ୍ଦ ଜାଣେ ଲୋ ସହି ! ନନ୍ଦରାଜାର ଟିକି ପିଲାଟି ।

ଟିକି ପିଲା ବୋଲି ଯାହାକୁ ବୋଲନ୍ତି

ଚିରି କାଇଲା ବକାର ପାଟି । ଘୋଷା।

ଜନମକାଳେ                               ଏନ୍ତୁଡ଼ି ଶାଳେ

କୁଆଁ କୁଆଁ ହୋଇ ରାବିଲା ଛଳେ ।

ରହିଣ କୋଳରେ,                         କ୍ଷୀର ସହିତରେ

ପୁତନା ଅସୁରୀ ପ୍ରାଣ ନେଲାଟି ।୧।

ନ କରିଣ ଦକା,                         ନାଶିଲା ଆଶଙ୍କା

ଚନ୍ଦନ ପଟିଆ ଚିତ୍ତ ଚମକା ।

ଶକଟା ଧେନୁକା,                         ବକା ଦର୍ପଦଳି

ବନର ଅନଳ ଗଳିଦେଲାଟି ।୨।

ଇନ୍ଦ୍ର ବିବାଦେ                               ନିର୍ଘାତ ନାଦେ,

ଶିଳା ବରଷିଲା ଅତି ପ୍ରମାଦେ ।

ଦେଖିଛ ତ ହାଦେ                         ବିନା ଅବସାଦେ

ସ୍ନାହାନ କାଳେ ଯମୁନା ଜଳେ,

ନନ୍ଦ ବୁଡ଼ିଗଲା ବୋଲି ଅଥଳେ ।

କଉତୂକ କରି,                               ତାହାଙ୍କୁ ଉଦ୍ଧରି,

ଗୋପରେ ପତାକା ଉଡ଼ଇଲାଟି ।୪।

ସେଦିନ କଂସ ହୋଇଣ ରୋଷ,

କଲେ ପଦ୍ମପାଇଁଦେଲା ଆଦେଶ ।

ପଦ୍ମ ତୋଳା ରସ-                         କରିଣ ପ୍ରକାଶ,

ବଳେ ଚଳେ କାଳି ଦଳିଦେଲାଟି ।୫।

ବିସ୍ତାରି ପାଟି                               ଖଇଲା ମାଟି,

ମାଆ ଯଶୋବନ୍ତି ଛାଟରେ ପିଟି,

ଆକଟନ୍ତେ ଥରେ                         ତା ପେଟ ଭିତରେ,

ଅଶେଷ ବ୍ରହ୍ମାଣ୍ଡ ଦେଖାଇଲାଟି ।୬।

କେ ଜାଣେ ଲୋ ମା !                         ତାହାର ମହିମା

ବତ୍ସା ହରିନେଲା ସେ ବେଦବ୍ରହ୍ମା ।

କହେ ବନମାଳୀ                         ତାକୁ ପୁଣ ଛଳି

ଲକ୍ଷେ ଧେନୁବତ୍ସା ଜାତ କଲାଟି ।୭।

(ରାଗ – କାଫି । ତାଳ- ଝୁଲା)

 

ଘାଟଲୀଳା

(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା !

ତୋ ଲାଗି ନ ଯିବି ଯମୁନା ରେ କାଳିଆ ସୁନା । ଘୋଷା।

ନିତି ଏହି ବାଟେ ଯାଉ ରେ କାଳିଆ !

ନିତି ଏହିବାଟେ ଯାଉ ।

ହାଟରେ କଉଡ଼ି ମାଗିଲେ କାଳିଆ !

ମୂରଲୀ ବଜାଉ ଥାଉ ରେ ।୧।

ତୁହି ଗୋପୁରେ ରଜା ରେ କାଳିଆ !

ତୁହି ଗୋପୁରେ ରଜା ।

କେମନ୍ତ ସଜରେ ମୂରଲୀ ବଜାଉ,

ଆଉରି ଟିକିଏ ବଜା ରେ ।୨।

କୁହି ବଡ଼ଘର ପୁଅରେ କାଳିଆ !

ମୁହିଁ ବଡ଼ଘର ବୋହୂ ।

ସରମ ତୋ ମୁଖେ ନାହିଁରେ କାଳିଆ !

ତୁହି ଅଟୁ ନନ୍ଦଚାଟ ।

ମଥୁରା ହାଟକୁ ଦଧି ବିକିଗଳେ

ନିତି ମାଗୁଥାଉ ଘାଟ ରେ ।୪।

*କହଇ ବ୍ଲଭାନନ୍ଦ ଏ ରସରେ,

ଶୁଣ ଆଗେ ସଖୀବୃନ୍ଦ ।

ଯମୁନା କୂଳରେ ମୂରଲୀ ବଜାଏ,

ତୁମ୍ଭ ଘେନି କୃଷ୍ଣଚନ୍ଦ୍ରରେ ।୫।

(ରାଗ – ସାବେରୀ । ତାଳ- ଝୁଲା)